News 18 Odia Digital
ଭୁବନେଶ୍ୱର; ରାଜନୀତିରେ ହାରିବା ଓ ଜିତିବା, ଇଲେକ୍ସନ ଲଢିବା ଅଲଗା କଥା । କିନ୍ତୁ ପଦ୍ମପୁରରେ ଜଣେ ମହିଳା ତଥା ବର୍ଷାଙ୍କୁ ଅପମାନିତ କରାଗଲା । ଏଭଳି ଭାବରେ ଅସମ୍ମାନ କରିବା ଅତି ନିନ୍ଦନୀୟ । ସେଥିପାଇଁ ମୁଁ ନିଷ୍ପତ୍ତି ନେଲି , ମୁଁ ନିଜେ ଯାଇ ବର୍ଷା ସିଂ ପାଖରେ ଠିଆ ହେବି – ଜଣେ ବାପା ଭଳି, ଜଣେ ଭାଇ ଭଳି, ଜଣେ ବନ୍ଧୁ ଭଳି । ବାପା ହରାଇଥିବା ବର୍ଷା ସିଂଙ୍କ ପାଖରେ ଠିଆ ହେବି । ସେଇଆ ହେଲା, ମୁଁ ପଦ୍ମପୁର ଯାଇଥିଲି । ମୁଁ ଭାବୁଛି ଏହା କେବଳ ମୋ ପାଇଁ ଦୁଃଖ ନୁହେଁ । ଓଡିଶାର ସବୁ ମହିଳା ମାନଙ୍କ ପାଇଁ ଦୁଃଖର କଥା । ମହିଳାଙ୍କୁ ଅସମ୍ମାନ କଲେ କେବେ ସମର୍ଥନ ମିଳିବନି ।
ପଦ୍ମପୁରରେ ବଡ଼ ବିଜୟ ପରେ ପଦ୍ମପୁରବାସୀଙ୍କୁ ଧନ୍ୟବାଦ ଜଣାଇବା ଅବସରରେ ବିଜେପିକୁ ଏମିତି କଡ଼ା ସମାଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କଟାକ୍ଷ କରିଛନ୍ତି ଯେ, ବିଜେପିର କେନ୍ଦ୍ରମନ୍ତ୍ରୀ ପଦ୍ମପୁରବାସୀଙ୍କକୁ ଭୁଆଁ ବୁଲାଇବାକୁ ଉଦ୍ୟମ କରି ଫେଲ ମାରିଛନ୍ତି । ନବୀନ ଆହୁରି କହିଛନ୍ତି, ପଦ୍ମପୁରବାସୀଙ୍କୁ ଯାହା ପ୍ରତିଶ୍ରୁତି ଦେଇଛି, ତାହା ଗୋଟି ଗୋଟି କରି ନିଶ୍ଚୟ ପୂରଣ କରିବି ।
ପଦ୍ମପୁର ଉପନିର୍ବାଚନରେ ବିଜେଡିର ବଡ଼ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦମପୁରବାସୀଙ୍କୁ ଧନ୍ୟବାଦ ଜଣାଇ ଏହି କଥା କହିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀ ନିଜ ଭିଡିଓ ବାର୍ତ୍ତାରେ କହିଛନ୍ତି, ଆପଣମାନଙ୍କୁ ସମସ୍ତଙ୍କୁ ମୋର ଜୁହାର ଏବଂ ଏହି ଅଭୂତପୂର୍ବ ବିଜୟ ପାଇଁ ଧନ୍ୟବାଦ। ଏହା ଆଉ କାହାର ବିଜୟ ନୁହେଁ। ଏହା ପଦମପୁରବାସୀଙ୍କ ବିଜୟ । ବିଜେଡିର ଲକ୍ଷ ଲକ୍ଷ କର୍ମୀମାନଙ୍କୁ ମୁଁ ଧନ୍ୟବାଦ ଜଣାଇବାକୁ ଚାହୁଁଛି। ଆପଣମାନେ ବହୁତ ଭଲ ଭାବରେ ଓ ନିଷ୍ଠାର ସହ କାମ କରିଛନ୍ତି ।
