ବାରବାଟୀ ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ ଦିବାରାତ୍ର ଦିନିକିଆ ମ୍ୟାଚ଼ ପାଇଁ ଟିକେଟ ବିକ୍ରି ଆରମ୍ଭ ହେଲା

ଆସନ୍ତା ୨୨ ତାରିଖ ଦିନ ହେବ ମ୍ୟାଚ଼୍ । ପଡି଼ଆ ଓ ପିଚ୍ ପ୍ରସ୍ତୁତି କାର୍ଯ୍ୟ ଏକ ପ୍ରକାର ଶେଷ ହୋଇଥିବାରୁ ଏହାର ଅନୁଧ୍ୟାନ ପାଇଁ ବିସିସିଆଇର ପିଚ୍ କ୍ୟୁରେଟର ବାରବାଟୀରେ ପହଁଚି଼ ସାରିଛନ୍ତି । ସାଧାରଣ ଦର୍ଶକମାନଙ୍କ ପାଇଁ ଷ୍ଟାଡିୟମ କାଉଁଟରରେ ଉପଲବ୍ଧ ହେବ ୧୦,୦୫୦ ଟିକେଟ ।

ବାରବାଟୀ ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ ଦିବାରାତ୍ର ଦିନିକିଆ ମ୍ୟାଚ଼ ପାଇଁ ଟିକେଟ ବିକ୍ରି ଆରମ୍ଭ ହେଲା
ମ୍ୟାଚ଼ ପାଇଁ ବାରବାଟୀ ଷ୍ଟାଡିୟମ ପ୍ରସ୍ତୁତ ।
  • News18 Odia
  • Last Updated: December 16, 2019, 12:24 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
କଟକ: ଆସନ୍ତା ୨୨ ତାରିଖ ଦିନ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ତୃତୀୟ ଦିବାରାତ୍ର ଦିନିକିଆ ମ୍ୟାଚ଼ ପାଇଁ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି । ଦୁଇ ଦିନ ଧରି ଏହି ଟିକେଟ ବିକ୍ରି ଚ଼ାଲିବାକୁ ଥିବା ବେଳେ କେବଳ ଓସିଏ ସହିତ ଅନୁବନ୍ଧିତ ସଙ୍ଗଠନ ଓ କ୍ଲବ୍‌ଗୁଡିକୁ ହିଁ ଏହି ଟିକେଟ ବିକ୍ରି କରାଯାଉଛି ।

ଷ୍ଟାଡିୟମ୍‌ ପରିସରରେ ଥିବା ୧୨ଟି କାଉଁଟରରେ ସାଧାରଣ ଦର୍ଶକଙ୍କ ପାଇଁ ଉଦିଷ୍ଟ ୧୦,୦୫୦ଟି ଟିକେଟର ବିକ୍ରି ଆସନ୍ତା ୧୯ ତାରିଖରୁ ଆରମ୍ଭ କରାଯିବ ।

ଓସିଏ ସମ୍ମିଳନୀ କକ୍ଷରେ ସୋମବାର ସକାଳ ୧୦ଟାରୁ ଟିକେଟ ବିକ୍ରି ଆରମ୍ଭ ହୋଇଛି । ଓସିଏ ସହ ଅନୁବନ୍ଧିତ ୭୩ଟି ସଙ୍ଗଠନ ଓ କ୍ଲବ୍‌ଗୁଡିକୁ ବିକ୍ରି କରିବା ପାଇଁ ମୋଟ ୮,୯୪୬ଟି ଟିକେଟ୍‌ର ବ୍ୟବସ୍ଥା କରିଛି ଓସିଏ ।

“ଆମ କ୍ଲବକୁ ବିଭିନ୍ନ ଗ୍ୟାଲେରି ଓ ପାଭିଲିଅନର ୭୩ଟି ଟିକେଟ ଆଲଟ୍ କରାଯାଇଥିଲା ମୁଁ ସମସ୍ତ ଟିକେଟ କିଣିଛି,” କହିଛନ୍ତି ରୋଭର୍ସ କ୍ଲବ୍‌ର ସମ୍ପାଦକ ଶ୍ରଦ୍ଧାନନ୍ଦ ଦାସ ।

ଭାରତ-ୱେଷ୍ଟଇଣ୍ଡିଜ ତୃତୀୟ ଦିବାରାତ୍ର ମ୍ୟାଚ଼୍‌ର ଟିକେଟ ବିକ୍ରି ପାଇଁ ଏଚ.ଡି.ଏଫ.ସି ବ୍ୟାଙ୍କକୁ ଦାୟିତ୍ବ ଦେଇଛି ଓସିଏ । ଓସିଏ ସହ ଅନୁବନ୍ଧିତ ସଙ୍ଗଠନଗୁଡିକର କର୍ମକର୍ତ୍ତା ଟିକେଟ ଆଲଟମେଣ୍ଟ ନେଇ ସେମାନଙ୍କୁ ପ୍ରଦାନ କରାଯାଇଥିବା ଓସିଏର ଚିଠି ସହ ସମ୍ମଳନୀ କକ୍ଷରେ ପହଁଚିବା ପରେ ଆନୁସଙ୍ଗିକ କାଗଜପତ୍ର ଜାଞ୍ଚ କରି ସେମାନଙ୍କୁ ଟିକେଟ ବିକ୍ରି କରାଯାଇଥିଲା ।

