News 18 Odia Digital
କଟକ : ନକଲି ଔଷଧ ଧରପକଡ଼ ମାମଲାରେ ପୁଣି ଠାବ ହେଲା ଲକ୍ଷାଧିକ ଟଙ୍କାର ବିଷାକ୍ତ ଔଷଧ । ଭି.ଆର ଏଜେନସିର ପ୍ରାୟ ୧୫ ଶହ ଷ୍ଟ୍ରିପ ଔଷଧକୁ କଟକ ପୁରୀଘାଟ ପୋଲିସ ଓ ଡ୍ରଗ କଣ୍ଟ୍ରୋଲ ବିଭାଗର ମିଳିତ ଟିମ ଜବତ କରିଛି ।

ପୂର୍ଵରୁ ଜବତ ହୋଇଥିବା ଟେଲମା ବ୍ରାଣ୍ଡର ଏବଂ କଟକ ମହତାବ ରୋଡ଼ଠାରେ ଥିବା ଏକ ଟ୍ରାନ୍ସପୋର୍ଟରୁ ଏହି ଔଷଧ ଗୁଡିକୁ ସିଜ କରାଯାଇଛି । ପୋଲିସଠାରୁ ମିଳିଥିବା ସୂଚନା ଅନୁଯାଇ କଲିକତାର ଏକ ସଂସ୍ଥା ପ୍ରାୟ ୩ ଲକ୍ଷ ଟଙ୍କା ମୂଲ୍ୟର ବିଷାକ୍ତ ଔଷଧକୁ ଭି.ଆର ଏଜେନସିକୁ କୋରିଅର କରିଥିଲା । ଗତ ୧୦ ତାରିଖ ଦିନ ଏହି ଔଷଧ କଲିକତାରୁ ଆସି କଟକରେ ପହଞ୍ଚିଥିଲା । କିନ୍ତୁ ସେହି ଦିନ ଭି.ଆର ଏଜେନସିର ମାଲିକ ଗିରଫ ହେଇ ଯାଇଥଲେ । ଫଳସ୍ୱରୂପ ଟ୍ରାନ୍ସପୋର୍ଟ ଯୋଗେ ଆସିଥିବା ଏହି ଔଷଧ ଗୁଡିକ ରିସିଭ ନ ହୋଇ ପାରି ଟ୍ରାନ୍ସପୋର୍ଟରେ ହିଁ ରହି ଯାଇଥିଲା ।
ତଦନ୍ତ ସମୟରେ ଗଚ୍ଛିତ ଥିବା ଏହି ଔଷଧ ବାବଦରେ ପୋଲିସ ଓ ଡ୍ରଗ କଣ୍ଟ୍ରୋଲ ବିଭାଗକୁ ସୂଚନା ମିଳିଥିଲା । ତେବେ ଏହି ଭଳି ଅନେକ ଟ୍ରାନ୍ସପୋର୍ଟରେ ଭି.ଆର ଏଜେନସିର ଔଷଧ ଗଚ୍ଛିତ ଥିବା ଆଶଙ୍କା ବୃଦ୍ଧି ପାଇଛି । ସେଥିପାଇଁ କଟକରେ ଥିବା ୧୫ଟି ଟ୍ରାନ୍ସପୋର୍ଟର ଷ୍ଟକ ଯାଞ୍ଚ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଏହି ଔଷଧ ଗୁଡିକ କିଏ ପଠାଇ ଥିଲା ଏବଂ କେଉଁ କେଉଁ ସ୍ଥାନକୁ ବିକ୍ରି ପାଇଁ ପଠାଯାଇଥାନ୍ତା ତାର ତଦନ୍ତ କରାଯାଉଛି" କହିଛନ୍ତି କଟକ ଡିସିପି ପିନାକ ମିଶ୍ର ।
ନକଲି ଔଷଧ ଧରପକଡ଼ ପ୍ରସଙ୍ଗରେ ଦୁଇ ଅଭିଯୁକ୍ତ ତଥା ଷ୍ଟକିଷ୍ଟ ରାହୁଲ କ୍ୟାଲ ଓ ସଞ୍ଜୟ ଜାଲାନ ପୂର୍ଵରୁ ଗିରଫ ହୋଇ ସାରିଛନ୍ତି । ସେମାନଙ୍କ ଜେରାରୁ ଅନେକ ଗୁରୁତ୍ୱପୂର୍ଣ ତଥ୍ୟ ମଧ୍ୟ ହାସଲ କରିଛି ପୋଲିସ । ଗିରଫ ଦୁଇ ଷ୍ଟାକିଷ୍ଟଙ୍କ ୪ଟି ବ୍ୟାଙ୍କ ଆକାଉଣ୍ଟରେ ଥିବା ମୋଟ ୪୦ଲକ୍ଷ ଟଙ୍କାକୁ ଜବତ କରିଛି ପୋଲିସ ।
ଉଚ୍ଚ ରକ୍ତଚାପ ପାଇଁ ବହୁଳ ଭାବେ ବ୍ୟବହାର ହୋଉଥିବା ପ୍ରତିଷ୍ଠିତ ଔଷଧ ଉତ୍ପାଦନ କମ୍ପାନୀ ଗ୍ଲେନମାର୍କର ତିନିଟି ଔଷଧ ଟେଲମା ୪୦, ଟେଲମା ଏ.ଏମ ଓ ଟେଲମା ଏଚ ଭଳି ତିନିଟି ଔଷଧକୁ ନକଲି କରି ବିକ୍ରି କରାଯାଉଥିବା ଜଣା ପଡ଼ିଥିଲା । କଟକର ଦୁଇଟି ଷ୍ଟକିଷ୍ଟ ମୋଟ ୫୦ ଲକ୍ଷ ଟଙ୍କା ମୂଲ୍ୟର ଔଷଧକୁ ବିକ୍ରି ପାଇଁ ପଠାଇଥିବା ଥିଲେ । ସେଥିମଧ୍ୟରୁ ଓଡ଼ିଶା ବଜାରକୁ ପ୍ରାୟ ୩୦ ଲକ୍ଷ ଟଙ୍କାର ଔଷଧ ବିକ୍ରି ପାଇଁ ଛଡ଼ାଯାଇଥିଲା ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।