ଏ ବର୍ଷ ମଧ୍ୟ କୋରନା କଟକଣାରେ ଅନୁଷ୍ଠିତ ହୋଇଛି ମା' ଦୁର୍ଗାଙ୍କ ଭସାଣି ଉତ୍ସବ

ଚଳିତ ବର୍ଷ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ମୋଟ ୧୬୪ଟି ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତିର ପୂଜାର୍ଚ୍ଚନା ହୋଇଥିଲା। କିଛି ପୂଜା କମିଟି ପକ୍ଷରୁ କୋଭିଡ କଟକଣା କାରଣରୁ କେଵଳ ଘଟ ପୂଜା ଭିତରେ ସୀମିତ ରଖାଯାଇଥିଲା।

ଏ ବର୍ଷ ମଧ୍ୟ କୋରନା କଟକଣାରେ ଅନୁଷ୍ଠିତ ହୋଇଛି ମା' ଦୁର୍ଗାଙ୍କ ଭସାଣି ଉତ୍ସବ

ଏ ବର୍ଷ ମଧ୍ୟ କୋରନା କଟକଣାରେ ଅନୁଷ୍ଠିତ ହୋଇଛି ମା' ଦୁର୍ଗାଙ୍କ ଭସାଣି ଉତ୍ସବ

  • Share this:
News18 Odia Digital

ଭୁବନେଶ୍ବର: ବିନା ବାଜା, ବିନା ରୋଷଣୀ ଓ ବିନା ପଟୁଆରରେ ଆଡ଼ମ୍ବର ବିହୀନଭାବେ ଭୁବନେଶ୍ୱରରେ ଏଥର ଅନୁଷ୍ଠିତ ହୋଇଥିଲା ଦେବୀ ଦୁର୍ଗାଙ୍କ ଭସାଣି ଉତ୍ସବ। ଏଥର ଭୁବନେଶ୍ୱର ମହାନଗର ନିଗମ ଓ ଏହାର ଆଖପାଖ ଅଞ୍ଚଳରେ ମୋଟ ୧୬୪ଟି ସ୍ଥାନରେ ମୃଣ୍ମୟୀ ମୂର୍ତ୍ତିରେ ପୂଜାର୍ଚ୍ଚନା କରାଯାଇଥିଲା। କୋଭିଡ କଟକଣା କାରଣରୁ ଉଭୟ କୁଆଖାଇ ନଦୀ ତଥା ଦୟାନଦୀ କୂଳରେ ହୋଇଥିବା ତିନୋଟି ଅସ୍ଥାୟୀ ପୋଖରୀରେ ଶାନ୍ତି ଶୃଙ୍ଖଳାର ସହିତ ମା'ଙ୍କୁ ବିସର୍ଜନ କରାଯାଇଥିଲା ।

ଚଳିତ ବର୍ଷ କୋଭିଡ କଟକଣା କାରଣରୁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ନିରାଡ଼ମ୍ବର ଭାବେ ଦେବୀ ଦୁର୍ଗାଙ୍କ ପୂଜା ଉତ୍ସଵ ଆୟୋଜନ କରାଯାଇଥିଲା । ସମାନ ଧାରାରେ ମଧ୍ୟ ସମ୍ପୂର୍ଣ୍ଣ ନିରାଡ଼ମ୍ବର ଭିତରେ ଆୟୋଜିତ ହୋଇଥିଲା ଭସାଣି ଉତ୍ସବ। ଏଥି ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଜାରି ହୋଇଥିବା କୋଭିଡ ଗାଇଡ଼ଲାଇନକୁ ସମସ୍ତ ଛୋଟ ବଡ଼ ପୂଜା କମିଟି ପାଳନ କରିଥିବା ଦେଖିବାକୁ ମିଳିଥିଲା ।

ଚଳିତ ବର୍ଷ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ମୋଟ ୧୬୪ଟି ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତିର ପୂଜାର୍ଚ୍ଚନା ହୋଇଥିଲା। କିଛି ପୂଜା କମିଟି ପକ୍ଷରୁ କୋଭିଡ କଟକଣା କାରଣରୁ କେଵଳ ଘଟ ପୂଜା ଭିତରେ ସୀମିତ ରଖାଯାଇଥିଲା।

