News18 Odia Digital
ଭୁବନେଶ୍ୱର: କଣ୍ଟ୍ରାକ୍ଟ ପାଇବା ଲୋଭରେ ଡିନାମାଇଟ ଲଗାଇ ନଦୀ ବନ୍ଧ ଭାଙ୍ଗୁଥିବା ଲୋକଙ୍କ ସହ ଧର୍ମଶାଳା ବିଧାୟକ ପ୍ରଣବ ବଲବନ୍ତରାୟଙ୍କ ସମ୍ପୃକ୍ତି ରହିଛି ବୋଲି ଅଭିଯୋଗ କରି ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ। ନଦୀ ବନ୍ଧ ଭାଙ୍ଗିବା ଯୋଗୁଁ ଆସୁଥିବା ବନ୍ୟାର ପ୍ରକୋପ ଲୋକଙ୍କୁ ଭୋଗିବାକୁ ପଡୁଛି ।
କଂଗ୍ରେସ କହିଛି ଯେ ଠିକାଦାରମାନଙ୍କୁ ଲାଭ ଦେବା ପାଇଁ ନଦୀ ବନ୍ଧ ଭାଙ୍ଗିବା କାର୍ଯ୍ୟରେ ବିଧାୟକଙ୍କର ରହିଛି ପ୍ରତ୍ୟକ୍ଷ ସଂପୃକ୍ତି । ଏହି ଘଟଣାକୁ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି ବୋଲି କହିଛନ୍ତି ଯାଜପୁର ଜିଲ୍ଲାପାଳ । ହେଲେ ବିଧାୟକ ପ୍ରଣବ ବଳବନ୍ତରାୟ ଏହି ଅଭିଯୋଗ ସମ୍ପର୍କରେ ମୁହଁ ଖୋଲି ନାହାନ୍ତି ।
ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ବୁଦ୍ଧଲିଙ୍ଗ ଗାଁ ମଝିରେ ଥିବା ନଦୀ ବନ୍ଧକୁ କିଛି ଦୁର୍ବୃତ୍ତ ଡିନାମାଇଟ ଲଗାଇ ଭାଙ୍ଗିଦେଇଥିଲେ । ଏହା ଦ୍ୱାରା ୩୦୦ ଫୁଟ ଲମ୍ବର କୃତ୍ରିମ ଘାଇ ସୃଷ୍ଟି ହୋଇଥିଲା । ଯଦିଓ ଏହାକୁ ଦୁର୍ବୁତ୍ତଙ୍କ କାମ ବୋଲି କୁହାଯାଉଛି ତେବେ ଏଥିରେ ‘‘ମାମୁ-ଭଣଜାଙ୍କ ପ୍ରତ୍ୟକ୍ଷ ସଂପୃକ୍ତି’’ ରହିଛି ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ।
‘‘ଜେଇ ହେଉଛନ୍ତି ନରେନ ଜେନା, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ମାମୁଁ। ସାଢେ ୨୪ କୋଟି ଟଙ୍କା ବ୍ୟୟରେ ଗତ ବର୍ଷ ବନ୍ଧ ନିର୍ମାଣ ହୋଇଥିଲା । ଯେଉଁମାନେ ଡିନାମାଇଟ ଲଗାଇ ଡଙ୍କାରୀ ପାହାଡ଼ ଫଟଉଛନ୍ତି ସେହିମାନେ ବନ୍ଧ ଭାଙ୍ଗିଛନ୍ତି । ଏଭଳି ଘଟଣା ଆଗରୁ କେବେ ଘଟି ନ ଥିଲା । କେମିତି ସାହସ ପାଇଲେ? ଏହି ନଦୀ ବନ୍ଧ ରୋଡ଼ ଚାରିଟି ପଞ୍ଚାୟତକୁ ସଂଯୋଗ କରୁଥିଲା । ଏବେ ୬୭ଟି ୱାର୍ଡକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ୫,୦୦୦ ଲୋକ ପାଣିଘେରରେ ଅଛନ୍ତି । ବିଧାୟକଙ୍କ ସାହସ ବିନା ଏ କାର୍ଯ୍ୟ ଅସମ୍ଭବ । ଜନସାଧାରଣଙ୍କ ସମ୍ପତ୍ତି ନଷ୍ଟ କରିବା ଓ ଜନଜୀବନକୁ ବିପଦ ମୁହଁରେ ପକାଇଇଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଉଚିତ,’’ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସାମନ୍ତସିଂହାର ।
ଧର୍ମଶାଳାର କଂଗ୍ରେସ ବିଧାୟକ ପ୍ରାର୍ଥୀ ସ୍ମୁତିରେଖା ପୋହି ବି ବଳବନ୍ତରାୟଙ୍କ ସଂପୃକ୍ତି ଥିବା କହିଛନ୍ତି ଓ ତଦନ୍ତ ଦାବି କରିଛନ୍ତି । ‘‘ବିଜେଡ଼ିର ବିନାଶ କାଳେ ବିପରୀତ ବୁଦ୍ଧି । ଶାସକ ଦଳର ମୁଖିଆ ଓ ନେତାଙ୍କ ବଳରେ ସାହସ ପାଉଛନ୍ତି ଦୁର୍ବୃତ୍ତ । ସରକାର ଏହା ଉପରେ ତୁରନ୍ତ ଆଇନ ଅନୁଯାୟୀ ତଦନ୍ତ କରିବା ଉଚିତ । ଠିକାଦାରଙ୍କ ସ୍ୱାର୍ଥ ପାଇଁ ବିଧାୟକ ଏଭଳି କରିଛନ୍ତି,’’ କହିଛନ୍ତି ପୋହି ।
ଏହା ବି ପଢ଼ନ୍ତୁ | ଭାରତ-ପାକିସ୍ତାନ ସୀମାରେ BSF ଖୋଜି ପାଇଲା ସୁଡ଼ଙ୍ଗ; ବାଲି ବସ୍ତାରେ ଲେଖାଅଛି ‘କରାଚୀ’ଏହା ବି ପଢ଼ନ୍ତୁ | ଐତିହାସିକ! ଦିଲ୍ଲୀରେ ଲଗାତାର ୬ ବର୍ଷ ଧରି ବିଦ୍ୟୁତ୍ ଶୁଳ୍କ ବଢ଼ିନାହିଁ; ୨୪ ଘଣ୍ଟା ବିଜୁଳି ମିଳୁଛିଧର୍ମଶାଳା ନିର୍ବାଚନ ମଣ୍ଡଳୀର କୋତପୁର ପଞ୍ଚାୟତର ରମାପୁର ଠାରେ ହୋଇଥିବା ଘାଇଟି ମନୁଷ୍ୟକୃତ ବୋଲି ଜିଲ୍ଲା ପ୍ରଶାସନ ସ୍ୱୀକାର କରିଛି । ୨୪ କୋଟି ଟଙ୍କା ବ୍ୟୟରେ ନଦୀ ବନ୍ଧର ପ୍ରଶସ୍ତିକରଣ ଧର୍ମଶାଳା ବିଧାୟକଙ୍କ ମାମୁଁ କନିଷ୍ଠ ଯନ୍ତ୍ରୀ ନରେନ୍ କୁମାର ଜେନାଙ୍କ ତତ୍ୱାବଧାନରେ କରାଯାଇଥିଲା ।
ଜିଲ୍ଲା ପ୍ରଶାସନ ତରଫରୁ ଏ ନେଇ ଥାନାରେ ମାମଲା ରୁଜୁ ହୋଇଛି ଓ ତଦନ୍ତ ଚାଲିଛି ବୋଲି ଜିଲ୍ଲାପାଳ କହିଛନ୍ତି । ମୁଖ୍ୟ ଶାସନ ସଚିବ ମଧ୍ୟ ଏହାକୁ ମନୁଷ୍ୟକୃତ ଘାଇ ବୋଲି କହିବା ସହ କାର୍ଯ୍ୟାନୁଷ୍ଠାଗ୍ରହଣ କରାଯାଇଥିବା ସୂଚନା ଦେଇଥିଲେ । ସମଗ୍ର ଘଟଣା ଉପରେ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।