Municipal Election: ଭୁବନେଶ୍ୱରରେ ମାତ୍ର ୫୦ ପ୍ରତିଶତ ଲୋକ ଭୋଟ ଦେଇଛନ୍ତି

ଭୁବନେଶ୍ୱରରେ ସବୁବେଳେ ବସ୍ତି ଭୋଟରଙ୍କ ସଂଖ୍ୟା ଅଧିକ ରହିଥାଏ। ଶିକ୍ଷିତ ଭୋଟରମାନେ ଭୋଟ ଦେବାରୁ ବିରତ ରହୁଛନ୍ତି। ଏହା ପଛରେ ଅନେକ କାରଣ ହୋଇପାରେ। କିନ୍ତୁ ସବୁବେଳେ ରାଜ୍ୟର ମତଦାନ ଅପେକ୍ଷା ଭୁବନେଶ୍ୱରରେ ମତଦାନ ପ୍ରତିଶତ କମ ରହିଥାଏ।

ଭୁବନେଶ୍ୱରରେ ମାତ୍ର ୫୦ ପ୍ରତିଶତ ଲୋକ ଭୋଟ ଦେଇଛନ୍ତି

ଭୁବନେଶ୍ୱରରେ ମାତ୍ର ୫୦ ପ୍ରତିଶତ ଲୋକ ଭୋଟ ଦେଇଛନ୍ତି

  • Share this:
News18 Odia Digital

ଭୁବନେଶ୍ୱର: ପୌର ନିର୍ବାଚନ ଶେଷ ହୋଇଛି। ମତଦାନ ଶେଷ ସୁଦ୍ଧା ରାଜ୍ୟରେ ୬୫ ପ୍ରତିଶତ ମତଦାନ ହୋଇଛି। ବିଭିନ୍ନ ସ୍ଥାନରୁ ତଥ୍ୟ ସଂଗ୍ରହ ଚାଲୁଥିବା ବେଳେ ମତଦାନ ପ୍ରତିଶତ ଆହୁରି ବଢ଼ିପାରେ। କିନ୍ତୁ ଚିନ୍ତାଜନକ ତଥ୍ୟ ହେଉଛି ରାଜଧାନୀର ଅଧା ଲୋକ ଭୋଟ ନ ଦେବା। କାରଣ ଭୁବନେଶ୍ୱରରେ ମାତ୍ର ୫୦ ପ୍ରତିଶତ ଲୋକ ଭୋଟ ଦେଇଛନ୍ତି। ଏହାରି ଭିତରେ ଭଲ ଖବର କି ୨୦୦୦ ପରଠୁ ଅନ୍ୟ ପୌର ନିର୍ବାଚନ ଅପେକ୍ଷା ମତଦାନ ଅଧିକ ହୋଇଛି।

ଭୁବନେଶ୍ୱରରେ ସବୁବେଳେ ବସ୍ତି ଭୋଟରଙ୍କ ସଂଖ୍ୟା ଅଧିକ ରହିଥାଏ। ଶିକ୍ଷିତ ଭୋଟରମାନେ ଭୋଟ ଦେବାରୁ ବିରତ ରହୁଛନ୍ତି। ଏହା ପଛରେ ଅନେକ କାରଣ ହୋଇପାରେ। କିନ୍ତୁ ସବୁବେଳେ ରାଜ୍ୟର ମତଦାନ ଅପେକ୍ଷା ଭୁବନେଶ୍ୱରରେ ମତଦାନ ପ୍ରତିଶତ କମ ରହିଥାଏ। ଚଳିତ ପୌର ନିର୍ବାଚନରେ ମୋଟ ୪୦ ଲକ୍ଷ ୫୫ ହଜାରରୁ ଅଧିକ ଭୋଟର ରହିଥିଲେ।

ସେଥିରୁ ଭୁବନେଶ୍ୱରର ଏକାମ୍ର ନିର୍ବାଚନ ମଣ୍ଡଳୀ ଓ ଉତ୍ତର ନିର୍ବାଚନ ମଣ୍ଡଳୀରରେ ଭୋଟରଙ୍କ ସଂଖ୍ୟା ଥିଲା ୭ ଲକ୍ଷ ୨୫ ହଜାର ୭୬୫। ଏଥିରୁ ୩ ଲକ୍ଷ ୯୪ ହଜାର ୫୧୦ ଜଣ ପୁରୁଷ ଭୋଟର ଥିବା ବେଳେ ୩ ଲକ୍ଷ ୩୦ ହଜାର ୮୧୫ ମହିଳା ଓ ୪୪୦ ଜଣ ଅନ୍ୟ ବର୍ଗର ଭୋଟର ରହିଛନ୍ତି। କିନ୍ତୁ ଭୋଟ ଦେଇଛନ୍ତି ମାତ୍ର ୫୦ ପ୍ରତିଶତ। ତେବେ ପୂର୍ବ ନିର୍ବାଚନ ପରି ଚଳିତ ନିର୍ବାଚନରେ ତୁଳନାତ୍ମକ ଭାବେ ଅଧିକ ମତଦାନ ହୋଇଥିଲେ ବି କିନ୍ତୁ ଭୁବନେଶ୍ବରର ଅଧା ଲୋକ ଭୋଟ ଦେଇ ନାହାଁନ୍ତି। ୨୦୦୩ ପୌର ନିର୍ବାଚନରେ ୪୮.୮ ପ୍ରତିଶତ ମତଦାନ ହୋଇଥିବା ବେଳେ ୨୦୦୮ରେ ୩୮.୨୯ ପ୍ରତିଶତ ଓ ୨୦୧୪ରେ ୪୩.୩୦ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି।

ସବୁବେଳେ ବସ୍ତି ଭୋଟରଙ୍କ ସଂଖ୍ୟା ପ୍ରାୟ ୮୦ ପ୍ରତିଶତ ଭଳି ରହିଥାଏ। ଚଳିତ ନିର୍ବାଚନରେ ୫୦ ପ୍ରତିଶତ ମତଦାନ ହେବା ଶୁଭ ସଙ୍କେତ ଦେଇଥିଲେ ବି ରାଜଧାନୀରେ ଉଚ୍ଚ ଶିକ୍ଷିତ ଥାଇ ଏତେ କମ୍ ପ୍ରତିଶତ ମତଦାନ ହେବାକୁ ନେଇ ଭିଭିନ୍ନ ସ୍ତରରେ ଆଲୋଚନା ହେଉଛି।

ରାଜ୍ୟରେ ପୌର ନିର୍ବାଚନରେ ୬୫% ମତଦାନ ହୋଇଛି। ଭୁବନେଶ୍ୱରରେ ୫୦ ପ୍ରତିଶତ ମତଦାନ ହୋଇଥିବବେଳେ କଟକ ମହାନଗର ନିଗମରେ ୬୫% ଓ ବ୍ରହ୍ମପୁର ମହାନଗର ନିଗମରେ ୪୭ % ମତଦାନ ହୋଇଛି। ମୋଟ ୧୦୬ଟି ପୌର ପରିଷଦରେ ନିର୍ବାଚନ ହୋଇଛି। ୪୭ ମୁନିସିପାଳିଟି ଓ ୫୯ ଵିଜ୍ଞାପିତ ଅଞ୍ଚଳ ପରିଷଦ ଓ ୩ଟି ମହାନଗର ନିଗମର ମୋଟାମୋଟି ଭାବରେ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ଶେଷ ହୋଇଛି । ୧୮୨୫ଟି ୱାର୍ଡରେ ୪ ହଜାର ୬୩୦ ବୁଥରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।
Published by:Lipina Das
First published: