News18 Odia Digital
ପୁରୀ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ। ଦିନ ଯେତିକି ପାଖେଇ ଆସୁଛି ରାଜନୈତିକ ମହଲରେ ସେତିକି ହଉଚଉ ଦେଖିବାକୁ ମିଳୁଛି। ଗୁରୁବାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତିନି ପ୍ରମୁଖ ରାଜନୈତିକ ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀ ବିଭିନ୍ନ ଜୋନ୍ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସବୁ ପ୍ରାର୍ଥୀ ନିଜ ନିଜର ବିଜୟ ନେଇ ଆଶାବାଦୀ। ସେପଟେ କରୋନା ଗାଇଡଲାଇନ୍ ଅନୁଯାୟୀ ନିର୍ବାଚନ କରାଯିବ। ଯିଏବି କୋଭିଡ୍ ନିୟମ ଉଲଙ୍ଘନ କରିବ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା।
ବିଟେକ ଇଞ୍ଜିନିୟରିଂ ପ୍ରାର୍ଥିନୀ ଶୁଭସ୍ନୀତା ସାହୁ ଗୁରୁବାର କହିଥିଲେ, ‘‘ପୁରୀ ଜିଲ୍ଲାର ୩୩ଟି ଜିଲ୍ଲା ପରିଷଦ ଜୋନ,୨୬୮ଟି ଲେଖାଏଁ ସରପଞ୍ଚ ଓ ପଞ୍ଚାୟତ ସମିତି ସଭ୍ୟ ଓ ୩,୮୦୪ଟି ୱାର୍ଡ଼ ମେମ୍ବର ପାଇଁ ନିର୍ବାଚନ ହେବ। ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି । ତେବେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଛି ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟାର ଶେଷ ତାରିଖ ୨୧। ସେ ନେଇ ଏବେ ପ୍ରାର୍ଥୀପତ୍ର ଦାଖଲ ପାଇଁ ଜମିଛି ଆଶାୟୀ ପ୍ରାର୍ଥୀଙ୍କ ଭିଡ଼। ତେବେ ଚଳିତ ଜିଲା ପରିଷଦ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲରେ ଦେଖିବାକୁ ମିଳିଛି ଅଧିକ ମହିଳା, ଉଚ୍ଚଶିକ୍ଷିତା ଓ ଯୁବବର୍ଗଙ୍କ ଭିଡ଼। ଜିଲ୍ଲା ପରିଷଦ ଜୋନ ୧ ଅସ୍ତରଙ୍ଗରୁ ମୁଁ ବି ପ୍ରାର୍ଥୀପତ୍ର ଦାଖଲ କରିଛି । ମୁମ୍ବାଇରୁ ଚାକିରି ଛାଡ଼ି ସେବା କରିବା ଉଦ୍ଦେଶ୍ୟରେ ନିର୍ବାଚନକୁ ଓହ୍ଲାଇଛି ମୁଁ। ତେବେ ଚାକିରି ତ ଆଗକୁ କରି ପାରିବି। ହେଲେ ଲୋକଙ୍କ ସେବା କରିବାକୁ ଏହା ହେଉଛି ଉତ୍ତମ ପ୍ଲାଟଫର୍ମ। ସେପଟେ ବର୍ତ୍ତମାନ ଡିଜିଟାଲ ଯୁଗରେ ପ୍ରାର୍ଥୀମାନଙ୍କ ମଧ୍ୟରେ ଅନେକ ଯୁବକ ଯୁବତୀ ଓ ଉଚ୍ଚ ଶିକ୍ଷିତା ଆସିବା ଦ୍ୱାରା ଲୋକେ ଏଥିରେ ଉପକୃତ ହେବେ । ଆଉ ସମାଜ ବଦଳିବ । ତେଣୁ ଏଭଳି କିଛି ଚିନ୍ତା କରି ରାଜନିତିକୁ ଓହ୍ଲାଇଛି।’’
