News18 Odia Digital
ବାହୁଡ଼ାଯାତ୍ରା ପରେ ଆଜି ରଥାରୁଢ ତିନି ଠାକୁର ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଏଥିପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। କିନ୍ତୁ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ନୀତି ସାରିବାକୁ ଲକ୍ଷ୍ୟ ରଖାଯାଇଛି।
ସୁନାର କିରୀଟ, କୁଣ୍ଡଳ, ବାହାଡ଼ାମାଳି, ତାବିଜମାଳି, ହରିଡ଼ା କଦମ୍ୱ ମାଳି, ବାଘନଖୀ ମାଳି, ସେବତୀ ମାଳି, ଚକ୍ର, ତିଳକ, ଆଡ଼କାନି, ଚନ୍ଦ୍ର-ସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା, ତଡ଼କୀ ଆଦି ଆଭୂଷଣରେ ମହାବାହୁ ଆଭୂଷିତ ହେବେ। ଅପରାହ୍ଣ ୨ଟାରୁ ସୁନାବେଶ ଆରମ୍ଭ ହେବ। ରାତି ୧୦ଟା ପର୍ଯ୍ୟନ୍ତ ସୁନାବେଶରେ ଦର୍ଶନ ଦେବା ପରେ ବେଶ ଓଲାଗି ହେବ। ରଥଯାତ୍ରା, ବାହୁଡ଼ାଯାତ୍ରା ଭଳି ସୁନାବେଶରେ ବି ସଅଳ ବେଶ ଲାଗି ଓ ଓଲାଗି କରିବାକୁ ଲକ୍ଷ୍ୟ ରଖାଯାଇଛି।
ରବିବାର ୬ ଘଣ୍ଟା ଧରି ଚତୁର୍ଦ୍ଧାମୂର୍ତ୍ତି ସୁନାବେଶରେ ଦର୍ଶନ ଦେବେ। ଅପରାହ୍ଣ ୫ଟା ଧାର୍ଯ୍ୟ ସମୟ ଥିଲେ ବି ଦିନ ୨ଟାରୁ ସୁନାବେଶ ଲାଗି ଆରମ୍ଭ ହେବାର ସମ୍ଭାବନା ରହିଛି। ନିର୍ଘଣ୍ଟ ନୀତି ଅନୁଯାୟୀ, ରବିବାର ଭୋର ୬ଟାରୁ ସାଢ଼େ ୬ଟା ଭିତରେ ତିନି ରଥରେ ମଙ୍ଗଳ ଆଳତି ନୀତି ଅନୁଷ୍ଠିତ ହୋଇଛି। ସକାଳ ୭ଟାରେ ମଇଲମ ଓ ତଡ଼ପଲାଗି, ୮ଟାରେ ଅବକାଶ, ୯ଟାରେ ବେଶଶେଷ, ଅପରାହ୍ଣ ଗୋଟାଏରେ ଯାତ୍ରାଙ୍ଗୀ ମହାସ୍ନାନ ଓ ସର୍ବାଙ୍ଗ, ସାଢ଼େ ଗୋଟାଏରେ ବେଶ ଶେଷ, ଅପରାହ୍ଣ ୨ଟାରୁ ୩ଟା ଭିତରେ ମଧ୍ୟାହ୍ଣଧୂପ, ଅପରାହ୍ଣ ସାଢ଼େ ୩ଟାରେ ମଇଲମ, ଅପରାହ୍ଣ ସାଢ଼େ ୪ଟାରେ ମେକାପ ସର୍ବାଙ୍ଗ ନୀତି ଅନୁଷ୍ଠିତ ହେବ।
