ରାଜ୍ୟ ରାଜଧାନୀରେ ଗିରଫ ହେଲା ଆନ୍ତରାଜ୍ୟ ମଦ ମାଫିଆ; ୧୩ ବର୍ଷ ଧରି ଫିଲ୍ମ ଷ୍ଟାଇଲରେ କରୁଥିଲା ବେପାର

ଅଭିଯୁକ୍ତ ଜଗମୋହନ ଦୀର୍ଘଦିନ ଧରି ଅରୁଣାଚଳ ପ୍ରଦେଶରୁ ମଦ ଚୋରା କାରବାର କରୁଥିବା ନେଇ ଖବର ପାଇଥିଲା ଅବକାରୀ ବିଭାଗ।

ରାଜ୍ୟ ରାଜଧାନୀରେ ଗିରଫ ହେଲା ଆନ୍ତରାଜ୍ୟ ମଦ ମାଫିଆ

ରାଜ୍ୟ ରାଜଧାନୀରେ ଗିରଫ ହେଲା ଆନ୍ତରାଜ୍ୟ ମଦ ମାଫିଆ

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟ ରାଜଧାନୀରୁ ଗିରଫ ହେଲା ଆନ୍ତରାଜ୍ୟ ମଦ ମାଫିଆ। ସାମନ୍ତରାପୁର ନୂଆଗାଁ ଅଞ୍ଚଳରେ ଚଢ଼ାଉ କରି ମଦ ମାଫିଆ ୩୫ ବର୍ଷୀୟ ଜଗମୋହନ ସାହୁ ଓରଫ ରାଜକୁ ଗିରଫ କରିଛି ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ୱାର୍ଡ଼। ତା ନିକଟରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ। ଅଭିଯୁକ୍ତ ଜଗମୋହନ ଦୀର୍ଘଦିନ ଧରି ଅରୁଣାଚଳ ପ୍ରଦେଶରୁ ମଦ ଚୋରା କାରବାର କରୁଥିବା ନେଇ ଖବର ପାଇଥିଲା ଅବକାରୀ ବିଭାଗ।

ଅଭିଯୁକ୍ତ ଜଗମୋହନର ଘର ଢେଙ୍କାନାଳ ଜିଲ୍ଲା ଗୁଡ଼ିଆକାଟେଣି ଅଞ୍ଚଳରେ। ଦୀର୍ଘ ୧୩ ବର୍ଷ ଧରି ସେ ମଦ ବ୍ୟବସାୟ କରୁଥିବା ତଦନ୍ତ ବେଳେ ଜାଣିବାକୁ ପାଇଛି ତଦନ୍ତକାରୀ ଟିମ। କିଛିଦିନ ତଳେ ଅରୁଣାଞ୍ଚଳ ପ୍ରଦେଶରୁ ଏକ ଟ୍ରକ ବୋଝେଇ ମଦ ସମ୍ବଲପୁର ମଦ ଚୋରା ଚାଲାଣ କରୁଥିବା ବେଳେ ଖବର ପାଇ ଢେଙ୍କାନାଳ ନିକଟରେ ୩ ଜଣଙ୍କୁ ଗିରଫ କରିଥିଲା ଅବକାରୀ ବିଭାଗ। ସେମାନଙ୍କୁ ଜେରା କରିବା ପରେ ଜଗମୋହନଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଥିଲା ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।

