News 18 Odia Digital
ବ୍ରହ୍ମପୁର; ଏକ ସପ୍ତାହ ମଧ୍ୟରେ ବ୍ରହ୍ମପୁରରେ ଦେଖିବାକୁ ମିଳିଛି ଦୁଇ ଦୁଇଟି ରାଗିଂ ଘଟଣା । ବିନାୟକ ଆଚାର୍ଯ୍ୟ କଲେଜରେ ରାଗିଂ ପରେ ଗତକାଲି ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରାଗିଂ ହୋଇଥିବା ନେଇ ଅଭିଯୋଗ ହୋଇଛି । ରାଗିଂ ରୋଗ ଭଳି ଗୋଟିଏ ପରେ ଗୋଟିଏ କଲେଜକୁ ଡ଼େଉଁଥିବା ଯୋଗୁଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସହରର ସମସ୍ତ କଲେଜରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରେଗିଂକୁ ନେଇ ସଚେତନତା କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା । ସେହିଭଳି ବ୍ରହ୍ମପୁର ଶିଳ୍ପ ତାଲିମ ଅନୁଷ୍ଠାନ ପକ୍ଷରୁ ରାଗିଂକୁ ନେଇ କଲେଜର ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ସଚେତନତା କରାଯାଇଥିଲା । ଏହାସହିତ ରାଗିଂକୁ ନେଇ ଦିଆଯାଇଥିବା ସ୍ଲୋଗାନ୍ ପ୍ଲାକାର୍ଡ଼ର ଫଟୋକୁ ସୋସିଆଲ ମିଡ଼ିଆରେ ଡ଼ିପିରେ ରଖିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅନୁଷ୍ଠାନର ଅଧ୍ୟକ୍ଷ ।
ସହରରେ ସପ୍ତାହ ମଧ୍ୟରେ ଦୁଇଟି ଘଟଣା ସାମ୍ନାକୁ ଆସିଛି । ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜରେ ଗତ ସୋମବାର ଦିନ ରାଗିଂ ହୋଇଥିବା ବେଳେ ମଙ୍ଗଳବାର ଏହାର ଭିଡ଼ିଓ ଭାଇରାଲ ହୋଇଥିଲା। ଏହା ପରେ ୧୨ ଜଣ ଛାତ୍ରଛାତ୍ରୀଙ୍କୁ କଲେଜରୁ ବହିସ୍କାର କରାଯାଇଥିଲା । ଏହି ୧୨ ଜଣଙ୍କ ମଧ୍ୟରୁ ୩ଜଣଙ୍କୁ ଗିରଫ କରାଯିବା ସହ ଦୁଇ ଜଣଙ୍କୁ ବାଳ ସୁଧାର ଗୃହକୁ ପଠାଯାଇଥିଲା । ସେହିପରି ଗତକାଲି ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କିଛି ଛାତ୍ରୀଙ୍କୁ ସିନିୟର ଛାତ୍ର ମାନେ ରାଗିଂ କରିଥିବା ନେଇ ଅଭିଯୋଗ ଆସିବା ପରେ କଲେଜରେ ଆଣ୍ଟି ରାଗିଂ ସେଲ ଏହାର ତଦନ୍ତ ଆରମ୍ଭ କରିଛି । ଏଭଳି ଦୁଇ ଦୁଇଟି ରାଗିଂ ଘଟଣା ହେବା ପରେ ବର୍ତ୍ତମାନ ସହରରେ ରହିଥିବା ଅନ୍ୟ କଲେଜ ଗୁଡିକ ନିଜ କଲେଜରେ କିଭଳି ରାଗିଂ ହେବ ନାହିଁ ତାହାକୁ ନେଇ ଆରମ୍ଭ କରିଛନ୍ତି ସଚେତନତା କାର୍ଯ୍ୟକ୍ରମ । ବ୍ରହ୍ମପୁର ଶିଳ୍ପ ତାଲିମ ଅନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ରାଗିଂ ନେଇ ସଚେତନ କରାଯାଇଛି ।
ରାଗିଂ କେତେ ପ୍ରକାରର, କାହାକୁ କୁହାଯାଇଥାଏ ଓ ରାଗିଂ କଲେ କେଉଁ ସବୁ ଦଣ୍ଡବିଧାନ ରହିଛି ସେନେଇ ଛାତ୍ରଛାତ୍ରୀଙ୍କୁ କୁହାଯାଇଥିଲା । ଯେହେତୁ କଲେଜକୁ ପାଠପଢ଼ିବା ନିମନ୍ତେ କେବଳ ସହରରୁ ନୁହେଁ ବରଂ ଆଖପାଖ ଗାଁରୁ ମଧ୍ୟ ଛାତ୍ରଛାତ୍ରୀ ଆସୁଛନ୍ତି । ଆଉ ସେମାନେ ରାଗିଂକୁ ନେଇ ସଚେତନ ନଥିବେ । ଏହାକୁ ଦୃଷ୍ଟିରେ ରଖି ଏଭଳି ସଚେତନତା କାର୍ଯ୍ୟକ୍ରମ କରାଯାଇଥିବା କହିଛନ୍ତି,‘‘ ଶିଳ୍ପ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ ଡ଼.ରଜତ କୁମାର ପାଣିଗ୍ରାହୀ ।
‘‘ବ୍ରହ୍ମପୁର ଶିଳ୍ପ ତାଲିମ ଅନୁଷ୍ଠାନରେ ପ୍ରାୟ ୩ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପାଠପଢ଼ୁଛନ୍ତି । ଅନେକ ସିନିୟର ରହିଥିବା ବେଳେ ଅନେକ ଜୁନିୟର ରହିଛନ୍ତି । ଏହି ସିନିୟର ଜୁନିୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ କିଭଳି ଭାଇଚାରାର ସମ୍ପର୍କ ରହିବ ସେ ନେଇ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଇଛି । ପରସ୍ପର ମଧ୍ୟରେ ସୁସମ୍ପର୍କ ରଖିବା ସହ ସାହାର୍ଯ୍ୟ ସହଯୋଗ କରି କଲେଜରେ ପାଠପଢ଼ିବା ଜାରୀ ରଖିବା ନିମନ୍ତେ ଛାତ୍ରଛାତ୍ରୀଙ୍କୁ କୁହାଯାଇଛି । ଏନେଇ ସୂଚନା ଦେଇଛନ୍ତି,‘‘ ଅନୁଷ୍ଠାନର ଶିକ୍ଷକ କାହ୍ନ ଚରଣ ବେହେରା ।
‘‘ସପ୍ତାହ ମଧ୍ୟରେ ହୋଇଥିବା ଦୁଇଟି ରାଗିଂ ଘଟଣା ମଧ୍ୟରୁ ବିନାୟକ ଆଚାର୍ଯ୍ୟ କଲେଜରେ ହୋଇଥିବା ରାଗିଂର ଭିଡ଼ିଓ ଭାଇରଲ ହୋଇଥିବା ଯୋଗୁଁ ଏହି ଘଟଣାକୁ ନେଇ ସମସ୍ତେ ସତର୍କ ହୋଇଯାଇଛନ୍ତି । ତେବେ ରାଗିଂ କରିବା ଓ ରାଗିଂ ଦେଖିବା ମଧ୍ୟ ଅପରାଧ । ଏହାଦ୍ବାରା ସମାଜ ଉପରେ କୁପ୍ରଭାବ ପଡ଼ିବା ସହିତ ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ ଉପରେ ମଧ୍ୟ ପ୍ରଭାବ ପଡ଼ୁଛି । ତେଣୁ କିଭଳି ଭାବେ ରାଗିଂରୁ ନିଜକୁ ରକ୍ଷା କରିବା ଓ ରାଗିଂ ଘଟଣା ଯଦି କାହାରି ନଜରରେ ଆସେ ତେବେ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇବା ନେଇ ସଚେତନତା କରାଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମ ଦ୍ବାରା ବେଶ କିଛି ଶିକ୍ଷାଲାଭ ମିଳିଥିବା କହିଛନ୍ତି,‘‘ ଶିଳ୍ପ ତାଲିମ ଅନୁଷ୍ଠାନର ଛାତ୍ରୀ ସୁମନ ରାଣୀ ପାତ୍ର ।
‘‘ସଚେତନତା କାର୍ଯ୍ୟକ୍ରମ କରାଯିବା ସହିତ ରାଗିଂକୁ ନେଇ ଏକ ସଚେତନତାର ପ୍ଲାକାର୍ଡ଼ ଫଟୋକୁ ପ୍ରଦର୍ଶିତ କରାଯାଇଥିଲା । ଏହି ପ୍ଲାକାର୍ଡ଼ ଫଟୋକୁ ସମସ୍ତ ଛାତ୍ରଛାତ୍ରୀ ନିଜ ନିଜର ସୋସିଆଲ ମିଡ଼ିଆ ଡ଼ିପିରେ ରଖିବେ । ଯାହାଫଳରେ ଛାତ୍ରଛାତ୍ରୀ ରାଗିଂକୁ ନେଇ ସଚେତନ ହେବା ସହିତ ଛାତ୍ରଛାତ୍ରୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକେ ମଧ୍ୟ ସଚେତନ ହେବେ । ତେଣୁ କଲେଜ କର୍ତ୍ତୃପକ୍ଷ ରାଗିଂକୁ ରୋକିବା ନେଇ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତାହାକୁ ପାଳନ କରିବୁ ବୋଲି କହିଛନ୍ତି,‘‘ ଶିଳ୍ପ ତାଲିମ ଅନୁଷ୍ଠାନର ଛାତ୍ର ରୁଦ୍ର ପ୍ରତାପ ସ୍ବାଇଁ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।