ପୁରୀ: ପାଗଳୀ କହି ଶାଶୁଘରୁ ତଡ଼ିଦେଲେ; ୧୫ ଦିନର ପୁଅକୁ ଧରି କାଳିଆ ଭରସାରେ ବନିତା ମିଶ୍ର

ଯାଜପୁର ଜିଲ୍ଲାର ପୋଲିସ ପିତାମାତାହୀନ ବନିତା ମିଶ୍ରଙ୍କ ଏତାଲା ନେବାକୁ ମନା କରିଦେବା ପରେ ନବଜାତ ଶିଶୁ ଓ ନିଜ ଆଈଙ୍କ ସହ ସେ ‘‘କାଳିଆ ପାଖରେ ନ୍ୟାୟ ପାଇବା ପାଇଁ’’ ସିଧା ଶ୍ରୀକ୍ଷେତ୍ର ଚାଲିଆସିଥିଲେ ।

ବନିତା ମିଶ୍ର; (ଡାହାଣ) ସିଂହଦ୍ୱାର ନିକଟରେ ନବଜାତ ପୁତ୍ର ଓ ଆଈଙ୍କ ସହ ବନିତା ମିଶ୍ର

ବନିତା ମିଶ୍ର; (ଡାହାଣ) ସିଂହଦ୍ୱାର ନିକଟରେ ନବଜାତ ପୁତ୍ର ଓ ଆଈଙ୍କ ସହ ବନିତା ମିଶ୍ର

  • Share this:
News18 Odia Digital

ପୁରୀ: ମାତ୍ର ୧୫ ଦିନ ତଳେ ଜନ୍ମ ଦେଇଥିବା ଶିଶୁ ପୁତ୍ରକୁ କୋଳରେ ଧରି ନିଜ ଆଈଙ୍କ ସହ ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖରେ ବସି ରହିଥିଲେ ବନିତା ମିଶ୍ର । ଯାଜପୁରରେ ତାଙ୍କ ଶାଶୁଘରେ ତାଙ୍କ ସ୍ୱାମୀ ଓ ଶାଶୁ ଲଗାତର ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ପାଗଳୀ ବୋଲି କହି ଘରୁ ବାହାର କରିଦେବା ପରେ ସେ ଥାନାରେ ଅଭିଯୋଗ କରିଥିଲେ । ହେଲେ ଥାନା ପକ୍ଷରୁ କୌଣସି ସାହାଯ୍ୟ ନ ମିଳିବାରୁ ମହାପ୍ରଭୁ ଜଗନ୍ନାଥଙ୍କ ଶରଣାପନ୍ନ ହେବାକୁ ପୁରୀ ଚାଲିଆସିଥିଲେ ତିନି ଜଣ ।

ପିତାମାତାହୀନ ୩୦ ବର୍ଷୀୟା ବନିତା ପିଲାଟି ବେଳୁ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ପଞ୍ଚୁପାଣ୍ଡବପାରି ଗାଁରେ ନିଜ ଆଈ ଉର୍ବଶୀ ଦାଶଙ୍କ ପାଖରେ ରହୁଥିଲେ । ଦୁଇ ବର୍ଷ ତଳେ ଗାଁ ପାଖ ବଡ଼ଚଣାର ଭାକୁଡା ଗାଁର ୩୫ ବର୍ଷୀୟ ସୁବାଶିଷ ମିଶ୍ରଙ୍କ ସହ ତାଙ୍କର ବିବାହ ହୋଇଥିଲା ବୋଲି ସେ କହିଛନ୍ତି । ଏକ ଶିଶୁପୁତ୍ରକୁ ଜନ୍ମ ଦେବା ପରେ ତାଙ୍କ ଶାଶୁଘର ଲୋକଙ୍କ ଅତ୍ୟାଚାର ବଢ଼ିଯାଇଥିଲା ଓ ଶେଷରେ ତାଙ୍କୁ ସେମାନେ ଘରୁ ବାହାର କରିଦେଇଥିଲେ ବୋଲି ସେ କହିଛନ୍ତି ।