"ଗତ ୧ ତାରିଖରେ ଢେଙ୍କାନାଳରୁ ଏକ ଟ୍ରକ ଜବତ କରାଯାଇଥିଲା। ଯେଉଁଥିରୁ ୧୦୭୦ ପେଟି ମଦ ଆମେ ଜବତ କରିଥିଲୁ। ଜବତ ମଦ ପ୍ରାୟ ୫୦ ଲକ୍ଷ ହେବ। ଏହି ଘଟଣାରେ ଆମେ ତିନି ଜଣଙ୍କୁ ଗିରଫ କରିଥିଲୁ। ଏମାନେ ଟ୍ରକର ଭିତରେ ଏକ ସିକ୍ରେଟ ଚାମ୍ବର କରିଥିଲେ। ଫଳରେ ପୋଲିସକୁ ଚକମା ଦେବାରେ ଏମାନେ ସଫଳ ହେଉଥିଲେ। ସେତେବେଳେ ଆମେ ଜାଣିବାକୁ ପାଇଲୁ ଏହି ଘଟଣାର ମାଷ୍ଟରମାଇଣ୍ଡ ଜଗମୋହନ ଥିଲା। ତେଣୁ ତାକୁ ଧରିବା ପାଇଁ ଆମେ ଅପରେସନ ଆରମ୍ଭ କରିଥିଲୁ। ଦୀର୍ଘ ୧୧ ଦିନ ଧରି ଅପରେସନ କରିବା ପରେ ଶନିବାର ସକାଳ ୬ଟା ସମୟରେ ନୂଆଗାଁ ସ୍ଥିତ ତା ଘରୁ ଗିରଫ କରିଥିଲୁ। ଚଢ଼ାଉ ବେଳେ ଘରୁ ମଧ୍ୟ ୯ ଲକ୍ଷ ଟଙ୍କା ଜବତ ହୋଇଛି। ଜବତ ଟଙ୍କା ନିଶା ବେପାର ହୋଇଥିବା ଆଶଙ୍କା କରାଯାଉଛି," କହିଛନ୍ତି ଅବକାରୀ ବିଭାଗର ସୁପରିଟେଣ୍ଡେଣ୍ଟ ଦେବୁ ପଟେଲ।

ଜଗମୋହନ ତେଲୁଗୁ ଫିଲ୍ମ ‘ପୁଷ୍ପା’ ଷ୍ଟାଇଲରେ ମଦ ଚୋରା ଚାଲାଣ କରୁଥିଲା। ତା ଠାରୁ ଜବତ ହୋଇଥିବା ମୋବାଇଲରେ ମଧ୍ୟ ପୁଷ୍ପା ଫିଲ୍ମର ଏକାଧିକ ଭିଡ଼ିଓ ରହିଛି। ତେଣୁ ସିନେମା ଅନ୍ଦାଜ ଆପଣାଇ ମାଫିଆ କରୁଥିଲା ମଦ ଚାଲାଣ। ଅରୁଣାଞ୍ଚଳ ପ୍ରଦେଶରୁ ସମ୍ବଲପୁର ଚାଲାଣ ହେଉଥିଲା ମଦ ବୋଝେଇ ଗାଡ଼ି। ପୋଲିସ ଆଖିରୁ ଖସିଯିବାକୁ ପୂରା ଫିଲ୍ମ ଷ୍ଟାଇଲରେ ତରିକା ଆପଣେଇ ଥିଲା।

"ଅରୁଣାଚଳ ପ୍ରଦେଶରୁ ମଦ କୋଲକାତା ଓ ବାଲେଶ୍ଵର ଦେଇ ଢେଙ୍କାନାଳ ସମ୍ବଲପୁରକୁ ଚାଲାଣ ହୁଏ । ଅରୁଣାଚଳ ପ୍ରଦେଶରେ ମଦ ଶସ୍ତା ଥିବାରୁ ସେଠୁ ଆଣି ଓଡ଼ିଶା ବଜାରରେ ବିକ୍ରି କରିଥାଏ ଅଭିଯୁକ୍ତ। ତଦନ୍ତ ବେଳେ ଅଭିଯୁକ୍ତର ଭୁବନେଶ୍ୱରରେ ଥିବା ଏକ ଘର ଠାବ କରିଛି। ତେବେ ଏହି ଘଟଣାରେ ଆହୁରୀ ଅନେକ ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ଏଣୁ ଅଭିଯୁକ୍ତକୁ କୋର୍ଟ ଚାଲାଣ ପରେ ରିମାଣ୍ଡରେ ଆଣି ଜେରା କରାଯିବ," କହିଛନ୍ତି ସୁପରିଟେଣ୍ଡେଣ୍ଡ ପଟେଲ।

ସୂଚନାଯୋଗ୍ୟ, ରାଜ୍ୟରେ ଚୋରା ମଦ କାରାବରକୁ ରୋକିବା ପାଇଁ ଏବେ ସକ୍ରିୟ ରହିଛି ଅବକାରୀ ବିଭାଗ। ଗତ ୧୦ ଦିନରେ ୯୦୦ ମଦ ମାଫିଆଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଆଗକୁ ଆହୁରି ଅପରସନ ଜୋରଦାର କରାଯିବ ବୋଲି ତଦନ୍ତକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି।
Published by:Lipina Das
First published: