ଚ଼ୌଦ୍ୱାର ଜେଲ୍‌ରେ ବନ୍ଦ୍ ଥିବା କୁଖ୍ୟାତ ଅପରାଧୀ ସକିଲ୍‌ର ଗ୍ୟାଙ୍ଗ୍‌ରେ ସ୍କୁଲ୍‌ ଛାତ୍ର ସାମିଲ୍‌!

News18 Odia Digital EXCLUSIVE: ପୂରା କଟକକୁ କବଜା କରିବା ପାଇଁ ସକିଲର ଆଉ ଏକ ନୂଆ ଘୃଣ୍ୟ ଚ଼ାଲ୍ ଏବେ ପଦାକୁ ଆସିଛି । କିଛି କୋମଳମତି ସ୍କୁଲ ଛାତ୍ରମାନଙ୍କୁ ନେଇ ସେ ଗଢ଼ିଛି ନିଜ ଅପରାଧ ନେଟୱର୍କର ଏକ ସମାନ୍ତରାଳ ଧାରା । ଦାଦାବଟି ଆଦାୟ ମାମଲାରେ ଜଣେ ଦଶମ ଶ୍ରେଣୀ ଛାତ୍ର ଧରାପଡ଼ିବା ପରେ ପୋଲିସକୁ ମିଳିଛି ମହତ୍ତ୍ୱପୂର୍ଣ୍ଣ ସୁରାକ ।

ଚ଼ୌଦ୍ୱାର ଜେଲ୍‌ରେ ବନ୍ଦ୍ ଥିବା କୁଖ୍ୟାତ ଅପରାଧୀ ସକିଲ୍‌ର ଗ୍ୟାଙ୍ଗ୍‌ରେ ସ୍କୁଲ୍‌ ଛାତ୍ର ସାମିଲ୍‌!
ସକିଲ୍‌ (ଫାଇଲ୍‌ ଫଟୋ)
  • News18 Odia
  • Last Updated: January 21, 2020, 11:01 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ନଭେଶ ମହାନ୍ତି | News18 Odia Digital

କଟକ: କଟକର କୁଖ୍ୟାତ ଅପରାଧୀ ସକିଲ ଜଣେ ବ୍ୟବସାୟୀଙ୍କୁ ୧୦ ଲକ୍ଷ ଟଙ୍କାର ଦାଦାବଟି ମାଗିବା ମାମଲାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମନା କୁ ଆସିବାରେ ଲାଗିଛି। ପ୍ରଥମେ ପରିବାର ସଦସ୍ୟ, ତା’ପରେ ପ୍ରେମିକା ଓ ଏବେ ତା’ର ଅପରାଧ ନେଟୱର୍କରେ ସ୍କୁଲ ଛାତ୍ରଙ୍କ ସମ୍ପୃକ୍ତି ନେଇ ପୋଲିସକୁ ପ୍ରମାଣ ମିଳିଛି।

ଏହି ମାମଲାର ତଦନ୍ତ କରୁଥିବା ଦରଘା ବଜ଼ାର ପୋଲିସ ସକିଲର ଅତି ଖାସ କୁହାଯାଉଥିବା ଜଣେ ନାବାଳକକୁ ଧରିବାରେ ସଫଳ ହୋଇଛି। ସମ୍ପୃକ୍ତ ନାବାଳକଙ୍କ ଘର କଟକର ମଙ୍ଗଳାବାଗ ଅଞ୍ଚଳରେ ଏବଂ ସେ ସ୍ଥାନୀୟ ଏକ ସ୍କୁଲର ଦଶମ ଶ୍ରେଣୀର ଛାତ୍ର ବୋଲି ଜଣାପଡିଛି। ସମ୍ପୃକ୍ତ ନାବାଳକ ଜଣକୁ ପୋଲିସ ଆଜି ଧରିବା ପରେ ତାକୁ ଜୁଭେନାଇଲ ଜଷ୍ଟିସ ବୋର୍ଡ଼ଙ୍କ ନିକଟରେ ହାଜର କରିଛି।

