News18 Odia Digital
ପାରଳାଖେମୁଣ୍ଡି/ବଲାଙ୍ଗିର/ବାଲେଶ୍ୱର: ଯୁବ ବନ ବିଭାଗ ଅଧିକାରୀ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟମୟ ଢଙ୍ଗରେ ମୃତ୍ୟୁ ହେବାର ପ୍ରାୟ ଦୁଇ ସପ୍ତାହ ପରେ ସନ୍ଦେହ ଘେରରେ ଥିବା ତାଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କ ଏକ ଖାତାରୁ ଏକ ହାତଲେଖା ପୃଷ୍ଠା ଏବେ ସାମ୍ନାକୁ ଆସିଛି । ଏହି ତୃତୀୟ ଲେଖାରେ ଯୋଡ଼ି ହୋଇଛି ଏକ ନୂଆ ଚରିତ୍ରର ନାଁ । ଖାତାରେ ଲେଖାଥିବା ବିଭିନ୍ନ କଥାରେ ଗୋଟିଏ ସ୍ଥାନରେ ‘ଅକ୍ଷୟ’ ବୋଲି ଏକ ନାଁ ଲେଖାଯାଇଛି ଓ ତାକୁ କାଟି ଦିଆଯାଇଛି । ତେଣୁ ବିଦ୍ୟାଭାରତୀଙ୍କର ଏହି ଅକ୍ଷୟଙ୍କ ସହ ସମ୍ପର୍କ ଥାଇପାରେ ଚର୍ଚ୍ଚା ହେଉଛି ।
‘‘ତା’ ଠାରୁ ଗୋଟେ ବହୁତ ବେଟର୍ ଖୋଜିବି । ଏତେ ନେଗ୍ଲିଜିବଲ୍ ଫିଲ୍ କରାଇଲା । ମୁଁ ତାଙ୍କୁ ଘୃଣା କରେ । ବହୁତ କଥା ଅଛି, ପୂରା କହିବି.. ଅରୁ ଅପାଙ୍କୁ ୮୦ ଦେବାର ଅଛି । ତା‘ ଛଡ଼ା ଆଉ ସବୁ ଅଲ୍ କ୍ଲିୟର ଅଛି। ଆଇ ହେଟ୍ ଏଭ୍ରିବଡି । ନୋ ୱାନ୍ ଇଜ୍ ଦେୟାର ଫର୍ ମି,’’ ସେହି ହାତଲେଖା ପୃଷ୍ଠାରେ ବିଦ୍ୟାଭାରତୀ ଲେଖିଛନ୍ତି ।
ଏହା ବି ପଢ଼ନ୍ତୁ | ଉତ୍ତର ପ୍ରଦେଶରେ ନୂଆ ଜନସଂଖ୍ୟା ନୀତି: ୨ରୁ ଅଧିକ ପିଲା ଥିଲେ ମିଳିବନି କୌଣସି ସରକାରୀ ସୁବିଧା
ଏହା ସହ ଅକ୍ଷୟ ନାମକ କୌଣସି ଜଣେ ବ୍ୟକ୍ତିଙ୍କ ଷ୍ଟାଟସ୍ ବାବଦରେ ଲେଖିବା ପରେ ତାକୁ ଲିଭାଇବାକୁ ଚେଷ୍ଟା କରିଛନ୍ତି ବିଦ୍ୟାଭାରତୀ । ଏହି ହାତଲେଖା ଖାତାଟି ବିଦ୍ୟାଭାରତୀଙ୍କ ଏକ ଆଟାଚିରୁ ମିଳିଛି । ସେ ବଲାଙ୍ଗିରରେ ପାଠ ପଢୁଥିବା ସମୟରେ ଏକ ଖାତାରେ ଏ ସବୁ ଲେଖିଥିଲେ ଓ ଖାତାଟିକୁ ଏକ ଆଟାଚ୍ରେ ରଖିଥିଲେ । ସୌମ୍ୟଙ୍କ ମୃତ୍ୟୁ ପରେ ସାଇଣ୍ଟିଫିକ୍ ଟିମ୍ ସମ୍ପୃକ୍ତ କୋଠରୀକୁ ଯାଞ୍ଚ କରି ସେଠାରେ ଥିବା ସବୁ ସାମଗ୍ରୀ ଓ କାଗଜପତ୍ର ସୌମ୍ୟଙ୍କ ପରିବାର ଲୋକଙ୍କୁ ଦେଇଥିଲା । ଏବେ ସେହି ଆଟାଚ୍ରୁ ବାହାରିଛି ଏହି ହାତଲେଖା ।

ବଲାଙ୍ଗିର ଏଲ୍.ଆଇ. ତାଲିମ ସଂସ୍ଥାରେ ବିଦ୍ୟାଭାରତୀଙ୍କ ରୁମକୁ ସିଲ୍ କରୁଛି ପୋଲିସ ଟିମ୍ ।
ଏହି ହାତଲେଖାରେ ବିଦ୍ୟାଭାରତୀ କ’ଣ ସବୁ କହିବାକୁ ଚାହୁଁଛନ୍ତି ଓ ତାହା କେବେ ଲେଖାଯାଇଥିଲା ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ସୌମ୍ୟଙ୍କ ସହ ତାଙ୍କର ତିକ୍ତ ମନୋମାଳିନ୍ୟ ପଛରେ ଅକ୍ଷୟ ନାମକ ବ୍ୟକ୍ତିଙ୍କ ସହ ବିଦ୍ୟାଭାରତୀଙ୍କ ସମ୍ପର୍କ ଏକ କାରଣ ବୋଲି ସନ୍ଦେହ ସୃଷ୍ଟି ହୋଇଛି । ତଦନ୍ତକାରୀ ପୋଲିସ ଟିମ୍ ଅକ୍ଷୟଙ୍କ ପରିଚୟ ପାଇବାକୁ ଉଦ୍ୟମ ଆରମ୍ଭ କରିଥିବା ଜଣାପଡ଼ିଛି ।
ଏହା ବି ପଢ଼ନ୍ତୁ | ଇଏ ବିଶ୍ୱର ସବୁଠୁ କଞ୍ଜୁସ୍ ମହିଳା; ସାବୁନ୍ ବଞ୍ଚାଇବାକୁ ୱାଶିଂ ମେସିନରେ ଲୁଗା ସହ ଥାଳି ଓ ଜୋତା ଧୁଅନ୍ତି
ବଲାଙ୍ଗିରରେ ପାରଳାଖେମୁଣ୍ଡି ପୋଲିସର ଏକ ଟିମ୍ ପହଞ୍ଚି ତଦନ୍ତକୁ ଆଗକୁ ନେଇଛି । ଦୀର୍ଘ ଚାରି ଘଣ୍ଟା ଧରି ସେଠାକାର ଏଲ୍.ଆଇ. ଟ୍ରେନିଂ ଅନୁଷ୍ଠାନରେ ବିଭିନ୍ନ ଅଧିକାରୀ ଓ ଲୋକଙ୍କୁ ଜେରା କରିଛି ଏହି ଟିମ୍ । କେନ୍ଦ୍ରରେ ଉପନିର୍ଦ୍ଦେଶକ ହେମନ୍ତ ପ୍ରଧାନ, କିରାଣୀ ମୁକେଶ କୁମାର ରଥ ଓ ପିଅନ୍ ପୁରନ୍ଦର ଜେନାଙ୍କୁ ପୃଥକ୍ ପୃଥକ୍ ଭାବେ ଜେରା କରାଯାଇଛି।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଯୁବତୀ ରାସ୍ତାରେ କାନ୍ଦି କହୁଥିଲେ ‘ସୋନା ବାବୁ, ସୋନା ବାବୁ…;’ ପ୍ରେମିକ ଆଉ କାହାକୁ ବାହା ହେଉଥିଲା
