News 18 Odia Digital
ଭୁବନେଶ୍ୱର; ରାଜ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟୋଗୀଙ୍କୁ ଉତ୍ସାହିତ କରିବାକୁ ଉଦ୍ୟମ । ଏହି ଉପଲକ୍ଷେ ରାଜଧାନୀରେ ଆୟୋଜିତ ହୋଇଛି ଲୋନ ମେଳା । ବିଶେଷ କରି ଷ୍ଟାର୍ଟଅପ୍ ପାଇଁ ଯୁବପିଢୀଙ୍କ ଉତ୍ସାହ ବଢିଥିବା ବେଳେ ଏହାକୁ ବହୁଗୁଣିତ କରିବା ଲକ୍ଷ୍ୟରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା କୁହାଯାଇଛି ।

ସାଧାରଣ ଭାବେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପସଂସ୍ଥା ଗୁଡ଼ିକ ଦେଶର ଅର୍ଥନୈତିକ ଅଭିବୃଦ୍ଧି ତଥା ନିଯୁକ୍ତି କ୍ଷେତ୍ରର ବିକାଶ ଏବଂ ନୂତନ ଉଦ୍ଭାବନ ପାଇଁ ଯଥେଷ୍ଟ ଯୋଗଦାନ କରିଥାନ୍ତି । ଏଭଳି ଯୋଗଦାନ ସତ୍ତ୍ୱେ ବି ଅନେକ ସମୟରେ ବିଭିନ୍ନ ଆର୍ଥିକ ସଂସ୍ଥା ଦ୍ଵାରା ଏମାନେ ଅବହେଳାର ମଧ୍ୟ ଶିକାର ହେବା ନଜିର ରହିଛି । ଏହି ସମସ୍ୟା କେବଳ ଭାରତ ନୁହେଁ, ବିଶ୍ଵର ସମସ୍ତ ପ୍ରଗତିଶୀଳ ଦେଶର ଏକ ମୁଖ୍ୟ ସମସ୍ୟା ଭାବେ ଗଣାଯାଏ । ଏହାକୁ ପ୍ରାଥମିକତା ଦେଇ ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଛି ରଣ ମେଳା ୨୦୨୨ ।

ଅର୍ଥନୀତିଜ୍ଞଙ୍କ ମତରେ, ବ୍ୟବସାୟ ନିମନ୍ତେ ଅର୍ଥାଭାବର ସମସ୍ୟା ନିରନ୍ତର ରହି ଆସିଛି । ତେବେ ଯେ କୌଣସି ଏକପାଖିଆ ନିଷ୍ପତ୍ତି ଏହି ସମସ୍ୟାର ସମାଧାନ ପାଇଁ ଯଥେଷ୍ଟ ନୁହେଁ । କାରଣ ସମସ୍ୟାର ସମାଧାନର ସୂତ୍ର ସହ ଉକ୍ତ ଶିଳ୍ପର ଉନ୍ନତି ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି ହୋଇପାରିନାହିଁ । ଏଥିପାଇଁ ନୂତନ ଅର୍ଥନୀତି ଏବଂ ଆର୍ଥିକ ଯୋଜନା ଜରୁରୀ । ତେଣୁ ଏମ.ଏସ.ଏମ.ଇ. ପାଇଁ ରଣ ପ୍ରଦାନ ବ୍ୟବସ୍ଥା ସମସ୍ୟାକୁ ଆଖି ଆଗରେ ରଖି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ, ଓଡିଶା ସରକାର ଓ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ - ଡି ଏଫ୍ ଓ, କଟକ, ଭାରତ ସରକାରଙ୍କ ମିଳିତ ସହଯୋଗରେ ଇଣ୍ଡିଆନ ଚାମ୍ବର ଅଫ କମର୍ସ ଆନୁକୁଲ୍ୟରେ ଏକ "ଲୋନ ମେଳା ଫର୍ ଏମ ଏସ ଏମ ଇ/ ଷ୍ଟାର୍ଟଅପ"ରେ ଗୁରୁତ୍ୱ ଦିଆଯାଇଛି ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି ଯେ, ୨୦ ବର୍ଷ ପୂର୍ବରୁ ଷ୍ଟାର୍ଟଅପ କମ୍ପାନୀ ପାଇଁ ଯୁବପିଢୀଙ୍କ ମଧ୍ୟରେ ଏତେ ଆଗ୍ରହ ନଥିଲା । ବର୍ତ୍ତମାନ ଷ୍ଟାର୍ଟଅପ ପାଇଁ ଅଧିକ ଉତ୍ସାହ ଦେଖିବାକୁ ମିଳୁଛି । ଏଥିପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରଞ୍ଜନା ଚୋପ୍ରା, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ମୁଖ୍ୟ ସମ୍ପାଦିକା, ଓଡ଼ିଶା ସରକାର, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର କ୍ଷେତ୍ରୀୟ ମୁଖ୍ୟ ପ୍ରବନ୍ଧକ ଚନ୍ଦ୍ରଶେଖର ଶର୍ମା ଯୋଗ ଦେଇଥିଲେ । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଏହି କାର୍ଯ୍ୟକ୍ରମର ସହଯୋଗୀ ଥିବା ବେଳେ ବ୍ୟାଙ୍କ୍ ଅଫ ବରୋଦା, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍, ଇଣ୍ଡିଆନ ବ୍ୟାଙ୍କ ଏବଂ ଆଇ.ଡି.ବି. ଆଇ ପରି ପ୍ରମୁଖ ବ୍ୟାଙ୍କ୍ ମାନେ ଉକ୍ତ ମେଳାରେ ଭାଗ ନେଇଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।