ଅନୁଗୁଳର ଆଦିମ ଜନଜାତି ମହିଳାଙ୍କୁ ନୂଆ ପରିଚୟ ଦେଲା ପଣସ; ରୋଜଗାର କରୁଛନ୍ତି ହଜାର ହଜାର ଟଙ୍କା

ପଣସ ସେମାନଙ୍କ ଜୀବନ ଜୀବିକାରେ ଉନ୍ନତି ଆଣିବା ସହ ରାଜ୍ୟରେ ସେମାନଙ୍କ ସ୍ୱତନ୍ତ୍ର ପରିଚୟ ଦେଇଛି। ପାଲଲହଡା ବ୍ଲକରେ ଅନେକ ଘଞ୍ଚ ଜଙ୍ଗଲ ଓ ଦୁର୍ଗମ ଅଞ୍ଚଳ ରହିଛି। ସେହି ଅଞ୍ଚଳ ଭିତରେ ଆଦିମ ଜନଜାତିର ଲୋକେ ବସବାସ କରୁଛନ୍ତି।

ଅନୁଗୁଳର ଆଦିମ ଜନଜାତି ମହିଳାଙ୍କୁ ନୂଆ ପରିଚୟ ଦେଲା ପଣସ

ଅନୁଗୁଳର ଆଦିମ ଜନଜାତି ମହିଳାଙ୍କୁ ନୂଆ ପରିଚୟ ଦେଲା ପଣସ

  • Share this:
News18 Odia Digital

ଅନୁଗୁଳ: ଅନୁଗୁଳ ଜିଲ୍ଲାର ପାଲଲହଡା ବ୍ଲକ ଜଙ୍ଗଲ ଭିତରେ ବସବାସ କରୁଥିବା ପାବୁଡି ଭୂୟାଁ ମହିଳାଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆଣି ଦେଇଛି ପଣସ। ଏହି ମହିଳାମାନେ ପଣସରେ ପାମ୍ପଡ଼, ଆଚାର, ମିକ୍ସର, ଭୁଜିଆ ଓ ଆହୁରି ଅନେକ ଖାଦ୍ୟ ସାମଗ୍ରୀ ତିଆରି କରି ବିକ୍ରି କରି ଲାଭ ପାଇ ପାରୁଛନ୍ତି। ଖାଲି ସେତିକି ନୁହେଁ ଏଠାରୁ ମହିଳାମାନେ ରାଜ୍ୟର କଳାହାଣ୍ଡି, କନ୍ଧମାଳ, କୋରାପୁଟ, ଫୁଲବାଣୀ, ଗଜପତି ଭଳି ଜିଲ୍ଲାକୁ ଯାଇ ସେଠାକାର ମହିଳାମାନଙ୍କୁ ତାଲିମ ମଧ୍ୟ ଦେଉଛନ୍ତି।

ତେଣୁ ପଣସ ସେମାନଙ୍କ ଜୀବନ ଜୀବିକାରେ ଉନ୍ନତି ଆଣିବା ସହ ରାଜ୍ୟରେ ସେମାନଙ୍କ ସ୍ୱତନ୍ତ୍ର ପରିଚୟ ଦେଇଛି। ପାଲଲହଡା ବ୍ଲକରେ ଅନେକ ଘଞ୍ଚ ଜଙ୍ଗଲ ଓ ଦୁର୍ଗମ ଅଞ୍ଚଳ ରହିଛି। ସେହି ଅଞ୍ଚଳ ଭିତରେ ଆଦିମ ଜନଜାତିର ଲୋକେ ବସବାସ କରୁଛନ୍ତି। ସେମାନଙ୍କୁ ପାବୁଡି ଭୂୟାଁ କୁହାଯାଏ। ଜଙ୍ଗଲରୁ ବିଭିନ୍ନ ଦ୍ରବ୍ୟ ସଂଗ୍ରହ କରି ସେମାନେ ଜୀବିକା ନିର୍ବାହ କରନ୍ତି। କିନ୍ତୁ କିଛି ବର୍ଷ ହେଲା ସରକାର ପାବୁଡି ଭୂୟାଁ ଉନ୍ନୟନ ପରିଷଦ କରି ସେମାନଙ୍କ ଜୀବନ ଯାତ୍ରାରେ ଅନେକ ଉନ୍ନତି ଆଣିଛନ୍ତି।

