ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ପୁରୀର ଏମାର ମଠରେ ଗୁପ୍ତଧନ ଥିବା ନେଇ ଚର୍ଚ୍ଚା; ମେଟାଲ ଡିଟେକ୍ଟର ସାହାଯ୍ୟରେ ହେଲା ଯାଞ୍ଚ

ପୁରୀର ଏମାର ମଠରେ ଗୁପ୍ତଧନ ଥିବା ନେଇ ଚର୍ଚ୍ଚା; ମେଟାଲ ଡିଟେକ୍ଟର ସାହାଯ୍ୟରେ ହେଲା ଯାଞ୍ଚ

ପୁରୀର ସର୍ବପୁରାତନ ଓ ବିତ୍ତଶାଳୀ ଏମାର ମଠ । ମଠରେ ଗୁପ୍ତଧନ ରହିଥିବା ଆଶଙ୍କା କରିଛି ମଠ ପରିଚାଳନା ଟ୍ରଷ୍ଟ। ମେଟାଲ ଡିଟେକ୍ଟର ଟିମ୍ ଦ୍ୱାରା ମଠ ଯାଞ୍ଚ ପରେ ପାଠଶାଳା ଓ ବାଟଅଗଣାରେ ଚାରୋଟି ସ୍ଥାନକୁ ଗୋଲାକାର ଚିହ୍ନ ଦିଆଯାଇଛି ।

ପୁରୀର ଏମାର ମଠରେ ଗୁପ୍ତଧନ ଥିବା ନେଇ ଚର୍ଚ୍ଚା; ମେଟାଲ ଡିଟେକ୍ଟର ସାହାଯ୍ୟରେ ହେଲା ଯାଞ୍ଚ
ପୁରୀର ଏମାର ମଠରେ ଗୁପ୍ତଧନ ଥିବାକୁ ନେଇ ଚର୍ଚ୍ଚା
  • News18 Odia
  • Last Updated: September 18, 2021, 1:30 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଜିଲ୍ଲୀର ସବୁଠୁ ଧନୀ ଏମାର ମଠକୁ ନେଇ ପୁଣି ଚର୍ଚ୍ଚା । ନିକଟରେ ୫୯୯ ଖଣ୍ଡ ରୂପା ଇଟାକୁ ନେଇ ଚର୍ଚ୍ଚାରେ ରହିଥିବା ଏହି ମଠ ଏବେ ପୁଣି ଥରେ ଗୁପ୍ତଧନକୁ ନେଇ ଚର୍ଚ୍ଚାକୁ ଆସିଛି । କେବଳ ଏମାର ମଠ ନୁହେଁ ଶ୍ରୀମନ୍ଦିର ସହ ଜଡ଼ିତ ସମସ୍ତ ମଠରେ ରହିଛି ମହାପ୍ରଭୁଙ୍କ ଅଚଳାଚଳ ଗୁପ୍ତଧନ । ଏମାର ମଠ ଭଳି ଗୋବର୍ଦ୍ଧନ ମଠ, ବଡ଼ ଓଡିଆ ମଠ ଆଦି ବିଭିନ୍ନ ମଠ ଗୁଡ଼ିକୁ ମେଟାଲ ଡିଟେକ୍ଟର ଦ୍ୱାରା ଯାଞ୍ଚ କରାଯାଇ ଇନଭେଣ୍ଟ୍ରୀ କରାଯିବାକୁ ନେଇ ଦାବି ଜୋର ଧରିଛି ।

