News18 Odia Digital
ଭୁବନେଶ୍ବର: ଯେତେବେଳେ ନକଲ ଧାରାରେ ଓଲିଉଡ଼ ସିନେମା ନିର୍ମାଣ ହେଉଥିବା ସମାଲୋଚନା ଶୁଣିବାକୁ ମିଳୁଛି, ସେଭଳି ସମୟରେ ନିଚ୍ଛକ ଓଡ଼ିଆ ଘରର କାହାଣୀକୁ ନେଇ ମୌଳିକ ସିନେମା ତିଆରି କରିବାକୁ ଅଣ୍ଟା ଭିଡ଼ିଛନ୍ତି ଜଣେ କ୍ଷୁଦ୍ର ମହିଳା ଶିଳ୍ପଦ୍ୟୋଗୀ ଝରଣା ସାମଲ। ନିର୍ମାଣ ହୋଇଥିବା ଏହି ନୂଆ ଓଡ଼ିଆ ସିନେମାର ଟାଇଟେଲ ହେଲା ‘ମାୟା ଦର୍ପଣ’। କୋଭିଡ ମହାମାରୀର ପ୍ରଭାବ ଭିତରେ ବି ଏଭଳି ଏକ ବ୍ୟବସାୟିକ ଓଡ଼ିଆ ସିନେମା ନିର୍ମାଣ କରି ସେ ଆସିଛନ୍ତି ଚର୍ଚ୍ଚାକୁ।
ଅନେକଙ୍କ ମତରେ, ସିନେମା ହେଉଛି ମନୋରଞ୍ଜନର ଦୁନିଆ । କାହାଣୀ ଆଧାରରେ ଚିତ୍ର ଓ ଚରିତ୍ରକୁ ନେଇ ସିନେମା ନିର୍ମାଣ ହେବା ସହିତ ଏଥିରେ ମନୋରଞ୍ଜନକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ । ହେଲେ ଏ କଥା ସହିତ ସେ ସହମତ ନୁହଁନ୍ତି ବୋଲି କହନ୍ତି ଝରଣା।
ସେ କହୁନ୍ତି, ‘‘ସିନେମା ମନୋରଞ୍ଜନର ଅନ୍ୟତମ ମାଧ୍ୟମ ହୋଇଥିଲେ ବି ଏହାର ଉଦ୍ଦେଶ୍ୟ ମନୋରଞ୍ଜନ ଭିତରେ ସୀମିତ ନୁହେଁ । ପରିଧି ବାହାରେ ଏକ ବଡ଼ ଦୁନିଆ ଅଛି, ଯାହାକୁ କୁହାଯାଏ ସାମାଜିକ ସଚେତନତା ଓ ଉତ୍ତର ଦାୟିତ୍ୱବୋଧ। ଅର୍ଥାତ୍ ମନୋରଞ୍ଜନକୁ ଆଧାର କରି ସିନେମା ଜରିଆରେ ସମାଜର ତ୍ରୁଟି ବିଚ୍ୟୁତିକୁ ସୁଧାରିବା ପାଇଁ ସୁଯୋଗ ରହିଛି ।’’

ସିନେମା ନିର୍ମାଣ କରିଛନ୍ତି ମହିଳା ଶିଳ୍ପଦ୍ୟୋଗୀ ଝରଣା ସାମଲ
ନିଜ ନୂଆ ସିନେମା ବିଷୟରେ ଝରଣା ଆହୁରି କହଛନ୍ତି, ‘‘ଓଡ଼ିଆ ଘରର ଚାଲିଚଳଣୀରେ ଉଣା ଅଧିକେ ଘଟୁଥିବା ଘଟଣାର ଏକ ଅବତାରଣା ହେଉଛି ମାୟା ଦର୍ପଣ । ଏଥିରେ ନିଚ୍ଛକ ସତ କଥାର ଝଲକ ଅଛି । ତାହା ସହିତ ଫିକ୍ସନ ବି ପର୍ଯ୍ୟବେଶିତ ହୋଇଛି । ନିଜର ଖୁସିକୁ ପଛରେ ପକାଇ ବିଧବା ମାଆଟିଏ ନିଜର ପୁଅ ପାଇଁ ସବୁ କିଛି ତୁଚ୍ଛ କରି ଦେଇଛି । ପୁଅ ପାଇଁ ସମାଜର ଟାହିଟାପରାକୁ ମୁଣ୍ଡ ନୁଆଁ ସହିଛି । ହେଲେ ବଡ଼ ହେଲା ପରେ ପୁଅ ଭୁଲିଯାଇଛି ମାଆର ତ୍ୟାଗ ଓ ମମତାକୁ । ଆଗରୁ ଏହି ଧାରାରେ କିଛି ଓଡ଼ିଆ ସିନେମା ନିର୍ମାଣ ହୋଇଥିଲେ ମଧ୍ୟ ସମସାମୟିକ ପରିସ୍ଥିତିରେ ଏଭଳି ସାଧାରଣ ଘରର ସିନେମା ନିର୍ମାଣ ପାଇଁ କାହାରି ଆଗ୍ରହ ରହୁନାହିଁ । ଏଥ ପାଇଁ ଆମର ଏହି ସିନେମାରେ ମନୋରଞ୍ଜନ ସହିତ ସଚେତନତାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।’’