ସହର ଠାରୁ ସେମାନେ ବହୁ ଦୂରରେ ଥିବାରୁ କାମଧନ୍ଦା ପାଇଁ ବାହାରକୁ ଆସିବା ସମ୍ଭବ ହୋଇ ପାରୁନାହିଁ। ତେଣୁ ଜଙ୍ଗଲ ଭିତରେ ଜଙ୍ଗଲୀ ଭଳି ଜୀବନ ଯାପନ କରୁଛନ୍ତି। ସେ ଅଞ୍ଚଳରେ ବ୍ୟାପକ ପଣସ ଉତ୍ପାଦନ ହେଉଛି। କିନ୍ତୁ ତାହାର କୌଣସି ବ୍ୟବାହାର ହୋଇ ପାରୁ ନାହିଁ। ଫଳରେ ଗଛରୁ ବହୁ ସଂଖ୍ୟାରେ ପଣସ ତଳେ ପଡ଼ି ଗାଈ, ଛେଳି ଖାଉଛନ୍ତି। ବେଳେବେଳେ ହାତୀ ପଲ ଆସି ପଣସ ଖାଇଯାଉଛନ୍ତି। ଏତେ ପରିମାଣର ପଣସର ବ୍ୟବହାର କରି କିଭଳି ଅର୍ଥ ରୋଜଗାର କରିହେବ ସେଥିପାଇଁ ସୋସିଆଲ ଡେଭଲେପମେଣ୍ଟ ଫାଉଣ୍ଡେସନ ନାମକ ଏକ ବେସରକାରୀ ଅନୁଷ୍ଠାନ ଯମରଡ଼ିହ ଗାଁକୁ ଯାଇ ମହିଳାମାନଙ୍କୁ ବୁଝାଇ ଥିଲା। ଗାଁର ପ୍ରାୟ ୨୦ ଜଣ ମହିଳାଙ୍କୁ ଏକାଠି କରି ଗ୍ରାମେଶ୍ୱରୀ ମହିଳା କୃଷକ ଉତ୍ପାଦକ ଦଳ ନାମରେ ଏକ ସଙ୍ଗଠନ ତିଆରି କଲା। ନିଜ ଖର୍ଚ୍ଚରେ ସେହି ମହିଳାମାନଙ୍କୁ ବିଭିନ୍ନ ସ୍ଥାନକୁ ବଡ଼ ବଡ଼ ସଂସ୍ଥାରେ ତାଲିମ ନେବାକୁ ପଠେଇ ଥିଲା। ତାଲିମ ନେଇ ଆସିବା ପରେ ସେହି ମହିଳାମାନେ ଆଉ ପଛକୁ ଫେରି ଚାହିଁନାହାଁନ୍ତି।

ପଣସ ସେମାନଙ୍କ ଜୀବନ ଜୀବିକାରେ ଉନ୍ନତି ଆଣିବା ସହ ରାଜ୍ୟରେ ସେମାନଙ୍କ ସ୍ୱତନ୍ତ୍ର ପରିଚୟ ଦେଇଛି


ଗାଁ ଜଙ୍ଗଲରୁ ପଣସ ସଂଗ୍ରହ କରି ସେଥିରୁ ବଡ଼ି, ଆଚାର, ପାମ୍ପଡ଼, ଭୁଜିଆ, ମିକ୍ସର, ବରା, ଖିରି ଓ ଆହୁରି ଅନେକ ଜିନିଷ ତିଆରି କଲେ। ସେମାନଙ୍କ ଦ୍ବାରା ତିଆରି ଦ୍ରବ୍ୟ ମମତା ଉଦ୍ୟୋଗ ନାମକ ଏକ ସଂସ୍ଥା ଜରିଆରେ ରାଜ୍ୟ ତଥା ରାଜ୍ୟ ବାହାରକୁ ଗଲା। ପଣସ ତିଆରି ଖାଦ୍ୟ ଜିନିଷ ସମ୍ପୂର୍ଣ୍ଣ ନୂଆ ଓ ସୁସ୍ୱାଦୁ ହୋଇ ଥିବାରୁ ଚାହିଦା ବଢ଼ିଲା। ଚଳିତ ବର୍ଷ ପ୍ରଥମ ଥର ପାଇଁ ଆରମ୍ଭ କରାଯାଇ ଥିବାରୁ ଅଧିକ ଦ୍ରବ୍ୟ ତିଆରି କରିବା ସାମାନ୍ୟ ଆସିବିଧା ହେଉଛି। କିନ୍ତୁ ଆଗକୁ କିଭଳି ଅଧିକ ହୋଇ ପାରିବ ସେଥିପାଇଁ ଉଦ୍ୟମ କରୁଛନ୍ତି ଏହି ଆଦିବାସୀ ମହିଳା ଦଳ। ପଣସରେ ଏଭଳି ଖାଦ୍ୟ ଜିନିଷ ପ୍ରସ୍ତୁତ କରିବାରେ ସାରା ରାଜ୍ୟରେ ଯମରଡ଼ିହ ଗାଁର ଏହି ଆଦିବାସୀ ମହିଳା ପ୍ରଥମ। ପୂର୍ବରୁ କୋରାପୁଟ ଜିଲ୍ଲାରେ କିଛି ଆଦିବାସୀ ମହିଳା ପଣସ ମଞ୍ଜିରୁ ଅଟା ପ୍ରସ୍ତୁତ କରୁଥିଲେ। କିନ୍ତୁ ଏବେ ଯମରଡ଼ିହ ଗାଁର ଏହି ଆଦିବାସୀ ମହିଳାମାନେ ରାଜ୍ୟର ବିଭିନ୍ନ ଜଙ୍ଗଲ ଅଞ୍ଚକରେ ବସବାସ କରୁଥିବା ଆଦିବାସୀ ମହିଳାଙ୍କୁ ତାଲିମ ଦେଉଛନ୍ତି।

ଆଗକୁ ବିଦେଶ ଯାଇ ସେଠାରେ ନିଜର ଦକ୍ଷତା ଦେଖାଇବାର ଯୋଜନା ରହିଛି। ସେଥିପାଇଁ ସୋସିଆଲ ଡେଭଲେପମେଣ୍ଟ ଫାଉଣ୍ଡେସନ ଉଦ୍ୟମ କରୁଛି। ପଣସ ସିଜିନ ଚାଲିଯିବା ପରେ ଆଉ ପଣସ ମିଳିବ ନାହିଁ। ସେତେବେଳେ କଣ କରିବେ। ତେଣୁ ସେଥିପାଇଁ ମଧ୍ୟ ତାଲିମ ନେଇ ସଫଳ ହୋଇଛନ୍ତି। ବ୍ୟାପକ ପରିମାଣର ପଣସ କିଭଳି ବର୍ଷ ସାରା ସଂରକ୍ଷିତ ରହିପାରିବ ସେ କୌଶଳ ମଧ୍ୟ ଶିଖି ପାରିଛନ୍ତି। ପଣସର ଏଭଳି ଵ୍ୟଵହାର ଫଳରେ ଏବେ ଆଉ ପଣସ ନଷ୍ଟ ହେଉନି। ଯିଏ ପଣସକୁ ଆଦୌ ଗୁରୁତ୍ୱ ଦେଉନଥିଲା ସେ ଏବେ ନିଜ ଗଛରୁ ପଣସ ବିକ୍ରି କରୁଛି। ଏହି ମହିଳାମାନେ କିଣି ଆଣୁଛନ୍ତି। ତେଣୁ ପରୋକ୍ଷରେ ପଣସ ଗଛ ଥିବା କିଛି ଲୋକ ମଧ୍ୟ ଅର୍ଥ ରୋଜଗାର କରି ପାରୁଛନ୍ତି। ଦିନ ଥିଲା ଏହି ଆଦିବାସୀ ଜନଜାତିର ମହିଳାମାନେ ଜଙ୍ଗଲ ପାହାଡ଼ ସୀମା ଡେଇଁ ନଥିଲା ସେମାନେ ଆଜି ସେମାନେ ନିଜେ ରୋଜଗାର କରିବା ସହ ଅନ୍ୟ ମାନଙ୍କୁ ରୋଜଗାର କରିବା ଶିଖାଉଛନ୍ତି।