ଭୁବନେଶ୍ୱରରେ ଏଥର ଅନୁଷ୍ଠିତ ହୋଇଥିଲା ଦେବୀ ଦୁର୍ଗାଙ୍କ ଭସାଣି ଉତ୍ସବ


ଏଥର କୋଭିଡ ଗାଇଡ଼ଲାଇନ ଭିତରେ ସନ୍ଧ୍ୟା ୬ଟା ପୂର୍ବରୁ ବିସର୍ଜନ ସାରିବାକୁ ନିଷ୍ପତ୍ତି ହୋଇଥିବାରୁ ଏହାକୁ ସମସ୍ତ ପୂଜା କମିଟି ଅନୁପାଳନ କରିଥିବା ଦେଖିବାକୁ ମିଳିଥିଲା।

ସହିଦ ନଗର ପୂଜା ସମିତି କର୍ମକର୍ତ୍ତା ରାଜେଶ ପଟ୍ଟନାୟକଙ୍କ କହିବା ଅନୁସାରେ, ପୂଜା ସମୟରେ ଜାରି ହୋଇଥିବା ସବୁ କଟକଣାକୁ ନିଷ୍ଠାର ସହିତ ପାଳନ କରିଛି କମିଟି। ଭକ୍ତଙ୍କ ଦର୍ଶନ କଟକଣା ଠାରୁ ଆରମ୍ଭ କରି ମଣ୍ଡପରେ ସୀମିତ ସଂଖ୍ୟକ କର୍ମକର୍ତ୍ତାଙ୍କୁ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସମାନ ଭାବେ ଭସାଣି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ସେପଟେ ଷ୍ଟେସନ ବଜାର ପୂଜା କମିଟି ସଦସ୍ୟ ଆଶୁତୋଷ ପୁହାଣ କହିଥିଲେ, ‘‘କୋଭିଡ଼ କଟକଣାକୁ ସେମାନେ କେଵଳ ପୂଜାରେ ସୀମିତ ରଖିନଥିଲେ, ଭସାଣିରେ ମଧ୍ୟ ଏହି ନିୟମ ପାଳନ ଉପରେ ଗୁରୁତ୍ୱ ଦେଇଥିଲେ।’

କୁଆଖାଇ ଓ ଦୟାନଦୀରେ ତିନୋଟି ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଥିଲା


ଭସାଣି ପାଇଁ ଭୁବନେଶ୍ୱରରେ ସକାଳ ୭ଟାରୁ ଆରମ୍ଭ ହୋଇଥିଲା ବିସର୍ଜନ ପ୍ରକ୍ରିୟା। ଏଥି ପାଇଁ ଭୁବନେଶ୍ୱର ନିକଟରେ ଥିବା କୁଆଖାଇ ଓ ଦୟାନଦୀରେ ତିନୋଟି ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଥିଲା। ବିନା ଆଡମ୍ବରରେ ଭସାଣୀ ଉତ୍ସବ ଅନୁଷ୍ଠିତ ହେଉଥିବା କାରଣରୁ ଭସାଣି ଅସ୍ଥାୟୀ ପୋଖରୀ ପାଖରେ କିଛି ବି ଭିଡ଼ ପରିଲକ୍ଷିତ ହୋଇନଥିଲା। କିନ୍ତୁ କୋଭିଡ କଟକଣା କାରଣାରୁ ଏଥର ପୂଜାର ମହଲ ଫିକା ଥିବାରୁ ଆସନ୍ତା ବର୍ଷକୁ ଜାକଜମକରେ ପୂଜା ପାଳନ ପାଇଁ କଣ୍ଟ ଦେଇ ଅନେକ ଶ୍ରଦ୍ଧାଳୁ ଦେବାଙ୍କୁ ମେଲାଣି ଦେଇଥିଲେ।

ଦୁଇ ବର୍ଷ ଧରି କେବଳ ଔପଚାରିକ ଭାବେ ଦେବୀଙ୍କ ପୂଜାର୍ଚ୍ଚନା ହୋଇଥିବାରୁ ଏଥର ବିଦାୟ ବେଳାରେ ଅନେକ ଭକ୍ତ ଭାବବିହ୍ୱଳ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା। ତେବେ ନିରାଡ଼ମ୍ବର ଭାବେ ଦେବୀଙ୍କ ଭସାଣି ଉତ୍ସବ ପାଳନ ହେଉଥିଲେ ବି କୌଣସି ପ୍ରକାର ଅଘଟଣକୁ ଆଖିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।
Published by:Lipina Das
First published: