News 18 Odia Digital
ଭୁବନେଶ୍ୱର; ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ପ୍ରୟାସ କରିଛନ୍ତି ସରକାର। କେନ୍ଦ୍ରାପଡାର ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉଦଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଯୋଡ଼ି ହୋଇ କେନ୍ଦ୍ରାପଡା ଜିଲ୍ଲାର ନୂଆ ମୁଖ୍ୟ ଚିକିତ୍ସାଳୟ କମ୍ପ୍ଲେକସର ଉଦଘାଟନ କରିଛନ୍ତି ।

ଏହି ନୂତନ ଚିକିତ୍ସାଳୟ କମ୍ପ୍ଲେକ୍ସରେ ୨୦୦ଟି ଶଯ୍ୟା ଥିବାବେଳେ ଅତ୍ୟାଧୁନିକ ଓପିଡି ୟୁନିଟ, କାଯୁଆଲିଟି, ଟ୍ରମା କେଆର, ୫ ଶଯ୍ୟା ବିଶିଷ୍ଟ ଟ୍ରମା ଆଇସିୟୁ, ରେଡ଼ିଓଲୋଜି, ଏମଆରଆଇ ସିଟି ସ୍କାନ ସୁବିଧା, ଉନ୍ନତ ଧରଣର ଓଟି କମ୍ପ୍ଲେକ୍ସ, ୧୫ ଶଯ୍ୟା ବିଶିଷ୍ଟ ଏସଏନସିୟୁ ସହିତ କଙ୍ଗାରୁ ମାତୃସେବା ସୁବିଧା, ୩୪ ଶଯ୍ୟା ବିଶିଷ୍ଟ ଆଇସିୟୁ ବ୍ୟବସ୍ଥା କରାଯାଇଛି । ଭର୍ଚୁଆଲ ଜରିଆରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଆଧୁନିକ ହସପିଟାଲ କେନ୍ଦ୍ରାପଡା ଜିଲ୍ଲାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରୂପାନ୍ତର ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଜିଲ୍ଲାର ରୋଗୀମାନଙ୍କୁ ଆଉ ଚିକିତ୍ସା ପାଇଁ କଟକ ବା ଭୁବନେଶ୍ୱର ଯିବା ଆବଶ୍ୟକ ନାହିଁ । ନିଜ ଜିଲ୍ଲାରେ ହିଁ ସେମାନେ ଉତ୍ତମ ସ୍ୱାସ୍ଥ୍ୟସେବା ପାଇପାରିବେ । ଆମ ପାଇଁ ‘ପ୍ରତି ଜୀବନ ମୂଲ୍ୟବାନ’ । ଏହି ଆଦର୍ଶ ନେଇ ଆମେ କାମ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଡାକ୍ତର ଓ ପାରାମେଡିକ୍ସ ମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣମାନେ ନିଷ୍ଠାର ସହ ରୋଗୀ ସେବା କରନ୍ତୁ । ରୋଗୀ ମୁହଁରେ ହସ ଓ ମନରେ ବିଶ୍ୱାସ ହିଁ ଆପଣମାନଙ୍କ ପାଇଁ ଏବଂ ଆମ ସମସ୍ତଙ୍କ ପାଇଁ ବଡ ପୁରସ୍କାର ହେବ ଓ ଆମ ପାଇଁ ସନ୍ତୋଷ ଆଣିପାରିବ ।
ରାଜ୍ୟରେ ସ୍ୱାସ୍ଥ୍ୟ ସେବା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଲକ୍ଷ ଲକ୍ଷ ଲୋକ ବିନା ପଇସାରେ ଭଲ ଚିକିତ୍ସା ପାଇପାରୁଛନ୍ତି । ଲକ୍ଷ ଲକ୍ଷ ପରିବାର ଉପକୃତ ହେଉଛନ୍ତି । ଏହାଦ୍ୱାରା ଗରିବ ଲୋକଙ୍କ ଚିକିତ୍ସା ଚିନ୍ତା ଦୂର ହୋଇପାରିଛି । ଶିଳ୍ପମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି କେନ୍ଦ୍ରାପଡା ହେଉଛି ବିଜୁ ବାବୁଙ୍କ କର୍ମଭୂମି । କେନ୍ଦ୍ରାପଡାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଦୃଷ୍ଟି ରହିଛି । ଆଜି କେନ୍ଦ୍ରାପଡା ଜିଲ୍ଲାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ମାଇଲ ଖୁଣ୍ଟ ସ୍ଥାପିତ ହୋଇଛି । ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଛନ୍ତି ଆଜି କେନ୍ଦ୍ରାପଡାବାସୀଙ୍କ ପାଇଁ ଏକ ଗର୍ବ ଓ ଗୌରବର ଦିନ । ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ୧୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ଦେଇଛନ୍ତି । ଜିଲ୍ଲାର ସମସ୍ତ ହେଲ୍ଥ ସେଣ୍ଟରର ଭିତ୍ତିଭୂମିର ଉନ୍ନତି ପାଇଁ ଅର୍ଥ ଯୋଗାଇ ଦେଇଛନ୍ତି । କେନ୍ଦ୍ରାପଡା ବିଧାୟକ ଶ୍ରୀ ଶଶୀଭୂଷଣ ବେହେରା କେନ୍ଦ୍ରାପଡାରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିର ଉଚ୍ଚପ୍ରଶଂସା କରିଥିଲେ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।