News18 Odia Digital
ଭୁବନେଶ୍ୱର: ଯେଉଁ ମାଆ ପିଠା ତିଆରି କରେ, ସେହି ମାଆ ବିଶ୍ୱ ସମସ୍ୟାର ସମାଧାନ ବି ବାହାର କରିପାରେ। ଓଡ଼ିଶାର ଶିଶୁଙ୍କର ଥିବା କୁପୋଷଣ, ଗର୍ଭବତୀ ମହିଳାଙ୍କ ରକ୍ତହୀନତା ଓ ଅନ୍ୟାନ୍ୟ ସମସ୍ୟା ସମାଧାନର ରାସ୍ତା ବାହାର କରିବା ପାଇଁ ଆଇସିଏମଆର ଓ ଆରଏମ୍ଆରସିରେ ଭୁବନେଶ୍ୱରକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କ ସହ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଆଇସିଏମଆର-ଆରଏମଆରସିର ଆନେକ୍ସ ବିଲଡିଂର ଲୋକାର୍ପଣ ଓ ଆଇସିଏମଆର ସ୍କୁଲ ଅଫ୍ ପବ୍ଲିକ ହେଲଥ୍ ଓ ବିଏସଏଲ -୩ ଲ୍ୟାବର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଜି ଓଡ଼ିଶାରେ ଶିଶୁ ମୃତ୍ୟୁ, କୁପୋଷଣ, ଓଜନ ଅନୁସାରେ ଉଚ୍ଚତା କମ୍ ଓ ଉଚ୍ଚତା ଅନୁସାରେ ଓଜନ କମ ଭଳି ଅନେକ ଗଭୀର ସମସ୍ୟା ରହିଛି । ମହିଳା ବିଶେଷଭାବେ ଗର୍ଭବତୀ ମହିଳାମାନେ ରକ୍ତହୀନତା କାରଣରୁ ମୃତ୍ୟୁମୁଖରେ ପଡୁଛନ୍ତି, ଯାହା ଚିନ୍ତା ଜନକ । ତେଣୁ ଏ ଦିଗରେ ରାସ୍ତା ବାହାର କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶାରେ ମେଡ଼ିକାଲ କଲେଜ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଥିବା ବେଳେ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ପ୍ରାଧାନ୍ୟ ଦିଆଯାଉଛି । ମୋଦି ସରକାର ପୂର୍ବରୁ ଓଡ଼ିଶାରେ ୩ଟି ମେଡିକାଲ ଥିବା ବେଳେ ଏବେ ତାହା ବଢି ୧୦ରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁସ୍ଥ ଭାରତର କଳ୍ପନାକୁ ସାକାର କରିବାରେ ଆଇସିଏମଆର-ଆରଏମଆରସି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ବିଶେଷ ଭାବରେ କୋଭିଡ୍ ସମୟରେ ପୂର୍ବ ଭାରତର ଲୋକଙ୍କ ଜୀବନକୁ ସୁରକ୍ଷିତ ଓ ସଚେତନ କରିବାରେ ଏହି ଅନୁଷ୍ଠାନର ଅବଦାନ ଅତୁଳନୀୟ ।
ଏହା ବ୍ୟତୀତ ଆଇସିଏମଆର-ଆରଏମ୍ଆରସି ଦ୍ୱାରା ପ୍ରକାଶିତ ଓଡ଼ିଶାର ମହିଳା ବୈଜ୍ଞାନିକଙ୍କ ସମ୍ପର୍କୀତ ଇଂରାଜୀରେ ଲିଖିତ ସ୍ମରଣିକାକୁ ପ୍ରଶଂସା କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହା ସହ ସେହି ସ୍ମରଣିକାକୁ ଓଡ଼ିଆ ଓ ହିନ୍ଦୀ ଭାଷାରେ କରିବା ପାଇଁ ସେ ପରାମର୍ଶ ଦେଇଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।