ବେଶ ଓଲାଗି ପରେ ବଡସିଂହାର ବେଶ ଓ ରାତ୍ର ପହୁଡ ହେବ। ତେବେ ଶ୍ରୀଜିଉଙ୍କର ସମସ୍ତ ଚିତ୍ତାକର୍ଷକ ବେଶ ମଧ୍ଯରେ ସୁନାବେଶ ଅର୍ଥାତ ବଡତଢାଉ ବେଶ ଅନ୍ଯତମ। ଶ୍ରୀବଳଭଦ୍ର ଶ୍ରୀପୟର, ଶ୍ରୀଭୁଜ, କିରିଟି, ଘାଗଡାମାଳି, କଦମ୍ବମାଳି, କାନ କୁଣ୍ଡଳ, କମରପଟି,ଆଡକାନି, ଚନ୍ଦ୍ରିକା, ସେବତୀ ମାଳି, ବାଘନଖ ମାଳି, ବାହାଡାମାଳି, ଅସ୍ତ୍ରହଳ ଓ ମୁଷଳ, ତିଳକ, ତ୍ରୀଖଣ୍ଡିକା,ଓ ଝୋବାକଣ୍ଠି,ଆଦି ପରିଧାନ କରିଥାନ୍ତି। ଦେବୀ ସୁଭଦ୍ରାଙ୍କୁ କିରିଟି, ଓଡିଆଣି, କାନ, ଚନ୍ଦ୍ରସୂର୍ଯ୍ୟ, ଦୁଇଟି ତଗଡି,ସେବତୀ ମାଳି,ଘାଗଡାମାଳି, କଦମ୍ବମାଳି ଆଦି ପରିଧାନ କରିଥାନ୍ତି। ସେହିଭଳି ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀପୟର, ଶ୍ରୀଭୁଜ, କିରିଟି, ଆଦି ଅନେକ ସୁନା ଅଳଙ୍କାର ସହ ସ୍ୱର୍ଣ୍ଣଚକ୍ର, ରୌପ୍ଯ ଶଙ୍ଖ,କମରପଟି, କର୍ଣ୍ଣକୁଣ୍ଡଳ,ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡାମାଳି, କଦମ୍ବମାଳି, ତିଳକତ୍ରୀଖଣ୍ଡିକା, ସେବତୀମାଳି, ଝୋବା କଣ୍ଠି, ତାବିଜ ମାଳି ଓ ବାହାଡା ମାଳି ପରିଧାନ କରି ଭକ୍ତଙ୍କୁ ରଥ ଉପରେ ସୁନା ବେଶରେ ଦର୍ଶନ ଦେବେ । 138 ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାରରେ ଝଲସିବେ ଶ୍ରୀଜିଉ ଏହି ମନମୁଗ୍ଧକର ବେଶ ବର୍ଷକରେ ଥରେ ରଥ ଉପରେ ଅନୁଷ୍ଠିତ ହେଉଥିବା ବେଳେ ଏହି ବେଶରେ ଦର୍ଶନ କଲେ ଅଶେଷ ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି।
ମହଣ ମହଣ ସୁବର୍ଣ୍ଣ ଅଳଙ୍କାରରେ ଆଭୂଷିତ ହୋଇଥାନ୍ତି ମହାପ୍ରଭୁ। ସୁନାବେଶରେ ଦଶଲକ୍ଷରୁ ଅଧିକ ଭକ୍ତଙ୍କର ହେବ ସମାବେଶ। ଏହାକୁ ଦୃଷ୍ଟିରେ ରଖି କରାଯାଇଛି ପୋଲିସ ବ୍ୟବସ୍ଥା। 80 ପ୍ଲାଟୁନ ଫୋର୍ସ ମୁତୟନ ସହ ମାର୍କେଟ ଛକରୁ ବ୍ୟାରିକେଡ ଦେଇ ଭକ୍ତ କରିବେ ଦର୍ଶନ। ତେବେ ସୁନାବେଶକୁ ନେଇ ସେବାୟତମାନେ ବ୍ୟବସ୍ଥାବଳି ଅନୁପାଳନ କରି ମହାପ୍ରଭୁଙ୍କ ସମ୍ମୁଖରେ କେହି ଅବରୋଧ କରିବେ ନାହିଁ ବୋଲି କହିଛନ୍ତି ଦଇତାପତି ନିଯୋଗ ସମ୍ପାଦକ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।