News18 Odia Digital
ଓଡ଼ିଶା: ଅଗ୍ନିଶମ ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କଲେ IPS ସୁଧାଂଶୁ ଷଡ଼ଙ୍ଗୀ । ଅଗ୍ନିଶମ ବିଭାଗର ୫୪ତମ ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ସକାଳ ପ୍ରାୟ ୮ଟା ବେଳେ କଟକ ସ୍ଥିତ ଅଗ୍ନିଶମ ବିଭାଗର ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟକାରୀ ନିର୍ଦ୍ଦେଶକ ବିନୟତୋଷ ମିଶ୍ରଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ ।
ଦାୟିତ୍ବ ଗ୍ରହଣ କରିବା ପରେ ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଓଡିଶା ଅଗ୍ନିଶମ ବିଭାଗର କାର୍ଯ୍ୟ ଦକ୍ଷତା ଦେଶରେ ସୁନାମ ଅର୍ଜନ କରିଛି । ଏବଂ ଆଗାମୀ ଦିନରେ ଏହାକୁ ବଜାୟ ରଖାଯିବ ବୋଲି କହିବା ସହ ବିଭାଗର ଆଗାମୀ କାର୍ଯ୍ୟପନ୍ଥା ବାବଦରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଆହୁରି ମଧ୍ୟ କହିଛନ୍ତି, କହିଛନ୍ତି ୨୦୦୦ ମସିହା ବେଳକୁ ରାଜ୍ୟରେ ମାତ୍ର ୧୧୨ ଟି ଅଗ୍ନିଶମ କେନ୍ଦ୍ର ଥିଲା। ବର୍ତ୍ତମାନ ଏହା ତିନିଗୁଣ ବୃଦ୍ଧି ପାଇ ୩୪୫ ରେ ପହଞ୍ଚିଛି।
ଅତୀତରେ ରାଜ୍ୟ ଅଗ୍ନିଶମ କର୍ମଚାରୀମାନେ ବାହାର ରାଜ୍ୟଗୁଡିକରେ ଭଲ କାମ କରି ପ୍ରଶଂସା ପାଇଛନ୍ତି। ତେବେ ରାଜ୍ୟରେ ଚାଳ ଛପର ଘର ସଂଖ୍ୟା କମୁଛି। ପୂର୍ବ ଭଳି ଘର ପୋଡି ନାହିଁ। କିନ୍ତୁ ଉଚ୍ଚ ଅଟ୍ଟାଳିକା ସଂଖ୍ୟା ବୃଦ୍ଧି ପାଉଛି। ଏଥିପାଇଁ ଆଗ୍ନେୟ ଦୁର୍ଘଟଣାର ମୁକାବିଲା ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡିବ। ଚଳିତ ଆର୍ଥିକ ବର୍ଷରେ ଅଗ୍ନିଶମ ବିଭାଗର ଉନ୍ନତି ପାଇଁ ରାଜ୍ୟ ସରକାର ଅଧିକ ୨୪୦ କୋଟି ଟଙ୍କାର ଅନୁଦାନ ଦେବାର ପ୍ରସ୍ତାବ ରହିଛି। ୧୧ ଶହ ନୂଆ କର୍ମଚାରୀଙ୍କ ନିଯୁକ୍ତି ପାଇଁ ପ୍ରକିୟା ଆରମ୍ଭ ହୋଇଛି। ଏହି ପ୍ରକିୟା ଆଗାମୀ ଛଅ ମାସ ଭିତରେ ଶେଷ ହେବ। ରାଜ୍ୟରେ କାର୍ଯ୍ୟରତ ୧୫ ହଜାର ୯୧୮ ଗୃହରକ୍ଷୀ ନିଷ୍ଠାର ସହ ସେବା କରି ଜନସାଧାରଣଙ୍କର ଅଧିକ ଆସ୍ଥା ଭାଜନ ହେବେ ବୋଲି ଆଶା କରୁଛି। କୌଣସି ସଂଗଠନର ବିକାଶ ଓ ପରିଚୟ ଏକ କ୍ରମାଗତ ପ୍ରକିୟା ବୋଲି ସେ କହିଛନ୍ତି ।
୧୯୯୦ ବ୍ୟାଚ୍ ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀଙ୍କୁ କିଛି ଦିନ ତଳେ ଡିଜି ପଦକୁ ପଦୋନ୍ନୋତି ଦେଇଥିଲେ ରାଜ୍ୟ ସରକାର । ଗତ ସପ୍ତାହରେ ତାଙ୍କୁ ଅଗ୍ନିଶମ ନିର୍ଦେଶକ ଭାବେ ନୂଆ ନିଯୁକ୍ତି ଦେଇଥିଲେ । ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ପୂର୍ବରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗ ସହ ପୋଲିସ କମିଶନର ଭାବେ ଦକ୍ଷତାର ସହ କାର୍ଯ୍ୟ କରିସାରିଛନ୍ତି ।
ପଢନ୍ତୁ ପୂରା ଖବର:
Liquor Machine: ମଦ୍ୟପଙ୍କ ପାଇଁ ଖୁସି ଖବର...ଟଙ୍କା ଭଳି ଏବେ ଏଟିଏମରୁ ବାହାରିବ ମଦ !ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।