ସରକାରଙ୍କ ଭଲ ଭଲ ଯୋଜନା ଗୁଡିକୁ ଲୋକଙ୍କ ପାଖରେ ରଖିଛନ୍ତି ଓ ବିରୋଧୀ ଦଳର ସବୁ ମିଛ କଥାକୁ ଲୋକଙ୍କ ସମ୍ମୁଖରେ ରଖିଛନ୍ତି । କିଛି ଲୋକ ମୋତେ ପଚାରୁଛନ୍ତି, ଆପଣ ତ ପଞ୍ଚାୟତ ଇଲେକ୍ସନରେ ଯାଇ ନ ଥିଲେ, ବିଭିନ୍ନ ବାଇ-ଇଲେକ୍ସନରେ ବି ଯାଇ ନ ଥିଲେ, ଏ ପଦମପୁର ଇଲେକ୍ସନରେ କାହିଁକି ଗଲେ ? ମୁଁ କହିବାକୁ ଚାହୁଁଛି ଯେଭଳି ଭାବରେ ଜଣେ ମହିଳାଙ୍କୁ, ଜଣେ ଶିକ୍ଷିତ ଅଳ୍ପ ବୟସର ମହିଳାଙ୍କୁ, ଜଣେ ବାପା ହରାଇ ଦୁଃଖରେ ଥିବା ମହିଳାଙ୍କୁ – ରାଜ୍ୟ ବିଜେପିର କିଛି ନେତୃମଣ୍ଡଳୀ ଅସମ୍ମାନ କଲେ, ତାହା ମୋତେ ବହୁତ ଦୁଃଖ ଦେଲା । ରାଜନୀତିରେ ହାରିବା ଓ ଜିତିବା, ଇଲେକସ୍ନ ଲଢିବା ଅଲଗା କଥା । କିନ୍ତୁ ଜଣେ ମହିଳାଙ୍କୁ ଏଭଳି ଭାବରେ ଅସମ୍ମାନ କରିବା, ଅତି ନିନ୍ଦନୀୟ। ସେଥିପାଇଁ ମୁଁ ନିଷ୍ପତ୍ତି ନେଲି, ମୁଁ ନିଜେ ଯାଇ ବର୍ଷା ସିଂ ପାଖରେ ଠିଆ ହେବି – ଜଣେ ବାପା ଭଳି, ଜଣେ ଭାଇ ଭଳି, ଜଣେ ବନ୍ଧୁ ଭଳି । ବାପା ହରାଇଥିବା ବର୍ଷା ସାଙ୍କରେ ଠିଆ ହେବି ।
ମୁଁ ବିରୋଧୀ ଦଳକୁ ରାଜ୍ୟର ବିଜେପି ନେତୃମଣ୍ଡଳୀଙ୍କୁ ନମ୍ରତାର ସହ ଜଣାଇ ଦେବାକୁ ଚାହୁଁଛି ଯେ, ରାଜନୀତି କରିବା ବାହାନାରେ ଯଦି ମହିଳା ମାନଙ୍କୁ ଅସମ୍ମାନ କରାଯିବ, ତାକୁ କେବେ ଓଡିଶାବାସୀ ସମର୍ଥନ କରିବେ ନାହିଁ । ଆଜି ସବୁବେଳେ । ଆଉ ଗୋଟେ ଗୁରୁତ୍ବପର୍ଣ୍ଣ କଥା ହେଲା – କେନ୍ଦ୍ର ମନ୍ତ୍ରୀମଣ୍ଡଳର କିଛି ମନ୍ତ୍ରୀମାନେ, ଓଡିଶାବାସୀଙ୍କୁ, ପଦମପୁରବାସୀଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କଲେ । ସେ ଆବାସ ଯୋଜନା ହେଉ, ବା କେନ୍ଦୁପତ୍ରର ଜିଏସଟି ହେଉ, ବା ଫସଲ ବୀମାର ବିଳମ୍ବ ହେଉ, ଏମଏସପି ପ୍ରସଙ୍ଗ ହେଉ, ବା ରେଲ କନେକ୍ଟଭିଟି ହେଉ, …ଏହା ଠିକ୍ ନୁହେଁ । ଆପଣ କେନ୍ଦ୍ରରେ ଅଛନ୍ତି, ଆମେ ରାଜ୍ୟରେ ଅଛୁ । ମିଶିକରି ଲୋକଙ୍କ ମଙ୍ଗଳ ପାଇଁ କାମ କରିବା । ଓଡ଼ିଶାର ଉନ୍ନତି ପାଇଁ କାମ କରିବା । ଆଜି ମୁଁ ପଦମପୁରବାସୀଙ୍କ ପାଖରେ ଋଣୀ । ବିନମ୍ରତାର ସହ କହିବାକୁ ଚାହେଁ ଯେ ଆପଣମାନଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ ହେବ । ଆଉ ଥରେ ସମସ୍ତଙ୍କୁ ଜୁହାର । ମୁଁ ବହୁତ ଶୀଘ୍ର ପଦମପୁରକୁ ଆସିବି । ଆପଣମାନଙ୍କର ଆଶୀର୍ବାଦ ନେବି ।
