ଦାଦନ ଖଟିବାକୁ ଯାଇ ଗୋଡ଼ ଓ ହାତ ପାପୁଲି କାଟିଦେବା ଘଟଣାର ଆରମ୍ଭ ହେଲା ତଦନ୍ତ

ଦାଦନ ଖଟିବାକୁ ଯାଇ ଗୋଡ଼ ଓ ହାତ ପାପୁଲି କାଟିଦେବା ଘଟଣାର ଆରମ୍ଭ ହେଲା ତଦନ୍ତ । ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଶାଙ୍କଙ୍କ ବୟାନ ରେକର୍ଡ଼ କଲେ ଗଜପତି ଜିଲ୍ଲା ଶ୍ରମ ଅଧିକାରୀ ।

ଦାଦନ ଖଟିବାକୁ ଯାଇ ଗୋଡ଼ ଓ ହାତ ପାପୁଲି କାଟିଦେବା ଘଟଣାର ଆରମ୍ଭ ହେଲା ତଦନ୍ତ

ଦାଦନ ଖଟିବାକୁ ଯାଇ ଗୋଡ଼ ଓ ହାତ ପାପୁଲି କାଟିଦେବା ଘଟଣାର ଆରମ୍ଭ ହେଲା ତଦନ୍ତ

  • News18 Odia
  • Last Updated :
  • Odisha (Orissa), India
  • Share this:
News 18 Odia Digital

ବ୍ରହ୍ମପୁର; ଦାଦନ ଖଟିବାକୁ ଯାଇଥିଲେ ବାହାର ରାଜ୍ୟକୁ । ସିମେଣ୍ଟ କାରଖାନାରେ କାମ କରାଇଦେବାକୁ କହି ଠିକାଦାର ନେଇଯାଇଥିଲେ ଉତ୍ତରପ୍ରଦେଶ । ସେଠାରେ ସିମେଣ୍ଟ କାମ ପରିବର୍ତ୍ତେ ଗଞ୍ଜେଇ ଚାଷରେ ଲଗାଇବା ପରେ ଗୋଟିଏ ଗୋଡ଼ର ୫ ଆଙ୍ଗୁଠି ଓ ହାତର ପାପୁଲି କାଟିଦେଲେ ଯୁବକଙ୍କର । ଗୁରୁତର ଅବସ୍ଥାରେ ଯୁବକ ଜଣକ ବର୍ତ୍ତମାନ ବ୍ରହ୍ମପୁର ଏମେକେସିଜି ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିଲେ ସୁଦ୍ଧା ଏନେଇ କାହା ନାମରେ ଅଭିଯୋଗ କରିନାହନ୍ତି । ତଥାପି ମଧ୍ୟ ଯେଉଁ ଠିକାଦାର ମାନେ କାମ ଯୋଗାଇ ଦେବାକୁ ଡ଼ାକି ନେଇଥିଲେ ସେମାନଙ୍କର ହିଁ ଘଟଣା ପଛରେ ହାତ ରହିଥିବା ନେଇ ଅଭିଯୋଗ କରିଛନ୍ତି ଆହତଙ୍କ ପରିବାର ଲୋକେ ।

ସେପଟେ ଘଟଣାର ତଦନ୍ତ ଆରମ୍ଭ କରିଛି ଗଜପତି ଜିଲ୍ଲା ପ୍ରଶାସନ । ଆଜି ଗଜପତି ଜିଲ୍ଲାର ଜିଲ୍ଲା ଶ୍ରମ ଅଧିକାରୀ ଏମକେସିଜି ମେଡ଼ିକାଲରେ ପହଞ୍ଚି ଆହତ ଯୁବକଙ୍କ ବୟାନ ରେକର୍ଡ଼ କରିଛନ୍ତି । ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ଦୋଷୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ ।

ଦାଦନ ଶ୍ରମିକଙ୍କୁ ହୃଦୟବିଦାରକ ନିର୍ଯ୍ୟାତନା । ତେବେ ନିର୍ଯ୍ୟାତନା କିଏ ଦେଇଛି ଏବଂ କାହିଁକି ଦେଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତଥାପି ମଧ୍ୟ ନିଜର ପରିବାରର ପେଟ ପୋଶିବା ପାଇଁ ଯାଇଥିବା ଶ୍ରମିକଙ୍କୁ ଏଭଳି ଅକଥନୀୟ ଆକ୍ରମଣକୁ ଦେଖି ଯେ କେହି ବି ଦୁଃଖ ପ୍ରକାଶ କରିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ଏକ ଘରେଇ କମ୍ପାନୀରେ । ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ କଲବା ଗ୍ରାମର ଶାଙ୍କ ମୁର୍ମୁଙ୍କ ପାଖକୁ ଗତ ସେପ୍ଟେମ୍ବର ୧୩ ତାରିଖରେ ଦୁଇ ଜଣ ଠିକାଦାର ଆସି ଉତ୍ତରପ୍ରଦେଶ ଯିବା ପାଇଁ କହିଥିଲେ । ସେଠାରେ ଏକ ସିମେଣ୍ଟ କାରଖାନାରେ କାମ କରିବେ ଆଉ ମାସକୁ ୨୦ ହଜାର ଟଙ୍କା ପ୍ରାପ୍ୟ ମିଳିବା ନେଇ ଲୋଭ ଦେଖାଇଥିଲେ । ଏହାପରେ ଶାଙ୍କ ଓ ତାଙ୍କ ସହିତ ଆଉ ୫ ଜଣ ଯୁବକ ମଧ୍ୟ ଉତ୍ତରପ୍ରଦେଶର ଏକ ସିମେଣ୍ଟ କାରଖାନାକୁ ଯାଇଥିଲେ । ସେଠାରେ ଠିକାଦାର ସିମେଣ୍ଟ କାମ ବଦଳରେ ତାଙ୍କୁ ଗଞ୍ଜେଇ ଚାଷ କାର୍ଯ୍ୟରେ ଲଗାଇଥିଲେ ।

‘‘କିଛି ଦିନ କାମ କରିବା ପରେ ଗତ ୨୭ ତାରିଖରେ ଠିକାଦାରଙ୍କୁ ଟଙ୍କା ମାଗିଥିଲେ । ଟଙ୍କା ବଦଳରେ ଶାଙ୍କ ସମେତ ଅନ୍ୟ ୫ ଜଣ ଯୁବକଙ୍କୁ ମଦ ପ୍ରଦାନ କରିଥିଲେ ଠିକାଦାର । ମଦ ପିଇବା ପରେ ଅଚେତ ହୋଇ ପଡ଼ିଥିଲେ ଶାଙ୍କ । ଏହାପରେ ଶାଙ୍କଙ୍କ ଚେତା ଫେରିବା ବେଳକୁ ସେ ଗୁରୁତର  ଅବସ୍ଥାରେ ଝାନସିର ଏକ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ସେତେବେଳକୁ ତାଙ୍କର ବାମ ଗୋଡ଼ ଓ ଡ଼ାହାଣ ହାତ ପାପୁଲି କଟି ଯାଇଥିବା ଜାଣି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ପ୍ରଥମେ ନିଜ ଗାଁ ଓ ଗତକାଲି ରାତିରେ ଶାଙ୍କକୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମଦ ପିଇବା ପରେ ତାଙ୍କୁ ନିଶା ହେବା ସହିତ ସେ ଅଚେତ ହୋଇଯାଇଥିଲେ । ସେହି ସମୟରେ ଯଦି କାହାକୁ ସେ କିଛି କହି ଦେଇଛନ୍ତି ତେବେ ସେହି କାରଣ ନା ଅନ୍ୟ କେଉଁ କାରଣରୁ ତାଙ୍କୁ ଏଭଳି ଆକ୍ରମଣ ହୋଇଛି ତାହା ସେ ସ୍ପଷ୍ଟ ଜାଣିନଥିବା କହିଛନ୍ତି,‘‘ ଶାଙ୍କ ମୁର୍ମୁ ।

‘‘ଶାଙ୍କଙ୍କ ଘର ନିକଟସ୍ଥ ହରଭଙ୍ଗି ନୂଆସାହିର ଆଦର ବର୍ଦ୍ଧନ ଓ ଲୁଲୁ ବିଷୋୟୀ  ଶାଙ୍କକୁ ବାଧ୍ୟତାମୂଳକ ଭାବେ ଘରରୁ ନେଇଯାଇଥିଲେ । ଶାଙ୍କ ସ୍ତ୍ରୀ ସୁଶିଳା ବାରମ୍ବାର ମନା କଲା ପରେ ବି ଶାଙ୍କ କିଛି ନ ଶୁଣି ଉଭୟଙ୍କ କଥାରେ ଉତ୍ତରପ୍ରଦେଶ ଚାଲିଯାଇଥିଲେ । କିନ୍ତୁ ସେଠାରେ କିଛି ଦିନ କାମ କରିବା ପରେ ହଠାତ ଠିକାଦାରଙ୍କ ଜଣେ ସମ୍ପର୍କୀୟ ହିଁ ଶାଙ୍କଙ୍କ ଏଭଳି ଆକ୍ରମଣ ହୋଇଥିବା ନେଇ ସୁଶିଳାଙ୍କୁ ଜଣାଇଥିଲେ । ଶାଙ୍କଙ୍କ ସହ ଯାଇଥିବା ଅନ୍ୟ ୫ ଜଣ ଯୁବକ ଠିକ ରହିଥିବା ବେଳେ ଶାଙ୍କଙ୍କ ଏଭଳି ଅବସ୍ଥା କିଭଳି ହେଲା ବୋଲି ସେ ପ୍ରଶ୍ନ କରିବାରୁ ସେ ମଦପାନ କରି ରେଳ ଧାରଣାରେ ପଡ଼ିଯିବାରୁ ତାଙ୍କ ଉପରେ ଟ୍ରେନ ମାଡ଼ିଯାଇ ଏଭଳି ଆହତ ହୋଇଥିବା ନେଇ ଠିକାଦାର କରିଛନ୍ତି । କିନ୍ତୁ ଘଟଣା ପଛରେ ଅନ୍ୟ କୌଣସି କାରଣ ଲୁଚି ରହିଛି ତେଣୁ ସଠିକ ତଦନ୍ତ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି,‘‘ ଶାଙ୍କ ସ୍ତ୍ରୀ ସୁଶୀଳା ମୁର୍ମୁ ।
‘‘ଏହି ଘଟଣାକୁ ଗୁରୁତର ସହିତ ଗଜପତି ଜିଲ୍ଲା ଶ୍ରମ ବିଭାଗ ନେଇଛି । ଯେଉଁ ଦୁଇ ଜଣ ଠିକାଦାର ଶାଙ୍କକୁ ଉତ୍ତରପ୍ରଦେଶ ନେଇଥିଲେ ଓ ଯେଉଁ ୫ ଜଣ ଶାଙ୍କଙ୍କ ସହ ଯାଇଥିଲେ ସେମାନଙ୍କୁ ପଚରାଉଚୁରା କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି,‘‘ ଗଜପତି ଜିଲ୍ଲା ଶ୍ରମ ଅଧିକାରୀ ।

ଜଣେ ଦାଦନ ଶ୍ରମିକ ଉତ୍ତର ପ୍ରଦେଶର ଏକ କମ୍ପାନୀକୁ ଯାଇ ଏଭଳି ଆକ୍ରମଣର ଶିକାର ଘଟଣାକୁ ଦୀର୍ଘ ଦିନ ବିତିଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଘଟଣା ଉପରୁ ପରଦା ହଟିପାରିନାହିଁ । ବର୍ତ୍ତମାନ ଜିଲ୍ଲା ଶ୍ରମ ଅଧିକାରୀ ତଦନ୍ତ ଆରମ୍ଭ କରିଥିବା ବେଳେ ସତ କେବେ ପଦାକୁ ଆସିବ ଓ ଶାଙ୍କଙ୍କୁ କେବେ ନ୍ୟାୟ ମିଳିବ ତାହାକୁ ବର୍ତ୍ତମାନ ଅପେକ୍ଷା ।
Published by:Soubhagya Mishra
First published: