News18 Odia Digital
ଭୁବନେଶ୍ବର: ଏବେ ବସ୍ତି ପିଲାଏ ହେବେ କୁଶଳୀ। ରୋଜଗାର ପାଇଁ ବାଛିବେ ନୂଆ ପନ୍ଥା। ଜାଗା ମିଶନ ଜରିଆରେ ଶୁଭାରମ୍ଭ ହେଲା ଲାଇଟ ହାଉସ ଓ ଜାଗା ସ୍କିଲିଂ ହବ। ଅର୍ଥନୈତିକ ଦୃଷ୍ଟିକୋଣରୁ ସ୍ୱାବଲମ୍ବୀ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ୪୩୬ଟି ବସ୍ତିର ଯୁବକ ଯୁବତୀ ସାମିଲ ହେବେ ବିକାଶ ଧାରାରେ। ଜିନ୍ଦଲ ସହାୟତାରେ ବିଏମସି ଓ ସ୍ମାର୍ଟ ସିଟି ଲିମିଟେଡ଼ ଆରମ୍ଭ କରିଛନ୍ତି ଏହି ଲାଇଟ ହାଉସ।
ଦକ୍ଷ ହେବେ ବସ୍ତି ପିଲା। ଶିକ୍ଷିତ ହୁଅନ୍ତୁ କି ଅଶିକ୍ଷିତ, ନିଜର କଳା କୌଶଳ ଜରିଆରେ ହେବେ ରୋଜଗାରକ୍ଷମ। ଲାଇଟ ହାଉସ ଓ ଜାଗା ସ୍କିଲିଂ ହବ ଜରିଆରେ ନିଜର କୌଶଳ ପରଖିବେ ଓ ପ୍ରଶିକ୍ଷଣ ନେବେ।
ସେଥିପାଇଁ ଭୁବନେଶ୍ୱରରେ ପ୍ରଥମ କରି ଆରମ୍ଭ ହୋଇଛି ଜାଗା ମିଶନ ଜରିଆରେ ଲାଇଟ ହାଉସ ଓ ଜାଗା ସ୍କିଲିଂ ହବ। ଭୁବନେଶ୍ୱରରେ ଥିବା ୪୩୬ ବସ୍ତିର ପିଲାଏ ମାଗଣାରେ ପଢ଼ିବେ ଓ ଶିଖିବେ ଜ୍ଞାନକୌଶଳ। ଡାଟା ଏଣ୍ଟ୍ରି ଅପରେଟର, ଟାଲି, ଇଲେକ୍ଟ୍ରିସିଆନ, ଟେଲରିଂ, ବିପିଓ, ଫ୍ରଣ୍ଟଅଫିସ ଓ ବିଲିଂ, ଅଫିସ ପରିଚାଳନା, ବ୍ୟୁଟି ପାର୍ଲର, ନର୍ସିଂ ସହାୟିକା, ଜାଭା, ୱେବ ଡିଜାଇନ ଭଳି ୧୧ଟି ଟ୍ରେଡ଼ରେ ପ୍ରଥମେ ପ୍ରଶିକ୍ଷଣ ଦିଆଯିବ।

ଶୁଭାରମ୍ଭ ହେଲା ଜାଗା ସ୍କିଲିଂ ହବ ଓ ଲାଇଟ ହାଉସ
୧୮ ରୁ ୨୫ ବର୍ଷ ବୟସ୍କ ଯୁବକ ଯୁବତୀ ଏହି ଶିକ୍ଷାଦାନ ଗ୍ରହଣ କରିପାରିବେ। ପ୍ରଥମେ ୪୫ ଦିନର ଏକ ଫାଉଣ୍ଡେସନ କୋର୍ସ ଦିଆଯିବ। ପିଲାଙ୍କ ଭିତରେ ଥିବା ପ୍ରତିଭା ବା କୌଶଳକୁ ଦେଖି ପରେ ଟ୍ରେଡ଼ ବାଛିବାର ସୁଯୋଗ ମିଳିବ। ଗତ ୧୦ ବର୍ଷ ହେବ ସାରା ଦେଶରେ ଲାଇଟ ହାଉସ ବସ୍ତି ପିଲାଙ୍କୁ କୁଶଳୀ କରୁଥିବାବେଳେ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ପିଲା ବିଭିନ୍ନ ସ୍ଥାନରେ ନିଯୁକ୍ତ ହୋଇ ରୋଜଗାରକ୍ଷମ ହୋଇଛନ୍ତି।

କୁଶଳୀ ହେବେ ବସ୍ତି ପିଲା
ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ସହିଦ ନଗରରେ ଖୋଲାଯାଇଛି ଏହି ସେଣ୍ଟର। ଏହା ପରେ କଟକ, ସମ୍ବଲପୁର, ରାଉରକେଲା, ଜଟଣୀ, ବଡ଼ବିଲ, ଅନୁଗୁଳ ଭଳି ୯ଟି ସହରରେ ଜିନ୍ଦଲ ସହାୟତାରେ ଏହି ଜାଗା ସ୍କିଲିଂ ହବ ଓ ଲାଇଟ ହାଉସ କେନ୍ଦ୍ର ଖୋଲାଯିବ। ପୂର୍ବରୁ ଜାଗା ମିଶନ ଜରିଆରେ ୧୧୪ଟି ସହରର ୭୫ ହଜାର ଲୋକଙ୍କୁ ପକ୍କା ଘର ଯୋଗାଇ ଦିଆଯାଇଛି। ବସ୍ତି ମୁକ୍ତ କରିବା ଉଦ୍ଦେଶ୍ୟରେ ଏହି ଜାଗା ମିଶନ ଯୋଜନା ଆରମ୍ଭ ହୋଇଥିବାବେଳେ ଏବେ ବସ୍ତି ପିଲାଙ୍କୁ ରୋଜଗାରକ୍ଷମ କରିବା ପାଇଁ ଏହି ଦକ୍ଷତା ବିକାଶ ପ୍ରଶିକ୍ଷଣ ଦିଆଯାଉଛି। ତେବେ ବସ୍ତି ପିଲାଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବା ପାଇଁ ଲାଇଟ ହାଉସ ଜରିଆରେ ସ୍କିଲ ଡେଭେଲପମେଣ୍ଟ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ମେୟର କହିଛନ୍ତି।
ଭୁବନେଶ୍ୱର ସ୍ମାର୍ଟ ସିଟିକୁ ଆହୁରି ସ୍ମାର୍ଟ କରିବା ପାଇଁ ଅନେକ ଯୋଜନା କରାଯାଉଛି। ହେଲେ ତାହା କେତେ ଫଳପ୍ରଦ ହେବ ତାହା ପରବର୍ତ୍ତୀ ସମୟରେ ଜଣା ପଡ଼ିବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।