‘‘ଆମେ ଏହି ତାଲିମ କେନ୍ଦ୍ରରେ ବିଭିନ୍ନ ବ୍ୟକ୍ତିଙ୍କ ସହ ପଚରାଉଚରା କରିଛୁ ଓ ସେମାନଙ୍କ ବୟାନ ରେକର୍ଡ଼ କରିଛୁ । ଆମେ କିଛି ସମ୍ବନ୍ଧିତ ଡକ୍ୟୁମେଣ୍ଟ୍ ବି ସଂଗ୍ରହ କରିଛୁ । ସେ ସବୁର ଆନାଲିସିସ୍ କରିବା ପରେ ଆମେ ଆଗକୁ ବଢ଼ିବୁ,’’ କହିଛନ୍ତି ତଦନ୍ତକାରୀ ଅଧିକାରୀ ବିବେକାନନ୍ଦ ସ୍ବାଇଁ ।
ଏହା ବି ପଢ଼ନ୍ତୁ | ପ୍ରତି ପରିବାରରୁ ଜଣେ ଲୋକକୁ କେନ୍ଦ୍ର ସରକାର ଚାକିରି ଦେଉଛନ୍ତି? ଜାଣନ୍ତୁ ଭାଇରାଲ୍ ଖବରର ସତ
ଏପ୍ରିଲ ୧୩ ତାରିଖରେ ଏହି ତାଲିମ କେନ୍ଦ୍ରକୁ କେବଳ ବିଦ୍ୟାଭାରତୀଙ୍କ ମାଆ ଓ ବାପା ଯାଇଥିଲେ । ବିଦ୍ୟାଭାରତୀ ଫେରିବା ବେଳକୁ ନିଜର ସବୁ ଜିନିଷ ପତ୍ର ସହ ଏକ ବଡ଼ ଟ୍ରଲି ବ୍ୟାଗରେ ବାହାରିଥିଲେ । ସେ ଆଉ ପାଠ ପଢି଼ବାକୁ ତାଲିମ କେନ୍ଦ୍ରକୁ ଆସିବେ ନାହିଁ ବୋଲି ତାଲିମ କେନ୍ଦ୍ରରେ ଏକ ବିଦାୟକାଳୀନ ଫଟୋ ବି ଉଠାଇଥିଲେ। ଯେଉଁ ବ୍ୟାଚଲର ପାର୍ଟି କଥା କୁହାଯାଉଛି ତାହା ବ୍ୟାଚଲର୍ ପାର୍ଟି ନୁହେଁ ବରଂ ମେସ୍ ସ୍ପନସରସିପ୍ ଥିଲା ବୋଲି ଏବେ ସ୍ପଷ୍ଟ ହୋଇଛି ।
ବିଦ୍ୟାଭାରତୀ ରହୁଥିବା ହଷ୍ଟେଲର ରୁମ ନଂ୧ ବୁଲି ଦେଖିବା ସହ ତାକୁ ସିଲ୍ କରିଛି ପୋଲିସ । ଏଠାରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ବି ସଂଗ୍ରହ କରାଯାଇଛି । ବିଦ୍ୟାଭାରତୀଙ୍କ ରୁମରେ ରହୁଥିବା ଅନ୍ୟ ଦୁଇ ଜଣ ସହପାଠୀଙ୍କ ଫୋନ୍ ନମ୍ବର୍ ବି ନେଇଛି ପୋଲିସ ଟିମ୍ । ଆବଶ୍ୟକ ହେଲେ ସେମାନଙ୍କୁ ମଧ୍ୟ ପଚରା ଉଚୁରା କରାଯିବ ବୋଲି କହିଛନ୍ତି ଜଣୋ ପୋଲିସ ଅଧିକାରୀ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।