News 18 Odia Digital
ପୁରୀ; ବଡ଼ଦାଣ୍ଡର ବଡ଼ଶଙ୍ଖରେ ଥିବା ଏଚଆର୍ ହୋଟେଲରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର । ହୋଟେଲର ତିନିମହଲାରେ ଥିବା ୧୮ନମ୍ବର ବନ୍ଦ କୋଠରୀରୁ ମୃତଦେହ ଉଦ୍ଧାର କଲା ପୋଲିସ । ପ୍ରଥମେ ଧାରୁଆ ଅସ୍ତ୍ରରେ ନିଜ ହାତର ମଣିବନ୍ଧକୁ କାଟି ଲହୁଲୁହାଣ ହୋଇଛନ୍ତି । ଆଉ ତାପରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।
ଘଟଣାସ୍ଥଳରୁ ପ୍ରାୟ ୪୦ ଫର୍ଦ୍ଦର ଚିଠି ମିଳିଛି । ଯେଉଁଁଥିରେ ମୃତ୍ୟୁ ପୂର୍ବରୁ ତାଙ୍କ ପରିବାରର ବାପା, ମାଆ, ଭାଇ ଭଉଣୀଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି । ଆଉ ଏକ ସୁଇସାଇଡାଲ ନୋଟ୍ ମଧ୍ୟ ପୁଲିସକୁ ମିଳିଛି । ତାଙ୍କର ଇଚ୍ଛା ସଫଳ ନହେବାରୁ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି । ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ବୋଲି ସୁଇସାଇଡାଲ ନୋଟ୍ ରେ ଲେଖିଛନ୍ତି । କୁମ୍ଭାରପଡା ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ସଦର ହସପିଟାଲକୁ ପଠାଇବା ସହ ଘଟଣାର ଛାନବିନ ଆରମ୍ଭ କରିଛି । ଫରେନସିକ ଟିମ୍ ମଧ୍ୟ ଘଟଣାସ୍ଥଳରୁ ରକ୍ତଭିଜା ବେଡସିଟ, ତକିଆ ଓ କିଛି ସାମଗ୍ରୀ ସଂଗ୍ରହ କରି ଆତ୍ମହତ୍ୟାର କାରଣ ଖୋଜୁଛି ।
ଯୁବତୀଙ୍କ ସମ୍ପର୍କୀୟ ପୁରୀରେ ପହଞ୍ଚିଛନ୍ତି । ପୋଲିସର ସୂଚନା ମୁତାବକ ମୃତ ଯୁବତୀ ହେଉଛନ୍ତି ଯାଜପୁର ମଙ୍ଗଳପୁରର ଜୟନ୍ତରା ଗାଁର କଳ୍ପତରୁ ମହାନ୍ତିଙ୍କ ଝିଅ ପାୟଲ । ବୟସ ମାତ୍ର ୨୦ବର୍ଷିୟ ପାୟଲ ଭୁବନେଶ୍ୱର ଗଙ୍ଗନଗର ଅଞ୍ଚଳରେ ରହୁଥିଲେ । ତାଙ୍କ ବାପା ଓ ପରିବାର କଲିକତାରେ ରହୁଛନ୍ତି । ଓୟୁଏଟିରେ କମ୍ପୁଟର ସାଇନ୍ସ କମ୍ପ୍ଲିଟ କରିଛନ୍ତି ପାୟଲ । ଅନ୍ୟ କୌଣସି କାରଣ ନାହିଁ କେବଳ ପାଠ ପଢାପଢିକୁ ନେଇ ସନ୍ତୁଷ୍ଟ ନଥିଲେ ବୋଲି କହିଛନ୍ତି ତାଙ୍କ ସମ୍ପର୍କିୟ ।
ସେପଟେ ପାୟଲ ଗତକାଲି ଏକୁଟିଆ ପୁରୀ ଆସିଥିଲେ କି ନାହିଁ ତାହା କାହାକୁ ଜଣାନାହିଁ ମାତ୍ର ହୋଟେଲରେ ଏକୁଟିଆ ରହିଥିଲେ । ଗତକାଲି ପୂର୍ବାହ୍ନ ୯ଟା ୩୫ରେ ହୋଟେଲ କାଉଁଟରରେ ଆଧାରକାର୍ଡ ଦାଖଲ କରିବା ସହ ରେଜିଷ୍ଟରରେ ଦସ୍ତଖତ କରିଥିଲେ । ସିଙ୍ଗିଲ ବୋଲି ରେଜିଷ୍ଟରରେ ଲେଖିଛନ୍ତି । ଏଣୁ ପାୟଲ ଆତ୍ମହତ୍ୟା କରିଥିବା ଏକପ୍ରକାର ସ୍ପଷ୍ଟ ହୋଇଛି । ହେଲେ ଆତ୍ମହତ୍ୟା ପଛରେ ଅନେକ ରହସ୍ୟ ଲୁଚି ରହିଥିବା ବାରି ହୋଇପଡୁଛି । କାରଣ ପାୟଲ ପ୍ରଥମେ ହାତର ମଣିବନ୍ଧକୁ କାଟି ଲହୁଲୁହାଣ ହେବା ଓ ତାପରେ ରଶି ଲଗାଇ ଆତ୍ମହତ୍ୟା କରିବା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ପୋଲିସର ତଦନ୍ତ କେବଳ ଆତ୍ମହତ୍ୟା ପାଖରେ ନଅଟକି ଏହା ପଛରେ ଥିବା ସତ୍ୟତାକୁ ଖୋଳି ବାହାର କଲେ ପାୟଲ ନ୍ୟାୟ ପାଇପାରନ୍ତା ବୋଲି କିଛି ଲୋକ ମତବ୍ୟକ୍ତ କରିଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।