ସେପଟେ ପୁରୀର ସର୍ବପୁରାତନ ଓ ବିତ୍ତଶାଳୀ ଏମାର ମଠ । ମଠରେ ଗୁପ୍ତଧନ ରହିଥିବା ଆଶଙ୍କା କରିଛି ମଠ ପରିଚାଳନା ଟ୍ରଷ୍ଟ। ମେଟାଲ ଡିଟେକ୍ଟର ଟିମ୍ ଦ୍ୱାରା ମଠ ଯାଞ୍ଚ ପରେ ପାଠଶାଳା ଓ ବାଟଅଗଣାରେ ଚାରୋଟି ସ୍ଥାନକୁ ଗୋଲାକାର ଚିହ୍ନ ଦିଆଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ଦେବୋତ୍ତର କମିଶନରଙ୍କ ଅଧ୍ୟକ୍ଷତାରେ ଟ୍ରଷ୍ଟବୋର୍ଡ ବୈଠକ ପରେ ଖନନ ନେଇ ନିଷ୍ପତ୍ତି କରାଯିବ। ଆବଶ୍ୟକ ପଡ଼ିଲେ ଉଚ୍ଚକ୍ଷମତା ସମ୍ପର୍ଣ୍ଣ ମେଟାଲ ଡିଟେକ୍ଟର ଦ୍ୱାରା ଯାଞ୍ଚ କରାଯିବା ନେଇ ଚାଲିଛି ଆଲୋଚନା ।

ଏହି ମାମଲାରେ ଏମାର ମଠ ପରିଚାଳନା ଟ୍ରଷ୍ଟ ଅଧ୍ୟକ୍ଷ ତଥା ଉତ୍ତରପାର୍ସ୍ୱ ମଠ ମଠାଧୀଶ ମହନ୍ତ ନାରାୟଣ ରାମାନୁଜ ଦାସ କହିଥିଲେ, "ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ରହିଛି ଶ୍ରୀକ୍ଷେତ୍ରର ମଠ । ବହୁ ପୁରାତନ ମଠ ଗୁଡ଼ିକରେ ରହିଛି ଅମାପ ଗୁପ୍ତ ଧନ । ଏକଦା ରାଜ୍ୟରେ ନଅଙ୍କ ବା ମରୁଡ଼ି ସମୟରେ ରାଜ୍ୟବାସୀଙ୍କୁ ଖାଦ୍ୟଶସ୍ୟ ପ୍ରଦାନ କରିପାରିଥିଲା ଏମାର ମଠ । ତେବେ ଯେଭଳି ଏମାର ମଠରୁ ପ୍ରଥମେ ୫୨୨ ଖଣ୍ଡ ଓ ପରେ ୪୫ ଖଣ୍ଡ ରୂପା ଇଟା ଉଦ୍ଧାର ହେବା ପରେ ଏବେ ଟାର୍ଗେଟରେ ଅନ୍ୟ ସବୁ ବିତ୍ତଶାଳୀ ମଠ । ନିକଟରେ ମଠର ଗୁପ୍ତ ସୁଡଙ୍ଗରୁ ପୋଲିସ ଜବତ କରିଥିଲା ୫୨୨ ଖଣ୍ଡ ରୂପା ଇଟା। ପୁଣି ଚଳିତ ବର୍ଷ ଏପ୍ରିଲ ମାସ ୧୧ ତାରିଖରେ ଗଣତି ସମୟରେ ମିଳିଥିଲା ଏକ ଗୁପ୍ତ ଘର ଚଟାଣ ତଳୁ ୪୫ ଖଣ୍ଡ ରୂପା ଇଟା। ତେଣୁ ଏହି ବିତ୍ତଶାଳୀ ଏମାର ମଠରେ ଲୁକାୟିତ ଅବସ୍ଥାରେ ଆହୁରି ଗୁପ୍ତଧନ ରହିଥିବା ସନ୍ଦେହ କରି ଦେବୋତ୍ତର ବିଭାଗକୁ ମେଟାଲ ଡିଟେକ୍ଟରରେ ଯାଞ୍ଚ ପାଇଁ ଚିଠି ଲେଖିଥିଲା ନୂଆ ଟ୍ରଷ୍ଟ। ଆଉ ସେ ନେଇ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଅନୁମୋଦନ କ୍ରମେ ମଠର କରାଯାଇଛି ମେଟାଲଡିଟେକ୍ଟର ଯାଞ୍ଚ । ମଠର ପାଠଶାଳା, ବାଟଅଗଣା, ଅନେକ ଗୁପ୍ତ କୋଠରୀକୁ ଚାରି ଜଣିଆ ଟିମ୍ ଯାଞ୍ଚ କରିଥିଲେ। ତେବେ ମେଟାଲଡିଟେକ୍ଟର ଟିମ୍ ଦ୍ୱାରା ମଠ ଯାଞ୍ଚ ପରେ ପାଠଶାଳା ଓ ବାଟଅଗଣାରେ ଚାରୋଟି ସ୍ଥାନକୁ ଗୋଲାକାର ଚିହ୍ନ ଦିଆଯାଇଛି । ଏହି ଚିହ୍ନ ଦିଆଯାଇଥିବା ସ୍ଥାନରେ କିଛି ଧାତବ ଦ୍ରବ୍ୟ ରହିଥିବା ମେଟାଲ ଡିଟେକ୍ଟର ଟିମ୍ ସୂଚନା ଦେଇଛି। ଅନ୍ୟପଟେ ଏହି ମେସିନ ଗୁଡ଼ିକ ଦୁଇ ଫୁଟ ତଳର ଜିନିଷ ଚିହ୍ନଟ କରିପାରୁଥିବା ବେଳେ ଆହୁରି ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ମେସିନ ଦ୍ୱାରା ଯାଞ୍ଚ କଲେ ମଠର ଗୁପ୍ତଧନ ରହସ୍ୟ ଉନ୍ମୋଚନ ହୋଇପାରିବ ।"

