ବାଲେଶ୍ୱର ଜିଲ୍ଲାରେ ଆସନ୍ନ ବନ୍ୟା ପରିସ୍ଥିତି ଉପୁଜିଲା; ସବୁ ନଦୀରେ ବଢୁଛି ଜଳ ସ୍ତର

ଲଘୁଚାପ ଫଳରେ ବାଲେଶ୍ୱର ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଥିବାରୁ ବିଭିନ୍ନ ସ୍ଥାନରେ ହଜାକ ହଜାର ଏକର ଚାଷ ଜମିରେ ଚାରି ଫୁଟ ଉଞ୍ଚା ଜଳ ଜମିଛି । ଅନେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ସୋର ବ୍ଲକର ଗୋପୀନାଥପୁର ପଞ୍ଚାୟତ ଜଳାର୍ଣ୍ଣବ ହୋଇଛି ।

ସୋର ବ୍ଲକର ଗୋପୀନାଥପୁର ପଞ୍ଚାୟତ ଜଳାର୍ଣ୍ଣବ ହୋଇଛି ।

  • Share this:
News18 Odia Digital

ବାଲେଶ୍ୱର: ଲଗାଣ ବର୍ଷା ଫଳରେ ବାଲେଶ୍ୱର ଜିଲ୍ଲାରେ ସବୁ ନଦୀର ଜଳ ସ୍ତର ବଢ଼ିଚାଲିଛି । ଜଳକା ନଦୀ ବିପଦ ସଙ୍କେତ ଉପରେ ଗତି କରୁଛି । ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀରେ ବି ଜଳ ସ୍ତର ବଢ଼ିବାରେ ଲାଗିଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଆସନ୍ନ ବନ୍ୟା ସ୍ଥିତି ଦେଖାଦେଇଛି ।

ବୁଢ଼ାବଳଙ୍ଗ ନଦୀର ବିପଦ ସଙ୍କେତ ୮.୧୩ ରହିଥିବା ବେଳେ ବୁଧବାର ରାତି ୧୧ଟାରେ ଜଳ ସ୍ତର ୭.୮୪ ରହିଥିଲା ।  ସୁବର୍ଣ୍ଣରେଖା ନଦୀର ବିପଦ ସଙ୍କେତ ୧୦.୩୩ ଥିବା ବେଳେ ଏହାର ଜଳ ସ୍ତର ୮.୭୧ ରେ ପହଞ୍ଚିଛି । ଜଳକାର ଜଳ ସ୍ତର ବଢ଼ିବା ଯୋଗୁଁ ବସ୍ତା ବ୍ଲକର ପତ୍ରଝଡା, ଦରଡ଼ା, ମୁକୁଲୁସି, ବାହାରଦା ଓ ମଥାନୀ ଆଦି ପଞ୍ଚାୟତ ପ୍ରଭାବିତ ହୋଇଛି ।  ଅନେକ ଚାଷ ଜମିରେ ବନ୍ୟା ଜଳ ପ୍ରବେଶ କରିଛି ।

ବୁଢ଼ାବଳଙ୍ଗ ନଦୀରେ ଦେଖାଦେଇଛି ଆସନ୍ନ ବନ୍ୟା ପରିସ୍ଥିତି । ସଦର ବ୍ଲକର ୨୦ରୁ ଅଧିକ ପଞ୍ଚାୟତରେ ପାଣି ପଶିଛି  । ଫୁଲାଡ଼ି, କଶିମିଳା, ସିନ୍ଧିଆ, ବଇଞ୍ଚା, ଗିଜୁରିବଜାର, ଘୁଢାପଦା, ବାସନ୍ତି ସିନ୍ଧିଆ, ତୋଟାପାଳ, ପାଖରାବାଡ଼ ଓ ରଘୁନାଥପୁର ଆଦି ପଞ୍ଚାୟତ ପ୍ରଭାବିତ ହୋଇଛି । ଏହି ଅଞ୍ଚଳମାନଙ୍କରେ ହଜାର ହଜାର ହେକ୍ଟର ଚାଷ ଜମିରେ ମାଡ଼ି ଯାଇଛି ବନ୍ୟା ପାଣି ।

ବର୍ତ୍ତମାନ ଜିଲ୍ଲାର ଅଧିକାଂଶ ନଦୀରେ ଜଳ ସ୍ତର ବଢ଼ିଥିବାରୁ ଅନେକ ସ୍ଥାନରେ ଚାଷ ଜମି ଉପରେ ୪ ଫୁଟ ଉଞ୍ଚା ପାଣି ରହିଛି । ଫଳରେ ଚାଷ ନଷ୍ଟ ହେବାର ଆଶଙ୍କା ଚାଷୀଙ୍କୁ ଘାରିଛି ।