‘‘ମୋତେ ପାଗଳୀ କହି ସେମାନେ ମାରଧର କରୁଥିଲେ । ପିଲାଟିକୁ ଜନ୍ମ ଦେବା ପରେ ମୋ’ ସ୍ୱାମୀ ଓ ଶାଶୁ ମିଶି ମୋତେ ଘରୁ ବାହାର କରିଦେଲେ । ମୁଁ ବାଧ୍ୟ ହୋଇ ବାଲିଚନ୍ଦ୍ରପୁର ଥାନାରେ ସେମାନଙ୍କ ନାଁରେ ଏତାଲା ଦେଲି । ହେଲେ ଏଇଟା ପାରିବାରିକ ସମସ୍ୟା ବୋଲି କହି ପୋଲିସ ଆପୋଷ ବୁଝାମଣା କରିବାକୁ କହିଲା ଓ ଏତାଲା ରୁଜୁ କଲା ନାହିଁ । ତେଣୁ ଆଉ ଶାଶୁ ଘରକୁ ନ ଫେରି ଆଈଙ୍କ ପାଖକୁ ଚାଲିଗଲି,’’ କହିଛନ୍ତି ବନିତା ।

‘‘ଶାଶୁଘର ଲୋକେ ମୋତେ ପାଗଳୀ କହୁଥିଲେ,’’ କହିଛନ୍ତି ବନିତା ମିଶ୍ର ।


ତାଙ୍କ ୬୦ ବର୍ଷୀୟା ଆଈ ଉର୍ବଶୀ ଦାଶ ବନିତାଙ୍କ ସ୍ଥିତି ଦେଖି ଚିନ୍ତିତ ହୋଇପଡ଼ିଥିଲେ । ‘‘ଥାନା ପୋଲିସ ତ ଶୁଣିଲେ ନାହିଁ । ଆଉ କିଛି ଉପାୟ ନ ପାଇ ଆମେ କଅଁଳା ପିଲାଟିକୁ ଧରି କାଳିଆ ପାଖରେ ନ୍ୟାୟ ପାଇବା ପାଇଁ ସିଧା ପୁରୀ ଚାଲିଆସିଲୁ । ସିଂହଦ୍ୱାର ନିକଟରେ କାଳିଆ ଦୁଆରେ ବସି ନ୍ୟାୟ ପାଇଁ ଭିକ୍ଷା କରୁଛୁ,’’ କହିଛନ୍ତି ଉର୍ବଶୀ ।

ଉର୍ବଶୀଙ୍କ ସ୍ୱାମୀ ତାଙ୍କୁ ଛାଡ଼ି ଚାଲିଯାଇ ଆଉ ଗୋଟେ ବାହା ହୋଇ ରହୁଥିବା ସେ କହିଛନ୍ତି । ‘‘ମୋ’ ପରିସ୍ଥିତି ଖରାପ । ତେଣୁ ଏଭଳି ସ୍ଥିତିରେ ଛୋଟ ଛୁଆକୁ ଧରି ଝିଅଟିକୁ ଚଳେଇବା ମୋ’ ପାଇଁ ଭାରି କଷ୍ଟକର ହେଲା । ତେଣୁ ଝିଅକୁ ନେଇ ଚାଲି ଆସିଲି କାଳିଆ ପାଖକୁ,’’ କହିଛନ୍ତି ଉର୍ବଶୀ ।

ସ୍ୱାଧାର ଗୃହରେ ବନିତାଙ୍କ କାଉନସେଲିଂ କରାଯାଉଛି ।


ଅକ୍ଟୋବର ୧୧ ତାରିଖରେ ଦିନ ତମାମ ଶିଶୁପୁତ୍ରକୁ ଧରି ବନିତା ଓ ଉର୍ବଶୀ ନ ଖାଇ ନ ପିଇ ସିଂହଦ୍ୱାର ସାମନାରେ ବସିରହିଥିବା ବେଳେ ସନ୍ଧ୍ୟା ବେଳେ ସେମାନଙ୍କ ଉପରେ ନଜର ପଡ଼ିଥିଲା ସେହି ବାଟ ଦେଇ ଯାଉଥିବା ସେବାୟତ ସୋମନାଥ ଖୁଣ୍ଟିଆଙ୍କର ।

