News18 Odia Digital
ଭୁବନେଶ୍ବର: ରାଜ୍ୟ ରାଜଧାନୀରେ ମହିଳା ଏସଆଇଙ୍କୁ ଆକ୍ରମଣ ଘଟଣାର ପର୍ଦ୍ଦା ଫାସ। ଆକ୍ରମଣ ଉଦ୍ୟମ କରିଥିବା ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ସହିଦନଗର ଥାନା ପୋଲିସ।
ନୂଆ ବର୍ଷ ପାର୍ଟି କରି ମଦ ନିଶାରେ ଫେରୁଥିବା ବେଳେ ମହିଳା ଏସଆଇ ଶୁଭଶ୍ରୀ ନାୟକଙ୍କୁ ଗାଡି ସାଇଡ଼ ମାରିଥିଲେ। ପରେ ତାଙ୍କୁ ଗାଡିରେ ଗୋଡେଇ ଥିବା ନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଗିରଫ କରିବା ସହ ଅଭିଯୁକ୍ତଙ୍କ ଟି.ଆଇ ପରେଡ଼ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡ଼ିସିପି।
ନୂଆ ବର୍ଷ ରାତି ପ୍ରାୟ ସାଢ଼େ ୧ଟା ସମୟରେ ଭୁବନେଶ୍ୱର ସାଇନ୍ସ ପାର୍କ ନିକଟରେ ମହିଳା ଥାନା ଏସଆଇ ଶୁଭଶ୍ରୀ ନାୟକ ଆକ୍ରମଣ ଉଦ୍ୟମ କରିଥିଲେ ଏହି ଅଭିଯୁକ୍ତ। ଏହି ମାମଲାରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି, "ଗାଡ଼ି ସାଇଡ଼ ମରାକୁ କେନ୍ଦ୍ର କରି ତିନି ଅଭିଯୁକ୍ତ ଏସଆଇ ଶୁଭଶ୍ରୀଙ୍କୁ ପିଛା କରିଥିଲେ। ସିସିଟିଭି ଫୁଟେଜ ଅଧାରରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଅଭିଯୁକ୍ତ ବ୍ୟବହାର କରିଥିବା ଇନୋଭା କାର ମଧ୍ୟ ଜବତ କରିଛି ପୋଲିସ। କୋର୍ଟ ଚାଲାଣ ପରେ ଅଭିଯୁକ୍ତକୁ T.I ପରେଡ଼ କରାଯିବ।"
ତଦନ୍ତ ବେଳେ ଜଣାପଡ଼ିଛି ଯେ ୩ ଅଭିଯୁକ୍ତ ଡ୍ରାଇଭର। ଅଣଓସାରିଆ ରାସ୍ତାରେ ଗାଡି ସାଇଡ ମାରିବା ନେଇ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ପରେ ସେମାନେ RO ପର୍ଯ୍ୟନ୍ତ ମହିଳା ଏସଆଇଙ୍କୁ ପିଛା କରି ଯାଇଥିଲେ। ପରେ ଫେରାର ହୋଇ ଯାଇଥିଲେl ଅଭିଯୁକ୍ତମାନଙ୍କୁ କଟକ, ପୁରୀ ଏବଂ ଭୁବନେଶ୍ୱରରୁ ଗିରଫ କରିଛି ପୋଲିସl ଏବେସୁଧା ଅଭିଯୁକ୍ତ ମାନଙ୍କ ଠାରୁ କୋଣସି ମାରଣାସ୍ତ୍ର ଜବତ ହୋଇନାହିଁl ସେପଟେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ କହିଛନ୍ତି ଯେ ଭୁଲ ମାଗିବା ପାଇଁ ଏସଆଇ ଶୁଭଶ୍ରୀଙ୍କୁ ପିଛା କରିଥିଲେ।
ସୂଚନାଯୋଗ୍ୟ, ଗତ ଜାନୁଆରୀ ୧ତାରିଖ ବିଳମ୍ବିତ ରାତିରେ କ୍ୟାପିଟାଲ ଥାନାର ମହିଳା ଏସଆଇ ଶୁଭଶ୍ରୀ ନାୟକ ଡ୍ୟୁଟି ସାରି କ୍ୱାଟରକୁ ଆସୁଥିବା ସମୟରେ ଏକ ଇନୋଭା କାରରେ ତିନି ଅଭିଯୁକ୍ତ ଶୁଭଶ୍ରୀଙ୍କୁ ଗୋଡ଼ାଇ ଥିଲେ। ପରେ ଗାଡି ଭିତରୁ ଏକ ଖଣ୍ଡା ବାହାର କରିଥିବା ନେଇ ସହିଦନଗର ଥାନାରେ ଅଭିଯୋଗ କରିଥିଲେ ଶୁଭଶ୍ରୀ। ସେପଟେ ଖଣ୍ଡାକୁ ଜବତ କରିବା ପାଇଁ ଅଭିଯୁକ୍ତଙ୍କ ଘରେ ଚଢ଼ାଉ ଚାଲିଥିବା କମିଶନରେଟ ପୋଲିସ ପକ୍ଷରୁ ସୂଚନା ମିଳିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।