ରେମୁଣାରେ କେତେକ ଦୋକାନ ଘର ଭିତରେ ପାଣି ପଶିଛି ।


ଲଗାଣ ବର୍ଷା ଫଳରେ ସୋର ବ୍ଲକର ଗୋପୀନାଥପୁର ଓ ମାଣିପୁର ପଞ୍ଚାୟତ ଜଳାର୍ଣ୍ଣବ ହୋଇଛି । ମାଣିପୁର ବଜାରର ବିଜୁ ମାର୍କେଟରେ ପାଣି ପଶି ୧୦ଟି ଦୋକାନ ଘର ଉବୁଟୁବୁ ହୋଇଛି । ଲକ୍ଷାଧିକ ଟଙ୍କାର ସାମଗ୍ରୀ ପାଣିରେ ନଷ୍ଟ ହୋଇଛି । ମଙ୍ଗଳପୁରରୁ ଶିଙ୍ଗାଖୁଣ୍ଟା ଓ ଜୋକା ରାସ୍ତାରେ  ଆଣ୍ଠୁଏ ଜଳ ପ୍ରବାହିତ ହେଉଥିବାରୁ ସାଧାରଣ ଜୀବନ ଯାତ୍ରା ଅଚଳ ହୋଇ ପଡ଼ିଛି ।

ବସ୍ତା ବ୍ଲକ ମୁଖ୍ୟ ଚିକିତ୍ସାଳୟରେ ପଶିଛି ପାଣି । ହସପିଟାଲର ବିଭିନ୍ନ ୱାର୍ଡ ପାଣି ଘେରରେ ଅଛି । ପାଣି ନିଷ୍କାସିତ ହୋଇ ନ ପାରିବାରୁ ରୋଗୀ ସେବା ଠପ ହୋଇଯାଇଛି ।

ଲଗାଣ ବର୍ଷା ଫଳରେ ବାଲେଶ୍ୱର ସହରର ରେମୁଣା ମୁଖ୍ୟ ରାସ୍ତାରେ ନୂଆ ସାହି ନିକଟରେ ତିନି ଫୁଟର ପାଣି ଲହଡ଼ି ମାରୁଛି । ଫଳରେ ଯିବା ଆସିବା ବାଧାପ୍ରାପ୍ତ ହୋଇଛି । ପାଣି ଭରିବା ଫଳରେ ଅନେକ ଦୋକାନ ଘର ଭିତରେ ପାଣି ପଶି ଜିନିଷ ପତ୍ର ନଷ୍ଟ ହୋଇଯାଇଛି ।

ଏହା ବି ପଢ଼ନ୍ତୁ | ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ: ପରିବାର ପଚାରିଲା ‘କୋଠରୀ କାହିଁକି ସିଲ୍ କଲାନି ପୋଲିସ? ରଙ୍ଗ କାହିଁକି କରାଗଲା?’

ଏହା ବି ପଢ଼ନ୍ତୁ | ଅନଲାଇନ୍ ଠକେଇ ପାଇଁ ଅନ୍ତର୍ଜାତୀୟ ଗ୍ୟାଙ୍ଗ୍ ଏହି ମହିଳାଙ୍କ ଠାରୁ ଭଡ଼ାରେ ନେଉଥିଲେ ଆକାଉଣ୍ଟ୍

ବନ୍ୟାକୁ ନେଇ ପ୍ରଶାସନ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛି  । ଜିଲ୍ଲାର ଜରୁରୀକାଳୀନ ଅଫିସରେ ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଛି । ସବୁ ବ୍ଲକରେ ଅଗ୍ନିଶମ ବିଭାଗକୁ ପ୍ରସ୍ତୁତ ରଖାଯାଇଥିବା ବେଳେ ଭୁବନେଶ୍ୱରରୁ ଏକ ଓଡ୍ରାଫ ଟିମ ବାଲେଶ୍ୱର ଅଭିମୁଖେ ଆସୁଛି । ଏନଡିଆରଫ (NDRF) ଓ ଓଡ୍ରାଫ (ODRAF) ସମେତ ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ ରଖାଯାଇଛି ।



‘‘ଆବଶ୍ୟକ ହେଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯିବା ସହିତ ଶୁଖିଲା ଖାଦ୍ୟର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏକ ୨୪-ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ସମ୍ପୁର୍ଣ୍ଣ ପରିସ୍ଥିତି ଉପରେ ନଜର ରଖାଯାଉଛି । ପ୍ରତି ବ୍ଲକର ବିଡ଼ିଓ ଓ ତହସିଲଦାରମାନଙ୍କୁ ଏଲର୍ଟ କରାଯାଇଛି । ଉପର ମୁଣ୍ଡରେ ଅଧିକ ବର୍ଷା ହେତୁ ଜଳ ସ୍ତର ବଢ଼ୁଛି । ହେଲେ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି,’’ କହିଛନ୍ତି ଜିଲ୍ଲା ଜରୁରୀକାଳୀନ ଅଧିକାରୀ ।
Published by:Anand Shankar Thankur Das
First published: