ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ; ପ୍ରତିଟି କନ୍ୟା ଜଣେ ଜଣେ ଦେବ କନ୍ୟା- ସନ୍ତୋଷ ସେଠୀ
- News18 Odia
- Last Updated :
- Puri, India
News 18 Odia Digital
ପୁରୀ; ମଙ୍ଗଳବାର ପୂର୍ବାହ୍ନରେ ପୁରୀ ମହିଳା ମହାବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ସହ କାର୍ଯ୍ୟକ୍ରମକୁ ଏହାକୁ ଉଦଘାଟନ କରିଥିଲେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ । 'ପ୍ରତିଟି ପିଲା ମଧ୍ୟରେ ପ୍ରତିଭା ରହିଛି । ସେମାନଙ୍କ ଅନ୍ତର୍ନିହିତ ଗୁଣକୁ ଚିହ୍ନି ବିକଶିତ କରାଯାଇ ପାରିଲେ ତାହା ରାଜ୍ୟ ଓ ଦେଶ ପାଇଁ ସମ୍ବଳ ହୋଇ ପାରିବ । ଏଥିରେ ପୁଅ ଓ ଝିଅ ମଧ୍ୟ ରେ କୌଣସି ପ୍ରଭେଦ ଅନୁଚିତ' ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ । ପୁରାଣ ଓ ଇତିହାସର ଉଦାହରଣ ଦେଇ ନାରୀର ବିକଳ୍ପ ନାହିଁ ବୋଲି କହିଥିଲେ । ସାମ୍ପ୍ରତିକ ସମୟରେ ଶିଶୁ କନ୍ୟାମାନଙ୍କ ପ୍ରତି ଅବହେଳା ଓ ନିର୍ଯ୍ୟାତନା ଦୁଃଖଦାୟକ । ଏହାକୁ ପ୍ରତିହତ କରିବାକୁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
ପ୍ରତିଟି କନ୍ୟା ଜଣେ ଜଣେ ଦେବ କନ୍ୟା ବୋଲି କହିଛନ୍ତି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ । ନିଜର ଲୁକ୍କାୟିତ ଶକ୍ତି ଓ ପ୍ରତିଭାକୁ ପ୍ରତିପାଦିତ କରି ନିଜର ଶ୍ରେଷ୍ଠ ପ୍ରଦର୍ଶନ ମାଧ୍ୟମରେ ନିଜ ପରିଚୟ ସୃଷ୍ଟି କରିବାକୁ ସେ ଆହ୍ୱାନ ଦେଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ଜିଲ୍ଲାରେ ଶିଶୁମାନଙ୍କ ସ୍ଥିତି, ସେମାନଙ୍କ ଭବିଷ୍ୟତ, ସୁରକ୍ଷା ପାଇଁ ପଦକ୍ଷେପ, ଟାସ୍କଫୋର୍ସ ଗଠନ ଇତ୍ୟାଦି ସମ୍ପର୍କରେ ବିଷଦ ସୂଚନା ପ୍ରଦାନ କରିଥିଲେ। ପୁରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ବିଶ୍ୱନାଥ ଦାସ, ନେହେରୁ ଯୁବକେନ୍ଦ୍ରର ଜିଲ୍ଲା ସଂଯୋଜକ ଜୟ ଶଙ୍କର ଜୋଶୀ, ସ୍ୱେଚ୍ଛାସେବୀ ସଂଗଠନ ସମ୍ପର୍କର ସମ୍ପାଦକ ସୌମେନ୍ଦ୍ର ଦାସ, ଯୁଗ୍ମ ସମ୍ପାଦକ ରୋଜାଲିନ ମିଶ୍ର ପ୍ରମୁଖ ଶିଶୁ କନ୍ୟା ମାନଙ୍କ ସାମାଜିକ ସ୍ଥିତି, ଆବଶ୍ୟକତା, ଭବିଷ୍ୟତ ଓ ସାମାଜିକ ସୁରକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ । ଶିକ୍ଷାବିତ ସୁକାନ୍ତ କୁମାର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଝିଅ ମାନଙ୍କ ଦାୟିତ୍ୱ ଓ ଅଧିକାର ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ପରେ କୃତି ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।