ନିକଟରେ ୫୯୯ ଖଣ୍ଡ ରୂପା ଇଟାକୁ ନେଇ ଚର୍ଚ୍ଚାରେ ରହିଥିଲା ଏମାର ମଠ


ଅତିରିକ୍ତ ଜିଲ୍ଲାପାଳ ବିନୟ ଦାସ କହିଥିଲେ, "ଏମାର ମଠରେ ମେଟାଲଡିଟେକ୍ଟର ଦ୍ୱାରା ଚିହ୍ନଟ ହୋଇଥିବା ଗୋଲାକାର ସ୍ଥାନକୁ ଖନନ ନେଇ ଦେବୋତ୍ତର ବିଭାଗ କମିଶନରଙ୍କୁ ଟ୍ରଷ୍ଟ ଚିଠି ଲେଖିବ । କମିଶନରଙ୍କ ଠାରୁ ଯାହା ନିର୍ଦ୍ଦେଶ ଆସିବ ସେହି ଅନୁସାରେ ଆଗାମୀ କାର୍ଯ୍ୟ ପନ୍ଥା ଗ୍ରହଣ କରାଯିବ। ଦେବୋତ୍ତର କମିଶନରଙ୍କ ଅଧ୍ୟକ୍ଷତାରେ ଟ୍ରଷ୍ଟ ବୋର୍ଡର ବୈଠକ ପରେ କିଭଳି ଖନନ କରାଯିବ ଓ ଆଗକୁ କି ପଦକ୍ଷେପ ନିଆଯିବ ସେ'ନେଇ ଚୁଡାନ୍ତ ନିଷ୍ପତ୍ତି ଗ୍ରହଣ କରିବ ଟ୍ରଷ୍ଟ। ସେପଟେ ଟ୍ରଷ୍ଟ ପକ୍ଷରୁ ଚିଠି ଅନୁସାରେ ଯାଞ୍ଚ ପ୍ରକ୍ରିୟା କରାଯାଇଛି ଓ ଆଗକୁ ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ।"

ଗୁରୁବାର ଏମାର ମଠର ଦୁଇଟି ସ୍ଥାନର ଚାରୋଟି ଯାଗାରେ ଗୁପ୍ତଧନ ଥିବା ମେଟାଲ ଡିଟେକ୍ଟର ଯାଞ୍ଚ ବେଳେ ଆଶଙ୍କା ସୃଷ୍ଟି ହୋଇଥିଲା । ଏଥି ପାଇଁ କେବଳ ଏମାର ମଠ ନୁହେଁ ଶ୍ରୀକ୍ଷେତ୍ରରେ ଯେତେ ସବୁ ମଠ ରହିଛି ସେଗୁଡ଼ିକର ମଧ୍ୟ ମେଟାଲଡିଟେକ୍ଟର ସାହାଯ୍ୟରେ ଯାଞ୍ଚ କରାଯାଇ ଗୁପ୍ତଧନ ଠାବ କରାଯାଉ ବୋଲି ଦାବି ହୋଇଛି । ପୂର୍ବରୁ ବ୍ୟାଙ୍କ ସୁବିଧା ନଥିବାରୁ ମଠର ତତ୍କାଳୀନ ମହନ୍ତ ମାନେ ମଠକୁ ଦାନ ସୂତ୍ରରେ ଆସୁଥିବା ମୁଲ୍ୟବାନ ପଦାର୍ଥକୁ ମାଟିରେ ପୋତି ରଖୁଥିଲେ। ହେଲେ ଏବେ ସୁଦ୍ଧା କୌଣସି ମଠର ମହନ୍ତ ମାନେ ଇନଭେଣ୍ଟ୍ରୀ କରିନାହାଁନ୍ତି । କେତେ ସମ୍ପତ୍ତି ରହିଛି ତାହାର ହିସାବ ନା ପ୍ରଶାସନ ପାଖରେ ଅଛି ନା ମଠାଧିଶଙ୍କ ପାଖରେ । ତେଣୁ ମଠ ଗୁଡ଼ିକର ପୁନରୁଦ୍ଧାର ସହିତ ମଠରେ ରହିଥିବା ଗୁପ୍ତଧନ ଗୁଡ଼ିକର ମେଟାଲଡିଟେକ୍ଟର ସାହାଯ୍ୟରେ ଯାଞ୍ଚ କରାଯାଉ ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ରାଧାବଲ୍ଲଭ ମଠର ମଠାଧିଶ ରାମକୃଷ୍ଣ ଦାସମହାରାଜ ।

ଜିଲ୍ଲୀର ସବୁଠୁ ଧନୀ ଏମାର ମଠକୁ ନେଇ ପୁଣି ଚର୍ଚ୍ଚା


ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଥିଲେ, "ଶ୍ରୀକ୍ଷେତ୍ରର ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ରହିଛି ମଠ ବାଡ଼ିର ପରମ୍ପରା । ଆଉ ସେତେବେଳେ ଶ୍ରୀମନ୍ଦିରକୁ ଯାହା ଦାନ ମିଳୁଥିଲା କି ଗଜପତି ଯାହା ଆଣୁଥିଲେ ତାହା ରତ୍ନଭଣ୍ଡାରରେ ରହୁଥିଲା । ହେଲେ ମଠକୁ ଯାହା ଦାନ ମିଳୁଥିଲା ତାହା ମଠରେ ଗଛିତ ରହୁଥିଲା । ତେଣୁ ପୁରୀର ସର୍ବପୁରାତନ ଏମାର ମଠ , ବଡ଼ ଓଡିଆ ମଠ , ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଗୋବର୍ଦ୍ଧନ ମଠ ଆଦି ଅନେକ ମଠ ସମେତ ଶ୍ରୀନହରକୁ ମଧ୍ୟ ଉଚ୍ଚକ୍ଷମତା ସମ୍ପନ୍ନ ମେଟାଲ ଡିଟେକ୍ଚର ଦ୍ୱାରା ଯାଞ୍ଚ କରାଯାଉ । ଆଉ ଯାହା ଗୁପ୍ତଧନ ମିଳିବ ତାହାକୁ ଶ୍ରୀମନ୍ଦିରକୁ ଦିଆଦିବ । କାରଣ ମଠ ସମ୍ପତ୍ତିର ସୁରକ୍ଷା ପାଇଁ ସମସ୍ତ ମଠକୁ ଯାଞ୍ଚ କରାଯିବା ସହ ମଠରେ ଥିବା ଗୁପ୍ତଧନକୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରୀମନ୍ଦିରକୁ ପ୍ରଦାନ କରାଯାଉ ।"

ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ଡ଼ଃ ଶରତ ମହାନ୍ତିଙ୍କ ସୁଚନା ଅନୁସାରେ, "୨୦୧୦ ମସିହାରେ ଇନଭେଣ୍ଟ୍ରୀ ସମୟରେ ଏମାର ମଠରୁ ୪୨ ଖଣ୍ଡ ରୂପା ଇଟା ବାହାରିଥିଲା । ତାହା ଟ୍ରଷ୍ଟ ବୋର୍ଡର ତାଲିକାରେ ଅନ୍ତର୍ଭୁକ୍ତ ଥିଲା । ମାତ୍ର ୨୦୧୧ରେ ପୋଲିସ ଚଢ଼ାଉ ବେଳେ ମଠରୁ ଜବତ କରିଥିଲା ୫୨୨ ଖଣ୍ଡ ରୂପା ଇଟା। ଯାହା ମଠର ଇନଭେଣ୍ଟ୍ରୀରେ ସାମିଲ ନଥିଲା । ଫଳରେ ସିନ୍ଧିଚୋରୀ ଅଭିଯୋଗରେ ଗିରଫ ହୋଇଥିଲା ଏମାର ମଠର ମହନ୍ତ ରାଜଗୋପାଲ ରାମାନୁଜ ଦାସ । ଏହାପରେ ତୁରନ୍ତ ଟ୍ରଷ୍ଟବୋର୍ଡ ଭାଙ୍ଗି ଦିଆଯାଇ ନୂଆ ଟ୍ରଷ୍ଟ ବୋର୍ଡ ଗଠନ କରାଗଲା। ୨୦୨୧ରେ ଯେତେବେଳେ ଇନଭେଣ୍ଟ୍ରୀ କରାଗଲା ସେତେବେଳେ ଅଧିକ ତିନିଖଣ୍ଡ ଅର୍ଥାତ ୪୫ ଖଣ୍ଡ ରୂପା ଇଟା ସହିତ ବହୁ ରୂପା ଗଛ, ୧୨ଟି କଳଙ୍କି ଲଗା ଖଣ୍ଡା ଆଦିକୁ ତାଲିକାଭୁକ୍ତ କରାଯାଇଥିଲା । ଏହି ଅନୁସାରେ ଦେଖିଲେ ଖାଲି ଏମାର ମଠ ନୁହେଁ ଶ୍ରୀକ୍ଷେତ୍ରରେ ଅନେକ ମଠରେ ବହୁମୂଲ୍ୟବାନ ସାମଗ୍ରୀ ପୋତା ହୋଇ ରହିଥିବା ଆଶଙ୍କା କରାଯାଉଛି । ଏମିତିକି ଖାଲି ମହାପ୍ରଭୁଙ୍କ ସମ୍ପତ୍ତି ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ରହୁଥିଲା ତାହା ନୁହେଁ ମଠ ଗୁଡ଼ିକୁ ମିଳୁଥିବା ଦାନକୁ ମଠାଧିଶ ମାନେ ମଠରେ ରଖୁଥିଲେ । ଏଣୁ ମେଟାଲ ଡିଟେକ୍ଟର ସାହାଯ୍ୟରେ ମଠ ଗୁଡ଼ିକର ଗୁପ୍ତଧନ ଯାଞ୍ଚ କରାଯାଇ ଶ୍ରୀମନ୍ଦିରକୁ ହସ୍ତାନ୍ତର କରାଯିବା ଦରକାର।’’

ଶ୍ରୀମନ୍ଦିର ସହିତ ଜଡ଼ିତ ମଠ ପରମ୍ପରା । ଏହି ମଠ ଗୁଡ଼ିକ ଅସୁରକ୍ଷିତ ହୋଇପଡ଼ିଥିବା ବେଳେ ପ୍ରତିଟି ମଠର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଇନଭେଣ୍ଟ୍ରୀ କରାଯାଇ ସମ୍ପତ୍ତିକୁ ସୁରକ୍ଷିତ ରଖିବା ନେଇ ଜଗନ୍ନାଥ ପ୍ରେମୀଙ୍କ ମହଲରେ ଦାବି ହେଉଛି ।
Published by: Lipina Das
First published: September 18, 2021, 1:25 PM IST