ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»୧୦ ଦିନ ମଧ୍ୟରେ ସୃଷ୍ଟି ହୋଇପାରେ ୨ଟି ଲଘୁଚାପ; ବର୍ଷା ହେବା ସହ ବଢ଼ିବ ଶୀତ

୧୦ ଦିନ ମଧ୍ୟରେ ସୃଷ୍ଟି ହୋଇପାରେ ୨ଟି ଲଘୁଚାପ; ବର୍ଷା ହେବା ସହ ବଢ଼ିବ ଶୀତ

ବଢୁଛି ଲଘୁଚାପ। ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରରେ ବର୍ତ୍ତମାନ ଏକ ଘୁର୍ଣ୍ଣିବଳୟ ରହିଛି ଯାହା ଆସନ୍ତା ୨୪ ଘଣ୍ଟାରେ ଲଘୁଚାପର ରୂପ ନେବ।

୧୦ ଦିନ ମଧ୍ୟରେ ସୃଷ୍ଟି ହୋଇପାରେ ୨ଟି ଲଘୁଚାପ; ବର୍ଷା ହେବା ସହ ବଢ଼ିବ ଶୀତ
୧୦ ଦିନ ମଧ୍ୟରେ ସୃଷ୍ଟି ହୋଇପାରେ ୨ଟି ଲଘୁଚାପ
  • News18 Odia
  • Last Updated: November 9, 2021, 3:36 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୁର୍ଣ୍ଣିବଳୟ ରହିଛି। ଯାହାର ପ୍ରଭାବରେ ଲଘୁଚାପ ସୃଷ୍ଟି ହେବ। ଯାହା କ୍ରମେ ଅବପାତରେ ପରିଣତ ହେବ। ସେପଟେ ଖସୁଛି ତାପମାତ୍ରା ବଢୁଛି ଶୀତ । ୮ଟି ସହରରେ ୧୫ ଡ଼ିଗ୍ରୀ ତଳେ ରହିଛି ରାତିର ତାପମାତ୍ରା । ୧୦ ଡ଼ିଗ୍ରୀ ସହ ଦାରିଙ୍ଗବାଡି ଓଡ଼ିଶାର ଥଣ୍ଡା ସହର ଭାବେ ରେକର୍ଡ ହୋଇଛି।

ବଢୁଛି ଲଘୁଚାପ। ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରରେ ବର୍ତ୍ତମାନ ଏକ ଘୁର୍ଣ୍ଣିବଳୟ ରହିଛି ଯାହା ଆସନ୍ତା ୨୪ ଘଣ୍ଟାରେ ଲଘୁଚାପର ରୂପ ନେବ। ଏହି ଲଘୁଚାପ ଉତ୍ତର ପଶ୍ଚିମ ଆଡ଼କୁ ଗତି କରି ଅବପାତରେ ପରିଣତ ହେବ।

ଯାହାର ପ୍ରଭାବ ଦ୍ବାରା ଦକ୍ଷିଣ ଓଡ଼ିଶାରେ ୧୦ ତାରିଖ ପରେ ବର୍ଷା ହେବ। ଗଞ୍ଜାମ, ଗଜପତି, କନ୍ଧମାଳ ଭଳି କିଛି ଜିଲ୍ଲାରେ ବର୍ଷା ହେବ। ସେହି ଭଳି ବର୍ତ୍ତମାନ ରାଜ୍ୟରେ ଶୀତ ବଢ଼ି ଥିବାବେଳେ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଫୁଲବାଣୀରେ ୧୧.୫ ଡ଼ିଗ୍ରୀ, କୋରାପୁଟରେ ୧୨.୦ ଡ଼ିଗ୍ରୀ, କେନ୍ଦୁଝର ୧୩.୦, ଭବାନୀପାଟଣା ଓ ଝାରସୁଗୁଡାରେ ୧୪.୨ଡ଼ିଗ୍ରୀ, ଟିଟଲାଗଡ଼ ଓ ସୋନପୁର ରେ ୧୪.୮ ଡ଼ିଗ୍ରୀ ରାତିର ତାପମାତ୍ରା ରେକର୍ଡ ହୋଇଛି। ଭୁବନେଶ୍ୱରରେ ୧୭.୪ ଡ଼ିଗ୍ରୀ ଓ କଟକରେ ୧୭ ଡ଼ିଗ୍ରୀ ରାତିର ତାପମାତ୍ରା ରେକର୍ଡ ହୋଇଛି।