ସିନେମାର ପ୍ରଯୋଜିକା ହେବାକୁ କାହିଁକି ଆଗ୍ରହୀ ହେଲେ ପ୍ରଶ୍ନର ଉତ୍ତରରେ ଝରଣା କହିଛନ୍ତି, ‘‘ମୋର ପିଲାବେଳ ଓ ଜୀବନକୁ ବୁଝିବାର ଆଦ୍ୟ ସମୟ ଗାଁରେ କଟିଛି । ଗାଁରେ ରହିଲା ବେଳେ ମୁଁ ଅନୁଭବ କରିଛି, ଏଠି ଚାକଚକ୍ୟର ଦୁନିଆ ନଥାଇପାରେ, କିନ୍ତୁ ପରସ୍ପରକୁ ଭଲପାଇବା, ସୁଖଦୁଃଖରେ ସାମିଲ ହେବାର ପରିବେଶ ଅଛି । ସମୟ ଯେତେ ବଦଳୁ ନା କାହିଁକି ଗାଁ ଜୀବନର ଖୁବ୍ ମିଠା ଓ ଅଲଗା । ଯେତେବେଳେ ସ୍ୱାମୀଙ୍କ ସହ ସହରକୁ ଆସିଲି ଏଠିକାର ଦୁନିଆ ଥିଲା ପୂରା ନୂଆ । ଅନ୍ୟମାନଙ୍କ କଥା ଭାବିବାକୁ କାହାରି ସମୟ ନାହିଁ । ତେଣୁ ଗାଁର କଥାକୁ ନେଇ ଏଭଳି ସିନେମାର ପ୍ରଯୋଜନା କରିବାକୁ ଆଗ୍ରହୀ ହୋଇଥିଲି।’’

ନୂଆ ଓଡ଼ିଆ ସିନେମାର ଟାଇଟେଲ ହେଲା ‘ମାୟା ଦର୍ପଣ’
ସିନେମାଟି ‘ମହାକାଳ ପ୍ରଡ଼କ୍ସନ’ ବ୍ୟାନରରେ ନିର୍ମିତ ହୋଇଛି ଓ ଏହାର ପ୍ରମୁଖ ଭୂମିକାରେ ଅଛନ୍ତି ପ୍ରତିଭା ପଣ୍ଡା, କୁନା ତ୍ରିପାଠୀ, ଜୀବନ ପଣ୍ଡା, ଅଙ୍କିତ, ପୂଜା, ପ୍ରଦ୍ୟୁମ୍ନ ଲେଙ୍କା ଓ ରତନ ମେହେର ଭଳି ଲୋକପ୍ରିୟ ଅଭିନେତା ଅଭିନେତ୍ରୀମାନେ । ସିନେମାର କାହାଣୀ ଓ ସଂଳାପ ତଥା ଗୀତ ଲେଖିଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀ ରଞ୍ଜନ ଦାସ । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିକାଶ ଶୁକ୍ଲା । ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ରାଜୀବ ମହାନ୍ତି । କ୍ୟାମେରାରେ ଅଜିତ ଦାଶ ଓ ମେକଅପରେ ସମରେଶ ପାଲ ଅଛନ୍ତି।
"ସିନେମାର କାହାଣୀ ଯେହେତୁ ଗାଁ କାହାଣୀକୁ ନେଇ କେନ୍ଦ୍ରିତ , ସେ ଦୃଷ୍ଟିରୁ ସିନେମାର ୬୦ ପ୍ରତିଶତ ଆମ ଗାଁ ଯାଜପୁର ଜିଲ୍ଲା ରାମପୁର ଗାଁ ଓ ଆଖପାଖ ଅଞ୍ଚଳରେ ସୁଟିଂ ହୋଇଛି । ସିନେମାଟିକୁ ଜୀବନ୍ତ ଓ ବାସ୍ତବଧର୍ମୀ କରିବା ପାଇଁ ପୂରା ଟିମ୍ ପ୍ରୟାସ କରିଛି । ବାକି ୪୦ ପ୍ରତିଶତ ସୁଟିଂ ହରିଦାସପୁର ରେଲୱେ ଷ୍ଟେସନ ସମେତ ଅନ୍ୟ କିଛି ସ୍ଥାନରେ ସୁଟିଂ ହୋଇଛି । ସିନେମାଟି ମିଡ଼ିୟମ ବଜେଟର ଓ ନୂଆ ବର୍ଷରେ ଏହା ମୁକ୍ତିଲାଭ କରିବ। ମୋଟ ଉପରେ କୋଭିଡ ସମୟରେ ଏଭଳି ସିନେମା ନିର୍ମାଣ କରିବା ଚ୍ୟାଲେଞ୍ଜିଂ ଥିଲା," କହିଛନ୍ତି ଝରଣା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।