ବନିତାଙ୍କ ୬୦ ବର୍ଷୀୟା ଆଈ ଉର୍ବଶୀ ଦାଶ


‘‘ଏଠି କାହିଁକି ବସିଛ ବୋଲି ପଚାରିଲାରୁ ସେମାନେ କ’ଣ କହିଲେ କିଛି ବୁଝିହେଲା ନାହିଁ । ସେମାନେ ଭୋକରେ ଥିବାରୁ ପାଟିରୁ ଠିକ୍‌ ଭାବେ କଥା ବାହାରୁ ନ ଥିଲା । କିଛି ଖାଦ୍ୟ ଆଣି ଦେବା ପରେ ସେମାନେ ଖାଇଥିଲେ,’’ କହିଛନ୍ତି ଖୁଣ୍ଟିଆ । ସେ ହିଁ ଏହି ତିନି ଜଣଙ୍କୁ ପାଖରେ ଡ୍ୟୁଟି କରୁଥିବା ପୋଲିସ କର୍ମୀମାନଙ୍କ ଜିମା ଦେଇଥିଲେ । ତା’ପରେ ସେମାନଙ୍କୁ ସିଂହଦ୍ୱାର ଥାନା ନିଆଯାଇଥିଲା ଓ ପରେ ବିଜୟ ସ୍ୱାଧାର ଗୃହକୁ ପଠାଇଦିଆଯାଇଥିଲା ।

ଏହା ବି ପଢ଼ନ୍ତୁ | ‘‘ପଶ୍ଚିମ ବଙ୍ଗରେ ଆସନ୍ତା ବର୍ଷ BJP ସରକାର ବନେଇବ,’’ କହିଲେ ଅମିତ ଶାହ

ସିଂହଦ୍ୱାର ଥାନା ଅଧିକାରୀ ଗେଲିକୁମାରୀ ସାହୁ କହିଛନ୍ତି  ଯେ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଏହି ଘଟଣା ବିଷୟରେ ଜାଣିବା ପରେ ଦତ୍ତତୋଟାରେ ଥିବା ସ୍ୱାଧାର କେନ୍ଦ୍ରକୁ ସେମାନଙ୍କୁ ପଠାଯାଇଥିଲା । ବାଲିଚନ୍ଦ୍ରପୁର ଥାନା ସହ ଏ ବିଷୟରେ କଥାବାର୍ତ୍ତା କରାଯାଇଛି ବୋଲି କହିଛନ୍ତି ସାହୁ ।

ଏହା ବି ପଢ଼ନ୍ତୁ | LPG ସିଲିଣ୍ଡର ଉପରେ ୧ ନଭେମ୍ବରରୁ ଲାଗୁ ହେବାକୁ ଯାଉଛି ଏହି ନୂଆ ନିୟମ; ଜାଣନ୍ତୁ କିଏ ପାଇବେ ଛାଡ଼

‘‘ଏଇଠି (ସ୍ୱାଧାର କେନ୍ଦ୍ରରେ) ତିନି ଜଣ ଯାକ ସୁସ୍ଥ ଅଛନ୍ତି । ସେମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ଏ ବିଷୟରେ ଅବଗତ କରାଯାଇଛି । କିଭଳି ଏହି ପରିବାର ନ୍ୟାୟ ପାଇବେ ସେ ନେଇ ପଦକ୍ଷେପ ନିଆଯିବ,’’ କହିଛନ୍ତି ବିଜୟ ସ୍ୱାଧାର କେନ୍ଦ୍ରର କନସଲ୍ଟଟାଣ୍ଟ ନମିତା ସାହୁ ।



ଉର୍ବଶୀଙ୍କ ଚିନ୍ତା କେମିତି ବନିତା ନିଜ ଶାଶୁଘରକୁ ଫେରିବେ ଓ ସେଠି ସୁରକ୍ଷିତ ରହିବା ସହ ନିଜ ପିଲାକୁ ଲାଳନ ପାଳନ କରିବେ । ‘‘ସରକାର ତାକୁ (ବନିତାକୁ) ନ୍ୟାୟ ନ ଦେଲେ ଆମେ ସେହି କାଳିଆ ପାଖରେ ବସି ରହି ନ୍ୟାୟ ମାଗିବୁ,’’ ସେ କହିଛନ୍ତି ।
Published by:Anand ST Das
First published: