News18 Odia Digital
ଭୁବନେଶ୍ବର: ଆକ୍ସନ ମୋଡରେ ରାଜ୍ୟ ସରକାର। ୧୪ ମାସ ପାଇଁ କାର୍ଯ୍ୟ ବିବରଣୀର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ। ସବୁ ବିଭାଗକୁ ଚିଠି ଲେଖି ଉତ୍ତର ଲୋଡ଼ିଛି ଯୋଜନା ଓ ସଂଯୋଜନ ବିଭାଗ। କେଉଁ ବିଭାଗ କେଉଁ ଯୋଜନା କାର୍ଯ୍ୟକାରୀ କରିବାକୁ ଚାହୁଁଛନ୍ତି ,ଏହି ଯୋଜନାର ବିଶେଷତ୍ଵ କଣ ରହିଛି ଓ ଲୋକ କେତେ ଲାଭବାନ ହେବେ ସେ ନେଇ ସବିବେଶ ବିବରଣୀ ପ୍ରଦାନ କରିବେ ବିଭାଗ।
କେବଳ ସେତିକି ନୁହେଁ କେଉଁ ବିଭାଗ ଅଧିନରେ କେଉଁ କାର୍ଯ୍ୟ ଶେଷ ହୋଇଛି, କେତେ ଟଙ୍କା ଖର୍ଚ୍ଚ ହୋଇଛି, ଲୋକାର୍ପିତ ହୋଇଛି ନା ନାହିଁ, ଯଦି ପ୍ରକଳ୍ପ ଅସମ୍ପୂର୍ଣ୍ଣ ଅଛି ଏହାର କାରଣ କଣ ଏଭଳି ସବିଶେଷ ତଥ୍ୟ ରଖିବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ଏହି ତଥ୍ୟ ମିଳିବା ପରେ ଜାନୁଆରୀ ପ୍ରଥମ ସପ୍ତାହରେ ମୁଖ୍ୟ ଶାସନ ସଚିବ ସମୀକ୍ଷା କରିବେ। ଏହି ଚିଠି ପରେ କିଛି ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ ଗ୍ରାଉଣ୍ଡରୁ ଉତ୍ତର ଲୋଡ଼ିଛନ୍ତି। ତେବେ ଏହି ଚିଠିକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନ ବାଜି। ବିରୋଧୀ କହିଛନ୍ତି ଏହା କେବଳ ନିର୍ବାଚନୀ ଷ୍ଟଣ୍ଟ।
ବିଜେଡି କହିଛି ବିକାଶ ରେ ବିଶ୍ୱାସ କରନ୍ତି ସରକାର। ଏହା ଆଉ ଏକ ନମୁନା। ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ଏହା କେବଳ ରାଜନୈତିକ ବାଣ। ପୂର୍ବରୁ ୨୦୧୯ ନିର୍ବାଚନ ପୂର୍ବରୁ ଅନେକ ଯୋଜନା କରିଥିଲେ ରାଜ୍ୟ ସରକାର। କାଳିଆ ଯୋଜନା କଲେ ପରବର୍ତ୍ତୀ ମୁହୂର୍ତ୍ତରେ ସରକାର କେମିତି ସହାୟତା ଦେଉଛନ୍ତି ସମସ୍ତେ ଜାଣିଛନ୍ତି। ପିଠା ଯୋଜନା, ମୋ ଗାଁ ମୋ ବିକାଶ ଯୋଜନା, ବିଜୁ ଯୁବ ବାହିନୀ ଯୋଜନା କୁଆଡ଼େ ଗଲା। କେବଳ ଭୁଆଁ ବୁଲାଇବାକୁ ସରକାର ଏପରି ଯୋଜନା କରୁଛନ୍ତି।। ବାସ୍ତବରେ ଏହାର କାର୍ଯ୍ୟନ୍ଵୟନ ସମସ୍ତେ ଜାଣିଛନ୍ତି। ଲୋକେ ଜାଣି ଗଲେଣି ଯେ ସରକାର କେବଳ ଭୁଆ ବୁଲାଉଛନ୍ତି ଏହାର ଜବାବ ଦେବେ ବୋଲି କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ।
ସେହିପରି ପୁର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି ଯେ ପୂର୍ବରୁ ଏଭଳି ଅନେକ ଧୁଆଁ ବାଣ କରିଛନ୍ତି ରାଜ୍ୟ ସରକାର। ବିଭିନ୍ନ ବର୍ଗର ଲୋକଙ୍କୁ ନିଜ ଆଡ଼କୁ ନେବାକୁ ବିଭିନ୍ନ ଯୋଜନା କରିଛନ୍ତି। ବିକାଶରେ ଧ୍ୟାନ ରଖୁଥିବା ଲୋକଙ୍କୁ ଆକୃଷ୍ଟ କରିବାକୁ ଏପରି ପ୍ରୟାସ କରିଛନ୍ତି ରାଜ୍ୟ ସରକାର। ଯାହା ଦ୍ଵାରା ସେମାନଙ୍କ ମନରେ ଆଶା ସଞ୍ଚାର ହୋଇପାରିବ କି ସରକାର ଏପରି ଲୋକଙ୍କ ପାଇଁ କାମ କରୁଛନ୍ତି। କିନ୍ତୁ ଏହି ଚାଲ କାମ ଦେବନି ବୋଲି କହିଛନ୍ତି ଜୟଦେବ ଜେନା।
ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି ଯେ ସରକାର ବିକାଶ ମୂଳକ କାର୍ଯ୍ୟରେ ବିଶ୍ୱାସ କରନ୍ତି। ବିକାଶକୁ ଆଗକୁ ନେବାକୁ ଲକ୍ଷ ରଖି ସରକାର ଖସଡ଼ା ପ୍ରସ୍ତୁତ କରିଥାନ୍ତି। ଏହା ଆଉ ଏକ ନମୁନା। କିନ୍ତୁ ଯାହା କଲେ ବି ବିରୋଧୀ ନିନ୍ଦା କରିବେ। କିନ୍ତୁ ସରକାର ବିକାଶ ଦିଗରେ କାମ କରୁଛନ୍ତି। ତାହା ସବୁଠି ପ୍ରତିଫଳିତ ହେଉଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।