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ


"ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ ପବନ ରାଜ୍ୟକୁ ଆସୁଥିବାରୁ ଥଣ୍ଡାର ପ୍ରକୋପ ବଢ଼ିଛି। ଆଗକୁ ବି ଶୁଷ୍କ ପବନ ଆସିବ ଓ ଦୁଇ ଦିନ ଭଲ ଥଣ୍ଡା ଅନୁଭୂତ ହେବ। ଏହା ପରେ ଲଘୁଚାପ ପ୍ରଭାବରେ ପାଗ କୋହଲା ରହିବ ରାତିର ତାପମାତ୍ରା ସାମାନ୍ୟ ବଢ଼ିପାରେ,’’ କହିଛନ୍ତି ପାଣିପାଗ ବିଭାଗର ବୈଜ୍ଞାନିକ ଉମାଶଙ୍କର ମିଶ୍ର ।

ଆସନ୍ତା ୧୦ ଦିନ ଭିତରେ ଦୁଇ ଦୁଇଟି ଲଘୁଚାପ କ୍ଷେତ୍ର ବଙ୍ଗୋପସାଗରରେ ସୃଷ୍ଟି ହେବ। ଯାହାର ପ୍ରଭାବରେ ନଭେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି। ଆଜିଠୁ ଯେଉଁ ଲଘୁଚାପ ସୃଷ୍ଟି ହେବ ତା'ର ପ୍ରଭାବରେ ବର୍ତ୍ତମାନ ଉତ୍ତର ପଶ୍ଚିମ ଓ ଉତ୍ତର ଦିଗରୁ ଶୁଷ୍କ ପବନ ରାଜ୍ୟକୁ ପ୍ରଵେଶ କରୁଛି । ଏହି କାରଣରୁ ତାପମାତ୍ରା ହ୍ରାସ ପାଇବା ସହ ଥଣ୍ଡା ଅନୁଭୂତ ହୋଇଛି।

୧୦ ତାରିଖରୁ ପବନ ସହ ଜଳୀୟବାଷ୍ପ ମଧ୍ୟ ଆସିବ ଯାହା ପ୍ରଭାବରେ ଦିନର ତାପମାତ୍ରା ମଧ୍ୟ ହ୍ରାସ ପାଇବ। ଦିନରେ କୋହଲା ପାଗ ସାଙ୍ଗକୁ ତାପମାତ୍ରା ୩୦ ଡିଗ୍ରୀ ତଳେ ରହିବ । ଦିନରେ ବି ଥଣ୍ଡା ଅନୁଭୂତ ହେବ। ଏହା ସାଙ୍ଗକୁ ଦକ୍ଷିଣ ଓଡ଼ିଶାରେ ୧୧ରୁ ୧୩ ତାରିଖ ବର୍ଷା ହେବ। ଉପକୂଳରେ କାଁ ଭାଁ ବର୍ଷା ହୋଇପାରେ। ଏହା ପରେ ୧୬ ତାରିଖ ବେଳକୁ ଆଉ ଏକ ଲଘୁଚାପ ବଙ୍ଗୋପସାଗର ଓ ଆନ୍ଧ୍ରପ୍ରଦେଶ ଉପକୂଳରେ ସୃଷ୍ଟି ହେବ ଯାହାର ପ୍ରଭାବରେ ରାଜ୍ୟରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି। ବର୍ଷା କମିଲେ ଶୀତ ଆଉରି ବଢ଼ିବ ।

ବର୍ଷା ହେବା ସହ ବଢ଼ିବ ଶୀତ


ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ କହିଛନ୍ତି, "ଶୀତ ସହିତ ବର୍ଷା ହେବ ଏଣୁ ଦିନରେ ଥଣ୍ଡା ବଢ଼ିବ। ଯଦିଓ ଆଜିଠୁ ଲଘୁଚାପ ଏତେଟା ବର୍ଷା କରାଇବନାହିଁ, କିନ୍ତୁ ୧୬ ତାରିଖ ଲଘୁଚାପ ଭଲ ବର୍ଷା କରାଇବ। ଏଣୁ ଥଣ୍ଡା ବଢ଼ିଯିବ ।’’

ଆସନ୍ତା ଦୁଇ ଦିନ ଧରି ଶୀତର ପ୍ରକୋପ ବଢ଼ିବ, ୧୦ ତାରିଖ ପରେ ରାତିର ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବ କିନ୍ତୁ ଦିନରେ ଥଣ୍ଡା ଅନୁଭୂତ ହେବ।
Published by: Lipina Das
First published: November 9, 2021, 3:36 PM IST