ଅନୁଗୁଳ: ମଣିଷ ହାତରୁ ଖାଉଛନ୍ତି କୋକିଶିଆଳିମାନେ; ଏହି ବିଲୁପ୍ତପ୍ରାୟ ପ୍ରାଣୀର ସଂଖ୍ୟା ବଢ଼ୁଛି

ଗତ କିଛି ଦିନ ହେଲା ଅନୁଗୁଳ ସହର ଉପକଣ୍ଠରେ ଥିବା ଏକ ମନ୍ଦିର ନିକଟରେ ବହୁ ସଂଖ୍ୟାରେ କୋକିଶିଆଳି ଦେଖିବାକୁ ମିଳୁଛନ୍ତି । ଶ୍ରଦ୍ଧାଳୁମାନଙ୍କ ହାତରୁ ସେମାନେ ଖାଦ୍ୟ ନେଇ ଖାଉଛନ୍ତି । ଏହା ଦ୍ୱାରା ପରିବେଶବିତମାନେ ଯେତିକି ଉତ୍ସାହିତ ସେତିକି ଆଶଙ୍କିତ ବି ।

ଅନୁଗୁଳ: ମଣିଷ ହାତରୁ ଖାଉଛନ୍ତି କୋକିଶିଆଳିମାନେ; ଏହି ବିଲୁପ୍ତପ୍ରାୟ ପ୍ରାଣୀର ସଂଖ୍ୟା ବଢ଼ୁଛି
ଜଣେ ଶ୍ରଦ୍ଧାଳୁଙ୍କ ହାତରୁ ଖାଦ୍ୟ ଖାଉଛି ଏକ କୋକିଶିଆଳି ।
  • News18 Odia
  • Last Updated: October 6, 2020, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଭିକାରି ମହାନ୍ତି | News18 Odia Digital

ଅନୁଗୁଳ: କୋକିଶିଆଳି ଏକ ଅତ୍ୟନ୍ତ ଭୟାଳୁ ଓ ତରକା ପ୍ରାଣୀ । କିନ୍ତୁ ଅନୁଗୁଳର ଏକ ମନ୍ଦିରରେ ଯେମିତି ଦଳେ କୋକିଶିଆଳି ଆସି ମଣିଷର ଅତି ନିକଟ ହେଉଛନ୍ତି ଓ ସେମାନଙ୍କ ହାତରୁ ଖାଦ୍ୟ ଖାଉଛନ୍ତି ସେହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ନ ହୋଇ ରହି ହେବନି ।

ଗତ କିଛି ଦିନ ହେଲା ଅନୁଗୁଳ ସହର ଉପକଣ୍ଠରେ ଥିବା ଏକ ସାଇ ମନ୍ଦିର ନିକଟସ୍ଥ ବୁଦୁବୁଦୁକିଆ ଜଙ୍ଗଲରେ ବହୁ ସଂଖ୍ୟାରେ କୋକିଶିଆଳି ଦେଖିବାକୁ ମିଳୁଛନ୍ତି । ସେଠାକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ହାତରୁ ସେମାନେ ଖାଦ୍ୟ ନେଇ ଖାଉଛନ୍ତି । ଏଭଳି ଦୃଶ୍ୟ ଅତ୍ୟନ୍ତ ବିରଳ ଓ ବେଶ୍‌ ମନୋହର ।

“ଆମେ କିଛି ବର୍ଷ ହେଲା ଗାଁ ଗଣ୍ଡା ଓ ଜଙ୍ଗଲରେ କୋକିଶିଆଳି ଦେଖିବାକୁ ପାଉ ନ ଥିଲୁ। ଏହି ଜନ୍ତୁ ପରିବେଶ ପାଇଁ ଅତ୍ୟନ୍ତ ଉପଯୋଗୀ । ଏବେ ଏହି ମନ୍ଦିର ପରିସରରେ କିଛି କୋକିଶିଆଳି ଦେଖିବାକୁ ମିଳୁଛନ୍ତି। ଆମେ ସେମାନଙ୍କୁ ଯାହା ଖାଇବାକୁ ଦେଲେ ଆମ ହାତରୁ ନେଇ ଖାଉଛନ୍ତି। ସତରେ ଏ ଭଳି ଦୃଶ୍ୟ ଯେତିକି ବିରଳ ସେତିକି ରୋମାଞ୍ଚକର,’’ କହିଛନ୍ତି ବନ୍ୟ ଜନ୍ତୁ ପ୍ରେମୀ ପର୍ଶୁରାମ ଦାସ ।

