News 18 Odia Digital
ଭୁବନେଶ୍ୱର; ପଦ୍ମପୁର ଉପନିର୍ବାଚନ ଫଳାଫଳ ନେଇ ଚାଲିଛି ମାନସ ମନ୍ଥନ । ଫଳାଫଳ ଆଗାମୀ ଦିନ ପାଇଁ କଣ ସନ୍ଦେଶ ଦେଉଛି ତାକୁ ନେଇ ଚର୍ଚ୍ଚା ଚାଲିଛି। ଧାମନଗର ଉପନିର୍ବାଚନରେ ବିଜେପି ନିଜ ସିଟକୁ ରଖିବାରେ ସଫଳ ହୋଇଥିବା ବେଳେ ପଦ୍ମପୁରରେ ନିଜ ସିଟକୁ ଜିତି ସମ୍ମାନ ରଖିବାରେ ବିଜେଡି ସଫଳ ହୋଇଛି । କିନ୍ତୁ ଏହି ଫଳାଫଳ ୨୦୨୪ ପାଇଁ କଣ ସନ୍ଦେଶ ଦେଉଛି ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। କାରଣ ସାଧାରଣ ନିର୍ବାଚନକୁ ଦେଢ଼ ବର୍ଷରୁ କମ ସମୟ ରହିଛି ।
ଅର୍ଥବଳରେ ବିଜେଡି ନିର୍ବାଚନ ଜିତିଥିବା ଅଭିଯୋଗ କରିଛନ୍ତି ବିରୋଧୀ। ଏହାରି ଭିତରେ ବିରୋଧୀଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି "ପଦ୍ମପୁର ପରାଜୟର କାରଣ ଅନ୍ୱେଷଣ କରାଯିବ । କଣ ପାଇଁ ଦଳ ହରିଲା ସମୀକ୍ଷା ପରେ ଜଣା ପଡ଼ିବ । ଏଥର ଗତ ଥର ଠାରୁ ଅଧିକ ଭୋଟ ମିଳିଛି । କିନ୍ତୁ ଏଥର ଭୋଟ ବ୍ୟବଧାନ ଅଧିକ ହେଲା । ହାରିବାର ଅନେକ କାରଣ ଅଛି । ବିଜେଡ଼ି ବିଜୟରେ ଅର୍ଥ ବଡ଼ ଫ୍ୟାକ୍ଟର ହେଲା । ମୁଖ୍ୟମନ୍ତ୍ରୀଙ୍କୁ କାଉଣ୍ଟର କରି ଜୟ ନାରାୟଣ କହିଛନ୍ତି ଯେ, ଯେତେବେଳେ ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାରରେ ଯାଇଥିଲେ । ଝିଅ ବୋଲି ସମ୍ବୋଧିତ କରିନଥିଲେ । ରେକର୍ଡ଼ିଂ ଭିଡିଓ ଚଲେଇଦେଲେ । ନାରୀ ନିର୍ଯାତନାରେ ଓଡ଼ିଶା ଏକ ନମ୍ବର । ନାରୀକୁ ସମ୍ମାନ କଥା ଦେଖାଯାଉନାହିଁ । ଦାରିଦ୍ର୍ୟ, ଗରିବୀରେ ବି ଓଡ଼ିଶା ଏକ ନମ୍ବର । କୌଣସି ବ୍ୟକ୍ତିଗତ ଆକ୍ଷେପ ହୋଇନାହିଁ । ପଦ୍ମପୁରର ଝିଅ, କଣାସର ବୋହୂ । ଏଥରେ ଅସତ୍ୟ କିଛି ନାହିଁ । ତାଙ୍କର ଚରିତ୍ର ସଂହାର କରାଯାଇନାହିଁ । ଏହି ଫଳାଫଳ ୨୦୨୪ ପାଇଁ କିଛି ସନ୍ଦେଶ ଦେଉନାହିଁ । ଦେଢ଼ ବର୍ଷ ପାଇଁ ଭୋଟ ଥିଲା । ଲୋକ ବୋଧେ ଭାବିଲେ ଯଦି ସରକାର ବଦଳିବ ନାହିଁ । ତାହେଲେ କାହିଁକି ସରକାର ବିରୁଦ୍ଧରେ ଯିବୁ । କଂଗ୍ରେସ ଭୋଟ ସମ୍ପୂର୍ଣ୍ଣ ଭାବେ ବିଜେଡ଼ି ନେଇଗଲା । ଯାହା ବିଜେପି ପାଇଁ ବିପଦ ହେଲା । ବିଜେଡ଼ି ଜିତିବାର ବଡ଼ କାରଣ, ଅର୍ଥ ବଳ, ବାହୁ ବଳ ଓ ସରକାରୀ କଳ । ବିଜେଡି ନିର୍ବାଚନକୁ ବହୁତ ବ୍ୟୟ ବହୁଳ କରି ଦେଲାଣି । ସାଧାରଣ ଲୋକ ନିର୍ବାଚନ ଲଢ଼ିବା ସମ୍ଭବ ହେଉନାହିଁ । ୨୦୨୪ରେ ବ୍ୟାପକ ଲଢେଇ ହେବ । କଂଗ୍ରେସ ଓଡ଼ିଶା ରାଜନୀତିରୁ ବାହାରି ଗଲାଣି । ଆଗକୁ ବିଜେଡି - ବିଜେପି ଲଢେଇ ହେବ ବୋଲି କହିଛନ୍ତି ଜୟନାରାୟଣ ମିଶ୍ର।
ବିଜେଡି ଉପସଭାପତି କହିଛନ୍ତି " ପଦ୍ମପୁର ବିଜୟ ୨୦୨୪ ନିର୍ବାଚନ ଉପରେ ପ୍ରଭାବ ପକାଇବ। ଏବେବି ନବୀନଙ୍କ ଭାବମୂର୍ତ୍ତି ବଳବତ୍ତର ରହିଛି। ନବୀନଙ୍କ ଯୋଗୁଁ ଭୋଟ ପ୍ରତିଶତ ବଢୁଛି। ଲୋକଙ୍କ ଉପରେ ନବୀନଙ୍କ ପ୍ରଭାବ ରହିଛି। ସବୁ ନିର୍ବାଚନ ସମୟରେ ସ୍ଥାନୀୟ ନେତାଙ୍କୁ ଦଳ ଗୁରୁତ୍ୱ ଦେଉଛି। ଗାଁ ଗହଳିରେ ବିଜେଡ଼ିର ପହଞ୍ଚ ରହିଛି। ମହିଳାଙ୍କୁ ସବୁବେଳେ ବିଜେଡି ଗୁରୁତ୍ୱ ଦେଇଛି।
ସେପଟେ, ବର୍ଷାଙ୍କ ପ୍ରତି ବିଜେପି ନେତାଙ୍କ ଆକ୍ଷେପକୁ ନିନ୍ଦା କଲେ ଦେବୀ ମିଶ୍ର। ମୁଖ୍ୟମନ୍ତ୍ରୀ ଏଭଳି ଆକ୍ଷେପକୁ ନିନ୍ଦା କରିଥିବା ବେଳେ ଏହା ଗ୍ରହଣୀୟ ନୁହେଁ । ସାମାଜିକ ଚଳନି ଓ ସଂସ୍କୃତିର ପରିପନ୍ଥୀ। ବିଜେଡି ଲୋକଙ୍କ ବିଶ୍ୱାସ ଭାଜନ ତଥା ପ୍ରଥମ ପସନ୍ଦ ଦଳ। ବିଜେଡି ଅର୍ଥବଳରେ ନିର୍ବାଚନ ଲଢ଼ୁଛି କଥାର ଉତ୍ତର ରଖି ଦେବୀ ମିଶ୍ର କହିଛନ୍ତି, ଗୁଜୁରାଟରେ କିପରି ଲଢ଼ୁଥିଲା ବିଜେପି। କେତେ ଟଙ୍କା ଖର୍ଚ୍ଚ କରିଛି ବୋଲି ପ୍ରଶ୍ନ କରିଥିଲେ ଦେବୀ ମିଶ୍ର । କଂଗ୍ରେସ ଭୋଟ ବିଜେଡି ଆଡ଼କୁ ଗଲା ବୋଲି ପ୍ରଶ୍ନରେ କହିଛନ୍ତି ଏହା ଅବାନ୍ତର ଯୁକ୍ତି। ଗୁଜୁରାଟରେ ଭୋଟ କୁଆଡେ ଗଲା ? ସାଧାରଣ ଭୋଟ ସ୍ଵିଂଗ ହୋଇଛି। ଅବାନ୍ତର ଯୁକ୍ତି କଲେ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ତାତ୍ସଲ୍ୟ। ବିଧାୟକ ସୁଶାନ୍ତ ସିଂ କହିଛନ୍ତି, ବିଜେପି ଏଠି ସବୁ ବଳ ପ୍ରୟୋଗ କରି ପରାସ୍ତ ହେଲା। ବିଜେଡି ପ୍ରତି ଲୋକଙ୍କ ଆସ୍ଥା ରହିଛି। ଆମେ ଆଶା କରୁଥିଲୁ ଲକ୍ଷେ ଭୋଟ ପାଇବୁ ,କିନ୍ତୁ ମୁଖ୍ୟମନ୍ତ୍ରୀ ଯିବା ପରେ ଆହୁରି ୨୦ ହଜାର ଭୋଟ ଅଧିକ ହେଲା। ତେବେ ୨୦୨୪ରେ ୨୨୫ ସିଟରେ ବିଜେଡି ଜିତିବ ବୋଲି କହିଛନ୍ତି ସୁଶାନ୍ତ ସିଂ।
ପଦ୍ମପୁର ଉପନିର୍ବାଚନ ଫଳାଫଳକୁ ସହଜରେ ଗ୍ରହଣ କରିପାରିନାହାନ୍ତି କଂଗ୍ରେସ ନେତା। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି କହିଛନ୍ତି, ଦୁଇ ଦୁଇଟା ଉପ ନିର୍ବାଚନରେ ଦଳର ଅମାନତ ଗଲାଣି। ଧାମନଗରରେ ୧୦ ହଜାରରୁ ଖସି ୩ ହଜାରରେ ପହଞ୍ଚିଲା। ପଦ୍ମପୁରରେ ୩୦ ହଜାରରୁ ଏମିତି ସ୍ଥିତିରେ ପହଞ୍ଚିଲା। କଂଗ୍ରେସ ପାଇଁ ଲଜ୍ଜା ଜନକ କଥା। ପିସିସି ସଭାପତି ତର୍ଜମା କରିବା ଦରକାର, ବୈଠକ ଡାକିବା ଦରକାର, ନିଜକୁ ପରଖିବା ଦରକାର। ପିସିସି ସଭାପତି ସଚେତନ ହେବା ଆବଶ୍ୟକ। ଯଦି ଏପରି ଭୋଟ ମିଳେ ତାହାଲେ କଂଗ୍ରେସ ଦଳ ଲୋପ୍ ପାଇଯିବ। କଂଗ୍ରେସ ଭୋଟ ବିଜେଡ଼ିକୁ ଯାଇଛି। କାହିଁକି ଗଲା ଅନୁଧ୍ୟାନ ହେବା ଆବଶ୍ୟକ। ବହୁ ଲୋକ କହୁଛନ୍ତି କଂଗ୍ରେସ ଭୋଟ ବିକି ଖାଇଦେଲେ। କଂଗ୍ରେସ ଉପରେ ଯେଉଁ ଲୋକ ଭରସା କରିକି ରହିଛନ୍ତି ସେମାନେ ହତୋତ୍ସାହିତ ହୋଇଯିବେ। ସେମାନଙ୍କ କଥା ଭାବି ବ୍ୟକ୍ତିଗତ ସ୍ୱାର୍ଥକୁ ଜଳାଞ୍ଜଳି ଦେବାକୁ ପଡ଼ିବ। ଦିନକୁ ପୂର୍ବରୁ ସଭାପତି କେମିତି ଜାଣି କହିଲେ ଆମେ ହାରିଯିବୁ ବୋଲି ପ୍ରଶ୍ନ କରିଛନ୍ତି ତାରା। ପିସିସି ସଭାପତି ମାନେ ନିଜ ନିଜ ଗୋଷ୍ଠୀ ତିଆରି କରି ଚାଲୁଛନ୍ତି। ସମସ୍ତଙ୍କୁ ନେଇ ଚାଲିବା ଆବଶ୍ୟକ। ଏମିତି ହେଲେ ନିଜେ ବର୍ବାଦ ହେବା ସହ ଅନ୍ୟକୁ ବର୍ବାଦ କରିବେ। ଯେଉଁଥିପାଇଁ ଦଳର ଏଭଳି ଅବସ୍ଥା ହେଉଛି। ଆମେ ଏକଜୁଟ ହେବାର ଆବଶ୍ୟକତା ରହିଛି। ପଦମପୁର ନିର୍ବାଚନ ଫଳ ୨୦୨୪ ଉପରେ ପଡ଼ିବନି। ରାତାରାତି ସରକାର ବଦଳିପାରେ। ନବୀନ ସରକାର ଏଠି ବିଜେପି ସହ ମାଡଗୋଳି ଦିଲ୍ଲୀରେ କୋଳା କୋଳି। ଯେଉଁଟା କି ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ୨୦୨୪ରେ ବିଜେପି କେନ୍ଦ୍ରରେ ରହିବ କି ନାହିଁ ଚିନ୍ତା କରନ୍ତୁ । ରାଜ୍ୟ କଥା ପରେ ଭାବିବେ ବୋଲି କହି ତାତ୍ସଲ୍ୟ କରିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।