"ଖାଲି ଉଚ୍ଚ ଶିକ୍ଷିତା ନୁହେଁ ଅନେକ ମହିଳାମାନେ ମଧ୍ୟ ନିର୍ବାଚନରେ ସାମିଲ ହୋଇଛନ୍ତି । ଜନସେବା କରିବା ପାଇଁ ଏହା ଏକ ମାଧ୍ୟମ ହୋଇଥିବାରୁ ଏଥିପ୍ରତି ଆଗ୍ରହ ସୃଷ୍ଟି କରି ନିର୍ବାଚନରେ ସାମିଲ ହୋଇଥିବା କହିଛନ୍ତି ଅନେକ ମହିଳା। ଚଳିତ ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସରଂକ୍ଷଣ ରହିଥିବାରୁ ମହିଳାମାନଙ୍କୁ ଆଗକୁ ଆସିବାକୁ ପଡ଼ିବ। ଆଉ ଚୁଲିମୁଣ୍ଡ କି ହାଣ୍ଡିଶାଳରେ ନୁହେଁ ଏବେ ଘରୁ ଗୋଡ କାଢ଼ି ରାଜନୈତିରେ ସାମିଲ ହୋଇ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ପଡ଼ିବ,’’ କହିଛନ୍ତି କଂଗ୍ରେସର ୧୫ ନମ୍ବର ଜୋନ ଜିଲ୍ଲା ପରିଷଦ ପ୍ରାର୍ଥିନୀ ସୁକାନ୍ତି ସାହୁ।

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଅଛନ୍ତି ମହିଳା ପ୍ରାର୍ଥୀମାନେ
ତେବେ ଅର୍ଥ ବଳ ନୁହେଁ କି ବାହୁ ବଳ ନୁହେଁ । ଚଳିତ ନିର୍ବାଚନରେ ଯିଏ ଲୋକଙ୍କ ପାଖରେ ପହଞ୍ଚି ଭୋଟରଙ୍କୁ ମନେଇପାରିବ ସେ ହିଁ ବାଜିମାତ କରିବ। ଆଉ ବର୍ତ୍ତମାନ ଯୁଗରେ ନେତୃତ୍ୱର ପରିଭାଷା ହେଉଛନ୍ତି ମହିଳା ଓ ଯୁବତୀ ପ୍ରାର୍ଥିନୀ। ତେଣୁ ଏ ନେଇ ମଧ୍ୟ ନିର୍ବାଚନ କମିଶନ ମହିଳାମାନଙ୍କ ପାଇଁ ଅନେକ ସରଂକ୍ଷଣ ବୃଦ୍ଧି କରିଛନ୍ତି। ତେଣୁ ନିର୍ବାଚନରେ ଏଥର ପାଳି ମହିଳାଙ୍କର ବୋଲି କହିଛନ୍ତି ସିପିଆଇଏମ ପ୍ରାର୍ଥିନୀ ତପସ୍ୱୀନୀ ମହର୍ଧା।
"ସତ୍ୟବାଦୀ ବ୍ଲକରେ ଏକ ନିର୍ଦ୍ଦିଷ୍ଟ ଦଳ ପକ୍ଷରୁ କୋଭିଡ୍ ନିୟମ ଉଲଙ୍ଘନ ଘଟଣା। ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ ପରେ କଣାସ ତହସିଲଦାରଙ୍କ ପକ୍ଷରୁ ଥାନାରେ ଦିଆଯାଇଛି ଏତଲା। ଘଟଣାର ନିରପକ୍ଷେ ତଦନ୍ତ କରି ରିପୋର୍ଟ ଦେବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯିଏବି କୋଭିଡ୍ ନିୟମ ଉଲଙ୍ଘନ କରିବ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଖାଲି ସେତକି ନୁହେଁ ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ଲଗାଯାଇଥିବା ହୋର୍ଡିଂ ଗୁଡିକୁ ହଟାଯିବ,’’ କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା।
ପ୍ରଥମ ପର୍ଯ୍ୟାୟରେ ଫେବୃୟାରୀ ୧୬ରେ ପୁରୀ ଜିଲ୍ଲାର କଣାସ ଓ ବ୍ରହ୍ମଗିରି,୧୮ରେ ନିମାପଡ଼ା ଓ ଗୋପ,୨୦ରେ ସତ୍ୟବାଦୀ ଓ ପୁରୀ ସଦର,୨୨ରେ ଡେଲାଙ୍ଗ ଓ ପିପିଲି ଓ ୨୪ରେ କାକଟପୁର ଓ ଅସ୍ତରଙ୍ଗ ବ୍ଲକ ପାଇଁ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ।।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।