ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»୮୦ ବର୍ଷ ବୟସରେ ବିଧାୟକ ହେବା ପାଇଁ ପ୍ରଥମ ନିର୍ବାଚନ ଲଢ଼ୁଛନ୍ତି ବାଲେଶ୍ୱରର ବେଣୁଧର

୮୦ ବର୍ଷ ବୟସରେ ବିଧାୟକ ହେବା ପାଇଁ ପ୍ରଥମ ନିର୍ବାଚନ ଲଢ଼ୁଛନ୍ତି ବାଲେଶ୍ୱରର ବେଣୁଧର

ଉପନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରି ପ୍ରଚାର ଆରମ୍ଭ କରିଥିବା ବେଣୁଧର ପେଶାରେ ଜଣେ ବାରିକ । ଲୋକଙ୍କ ବାଳ କାଟି ସେ ପେଟ ପୋଷନ୍ତି । ସେ ଅନେକ ବର୍ଷ ହେବ ବସ୍ତି ବାସିନ୍ଦାଙ୍କ ଅଧିକାର ପାଇଁ ଲଢ଼େଇ କରି ଆସିଛନ୍ତି ।

୮୦ ବର୍ଷ ବୟସରେ ବିଧାୟକ ହେବା ପାଇଁ ପ୍ରଥମ ନିର୍ବାଚନ ଲଢ଼ୁଛନ୍ତି ବାଲେଶ୍ୱରର ବେଣୁଧର
ନିଜ ପାଇଁ ପ୍ରଚାର କରୁଛନ୍ତି ୮୦-ବର୍ଷୀୟ ବେଣୁଧର ବାରିକ (ବାମରୁ ଦ୍ୱିତୀୟ)।
  • News18 Odia
  • Last Updated: October 20, 2020, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ତାଙ୍କ ବୟସ ୮୦ ବର୍ଷ, ହେଲେ ବିଧାୟକ ହୋଇ ସମାଜରେ ଜରୁରୀ ପରିବର୍ତ୍ତନ ଆଣିବାର ନିଜ ଇଚ୍ଛାକୁ ପୂରଣ କରିବାକୁ ସେ ଏବେ ଆଗେଇ ଆସିଛନ୍ତି । ଜୀବନ ସାରା ନିଜ ସ୍ୱଳ୍ପ ଆୟରୁ ଯାହା କିଛି ଅର୍ଥ ସଞ୍ଚୟ କରି ରଖିଥିଲେ ତାହା ଖର୍ଚ୍ଚ କରି ବାଲେଶ୍ୱର ସଦର ପାଇଁ ହେବାକୁ ଥିବା ବିଧାନ ସଭା ଉପନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଛନ୍ତି ବେଣୁଧର ବାରିକ ।

ଏହି ଉପନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରି ପ୍ରଚାର ଆରମ୍ଭ କରିଥିବା ବେଣୁଧର ପେଶାରେ ଜଣେ ବାରିକ । ଲୋକଙ୍କ ବାଳ କାଟି ସେ ପେଟ ପୋଷନ୍ତି । ଯେଉଁ ବୟସରେ ଚାଲି ଚାଲି ପାଦ ଥକି ପଡ଼ିବା କଥା ସେହି ବୟସରେ ବି କମିନି ତାଙ୍କ ମନରେ ଥିବା ସାମାଜିକ ପରିବର୍ତ୍ତନ କରାଇବାର ଇଚ୍ଛା । ନଇଁ ଗଲାଣି ଅଣ୍ଟା । ଶଳଖି ଛିଡା ହେବା ପାଇଁ ସଙ୍ଘର୍ଷ କରିବାକୁ ପଡୁଛି । ହେଲେ କମିନାହିଁ ମନରେ ଉତ୍ସାହ ।

ନାମାଙ୍କନ ଦାଖଲ କରି ସାରି ଚୁପ ହୋଇ ବସି ନାହାନ୍ତି ବେଣୁଧର । ନିଜର ଦୁଇ ତିନି ଜଣ ବନ୍ଧୁଙ୍କୁ ଧରି ଘର ଘର ବୁଲି ନିଜ ପାଇଁ ଭୋଟ ମଧ୍ୟ ମାଗୁଛନ୍ତି ସେ । ସମାଜକୁ ପରିବର୍ତ୍ତନ କରିବା ଓ ଗରିବ ଲୋକଙ୍କ ପାଇଁ ସରକାରୀ ସାହାଯ୍ୟ ସୁନିଶ୍ଚିତ କରାଇବା ପ୍ରତିଶୃତି ନେଇ ସେ ପ୍ରଚାର ଆରମ୍ଭ କରିଦେଇଛନ୍ତି ।

ଜଣେ ବ୍ୟକ୍ତିଙ୍କୁ ଖିଅର କରୁଛନ୍ତି ବେଳେ ବେଣୁଧର ବାରିକ ।


ଏହା ବି ପଢ଼ନ୍ତୁ କି ସାହସ! ରାସ୍ତାରେ ମୋବାଇଲ୍ ଛଡ଼ାଳିଙ୍କ ସହ ଲଢ଼ି ଝିଅଟି ଜଣକୁ ଧରିଲା; ଦେଖନ୍ତୁ VIDEO

ବେଣୁଧରଙ୍କର କୌଣସି ବଡ଼ ସେଲୁନ କିମ୍ବା ପାର୍ଲର ନାହିଁ । ସେ ରାସ୍ତା କଡ଼ରେ ଗଛ ମୂଳରେ ବସି ଲୋକଙ୍କୁ ଖିଅର କରନ୍ତି । ପ୍ରାୟ ୫୦ ବର୍ଷ ପୂର୍ବେ ସେ ବାହାନଗା ଅଞ୍ଚଳରୁ ବାଲେଶ୍ୱରର ଗୁଡ଼ିପଦାକୁ ଆସିଥିଲେ । ସେବେ ଠାରୁ ସେଇଠି ରହୁଛନ୍ତି ସେ । ପରିବାର କହିଲେ ଦୁଇ ଝିଅ ଓ ସାନ ଜ୍ୱାଇଁ ତାଙ୍କ ସାଥିରେ ରହନ୍ତି । ତାଙ୍କର ଦୁଇ ପୁଅଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଭୁବନେଶ୍ୱରରେ ଅଲଗା ହୋଇ ରହନ୍ତି ।

ବେଣୁଧର ଦୀର୍ଘ ଦିନ ହେବ ବସ୍ତି ବାସିନ୍ଦାଙ୍କ ପାଇଁ ଲଢ଼େଇ କରି ଆସିଛନ୍ତି । ଏପରିକି ବାଲେଶ୍ୱର ମେଡିକାଲ କଲେଜ ପ୍ରତିଷ୍ଠା ନେଇ ଆନ୍ଦୋଳନ ଚାଲିଥିବା ବେଳେ ସେ ଆମରଣ ଅନଶନ କରିଥିଲେ । ଗରିବ ଲୋକଙ୍କ ସୁଖ ଦୁଃଖ ରେ ବେଣୁଧର ସାଥି ହୋଇ ରହିଆସିଥିବା ସ୍ଥାନୀୟ ଲୋକେ କହିଛନ୍ତି । ତେଣୁ ତାଙ୍କ ଗ୍ରାମବାସୀମାନେ ମଧ୍ୟ ତାଙ୍କୁ ବିଜୟୀ କରିବା ପାଇଁ ଭିଡ଼ିଛନ୍ତି ଅଣ୍ଟା । ପରିଣତ ବୟସରେ ବି ରାଜନୀତି ମାଧ୍ୟମରେ ସାମାଜିକ ପରିବର୍ତ୍ତନ ଆଣିବାର ତାଙ୍କ ଉଦ୍ୟମ ଏବେ ସବୁଠି ଚର୍ଚ୍ଚାର ବିଷୟ ହୋଇଛି ।

ବିଭିନ୍ନ କ୍ଷେତ୍ରରେ ବେଣୁଧର ପାଇଥିବା ପୁରସ୍କାର ଓ ମାନପତ୍ର


ଏହା ବି ପଢ଼ନ୍ତୁ ୭ ବର୍ଷର ବାଳକ ଭୋକରେ ମରିଗଲା; ତାମାମୃତ ଦେହ ପାଖରେ ୩ ଦିନ ବସିରହିଲା

‘‘ମୋ’ ପାଖରେ ଅର୍ଥ ନାହିଁ । ବଡ଼ ବଡ଼ ନେତାଙ୍କ ଭଳି ଦାମୀ ଗାଡ଼ି ନାହିଁ ବା ପ୍ରଚାର କରିବା ପାଇଁ ଆବଶ୍ୟକ ସାଧନ ନାହିଁ । ହେଲେ ବିଶ୍ୱାସ ରହିଛି ଜିତିବା ନେଇ । ଲୋକଙ୍କ ପାଇଁ ମୁଁ କାମ କରିଆସୁଛି । ମୋ’ର ବୟସ ଅଧିକ, କିନ୍ତୁ ମୋ’ ମନୋନବଳ ଭାଙ୍ଗିନି । ଖିଅର କରି ଯେଉଁ ଟଙ୍କା ସଞ୍ଚୟ କରିଥିଲି ସେଇଥିରେ ନାମାଙ୍କନ କରିଛି । ଏବେ ଦୁଇ ସାଥୀଙ୍କୁ ଧରି ପ୍ରଚାର କରୁଛି,’’ କହିଛନ୍ତି ବେଣୁଧର ।



ସ୍ଥାନୀୟ ଗ୍ରାମବାସୀ ଲକ୍ଷ୍ମୀପ୍ରିୟା ବେହେରା କହିଛନ୍ତି ଯେ ଗାଁର ଲୋକେ ବେଣୁଧରଙ୍କୁ ଅକୁଣ୍ଠ ସମର୍ଥନ କରୁଛନ୍ତି । ‘‘ଆମ ସମର୍କୀୟମାନଙ୍କୁ ମଧ୍ୟ ଆମେ ତାଙ୍କୁ ସମର୍ଥନ କରିବା ପାଇଁ ଅନୁରୋଧ କରିବୁ । ସେ ସବୁବେଳେ ଆମର ସୁଖ ଦୁଃଖରେ ଛିଡ଼ା ହୋଇଛନ୍ତି । ଏପରିକି କୌଣସି ଅସୁବିଧା ହେଲେ ଘର ଆଗରେ ଦିନ ନାହିଁ ରାତି ନାହିଁ ବେଣୁ ମଉସା ଛିଡ଼ା ହୋଇଥିବେ । ଏଭଳି ପ୍ରାର୍ଥୀ ବିଜୟୀ ହେଲେ ଆମର ଦୁଃଖ ଦୂର ହେବ,’’ ସେ କହିଛନ୍ତି ।
Published by: Anand Shankar Thankur Das
First published: October 20, 2020, 11:59 PM IST