News18 Odia Digital
କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ସିନିୟର ଟି-୨୦ ମହିଳା ଚାଲେଞ୍ଜର ଟ୍ରଫିର ଫାଇନାଲରେ ଆଜି ଭାରତ-ବି ଟିମକୁ ହରାଇ ଚ଼୍ୟାମ୍ପିୟନ୍ ହୋଇଛି ଭାରତ-ସି ଟିମ୍। ଏକ ରୋମାଞ୍ଚକର ମ୍ୟାଚ଼ରେ ହାତରେ ୮ ୱିକେଟ ରଖି ମାତ୍ର ୧୫.୨ ଓଭରରେ ବାଜିବାତ କରିଥିଲା ଭେଦା କ୍ରିଷ୍ଣମୁର୍ତ୍ତିଙ୍କ ଅଧିନାୟିକତ୍ୱରେ ଖେଳୁଥିବା ଭାରତ-ସି ଟିମ୍ ।
ଏହି ମ୍ୟାଚରେ ବିଜୟ ପଛରେ ଥିଲା ୧୫ ବର୍ଷିୟା ବୟସ୍କା ବ୍ୟାଟର ଶେଫାଳି ବର୍ମାଙ୍କ ଚିତ୍ତାକର୍ଷକ ବ୍ୟାଟିଂ । ଶେଫାଳି ମାତ୍ର ୪୮ ବଲ୍ରେ ୮୯ ରନର ଚ଼ମତ୍କାର ପାଳି ଖେଳି ଟିମର ବିଜୟ ପଥକୁ ପରିଷ୍କାର କରିଥିଲେ ।
ଶେଫାଳିଙ୍କ ସହ ପାଳି ଓପନ କରିବାକୁ ଆସିଥିବା ଓଡିଆ ଖେଳାଳି ମାଧୁରୀ ମେହେତା ମଧ୍ୟ ଟିମର ବିଜୟରେ ୨୦ ରନର ଯୋଗଦାନ କରିଥିଲେ । ଏହା ସହ ଅଧିନାୟିକା ଭେଦା କ୍ରିଷ୍ଣମୁର୍ତ୍ତି ୧୫ ରନ ସଂଗ୍ରହ କରିଥିଲେ । ଚ଼ାରି ଓଭରରେ ୧୫ ରନ ଦେଇ ଓ ଟିମ-ବି ର ୩ଟି ୱିକେଟ ଖସାଇ ଥିଲେ ମନାଲି ଦକ୍ଷିଣୀ ।
‘‘ଶେଫାଳିଙ୍କ ଖେଳକୁ ମୁଁ ଦୀର୍ଘ ଦିନ ଧରି ଦେଖି ଆସୁଛି । ସେ ଅନ୍ତର୍ଜାତୀୟ ମ୍ୟାଚରେ ମଧ୍ୟ ଉଚ୍ଚ କୋଟିର ପ୍ରଦର୍ଶନ କରିଛନ୍ତି । ଆଜି ତାଙ୍କର ପ୍ରଦର୍ଶନ ଚମତ୍କାର ଥିଲା । ସେ ଏହି ଭଳି ଖେଳିଲେ ଜାତୀୟ ଟିମ ପାଇଁ ଲାଭଦାୟକ ହେବ,’’ କହିଛନ୍ତି ଭାରତ-ସି ଟିମର ଅଧିନାୟିକା ତଥା ଭାରତୀୟ ଜାତୀୟ ମହିଳା ଟିମର ଷ୍ଟାର ଖେଳାଳି ଭେଦା କ୍ରିଷ୍ଣମୂର୍ତ୍ତି ।

ହାରିଥିବା ଭାରତ-ବି ଟିମ୍ର ଅଧିନାୟିକା ସ୍ମୃତି ମନ୍ଧାନା
ଆଜି ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଟିମ-ବିର ଅଧିନାୟିକା ସ୍ମୃତି ମନ୍ଧାନା । ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୩୧ ରନ କରିଥିଲା ଟିମ- ବି । ଏହି ଟୁର୍ଣ୍ଣାମେଣ୍ଟରେ ଉତ୍କୃଷ୍ଟ ପ୍ରଦର୍ଶନ କରିବା ଓ ଟିମ-ସି କୁ ଦୁଇ ଦୁଇ ଥର ହରାଇଥିବା ସ୍ମୃତି ବନ୍ଧନାଙ୍କ ଟିମ୍ ଫାଇନାଲ ମ୍ୟାଚକୁ ଜିତିବା ପାଇଁ ପୂରା ଆତ୍ମବିଶ୍ବାସର ସହ ପଡିଆକୁ ଓହ୍ଲାଇଥିଲା ।
ଦଳ ପକ୍ଷରୁ ପୂଜା ବସ୍ତ୍ରାକର ମାତ୍ର ୨୨ ବଲରେ ୪୩ ରନ କରିଥିବା ବେଳେ ଭନିତା ଭି .ଆର ୨୫ ରନ କରିଥିଲେ । କିନ୍ତୁ ଭିନିତାଙ୍କ ସହ ପାଳି ଓପନ କରିବାକୁ ଆସିଥିବା ଅଧିନାୟିକା ସ୍ମୃତି ମନ୍ଧନା ମାତ୍ର ୩ ରନ କରି ଆଉଟ ହୋଇ ଯାଇଥିଲେ । ସ୍ମୃତି ପାଭିଲିୟନକୁ ଫେରିବା ପରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୩୧ ରନ ସଂଗ୍ରହ କରିବାରେ ସଫଳ ହୋଇଥିଲା ।

ଓସିଏ ସମ୍ପାଦକ ସଞ୍ଜୟ ବେହେରାଙ୍କ ହାତରୁ ଟ୍ରଫି ନେଉଛନ୍ତି ବିଜୟୀ ଭାରତ-ସି ଟିମର କ୍ୟାପ୍ଟେନ୍ ଭେଦା କ୍ରିଷ୍ଣମୁର୍ତ୍ତି ।
‘‘ପୂରା ଟୁର୍ଣ୍ଣାମେଣ୍ଟରେ ଆମର ପଦର୍ଶନ ଭଲ ଥିଲା, କିନ୍ତୁ ଆଜିର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । କିଛି କ୍ୟାଚ ମଧ୍ୟ ଆମେ ଛାଡି ଦେଇଥିଲୁ । କିନ୍ତୁ ଆମ ଖେଳାଳିମାନେ ଯେଉଁ ଭଳି ଖେଳ ପ୍ରଦର୍ଶନ କରିଛନ୍ତି ସେଥିରେ ମୁଁ ଖୁସି ଅଛି,’’ କହିଛନ୍ତି ଟିମ-ବିର ଅଧିନାୟିକା ସ୍ମୃତି ମନ୍ଧାନା ।

ଉଦୀୟମାନ ୧୫ ବର୍ଷୀୟା କ୍ରିକେଟର୍ ଶେଫାଳୀ ବର୍ମା
ମ୍ୟାଚ ଶେଷରେ ଚାମ୍ବିୟନ ଟିମକୁ ଟ୍ରଫି ପ୍ରଦାନ କରିଥିଲେ ଓଡ଼ିଶା କ୍ରିକେଟ ଏସୋସିଏସନ୍ (ଓସିଏ) ସମ୍ପାଦକ ସଞ୍ଜୟ ବେହେରା । ଗତ ୪ ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତ–ଏ, ଭାରତ– ବି ଓ ଭାରତ– ସି କରି ୩ଟି ଟିମ ଭାଗ ନେଇଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।