କାଳିଆ ସହାୟତା ପାଇଥିବା ଅଯୋଗ୍ୟ ହିତାଧିକାରୀମାନଙ୍କୁ ଫେରାଇବାକୁ ହେବ ଟଙ୍କା; ମାସେ ସମୟ

ବିଜେପି ଓ କଂଗ୍ରେସ କହିଛନ୍ତି ଚାଷୀଙ୍କ ଠାରୁ ଟଙ୍କା ଫେରସ୍ତ ନେବା ବଦଳରେ ଯେଉଁ ଅଫିସରମାନେ ଅଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ଦିଆଯିବାରେ ସମ୍ପୃକ୍ତ ଅଛନ୍ତି ତାଙ୍କ ଠାରୁ ଏହି ଟଙ୍କା ଆଦାୟ କରିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ।

କାଳିଆ ସହାୟତା ପାଇଥିବା ଅଯୋଗ୍ୟ ହିତାଧିକାରୀମାନଙ୍କୁ ଫେରାଇବାକୁ ହେବ ଟଙ୍କା; ମାସେ ସମୟ
କାଳିଆ ଯୋଜନାର ୧ ଲକ୍ଷ ୬ ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ମିଳିଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କାଳିଆ ଯୋଜନାରେ ସହାୟତା ଟଙ୍କା ପାଇଥିବା ଅଯୋଗ୍ୟ ହିତାଧିକାରୀମାନଙ୍କୁ ଏହି ଟଙ୍କା ଫେରାଇବାକୁ ପଡ଼ିବ। ଟଙ୍କା ଫେରସ୍ତ ନେଇ ଅଯୋଗ୍ୟ ହିତାଧିକାରୀମାନଙ୍କୁ ଚିଠି ଲେଖି ଅବଗତ କରାଇଛି କୃଷି ବିଭାଗ । ମାସକ ମଧ୍ୟରେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଆକାଉଣ୍ଟରେ ଟଙ୍କା ଫେରସ୍ତ କରିବା ପାଇଁ ସେମାନଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ଜିଲ୍ଲା କୃଷି ଅଧିକାରୀମାନେ ।

କାଳିଆ ଯୋଜନାକୁ ନେଇ ସରକାରଙ୍କ ପିଛା ଛାଡ଼ୁନି ଟେନସନ। ପ୍ରଥମେ  ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀ ଚୟନକୁ ନେଇ ଦ୍ଵନ୍ଦ୍ୱ ଦେଖାଯାଇଥିବା ବେଳେ ଏବେ ଅଯୋଗ୍ୟ ହିତାଧିକାରୀଙ୍କ ନିକଟରୁ ସହାୟତା ଟଙ୍କା ଫେରସ୍ତ ନେଇ ସମସ୍ୟା ସୃଷ୍ଟି ହୋଇଛି । ଆରମ୍ଭରୁ ଅଡ଼ୁଆ ସୁତାରେ ଛନ୍ଦି ହୋଇଥିବା କାଳିଆ ଯୋଜନାକୁ ନେଇ ଉଭୟ ସରକାର ଓ ହିତାଧିକାରୀ ଏବେ ବି ଦ୍ଵନ୍ଦ୍ୱରେ ।

ସରକାରଙ୍କ ତଥ୍ୟ ଅନୁସାରେ ପ୍ରାୟ ୫୧ ଲକ୍ଷ ୫ ହଜାର ୨୯୦ ଚାଷୀଙ୍କ ନିକଟକୁ ସହାୟତା ରାଶି ଯାଇଥିବା ବେଳେ ଯାଞ୍ଚରୁ ଜଣା ପଡ଼ିଥିଲା ଯେ ୯୮ ପ୍ରତିଶତ ଯୋଗ୍ୟ ଓ ୨ ପ୍ରତିଶତ ଅଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ରାଶି ମିଳିଛି । ଅର୍ଥାତ ୧ ଲକ୍ଷ ୬ ହଜାର ଅଯୋଗ୍ୟ ହିତାଧିକାରୀ ଅଛନ୍ତି । ଏହି ତଥ୍ୟ ଆଧାରରେ ଅଯୋଗ୍ୟଙ୍କୁ ନିଜ ଆଡୁ ଟଙ୍କା ଫେରସ୍ତ ନେଇ କହିଥିଲେ ସରକାର । ବର୍ତ୍ତମାନ ସୁଦ୍ଧା ଅନେକ ବଡ଼ ଚାଷୀ ଓ କରଦାତା ନିଜ ଆଡୁ ଅର୍ଥ ଫେରସ୍ତ କରିଥିବା ବେଳେ ଅନ୍ୟମାନଙ୍କୁ ଟଙ୍କା ଫେରସ୍ତ ନେଇ ସରକାର ଅନୁରୋଧ ପତ୍ର ଲେଖିଛନ୍ତି ।

ମାସକ ମଧ୍ୟରେ ସରକାରଙ୍କ ଦ୍ଵାରା ପ୍ରଦତ୍ତ ଏସବିଆଇ ଆକାଉଣ୍ଟ ନମ୍ବର ୩୮୪୭୪୫୦୦୭୬୨ରେ ଟଙ୍କା ଫେରସ୍ତ କରିବା ପାଇଁ ବ୍ୟକ୍ତିଗତ ଭାବେ ଅଯୋଗ୍ୟ ହିତାଧିକାରୀମାନଙ୍କୁ ଅନୁରୋଧ ପତ୍ର ଲେଖିଛନ୍ତି ସରକାର।

କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ


‘‘ଆମେ ବିଧାନ ସଭାରେ ବି କହିଥିଲୁ ଯେ ଅଯୋଗ୍ୟ କାଳିଆ ହିତାଧିକାରୀଙ୍କୁ ଟଙ୍କା ଫେରାଇବାକୁ ହେବ । କିଛି ବଡ଼ ଚାଷୀ, କରଦାତା ଓ ଅନ୍ୟ କିଛି ବ୍ୟକ୍ତି ନିଜ ଆଡୁ ଫେରାଇ ବି ସାରିଲେଣି । ଆଉ ଯେଉଁମାନେ ରହିଯାଇଛି ସେମାନଙ୍କୁ ଟଙ୍କା ଫେରାଇବା ପାଇଁ ଚିଠି କରାଯାଇଛି । ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦିଆଯାଇଛି, ଯେଉଁଥିରେ ସେମାନେ ଟଙ୍କା ଫେରସ୍ତ କରିବେ,’’ କହିଛନ୍ତି କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ ।

ଚାଷୀମାନଙ୍କୁ ଟଙ୍କା ଫେରସ୍ତ କରିବା ନେଇ ସରକାର ଚିଠି ଲେଖିବା ପରେ ସିଧାସଳଖ ଆକ୍ରମଣ କରିଛନ୍ତି ବିରୋଧୀ ଦଳମାନେ । ବିଜେପି ନେତା ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, ‘‘ବିଗତ ୨୦ ବର୍ଷ ଧରି ଓଡ଼ିଶାରେ କୃଷକମାନଙ୍କ ପ୍ରତି ଦରଦହୀନ ଗୋଟିଏ ସରକାର ଚାଲିଛି । ଏଠି ଚାଷୀ ତା’ର ଧାନ ବିକୁଛି, ମାତ୍ର ଉଚିତ ଦର ପାଉନି । ବର୍ଷ ବର୍ଷ ଧରି ତାକୁ ଅପେକ୍ଷା କରିବାକୁ ପଡୁଛି । ଚାଷୀଙ୍କୁ ଶୋଷଣ କରାଯାଉଛି । ଏବେ କରୋନା ମହାମାରୀ ସମୟରେ କେନ୍ଦ୍ର ସରକାର ଚାଷୀଙ୍କୁ ବିଭିନ୍ନ ପ୍ରକାରର ସହାୟତା ଦେଉଛନ୍ତି । ସେହି ସମୟରେ ଓଡ଼ିଶା ସରକାର ଚାଷୀଙ୍କୁ କାଳିଆ ମାଡ଼ ମାରୁଛନ୍ତି । ଦୁର୍ଭାଗ୍ୟର ବିଷୟ ଯେ କାଳିଆ ନାଁ ରେ ନିର୍ବାଚନ ବୈତରଣୀ ବିଜେଡି ସରକାର ପାର ହୋଇଗଲେ, ଭୋଟ ହାତେଇଲେ, ଆଉ ଏବେ ପ୍ରକୃତ ଚାଷୀଙ୍କୁ ସରକାର ଧମକାଉଛନ୍ତି ।’’

ପୁରୋହିତ ଅଭିଯୋଗ କରିଛନ୍ତି ଯେ ଏପରିକି କାଳିଆ ସହାୟତା ଟଙ୍କା ପାଇ ନ ଥିବା ଚାଷୀଙ୍କ ପାଖକୁ ବି ଟଙ୍କା ଫେରାଇବା ପାଇଁ ନୋଟିସ ଯାଇଛି । ଅଯୋଗ୍ୟ ହିତାଧିକାରୀମାନଙ୍କୁ ଟଙ୍କା ଦେଇ ଗଡ଼ବଡ଼ କରିଥିବା ଅଧିକାରୀଙ୍କ ପାଖରୁ ଟଙ୍କା ଆଦାୟ କରିବା ପାଇଁ ସେ ଦାବି କରିଛନ୍ତି।

କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ଓ (ଡାହାଣ) ବିଜେପି ନେତା ପ୍ରଦୀପ ପୁରୋହିତ


କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ‘‘ନିର୍ବାଚନ ପାଇଁ ସରକାର ଯୋଗ୍ୟ ଅଯୋଗ୍ୟ ନ ଦେଖି  ବ୍ୟଗ୍ର ହୋଇ ଟଙ୍କା ବାଣ୍ଟିଦେଲେ । ଏହି ଟଙ୍କା ବିଜେଡିର ନୁହେଁ, ଗରିବ ଲୋକଙ୍କ ଟଙ୍କା । ପ୍ରତି କିସ୍ତିରେ ଟଙ୍କା ଦିଆଯିବ କହି ନିର୍ବାଚନ ଜିତିଗଲେ । ପ୍ରକୃତ ଚାଷୀଙ୍କୁ ତଦନ୍ତ କରି ଦେବା ବଦଳରେ ବିଜେଡି ନେତା ଓ କର୍ମୀ ଯେଉଁ ଲିଷ୍ଟ ଦେଲେ ସେହି ଅନୁସାରେ ଟଙ୍କା ଦିଆଗଲା । ସେତେବଳେ ଲୋକଙ୍କୁ ଟଙ୍କା ଦେଲ କାହିଁକି ଆଉ ଏବେ ନୋଟିସ କରୁଛ କାହିଁକି?’’

‘‘ଚାଷୀଙ୍କ ଠାରୁ ଟଙ୍କା ଫେରସ୍ତ ବଦଳରେ ଯେଉଁ ଅଫିସରମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ଓ ଅଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ଦେଇଛନ୍ତି ତାଙ୍କ ଠାରୁ ଫେରସ୍ତ କରାଯିବା ସହ ତାଙ୍କ ବିରୁଦ୍ଧରେ ସରକାର କାର୍ଯ୍ୟାନୁଷ୍ଠାନ ନେବା ଉଚିତ । ବିଜେଡିର ଯେଉଁ କର୍ମୀ ଅଛନ୍ତି ସେମାନେ ଅଯୋଗ୍ୟ ନୁହନ୍ତି, କେବଳ ଅନ୍ୟମାନେ ଅଯୋଗ୍ୟ,’’ କହିଛନ୍ତି ତାରା ବାହିନୀପତି।

ବିରୋଧୀଙ୍କ ଅଭିଯୋଗର ଜବାବ ରଖି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ‘‘ସରକାର ୫୧ ଲକ୍ଷ ହିତାଧିକାରୀଙ୍କୁ ସହାୟତା ବାଣ୍ଟିଥିଲେ । କିଛି ଅଯୋଗ୍ୟ ଚିହ୍ନଟ ହେବା ପରେ ସେମାନଙ୍କୁ ଟଙ୍କା ଫେରସ୍ତ କରିବାକୁ କୁହାଯାଇଛି । କିଛି ମଧ୍ୟ ଫେରାଇଛନ୍ତି । ଚାଷୀଙ୍କର ଏ ନେଇ କିଛି ଅସୁବିଧା ନାହିଁ । ଅସୁବିଧା ହେଉଛି ବିରୋଧୀ ଦଳଙ୍କୁ । କରୋନା ସମୟରେ ସଙ୍କଟକୁ ସରକାର ସଫଳତାର ସହ ମୁକାବିଲା କରୁଛନ୍ତି । ବିରୋଧୀଙ୍କ ନିକଟରେ କିଛି ପ୍ରସଙ୍ଗ ନ ଥିବାରୁ ନିଜର ଅସ୍ତିତ୍ୱ ବଞ୍ଚାଇ ରଖିବାକୁ ଏହାକୁ ପ୍ରସଙ୍ଗ କରୁଛନ୍ତି ସେମାନେ ।’’

ଏହା ବି ପଢ଼ନ୍ତୁ: ମଧ୍ୟ ପ୍ରଦେଶ CM ଶିବରାଜ ସିଂ ଚୌହାନ କରୋନା ସଂକ୍ରମିତ ହେଲେ, ନିଜକୁ କ୍ୱାରେଣ୍ଟାଇନ କଲେ

ଏହା ବି ପଢ଼ନ୍ତୁ: ବଡ଼ ଖବର: ୧୦୦ଟି ଟ୍ରେନ୍ ବନ୍ଦ କରି ପାରେ ରେଳବାଇ; ସମୟ ସାରଣୀରେ ବି ହେବ ବଡ଼ ପରିବର୍ତ୍ତନ

କାଳିଆ ତଥ୍ୟକୁ ନେଇ ସରକାରଙ୍କୁ ଅନେକ ଥର ବିଧାନ ସଭାରେ ଘେରିଛନ୍ତି ବିରୋଧୀ ଦଳମାନେ । ଯଦି ବି ଅଧା ଅଯୋଗ୍ୟ ହିତାଧିକାରୀ ଟଙ୍କା ଫେରାଇଥାନ୍ତି ଓ ଆଉ ଅଧା ଅଯୋଗ୍ୟ ହିତାଧିକାରୀଙ୍କ ନିକଟରୁ ୫,୦୦୦ ଟଙ୍କା ଲେଖାଏଁ ଫେରସ୍ତ ଆସେ, ତେବେ ୨୫ କୋଟି ଟଙ୍କା ରାଜକୋଷକୁ ଫେରିବ । ହେଲେ ଅଯୋଗ୍ୟ ହିତାଧିକାରୀମାନେ ଯଦି ଟଙ୍କା ନ ଫେରାନ୍ତି ସେଥି ପାଇଁ କିଏ ଦାୟୀ ରହିବ?



ଦୟାକରି ଦୁଇ ମିନିଟ ସମୟ ଦେଇ ଉପରେ ଥିବା ଏହି ସର୍ଭେରେ ଭାଗ ନିଅନ୍ତୁ 
Published by: Anand Shankar Thankur Das
First published: July 25, 2020, 4:09 PM IST
corona virus btn
corona virus btn
Loading