ମୁଖ୍ୟମନ୍ତ୍ରୀଙ୍କ ଏଭଳି ଟାର୍ଗେଟ ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କାଉଣ୍ଟର କରିଛନ୍ତି। ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ବିରୋଧୀ ଦଳର ଆହ୍ୱାନରେ ନୁହେଁ ବରଂ ଦଳର ସଭାପତି ହିସାବରେ ନିଜ ଦଳୀୟ ପ୍ରାର୍ଥୀ ପାଇଁ ପ୍ରଚାର କରିବାକୁ ପଦ୍ମପୁର ଯାଇଥିଲେ । ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରାର୍ଥୀଙ୍କୁ ଝିଅ ବୋଲି ସମ୍ବୋଧନ ନକରି ଏବେ ଜିତିବା ପରେ ନୂଆ କାହାଣୀ ରଚି ସମବେଦନା ଗୋଟାଇବା ପାଇଁ ଆପଣ ଚେଷ୍ଟା କରୁଛନ୍ତି । ଏହା ମୁଖ୍ୟମନ୍ତ୍ରୀର ପୁରୁଣା ଅଭ୍ୟାସ ବୋଲି ଟ୍ୱିଟ୍ କରି କହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ଜୟନାରାୟଣ ମିଶ୍ର ଟ୍ୱିଟ୍ କରିଛନ୍ତି ଯେ, ଆଜି ପଦ୍ମପୁର ନିର୍ବାଚନର ଫଳାଫଳକୁ ଆମେ ନମ୍ରତାର ସହ ଗ୍ରହଣ କରୁଛୁ । ଗଣତନ୍ତ୍ରରେ ଜନତାଙ୍କ ମତ ସର୍ବାଗ୍ରେ । କିନ୍ତୁ ମୁଖ୍ୟମନ୍ତ୍ରୀ ଯେଉଁଭଳି ଭାବେ ଆଜି ଚତୁରତାର ସହ ଭିଡିଓ ବାର୍ତ୍ତା ମାଧ୍ୟମରେ ଏକ ରାଜନୈତିକ ବୟାନ ଦେଇଛନ୍ତି, ଏହାକୁ ମୁଁ ନିନ୍ଦା କରୁଛି । ୨୨ ବର୍ଷ ଲମ୍ବା ସମୟ ଶାସନରେ ରହିବା ପରେ ମଧ୍ୟ ସେ ଲୋକଙ୍କ ଆସ୍ଥାଭାଜନ ହେବାରେ ସକ୍ଷମ ହୋଇ ପାରିନାହାନ୍ତି । ଆପଣ ଦାୟିତ୍ୱକୁ ସଠିକ୍ ରୂପେ ନିର୍ବାହ ନକରି ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି ।
ବିଜେପି, ମହିଳା ବିରୋଧୀ ବୋଲି ମୁଖ୍ୟମନ୍ତ୍ରୀ ଯେଉଁ ଆଖ୍ୟା ଦେଇଛନ୍ତି ତାହା ଯଦି ସତ ହୋଇଥାନ୍ତା ତେବେ ଆଜି ନରେନ୍ଦ୍ର ମୋଦି ନିଜକୁ ଦେଶର ପ୍ରଧାନ ସେବକ ଭାବେ ପ୍ରତିଷ୍ଠିତ କରିପାରିନଥାନ୍ତେ । ଧାମନଗର ଉପନିର୍ବାଚନରେ ବିଜେପିକୁ ଧାମନଗରବାସୀ ଜିତାଇ ନଥାନ୍ତେ । ଯଦି ମାଆ ଭଉଣୀଙ୍କ ପାଇଁ ବିଜେପି ପ୍ରତି ସମ୍ମାନ ନଥାନ୍ତା ତେବେ ପଦ୍ମପୁରରେ ୭୮ହଜାରରୁ ଉର୍ଦ୍ଧ୍ୱ ଭୋଟର ଭାଇ ଭଉଣୀମାନେ ଦଳକୁ ସମର୍ଥନ କରିନଥାନ୍ତେ । ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦଳ ମହିଳାଙ୍କୁ କେତେ ସମ୍ମାନ ଦିଅନ୍ତି, ତାହା ପରୀ, ମମିତା, ବେବିନା, ଇତିଶ୍ରୀ, କୁନ୍ଦୁଲି ଭଳି ଘଟଣାରୁ ସ୍ପଷ୍ଟ ଅନୁମେୟ । ରାଜରାସ୍ତାରେ ଅଙ୍ଗନବାଡି ଓ ଆଶା ଭଉଣୀମାନେ ପିଲା ଛୁଆ ଓ ପରିବାରକୁ ଛାଡି ଦିନ ଦିନ ଧରି ଧାରଣାରେ ବସୁଛନ୍ତି, ଯାହା ମୁଖ୍ୟମନ୍ତ୍ରୀଙ୍କୁ କେବେ କଷ୍ଟ ଦିଏନି । କିନ୍ତୁ ସେଥିରୁ ରାଜନୈତିକ ଫାଇଦା ନେବା ପାଇଁ ସବୁବେଳେ ଚେଷ୍ଟା କରିଛନ୍ତି ।
୪ ଜଣ କେନ୍ଦ୍ରମନ୍ତ୍ରୀ ଉଠାଇଥିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଉତ୍ତର ନ ଦେଇ ଏକ ପ୍ରହେଳିକା ତିଆରି କରନ୍ତି, ଯାହା ମୁଖ୍ୟମନ୍ତ୍ରୀଙ୍କ ପୁରୁଣା ଅଭ୍ୟାସ । ଆପଣ ଉତ୍ତର ରଖିବେ କି ? ରେଳ ଲାଇନ ପାଇଁ ଜମି ଦେଇଛନ୍ତି କି ? କେନ୍ଦ୍ରପତ୍ରର ଜିଏସଟିର ଅଧା ୯% ଆପଣ ନେଉଛନ୍ତି କି ନାହିଁ ? ଫସଲ ବୀମାରେ ଘରୋଇ ବ୍ୟାଙ୍କ ଏଚଡିଏଫସିକୁ ଆପଣ ସାମିଲ କରିଥିଲେ କି ନାହିଁ ? ମୁଖ୍ୟମନ୍ତ୍ରୀ ବରଗଡ ସୋହେଲାରେ ଚାଷୀଙ୍କ ପାଇଁ ଘୋଷଣା କରିଥିବା ୧୦୦ ଟଙ୍କା ବୋନସ ଦେଇଛନ୍ତି କି ? ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧ ହଜାର କୋଟି ଟଙ୍କାରୁ ଅଧିକ ଦୁର୍ନୀତି ରାଜ୍ୟ ସରକାରଙ୍କ ସମ୍ପୃକ୍ତି ଅଛି କି ନାହିଁ ? ବରଗଡ଼ ସମେତ ପଶ୍ଚିମ ଓଡ଼ିଶାକୁ ଆବାସ ଯୋଜନାରେ ଘର ବଣ୍ଟନରେ ପାତରଅନ୍ତର କରିଛନ୍ତି କି ନାହିଁ ? ରାଜ୍ୟ ଗୃହ ବିଭାଗ ଦେଇଥିବା ସେପ୍ଟେମ୍ବର ୨୦୨୨ର ତଥ୍ୟ ଅନୁସାରେ ଓଡ଼ିଶାରେ ୨୧୬୯ଟି ଧର୍ଷଣରେ ମାମଲା ରୁଜୁ ହୋଇଛି, ୧୧୩୮ ହତ୍ୟା, ୩୯୨୬ ଯୌତୁକ ନିର୍ଯ୍ୟାତନା, ୪୦୭୨ ଘରୋଇ ହିଂସା ମାମଲା ରୁଜୁ ହୋଇଛି ବୋଲି ଜୟନାରାୟଣ ମିଶ୍ର କହିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।