ଏହି ନାବାଳକ ସହ ମତମଠ ବାସିନ୍ଦା ବଣ୍ଟି ଓରଫ ଶିବ ପ୍ରସାଦ ଖଟୁଆ ନାମକ ଜଣେ ଯୁବକ ମଧ୍ୟ ଗିରଫ ହୋଇଛନ୍ତି । ଗତ ଡିସେମ୍ବର ୧୨ ତାରିଖ ଦିନ ଉଭୟ କଟକ ବକ୍ସି ବଜାର ଠାରେ ଥିବା ଆନନ୍ଦ ସ୍ପୋର୍ଟର ମାଲିକ ଯୋଗେଶ ଅଗ୍ରୱାଲଙ୍କୁ ସକିଲର ନାଁ ନେଇ ୧୦ ଲକ୍ଷ ଟଙ୍କାର ବଟି ମାଗିଥିବା ପୋଲିସ ପକ୍ଷରୁ କୁହାଯାଇଛି ।

‘‘ସକିଲ ଗ୍ୟାଙ୍ଗରେ ଆଉ ଚ଼ାରିରୁ ପାଞ୍ଚ ଜଣ ସ୍କୁଲ ଛାତ୍ର ମଧ୍ୟ ସାମିଲ ଥିବା ତଦନ୍ତ ରୁ ଜଣା ପଡ଼ିଛି । ଅର୍ଥ ଓ କ୍ଷମତା ଲୋଭ ଦେଖାଇ ସକିଲ ଏମାନଙ୍କୁ ପଥଭ୍ରଷ୍ଟ କରି ନିଜ ଆପରାଧିକ କାର୍ଯ୍ୟକଳାପରେ ବ୍ୟବହାର କରୁଛି । ଆମେ ଖୁବ ଶୀଘ୍ର ସେମାନଙ୍କୁ ମଧ୍ୟ ଠାବ କରିବୁ,’’ ଏହି ମାମଲାର ତଦନ୍ତ କରିଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ସକିଲ ଚୌଦ୍ୱାର ଜେଲରେ ଥିଲେ ମଧ୍ୟ ନିଜ ଆପରାଧିକ କାର୍ଯ୍ୟକଳାପ ଜାରି ରଖିଛି। ପୋଲିସର ନଜରରୁ ଦୂରରେ ରହି ଏସବୁ କାର୍ଯ୍ୟ କରିବା ପାଇଁ ସେ ସ୍କୁଲ ଛାତ୍ରଙ୍କୁ ଏବେ ମୋହରା ବନେଇଛି । ଏହି ଛାତ୍ରମାନେ ତାକୁ ନିୟମିତ ଭାବେ ଜେଲରେ ଭେଟିବା, ତା’ ଇଙ୍ଗିତରେ କଟକରେ ଅପରାଧ ଘଟାଇବା ଓ ସକିଲକୁ ସାହାଯ୍ୟ କରିଥିବା ମଧ୍ୟ ପୋଲିସ ସୂତ୍ରରୁ ଜଣାପଡ଼ିଛି।

ପୋଲିସ ହାତରେ ଧରାପଡ଼ିଥିବା ନାବାଳକ ଜଣକ ମଧ୍ୟ ସେହି କାର୍ଯ୍ୟ କରୁଥିଲା । ଦାଦାବଟି ଆଦାୟ ନେଇ ଆନନ୍ଦ ସ୍ପୋର୍ଟ ମାଲିକଙ୍କୁ ଡିସେମ୍ବର ୧୨ ତାରିଖ ଦିନ ହୋଇଥିବା ତିନିଟି ଫୋନ କଲ କରାଯାଇଥିଲା । ସେଥି ମଧ୍ୟରୁ ଗୋଟିଏ କଲ ଏହି ନାବାଳକ କରିଥିବା ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି ।

ଏହି ମାମଲାରେ ପୂର୍ବରୁ ସକିଲର ଦୁଇ ପ୍ରେମିକା, ତା’ ବାପା ଓ ୧୦ ଜଣ ସହଯୋଗୀ ଗିରଫ ହୋଇ ସାରିଛନ୍ତି । ହତ୍ୟା ଉଦ୍ୟମ, ଗୁଳିକାଣ୍ଡ, ଲୁଟ ଓ ଦାଦାବଟି ଆଦାୟ ଭଳି ଅନେକ ସଙ୍ଗୀନ ମାମଲା ସକିଲ ନାଁରେ ରହିଛି ।
First published: January 21, 2020, 11:01 PM IST