“ଆମେ ଘଞ୍ଚ ଜଙ୍ଗଲ ଭିତରେ ରହିଛୁ। ସହର କଣ ଆମ ପାଇଁ ସ୍ୱପ୍ନ। ରୋଜଗାରର କୌଣସି ପନ୍ଥା ନାହିଁ। ହେଲେ ଜଙ୍ଗଲରେ ପଡ଼ି ନଷ୍ଟ ହେଉଥିବା ପଣସ ଆମ ଜୀବନକୁ ବଦଳାଇ ଦେଇଛି। ତାଲିମ ନେଇ ଆମେ ପଣସରୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ବିକ୍ରି କରି ପାରୁଛୁ। ଏଥିରୁ ଭଲ ଲାଭ ମିଳୁଛି,’’ କହିଛନ୍ତି ଗ୍ରାମେଶ୍ୱରୀ ମହିଳା କୃଷକ ଉତ୍ପାଦକ ଦଳର ସମ୍ପାଦିକା ଲୀଳାବତୀ ପାତ୍ର।

“ଆମ ରାଜ୍ୟର ଜଙ୍ଗଲ ଗୁଡିକରେ ବ୍ୟାପକ ପଣସ ହେଉଛି। କିନ୍ତୁ କେବଳ ଖାଇବା ଛଡ଼ା ଆଉ କିଛି କାମରେ ଆସୁନାହିଁ। ଫଳରେ ପ୍ରତିବର୍ଷ ବହୁ ସଂଖ୍ୟାରେ ପଣସ ପଚି ସଢ଼ି ନଷ୍ଟ ହେଉଛି। ତେଣୁ ତାକୁ ବ୍ୟବହାର କରି କିଭଳି ବିଭିନ୍ନ ଖାଦ୍ୟ ସାମଗ୍ରୀ କରା ଯାଇ ପାରିବ ଓ ସେଥିରୁ ମହିଳାମାନେ ଦୁଇ ପଇସା ରୋଜଗାର କରି ପାରିବେ ସେଥିପାଇଁ ଆମ ସଂସ୍ଥା ପ୍ରଥମେ ଆଦିବାସୀ ମହିଳାମାନଙ୍କୁ ନେଇ ଏଭଳି ପଦକ୍ଷେପ ଆରମ୍ଭ କରିଛି,’’ କହିଛନ୍ତି ସୋସିଆଲ ଡେଭଲେପମେଣ୍ଟ ଫାଉଣ୍ଡେସନ ସଂସ୍ଥାର ସମ୍ପାଦକ ବୁଦ୍ଧଦେବ ଦାସ।

“ଉତ୍ପାଦିତ ଦ୍ରବ୍ୟର ବହୁଳ ପ୍ରସାର ଓ ବିକ୍ରି ହେଉଛି ପ୍ରଧାନ କଥା। ତେଣୁ ଆମେ ଆମ ସଂସ୍ଥା ଜରିଆରେ ମହିଳାମାନଙ୍କ ଠାରୁ ସେମାନଙ୍କ ଦ୍ବାରା ପ୍ରସ୍ତୁତ ଜିନିଷ ଉପଯୁକ୍ତ ଦର ଦେଇ କିଣି ନେଉଛୁ। ରାଜ୍ୟ ତଥା ରାଜ୍ୟ ବାହାରେ ହେଉଥିବା ପ୍ରଦର୍ଶନୀରେ ଆମେ ବିକ୍ରି କରୁଛୁ। ପଣସରୁ ପ୍ରସ୍ତୁତ ଖାଦ୍ୟ ଜିନିଷ ଗୁଡିକର ବେସ ଚାହିଦା ମଧ୍ୟ ରହିଛି,’’ କହିଛନ୍ତି ମମତା ଉଦ୍ୟୋଗର ମୁଖ୍ୟ ମମତା ବିସମାଝୀ।
Published by:Lipina Das
First published: