ଓମିକ୍ରନକୁ ନେଇ ଚିନ୍ତାରେ ଶିଳ୍ପୋଦ୍ୟୋଗୀମାନେ; ଲକଡାଉନ୍ ଓ ସଟଡାଉନକୁ ନେଇ ସମସ୍ତଙ୍କ ଡର

ଯୁବ ବ୍ୟବସାୟୀଙ୍କ ମତରେ, ପୁଣି ଥରେ ଏଭଳି ସ୍ଥିତି ଉପୁଜିଲେ ଶିଳ୍ପ ଦୁନିଆରେ ତିଷ୍ଠିବା ଅସମ୍ଭବ ହୋଇପଡ଼ିବ। ଏକଥା ସହ ଉତ୍କଳ ଚାମ୍ବର ଅଫ କମର୍ସ ସହମତି ପ୍ରକାଶ କରିଥିବା ବେଳେ ଅର୍ଥନୀତି ବିଶେଷଜ୍ଞଙ୍କ ମତରେ ଆଗକୁ କଷ୍ଟ ସମୟ ଆସିବା ସମ୍ଭାବନା ଥିବାରୁ ଏହାକୁ ମିଳିତ ଭାବେ ସାମ୍ନା କରିବାର ଆବଶ୍ୟକତା ରହିଛି।

ଓମିକ୍ରନକୁ ନେଇ ଚିନ୍ତାରେ ଶିଳ୍ପୋଦ୍ୟୋଗୀମାନେ

ଓମିକ୍ରନକୁ ନେଇ ଚିନ୍ତାରେ ଶିଳ୍ପୋଦ୍ୟୋଗୀମାନେ

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ କାୟା ବିସ୍ତାର କରି ଚାଲିଥିବା ବେଳେ ଏହାକୁ ନେଇ ବ୍ୟବସାୟୀଙ୍କ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ମୁଖ୍ୟତଃ ଷ୍ଟାର୍ଟଅପ୍ ଓ ଏମ.ଏସ.ଏମ.ଇ. କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଉଦ୍ୟମ କରୁଥିବା ଶିଳ୍ପୋଦ୍ୟୋଗୀମାନେ ଚିନ୍ତାରେ ପଡ଼ିବାର କାରଣ ହେଲା ପୁଣି ଥରେ ଲକଡାଉନ ଓ ସଟଡାଉନ ଫେରିବାର ସମ୍ଭାବନାକୁ ନେଇ ।

ଯୁବ ବ୍ୟବସାୟୀଙ୍କ ମତରେ, ପୁଣି ଥରେ ଏଭଳି ସ୍ଥିତି ଉପୁଜିଲେ ଶିଳ୍ପ ଦୁନିଆରେ ତିଷ୍ଠିବା ଅସମ୍ଭବ ହୋଇପଡ଼ିବ। ଏକଥା ସହ ଉତ୍କଳ ଚାମ୍ବର ଅଫ କମର୍ସ ସହମତି ପ୍ରକାଶ କରିଥିବା ବେଳେ ଅର୍ଥନୀତି ବିଶେଷଜ୍ଞଙ୍କ ମତରେ ଆଗକୁ କଷ୍ଟ ସମୟ ଆସିବା ସମ୍ଭାବନା ଥିବାରୁ ଏହାକୁ ମିଳିତ ଭାବେ ସାମ୍ନା କରିବାର ଆବଶ୍ୟକତା ରହିଛି।

ଯୁବ ଶିଳ୍ପୋଦ୍ୟୋଗୀ ଶର୍ମିଳା ପାତ୍ର ୨୦୨୦ ମାର୍ଚ୍ଚ ମାସରୁ ସାରା ଦେଶରେ କୋଭିଡ଼କୁ ନେଇ ଅସମ୍ଭାଳ ସ୍ଥିତି ଉପୁଜିଥିବା ବେଳେ ନୂଆ କରି ରିୟଲ ଇଷ୍ଟେଟ୍ ବ୍ୟବସାୟ ଦୁନିଆକୁ ଆସିଥିଲେ । କିନ୍ତୁ ବାରମ୍ବାର ଲକଡାଉନ ଓ ସଟଡାଉନ କାରଣରୁ ତାଙ୍କ ବ୍ୟବସାୟ ପ୍ରଭାବିତ ହୋଇଛି। ୨୦୨୧ ମସିହା ଏପ୍ରିଲ ପରେ ସ୍ଥିତିରେ ସୁଧାର ଆସିବାରୁ ପୁଣି ଥରେ ବ୍ୟବସାୟ ସମ୍ଭାଳିବାକୁ ସେ ଅଣ୍ଟା ଭିଡ଼ିଥିଲେ । କିନ୍ତୁ ନୂଆ ବର୍ଷ ଆରମ୍ଭରୁ ନିଜ ବ୍ୟବସାୟକୁ ନେଇ ସେ ଚିନ୍ତିତ।

ଶର୍ମିଳା କିଛନ୍ତି, ‘‘ପୁଣି ଥରେ ଲକଡାଉନ୍ ଓ ସଟଡାଉନର ଡ଼ର ଆମକୁ ଘାରିଛି। ମୋର ଆଶଙ୍କା ହେଲା ବ୍ୟବସାୟକୁ ବଢ଼ାଇବା ଆଶାରେ ନିଜ ବ୍ୟବସାୟରେ ଗତ କିଛି ମାସ ଭିତରେ ଅନେକ ଟଙ୍କା ପୁଞ୍ଜି ଲଗାଇଛି । ଯଦି କୋଭିଡ଼ର ନୂଆ ଭାରିଆଣ୍ଟ ଓମିକ୍ରନର ସଂକ୍ରମଣ ବଢ଼େ ତେବେ ମୁଁ ବହୁତ କ୍ଷତି ସହିବା ନିଶ୍ଚିତ।’’

ସେହିପରି ଆଇଟି ଓଏଜୁକେସନ କ୍ଷେତ୍ରରେ ବ୍ୟବସାୟରେ ଥିବା ଯୁବ ଶିଳ୍ପୋଦ୍ୟୋଗୀ ଶାନ୍ତି ସ୍ୱରୂପ ମହାପାତ୍ରଙ୍କ ସ୍ଥିତି ମଧ୍ୟ ସମାନ। ଶାନ୍ତି ସ୍ୱରୂପ କହିଛନ୍ତି, ‘‘୨୦୨୦ରୁ କୋଭିଡ଼ କାରଣରୁ ମୋ ବ୍ୟବସାୟ ବହୁତ ପ୍ରଭାବିତ ହୋଇଛି । ବିନା କାମରେ କର୍ମଚାରୀଙ୍କୁ ଦରମା ମଧ୍ୟ ଦେବାକୁ ପଡୁଛି । କିଛି ମାସ ଭିତରେ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିବା ବେଳେ ଏବେ ପୁଣି ଥରେ ଓମିକ୍ରନ ସଂକ୍ରମଣକୁ ନେଇ ମୁଁ ଚିନ୍ତିତ।’’

ଏକଥା ସହ ସହମତି ପ୍ରକାଶ କରିଛି ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ ୟୁସିସିଆଇ। ୟୁସିସିଆଇର ସଭାପତି ବ୍ରହ୍ମା ମିଶ୍ରଙ୍କ ସୂଚନା ଅନୁସାରେ, କୋଭିଡ଼ କାରଣରୁ ବିଭିନ୍ନ କ୍ଷେତ୍ର ତୁଳନାରେ ବ୍ୟବସାୟୀକ କ୍ଷେତ୍ର ଅଧିକ ପ୍ରଭାବିତ ହୋଇଛି । ରାଜ୍ୟରେ ପ୍ରାୟ ୫ ଲକ୍ଷରୁ ଅଧିକ ଛୋଟ ବଡ଼ ବ୍ୟବସାୟ ପ୍ରଭାବିତ ହୋଇଛି । ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ନୂଆ ନୂଆ ଷ୍ଟାର୍ଟଅପ ବ୍ୟବସାୟୀ । ୨୦୨୧ ମାର୍ଚ୍ଚ ମାସରୁ ଧୀରେ ଧୀରେ ସ୍ଥିତିରେ ସୁଧାର ଆସୁଥିବା ବେଳେ ଏବେ ଓମିକ୍ରନ ପ୍ରଭାବ ଅଧିକ ଅନୁଭୂତ ହେବ ଏହି କ୍ଷେତ୍ରରେ। ସେ ଦୃଷ୍ଟିରୁ ଲକଡାଇନ୍ ଓ ସଟଡାଉନ୍ ପ୍ରଭାବ ନିଶ୍ଚିତ ପଡ଼ିବ । ତେଣୁ ଏଥି ପ୍ରତି ସଜାଗ ହେବାର ଆବଶ୍ୟକତା ରହିଛି । ସରକାରୀ ସ୍ତରରେ ମଧ୍ୟ ଏଭଳି ସ୍ଥିତି ପାଇଁ ପ୍ରସ୍ତୁତ କରାଯିବା ଦରକାର। କାରଣ ବିଭିନ୍ନ ସମୟରେ କ୍ଷୁଦ୍ର ବ୍ୟବସାୟିଙ୍କ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୋଜନା କରୁଥିଲେ ବି ତାହା ତୃଣମୂଳ ସ୍ତରରେ ପହଞ୍ଚି ପାରୁ ନାହିଁ।

ଅର୍ଥନୀତିଜ୍ଞ ଚିତ୍ତରଞ୍ଜନ ବେହେରାଙ୍କ ମତରେ ଯଦି ପୁଣି ଥରେ ଲକଡାଉନ ଓ ସଟଡାଉନ ଫେରେ ତେବେ ଏମ.ଏସ.ଏମ.ଇ. କ୍ଷେତ୍ର ଅଧିକ ପ୍ରଭାବିତ ହେବ । ସେ ଦୃଷ୍ଟିରୁ ଏଭଳି ସ୍ଥିତିର ମୁକାବିଲ ପାଇଁ ମିଳିତ ପ୍ରୟାସ ଆବଶ୍ୟକ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଗକୁ ଓମିକ୍ରନର ସଂକ୍ରମଣ ଦ୍ରୁତ ହୋଇପାରେ। ଏଥିପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ। ଏହି ସୂଚନାକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ଏମ.ଏସ.ଏମ.ଇ. କ୍ଷେତ୍ରରେ ଥିବା ବ୍ୟବସାୟୀଙ୍କ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀଙ୍କ ମତ।
Published by:Lipina Das
First published:
)}