News18 Odia Digital
ଭୁବନେଶ୍ୱର: ରାଜ୍ୟ ରାଜଧାନୀ ଧଉଳି ଥାନା ଅଧିନ ଲିଙ୍ଗିପୁର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ ଲୁଟ ଘଟଣାରେ ଗିରଫ ଦୁଇ ଲୁଟେରାଙ୍କୁ ନେଇ କ୍ରାଇନ ସିନ ରିକ୍ରିଏସନ କରିଛି କମିଶନରେଟ ପୋଲିସ।
ଦୁଇ ଲୁଟେରାଙ୍କୁ ନେଇ ପ୍ରଥମେ ଏଟିଏମ ପରେ ଦୟାନଦୀ କୂଳରେ ଏଟିଏମ ଭାଙ୍ଗିଥିବା ସ୍ଥାନକୁ ଯାଇଥିଲା ପୋଲିସ । ଏକ ଶାବଳକୁ ବ୍ୟବହାର କରି ଏଟିଏମକୁ କିଭଳି ଲୁଟିଲେ ଓ ଭାଙ୍ଗିଲେ ସେନେଇ ସମସ୍ତ ତଥ୍ୟ କ୍ରାଇମସିନ ବେଳେ ପୋଲିସ ଆଖରେ ବଖାଣିଛନ୍ତି ଦୁଇ ଲୁଟେରା। ଜବତ ହୋଇଛି ଏଟିଏମ ଲୁଟରେ ବ୍ୟବହୃତ ଶାବଳ ।

କ୍ରାଇମ ସିନ ଦେଖାଉଛି ଅଭିଯୁକ୍ତ
ଲୁଟେରାମାନେ କେମିତି କରିଥିଲେ ଏଟିଏମ୍ ଲୁଟ । ଗୋଟିଏ ଶାବଳରେ ପୁରା ଏଟିଏମକୁ ଉଠାଇ ନେବା କିଭଳି ହେଲା ସମ୍ଭବ । ଆଇରନ ନିର୍ମିତ ଏଟିଏମ କୁ କିଭଳି ଭାଙ୍ଗିଥିଲେ ଲୁଟେରା । ଏସବୁ ଜାଣିବା ପାଇଁ ଦୁଇ ଅଭିଯୁକ୍ତକୁ ନେଇ କ୍ରାଇମସିନ ରିକ୍ରିଏସନ କରିଛି କମିସନରେଟ ପୋଲିସ । ତଦନ୍ତକାରୀ ଅଧିକାରୀ କହିଛନ୍ତି,"ଅଧିକ ପ୍ରମାଣ ପାଇଁ ଅଭିଯୁକ୍ତକୁ ନେଇ କ୍ରାଇମସିନ ରିକ୍ରିଏସନ କରାଯାଇଛି । ଅଧିକ ତଦନ୍ତ ପାଇଁ ଉଭୟଙ୍କୁ ରିମାଣ୍ଡରେ ଆଣି ଜେରା କରାଯିବ। ଏଥିପାଇଁ ୭ ଦିନ ରିମାଣ୍ଡ ଆବେଦନ କରାଯିବ।"
"ଲୁଟ ଟଙ୍କାକୁ ଜବତ ପାଇଁ ପକ୍ରିୟା ଆରମ୍ଭ କରାଯାଇଛି । ଏଥିପାଇଁ ଆମେ ଇଣ୍ଟରପୋଲର ସହାୟତା ଲୋଡିବୁ । ପ୍ରଥମେ ଭାରତରେ ଥିବା ବାଙ୍ଗଲାଦେଶର ଦୂତାଭାଷକୁ ପୋଲିସ ଚିଠି ଲେଖିବ। କାରଣ ଏଟିଏମରେ ଥିବା ୨୦ରୁ ୨୫ଲକ୍ଷ ଟଙ୍କା ନେଇ ବାଙ୍ଗଲାଦେଶ ଫେରାର ହୋଇଛି ମିଡ଼ିଲ ମ୍ୟାନ। ସେହିପରି ଏହି ଗ୍ୟାଙ୍ଗର ୭ଜଣ ମଧ୍ୟରୁ ୨ଜଣ ଗିରଫ ହୋଇଥିବା ବେଳେ ଏବେବି ୫ ଜଣ ଫେରାର ଅଛନ୍ତି । ସେମାନକୁ ଧରିବା ପାଇଁ ବିଭିନ୍ନ ରାଜ୍ୟର ପୋଲିସ ସହ ଯୋଗାଯୋଗ କରାଯାଇଛି," କହିଛନ୍ତି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଏସିପି ସଞ୍ଜୀବ ଶତପଥୀ ।

କେମିତି ଏଟିଏମ ଭାଙ୍ଗିଲେ ତାହା ବର୍ଣ୍ଣନା କରୁଛନ୍ତି ଲୁଟେରା
ସୂଚନାଯୋଗ୍ୟ, ଗତ ୫ ରାତିରେ ଧଉଳି ଥାନା ଲିଙ୍ଗିପୁର ଏସବିଆଇ ଏଟିଏମକୁ ଉଠେଇ ନେଇ ଟଙ୍କା ଲୁଟିଥିଲେ ବାଂଲାଦେଶୀ ଲୁଟେରା ଗ୍ୟାଙ୍ଗ। ସିସିଟିଭି ଫୁଟେଜ ଆଧାର କରି ଏହି ଗ୍ୟାଙ୍ଗର ଦୁଇ ଜଣଙ୍କୁ ବେଙ୍ଗାଲୁରରୁ ଗିରଫ କଲା କମିଶନରେଟ ପୋଲିସ । ହେଲେ ଲୁଟେରାଙ୍କ ଠାରୁ ଜବତ ହୋଇନି ଲୁଟର ଟଙ୍କା । ଗିରଫ ହୋଇଥିବା ଦୁଇ ଲୁଟେରା ହେଲେ ଖୋକନ ମୋଲ୍ଲା (୩୫)ଓ ମୀରାଜୁଲା ରେହେମାନ ମୋଲ୍ଲା(୩୯)। ଉଭୟ ବାଂଲାଦେଶୀ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।