ମଣିଷ ପ୍ରେମର ସିଂହ ଛୁଆ ବର୍ଷା; ବାପା ମା ସାଜିଛନ୍ତି ପାଳନକର୍ତ୍ତା ପ୍ରଶାନ୍ତ

ବର୍ଷା ଡାକିଲେ ମାତ୍ରେ ଦୌଡ଼ି ଆସୁଛି । ବସ କହିଲେ ବସୁଛି ଆଉ ପ୍ରଶାନ୍ତଙ୍କ ସହ ଖେଳୁଛି। ପ୍ରଶାନ୍ତ ବି ତାଙ୍କ ନିଜ ପିଲା ପରି ଗେଲ କରୁଛନ୍ତି ଓ ତା ସହ ଖେଳୁଛନ୍ତି। ସ୍ନେହ ପ୍ରେମ ଆଗରେ ହିଂସ୍ରତା ବନ୍ଧା ପଡ଼ିବାର ଏ ହେଉଛି ତାହାର ଜ୍ଵଳନ୍ତ ଉଦାହରଣ।

ମଣିଷ ପ୍ରେମରେ ସିଂହ ଶାବକ ବର୍ଷା (ପ୍ରତୀକାତ୍ମକ ଛବି)

ମଣିଷ ପ୍ରେମରେ ସିଂହ ଶାବକ ବର୍ଷା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ହିଂସ୍ର ଜନ୍ତୁକୁ ଦେଖିଲେ ଡର ଲାଗେ। କିନ୍ତୁ ବର୍ଷାକୁ ଯିଏ ଦେଖୁଛି ତାକୁ ଛାଡ଼ିକି ଆସିବା ପାଇଁ ଇଚ୍ଛା କରୁ ନାହିଁ। ବର୍ଷା ହେଉଛି ନନ୍ଦନକାନନର ୬ମାସର ସିଂହ ଶାବକ। ବର୍ଷା ଡାକିଲେ ମାତ୍ରେ ଦୌଡ଼ି ଆସୁଛି । ବସ କହିଲେ ବସୁଛି ଆଉ ପ୍ରଶାନ୍ତଙ୍କ ସହ ଖେଳୁଛି। ପ୍ରଶାନ୍ତ ବି ତାଙ୍କ ନିଜ ପିଲା ପରି ଗେଲ କରୁଛନ୍ତି ଓ ତା ସହ ଖେଳୁଛନ୍ତି। ଆମେ କହୁଛୁ ୬ମାସର ସିଂହ ଛୁଆ ଓ ତାର ପାଳକ ପ୍ରଶାନ୍ତଙ୍କ କଥା। ହିଂସ୍ର ଜନ୍ତୁ ବି ସ୍ନେହ ପାଇଁ ମଣିଷ ପ୍ରେମରେ ପଡେ ଏ ହେଉଛି ତାହାର ଜ୍ଵଳନ୍ତ ଉଦାହରଣ।

ସ୍ନେହ ଆଦର ଆଗରେ ବନ୍ଧା ପଡ଼ିଛି ହିଂସ୍ରତା। ମଣିଷ ପ୍ରେମରେ ପଡ଼ିଛି ୬ ମାସର ସିଂହ ଶାବକ ବର୍ଷା। ମା' ଓ ଛୁଆଠୁ ବି ବଡ଼ ଉଦାହରଣ ମଣିଷ ଓ ପଶୁର ଏ ସମ୍ପର୍କ। ଆଜି ପଶୁ ଆଉ ମଣିଷ ଭିତରେ ମଧ୍ୟ ଦେଖିବାକୁ ମିଳିଛି ସମ୍ପର୍କର ଏମିତି ନିବିଡ଼ତା। ଜନ୍ମ ପରେ ମା' ନିଜ ମମତାରୁ ବଞ୍ଚିତ ରଖିଥିବା ବେଳେ ନନ୍ଦନକାନନର ପଶୁପାଳକ ପ୍ରଶାନ୍ତ ଗୌଡଙ୍କ ସ୍ନେହ ପାଖରେ ନିଜ ପଶୁ ପ୍ରବଣତାକୁ ବିକିଦେଇଛି ୬ମାସର ସିଂହ ଶାବକ ବର୍ଷା। ଦୀର୍ଘ ୬ମାସ ତଳେ ସମ୍ରାଟ ଓ ବିଜଲି ଔରସରୁ ବର୍ଷା ଜନ୍ମ ନେଇଥିଲା। କୌଣସି କାରଣରୁ ମା' ସିଂହ ନିଜ ଛୁଆ ବର୍ଷାକୁ ପାଖରେ ପସାଉ ନଥିବା ବେଳେ ସିଂହ ଛୁଆଟିକୁ ଆଦରି ନେଇଥିଲେ ପଶୁ ପାଳକ ପ୍ରଶାନ୍ତ। ଡର ଭୟ ଛାଡ଼ି ଗୋଟିଏ ଦିନର ସିଂହ ଛୁଆକୁ ଲାଳନ ପାଳନ କରୁଥିବା ପ୍ରଶାନ୍ତ ତାର ବାପା ମା ହୋଇଯାଇଛନ୍ତି ।

" ମୁଁ ୨୦୧୨ରୁ ନନ୍ଦନକାନନରେ କାମ କରୁଛି। ଅନେକ ଜୀବଜନ୍ତୁ ପାଳିଛି। ଗୋଟିଏ ଦିନର ଏ ସିଂହ ଛୁଆକୁ ବଞ୍ଚାଇବା ମୋ ପାଇଁ ବି ଏକ ଚ୍ୟାଲେଞ୍ଜ ଥିଲା। ତାକୁ ମୁଁ ପ୍ରଥମ ଦିନରୁ ପିଲା ଭଳି ପାଳିଛି। ଏଣୁ ଗୋଟେ ସମ୍ପର୍କ ଗଢ଼ି ଉଠିଛି। ଆଜି ବି ତାକୁ ନିଜ ହାତରେ କ୍ଷୀର ଖୁଆଏ। କେବେ ବି ମୋତେ ଡର ଲାଗିନି। ବଡ଼ ହୋଇ ସଫାରି ପଳାଇ ଯିବ। ମୋ ପାଖରେ ଆଉ ରହିବ ନାହିଁ ଭାବି ଦୁଃଖ ଲାଗୁଛି," କହିଛନ୍ତି ନନ୍ଦନକାନନର ପଶୁ ପାଳକ ପ୍ରଶାନ୍ତ ଗୌଡ଼।

ଦୀର୍ଘ ୬ ମାସ ମଧ୍ୟରେ ପଶୁ ମଣିଷର ଏହି ସମ୍ପର୍କ ନିବିଡ଼ତାରେ ପରିଣତ ହୋଇସାରିଛି। ଏମିତି କି ପ୍ରଶାନ୍ତଙ୍କୁ ଦେଖିଲେ କିମ୍ବା ତାଙ୍କ ଡାକ ଶୁଣିଲେ ଧାଇଁ ଆସୁଛି ବର୍ଷା। ନିଜ ଜନ୍ମ କଲା ସନ୍ତାନ ପରି ସିଂହ ଛୁଆଟିର ଗାଧୁଆ ଠାରୁ ଆରମ୍ଭ କରି ଖୁଆଇ ପିଆଇ ନିରୀହ ପଶୁଟିର ଯତ୍ନ ନେଉଛନ୍ତି ପ୍ରଶାନ୍ତ। ତେବେ ଏହାରି ଭିତରେ ବର୍ଷା ଛଅ ମାସର ହୋଇଥିବା ବେଳେ ଆଉ କେଇ ଦିନ ପରେ ସେ ଖୁଆଡକୁ ଚାଲିଯିବ। ପ୍ରଶାନ୍ତଙ୍କ ସ୍ନେହରେ ବନ୍ଧା ପଡିଥିବା ଏହି ସିଂହ ଛୁଆ ଆଗକୁ ନିଜ ବଳରେ ନିଜେ ବଞ୍ଚିବାର ରାହା ଖୋଜୁଛି।

"ଯେତେବେଳେ ସିଂହ ଶାବକ ଜନ୍ମ କଲା ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣ ମୃତ୍ୟୁବରଣ କଲେ। ଏହି ଛୁଆକୁ ପାଳିବା ଏକ ଚ୍ୟାଲେଞ୍ଜ ଥିଲା। ସେତେବେଳେ ପ୍ରଶାନ୍ତକୁ ଏ ଦାୟିତ୍ୱ ଦିଆହେଲା। ଆଜି ସିଂହ ଛୁଆ ୬ମାସର ହୋଇଛି। ଏବେ ବି କ୍ଷୀର ଖାଉଛି। ମାଂସ ଧୀରେ ଧୀରେ ଖାଇବା ଆରମ୍ଭ କଲେ ସିଂହ ସଫାରିରେ ଛାଡ଼ିବାକୁ ଯୋଜନା କରାଯାଉଛି," କହିଛନ୍ତି ନନ୍ଦନକାନନ ଉପନିର୍ଦେଶକ ସଞ୍ଜିତ କୁମାର।
Published by:Soumya Das
First published: