ବାଲେଶ୍ୱର: ଦୁର୍ଦାନ୍ତ ଅପରାଧୀ ଜଗା ଦାସ୍ ଉପରେ ଟ୍ରକ୍ ଚଢ଼ାଇ ନିର୍ମମ ଭାବେ ହତ୍ୟା କରାଗଲା

ଜଗା ରାସ୍ତାରେ ଯାଉଥିବା ଟ୍ରକଗୁଡ଼ିକରୁ ଚାନ୍ଦା ଆଦାୟ କରୁଥିବା ବେଳେ ଗଣ୍ଡଗୋଳ ହୋଇଥିଲା । ପ୍ରଥମେ ତା’ ମଥାରେ ଏକ ରଡ଼ ସାହାଯ୍ୟରେ ଆକ୍ରମଣ କରାଯାଇଥିଲା ଓ ତା’ପରେ ତା’ ଉପରେ ଟ୍ରକ ଚଢ଼େଇ ଦିଆଯାଇଥିଲା ବୋଲି କୁହାଯାଉଛି ।

ବାଲେଶ୍ୱର: ଦୁର୍ଦାନ୍ତ ଅପରାଧୀ ଜଗା ଦାସ୍ ଉପରେ ଟ୍ରକ୍ ଚଢ଼ାଇ ନିର୍ମମ ଭାବେ ହତ୍ୟା କରାଗଲା
ହତ୍ୟା ସ୍ଥଳରେ ପୋଲିସ ଓ ଲୋକେ; (ଡାହାଣ) ଅପରାଧୀ ଜଗା ଦାସ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ଦୁର୍ଦାନ୍ତ ଅପରାଧୀ ରତନ ଦାସ ଓରଫ ଜଗାକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଗତ କାଲି ବିଳମ୍ବିତ ରାତିରେ ସବୁ ଦିନ ଭଳି ସେ ରାସ୍ତାରେ ଯାଉଥିବା ଟ୍ରକଗୁଡ଼ିକରୁ ବଟି ଆଦାୟ କରୁଥିବା ବେଳେ ଜଣେ ଗାଡ଼ି ଚାଳକଙ୍କ ସହ ତା’ର ଗଣ୍ଡଗୋଳ ହୋଇଥିଲା ବୋଲି ଦୁହାଯାଉଛି । ଏହା ପରେ ତା’ ଉପରେ ଟ୍ରକ୍ ଚଢ଼ାଇ ତାକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

ଏହି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା କମର୍ଦା ଥାନା ଅନ୍ତର୍ଗତ କୁରୁଣ୍ଠିଆ ଗାଁରେ । ଜଗା ନାମରେ ଗତ ବର୍ଷ ଜଣେ ଔଷଧ ଦୋକାନୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ଆସିଥିଲା । ତା’ ବିରୁଦ୍ଧରେ ବିଭିନ୍ନ ଥାନାରେ ଅନେକ ଆପରାଧିକ ମାମଲା ଥିବା ଜଣାପଡ଼ିଛି । ଗାଡ଼ିରୁ ବଟି ଆଦାୟ କରିବା, ଗଣ୍ଡଗୋଳ ସୃଷ୍ଟି କରିବା ଓ ଧମକାଇବା ଜଗାର ନିତିଦିନିଆ କାମ ଥିଲା । ହେଲେ ଗତ କାଲି ବିଳମ୍ବିତ ରାତିରେ ତା’ର ଜୀବନ ଲୀଳା ଶେଷ ହୋଇଗଲା ।

ପ୍ରଥମେ ଜଗାର ମଥାରେ ଏକ ରଡ଼ ସାହାଯ୍ୟରେ ଆକ୍ରମଣ କରାଯାଇଥିଲା । ତା’ପରେ ତା’ ଶରୀର ଉପରେ ଟ୍ରକ ଚଢ଼େଇ ଦିଆଯାଇଥିଲା ବୋଲି କୁହାଯାଉଛି । ହୁଏ ତ ଏହି ହତ୍ୟାକୁ ଏକ ସଡ଼କ ଦୁର୍ଘଟଣାର ରୂପ ଦେବା ପାଇଁ ଏମିତି କରାଯାଇଥିଲା । ତା’ ଶରୀରର ବିଭିନ୍ନ ସ୍ଥାନରେ ଲୁହା ରଡ଼ରେ ହୋଇଥିବା ଆଘାତର ଚିହ୍ନ ଥିଲା ବୋଲି ଶବ ଦେଖିଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ସବୁ ଦିନ ଭଳି ଜଗା ରାସ୍ତାରେ ଯାଉଥିବା ଟ୍ରକଗୁଡ଼ିକରୁ ବଟି ଆଦାୟ କରୁଥିବା ବେଳେ ତା’ର ହତ୍ୟା ହୋଇଥିଲା ।


ଏହି ଘଟଣା ଘଟିଥିବା ସ୍ଥାନ ଜଗାର ନିଜ ଗାଁ । ତା’ ଶବର ବ୍ୟବଚ୍ଛେଦ ପରେ ମୃତ୍ୟୁର କ୍ରଣ ଓ ସମୟ ଜଣାପଡ଼ିବ ବୋଲି ପୋଲିସ କହିଛି । ପୋଲିସ ଏବେ ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି ।

କୁଖ୍ୟାତ ଅପରାଧୀ ଜଗା ଦାସ ନାମରେ ରାଜ୍ୟ ତଥା ରାଜ୍ୟ ବାହାରେ, ଯଥା ପଶ୍ଚିମ ବଙ୍ଗ, ଝାଡ଼ଖଣ୍ଡ, ବିହାର ଓ ଗୋଆର ବିଭିନ୍ନ ଥାନାରେ ହତ୍ୟା ଉଦ୍ୟମ, ଛିନତାଇ, ଲୁଟ୍‌ ଓ ଚୋରା ବନ୍ଧୁକ କାରବାର ଭଳି ଅନେକ ମାମଲା ରହିଛି ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି ।

ଦୁର୍ଦାନ୍ତ ଅପରାଧୀ ରତନ ଦାସ ଓରଫ ଜଗା ଅନେକ ଦିନ ହେଲା ଜିଲ୍ଲାରେ ଆତଙ୍କ ଜାରି ରଖିଥିଲା । ତା’ର ଭୟାନକ କାଣ୍ଡ ଯୋଗୁଁ ଲୋକେ ତାକୁ ଦେଖିଲେ ଭୟ କରୁଥିଲେ ।  ବିଭିନ୍ନ ସ୍ଥାନରେ ଡକାୟତି, ବନ୍ଧୁକ କାରବାର ଓ ଚୋରୀ ନେଇ ଜଗା ବିରୋଧରେ ମାମଲା ରୁଜୁ ହୋଇଥିଲା । ବର୍ତ୍ତମାନ ସୁଦ୍ଧା କମର୍ଦା ଥାନା ସମେତ ଅନ୍ୟ କିଛି ଥାନାରେ ତା’ ନାଁରେ ଆଠରୁ ଅଧିକ ମାମଲା ଥିବା ଜଣା ପଡ଼ିଛି ।

ସକାଳେ ଜଗାର ଶବ ପଡ଼ିଥିବା ଦେଖି ଲୋକେ ରୁଣ୍ଡ ହୋଇଥିଲେ ।


ଆଜି ସକାଳେ ଜଗାର ମୃତ୍ୟୁ ଖବର ପାଇ ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯାଇଥିଲେ ଓ ପୋଲିସ କୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ରକ୍ତ ଜୁଡୁବୁଡୁ ଜଗାର ମୃତ ଦେହ ଉଦ୍ଧାର କରିଥିଲା । ଏହା ପରେ ଶବ ବ୍ୟବଚ୍ଛେଦ ପାଇଁ ଭୋଗରାଇ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା । ଥାନା ଅଧିକାରୀ ତୁରନ୍ତ ସାଇଣ୍ଟିଫିକ ଟିମକୁ ଡକାଇ ତଦନ୍ତ ଆରମ୍ଭ କରିଥିଲେ ।

‘‘ଏହି ଘଟଣାରେ ଆମେ ତିନି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛୁ । ଗୋଟିଏ ଟ୍ରାକ୍ଟର ମଧ୍ୟ ଥାନାରେ ଅଟକ ରଖାଯାଇଛି । ତଦନ୍ତ ଚାଲିଛି । ଆଉ କିଛି ଲୋକଙ୍କ ସମ୍ପୃକ୍ତି ସମ୍ନାକୁ ଆସିପାରେ । ସାଇଣ୍ଟିଫିକ ଟିମ ତଥ୍ୟ ସଂଗ୍ରହ କରୁଛି । ଶବ ବ୍ୟବଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିବ,’’ କହିଛନ୍ତି କମର୍ଦା ଥାନା ଅଧିକାରୀ ପାସ୍କାଲ ଏକ୍କା ।

ଏହା ବି ପଢ଼ନ୍ତୁ: ହସପିଟାଲରେ କରୋନା ସଂକ୍ରମିତ ଐଶ୍ୱର୍ଯ୍ୟା ରାୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେଉଛି; ସାଙ୍ଗରେ ଝିଅ ବି ଅଛି

ଏହା ବି ପଢ଼ନ୍ତୁ: ଜଲଦି ଆସିବ କରୋନା ଭ୍ୟାକ୍ସିନ; ରୁଷିଆରେ ବିଶ୍ୱର ପ୍ରଥମ କରୋନା ଟିକାର କ୍ଲିନିକାଲ୍ ପରୀକ୍ଷା ଶେଷ ହେଲା

ଜଗାର ଆପରାଧିକ କାର୍ଯ୍ୟରେ ସ୍ଥାନୀୟ ଲୋକେ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଏବେ ଜଗାର ମୃତ୍ୟୁ ପରେ ଏହି ଅଞ୍ଚଳରେ ଅପରାଧ କମିବ ବୋଲି ମତ ପ୍ରକାଶ ପାଇଛି ।
Published by: Anand Shankar Thankur Das
First published: July 18, 2020, 4:55 PM IST
corona virus btn
corona virus btn
Loading