“ଟିକେଟ ବିକ୍ରିକୁ ସ୍ବଚ୍ଛ ରଖିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି,” କହିଛନ୍ତି ଓସିଏ ସଦସ୍ୟ ସୁବ୍ରତ କୁମାର ପଣ୍ଡା ।

ସେପଟେ ମ୍ୟାଚକୁ ଆଉ ମାତ୍ର ଦିନ କେଇଟା ବାକିଥିବା ବେଳେ ଷ୍ଟାଡିୟମର ବାହର ଓ ଭିତର ପାର୍ଶ୍ବରେ ଚ଼ାଲିଥିବା ଆଧୁନିକୀକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚି଼ଛି । ପଡିଆ ଓ ପିଚ୍ ପ୍ରସ୍ତୁତି କାର୍ଯ୍ୟ ଏକ ପ୍ରକାର ଶେଷ ହୋଇଥିବାରୁ ଏହାର ଅନୁଧ୍ୟାନ ପାଇଁ ବିସିସିଆଇର ପିଚ୍ କ୍ୟୁରେଟର ମଧ୍ୟ ବାରବାଟୀରେ ପହଁଚି ସାରିଛନ୍ତି । ଗ୍ୟାଲେରୀଗୁଡିକର ରଙ୍ଗକାର୍ଯ୍ୟ ଶେଷ ହେବା ପରେ ନେଟ୍ ବନ୍ଧା କାର୍ଯ୍ୟ ମଧ୍ୟ ଶେଷ ହୋଇଛି ।

ଏହାରି ଭିତରେ ପୁଣି ଥରେ ସୁରକ୍ଷା ବ୍ୟବସ୍ଥାର ଚାଞ୍ଚ କରିଛନ୍ତି କଟକ ଡିସିପି ଅଖିଳେଶ୍ବର ସିଂ । ଷ୍ଟାଡିୟମରରେ ଥିବା ବିଭିନ୍ନ ପ୍ରବେଶ ପଥକୁ ଜାଞ୍ଚ କରିବା ସହ ଗ୍ୟାଲେରୀଗୁଡିକର ବିଭିନ୍ନ ସ୍ଥାନ ମଧ୍ୟ ପରିଦର୍ଶନ କରିଛନ୍ତି ଡିସିପି ।

“ମ୍ୟାଚ ସମୟରେ ଗ୍ୟାଲେରୀରେ ସୃଷ୍ଟି ହେଉଥିବା ବିଭିନ୍ନ ସମସ୍ୟାର ମୁକାବିଲା ସହ ଦର୍ଶକଙ୍କ ସହାୟତା ପାଇଁ ପ୍ରଥମ ଥର ଲାଗି ଗ୍ୟାଲେରୀଗୁଡିକରେ ପୋଲିସ ସହାୟତା କେନ୍ଦ୍ର ଖୋଲାଯାଉଛି । ଏହି କେନ୍ଦ୍ରଗୁଡିକରେ ପୋଲିସକର୍ମୀମାନେ ଉପସ୍ଥିତ ରହି ଦର୍ଶକଙ୍କ ସୁବିଧା ଅସୁବିଧା ବୁଝିବେ,” କହିଛନ୍ତି ଡିସିପି ଅଖିଳେଶ୍ବର ସିଂ।

ବାରବାଟୀ ଷ୍ଟାଡିୟମରେ ୪୩ ହାଜର ଦର୍ଶକଙ୍କ ବସିବା ସୁବିଧା ରହିଥିଲେ ମଧ୍ୟ ବିପଦଶଙ୍କୁଳ ଘୋଷଣା ହେବା ପରେ ୭ ନଂ ଗ୍ୟାଲେରୀକୁ ବନ୍ଦ କରିଛି ଓସିଏ । ଫଳରେ ପୁର୍ବ ମ୍ୟାଚ଼୍‌ଗୁଡି଼କ ତୁଳନାରେ ଚ଼ଳିତ ମ୍ୟାଚ଼ରେ ଦର୍ଶକଙ୍କ ବସିବା ସଂଖ୍ୟା ୩୫କୁ ଖସିଛି ।
Published by: Anand Shankar Thankur Das
First published: December 16, 2019, 12:24 PM IST
corona virus btn
corona virus btn
Loading