ଆଗରୁ ଗାଁ ଗହଳରେ ବୁଦୁବୁଦୁକିଆ ଜଙ୍ଗଲରେ ବହୁ ସଂଖ୍ୟାରେ ଦେଖିବାକୁ ମିଲୁଥିଲେ କୋକିଶିଆଳି। ସନ୍ଧ୍ୟା ହେଲେ ସେମାନଙ୍କ ରାବ ଶୁଣିବାକୁ ମିଳୁଥିଲା । କିନ୍ତୁ ଜଙ୍ଗଲ ନଷ୍ଟ ହେବା, ସେମାନଙ୍କ ପାଇଁ ଖାଦ୍ୟ ଅଭାବ ହେବା ଓ ବ୍ୟାପକ ପଶୁ ଶିକାର ଯୋଗୁଁ କୋକିଶିଆଳି ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଲା । ବନ ବିଭାଗ ବିଲୁପ୍ତପ୍ରାୟ ପ୍ରାଣୀ ତାଲିକାରେ କୋକିଶିଆଳିକୁ ଅନ୍ତର୍ଭୁକ୍ତ କରିଛି । ହେଲେ ଗତ କିଛି ବର୍ଷ ହେଲା ପୁଣି ଥରେ କୋକିଶିଆଳି ଦେଖିବାକୁ ମିଳୁଥିବାରୁ ଏହାକୁ ପରିବେଶବିତ୍‌ ଓ ବନ୍ୟଜନ୍ତୁ ପ୍ରେମୀମାନେ ଏକ ଶୁଭ ସଙ୍କେତ ବୋଲି କହିଛନ୍ତି ।

କୋକିଶିଆଳିଙ୍କ ସୁରକ୍ଷା ପାଇଁ ସରକାର ପଦକ୍ଷେପ ନେବା ପାଇଁ ଦାବି ବଢ଼ୁଛି ।


‘‘କୋକିଶିଆଳିମାନଙ୍କର ବ୍ୟାପକ ଶିକାର ଯୋଗଁ ଧୀରେ ଧୀରେ ସେମାନେ ଲୋପ ପାଇବାକୁ ବସିଥିଲେ। ଏବେ ଯଦିଓ ଦେଖାଗଲେଣି, ସେମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯିବା ଆବଶ୍ୟକ । କୋକିଶିଆଳି ଅତି ଭୟାଳୁ ସ୍ୱଭାବର। ମଣିଷକୁ ଦେଖିଲେ ସାଧାରଣତଃ ଦୌଡ଼ି ପଳାଇ ଯାଏ । କିନ୍ତୁ ଏଠାକୁ ସେମାନେ ଆସୁଛନ୍ତି ଓ ମଣିଷର ନିକଟତର ହେଉଛନ୍ତି। ଏହାର ମୁଖ୍ୟ କାରଣ ହେଉଛି ଖାଦ୍ୟ,’’ କହିଛନ୍ତି ଆଉ ଜଣେ ବନ୍ୟଜନ୍ତୁ ପ୍ରେମୀ ପ୍ରତାପ ମହାପାତ୍ର ।

କୋକିଶିଆଳି ମୁଖ୍ୟତଃ ଏକ ସାଂସାଶୀ ପ୍ରାଣୀ । କିନ୍ତୁ ଏବେ ସେମାନଙ୍କ ପାଇଁ ଖାଦ୍ୟ ଏକ ପ୍ରମୁଖ ସମସ୍ୟା ଭାବେ ଦେଖା ଦେଇଛି । ତେଣୁ ସେମାନେ ଖାଦ୍ୟ ଅଭ୍ୟାସ ପରିବର୍ତ୍ତନ କରିଥିବା ଦେଖିବାକୁ ମିଳିଛି। ସେମାନେ ବିସ୍କୁଟ, ଆଳୁ ଚପ୍‌, ବରା, ସିଙ୍ଗଡ଼ା ଓ ଅନ୍ୟାନ୍ୟ ମଣିଷ ଖାଉଥିବା ଖାଦ୍ୟ ଖାଉଛନ୍ତି । ଏହା ସେମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ବି ରହିଛି । ସେମାନେ ମଣିଷର ନିକଟତର ହେଉଥିବାରୁ ଶିକାର ଭୟ ବି ରହିଛି ।

ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସବୁଠି ଏବେ କଂକ୍ରିଟ ଜଙ୍ଗଲ ସୃଷ୍ଟି କରା ଯାଉଥିବାରୁ କୋକିଶିଆଳିମାନଙ୍କ ବାସ ସ୍ଥାନ କ୍ରମାଗତ ଭାବେ ନଷ୍ଟ ହେଉଛି । କିଛି ବର୍ଷ ହେଲା ସେମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଥିଲେ ମଧ୍ୟ ଏହି ସବୁ ସମସ୍ୟା ପାଇଁ ପୁଣି ଥରେ ସେମାନଙ୍କ ସଂଖ୍ୟା କମିବାର ଆଶଙ୍କା ରହିଛି ବୋଲି କହିଛନ୍ତି ପରିବେଶବିତମାନେ । କୋକିଶିଆଳି ଏକ ବିଲୁପ୍ତପ୍ରାୟ ପ୍ରାଣୀ ହୋଇଥିବା ଯୋଗୁଁ ସେମାନଙ୍କ ସୁରକ୍ଷା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି କହିଛନ୍ତି ସେମାନେ ।

ଏହା ବି ପଢ଼ନ୍ତୁ | ଦେଶର ପ୍ରଥମ ମାମଲା: କରୋନାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ତାଙ୍କ ପତ୍ନୀଙ୍କ ବିରୋଧରେ FIR ହେଲା

ଏହା ବି ପଢ଼ନ୍ତୁ | କୋଇଲା ଖଣି ସ୍କାମରେ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ ହେଲେ; ସଜା ଆସିବ ୧୪ ତାରିଖରେ

‘‘କୋକିଶିଆଳି ଭଳି ଏକ ବିଲୁପ୍ତପ୍ରାୟ ପ୍ରଜାତିର ପ୍ରାଣୀ ପୁଣି ଥରେ ଦେଖାଦେବା ଏକ ବହୁତ ଭଲ ସଙ୍କେତ। କିନ୍ତୁ ସେମାନେ ନିଜର ଖାଦ୍ୟାଭାସ ବଦଳାଇ ମଣିଷ ଖାଉଥିବା ଖାଦ୍ୟ ଖାଇବା ଆଦୌ ଭଲ ନୁହେଁ । ଏହା ସେମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ । ସେମାନଙ୍କ ସୁରକ୍ଷା ଦିଗରେ ବ୍ୟାପକ ପଦକ୍ଷେପ ନିଆଯିବା ଦରକାର,’’ କହିଛନ୍ତି ପ୍ରକୃତି, ପରିବେଶ ଓ ବନ୍ୟ ପ୍ରାଣୀ ସୁରକ୍ଷା ସମିତିର ସମ୍ପାଦକ ପ୍ରଶନ ବେହେରା ।



ସହକାରୀ ବନ ସଂରକ୍ଷକ ବାସୁଦେବ ନାୟକ କହିଛନ୍ତି, “କୋକିଶିଆଳିର ସୁରକ୍ଷା ପାଇଁ ଆଇନ ଅନୁସାରେ ଯାହା ପଦକ୍ଷେପ ଗ୍ରହଣ କରାଯିବା କଥା ତାହା କରାଯାଉଛି । ସେଥି ପାଇଁ ଏବେ କିଛି ବର୍ଷ ହେଲା ଏମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଅନୁଗୁଳର ଏକ ମନ୍ଦିର ପାଖରେ ଯେମିତି କୋକିଶିଆଳି ଦେଖାଯାଉଛନ୍ତି ସେମିତି ଅନ୍ୟ ଅନେକ ସ୍ଥାନରେ ବି ଏହି ପ୍ରାଣୀ ଦେଖାଯାଇଛନ୍ତି । ତେଣୁ ସେଭଳି ସ୍ଥାନଗୁଡ଼ିକରେ ଛୋଟ ଛୋଟ ଜଙ୍ଗଲ ସୃଷ୍ଟି କରିବା ସହ ସେମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନିଆଗଲେ ନିଶ୍ଚିତ ଭାବେ କୋକିଶିଆଳି ସଂଖ୍ୟା ବୃଦ୍ଧି ପାଇବ ।’’
Published by: Anand Shankar Thankur Das
First published: October 6, 2020, 11:59 PM IST
corona virus btn
corona virus btn
Loading