News18 Odia Digital
ବଢ଼ିଲା ବାତ୍ୟା ଆଶଙ୍କା । ସମ୍ଭାବ୍ୟ ବାତ୍ୟା 'ମୋକା' (Cyclone Mocha) ନେଇ ବଡ଼ ସଙ୍କେତ ଦେଲା ଭାରତୀୟ ପାଣିପାଗ ବିଭାଗ । IMDର ତାଜା ୱେଦର ବୁଲେଟିନ୍ (Weather Bulletin) ରେ ଏନେଇ ସ୍ପଷ୍ଟ ସୂଚନା ଦିଆଯାଇଛି । ଏଥିର କୁହାଯାଇଛି ଯେ, ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ୬ ତାରିଖରେ ପ୍ରକୃତ ହଲ୍ଚଲ୍ ଆରମ୍ଭ ହେବ । ଏହା ଆଗକୁ ଘନୀଭୂତ ହେବା ପାଇଁ ଏହି ଅଞ୍ଚଳରେ ପାଗ ବେଶ୍ ଅନୁକୁଳ ରହିଛି । ଶନିବାର ଦିନ ହିଁ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ଏବଂ ଏହାର ୨୪ ଘଣ୍ଟା ପରେ ଅର୍ଥାତ ୭ ତାରିଖରେ ଏଠାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଡିପ୍ରେସନ୍ ବା ଅବପାତର ରୂପ ନେବ । ଅବପାତ ଅବସ୍ଥାରେ ପବନର ବେଗ ୭୦ କିଲୋମଟିର ଯାଏ ରହିପାରେ ବୋଲି IMD ପକ୍ଷରୁ ସୂଚନା ଦିଆଯାଇଛି I
ବାତ୍ୟା କେଉଁ ଦିନ ସୃଷ୍ଟି ହେବ ? ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ୮ରେ ଅବପାତ ହେବା ପରେ ଏହା ୨୪ ଘଣ୍ଟାରେ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି ବାତ୍ୟା ସୃଷ୍ଟି ହେଲାପରେ ହିଁ ଗତିପଥକୁ ନେଇ କିଛି ଆକଳନ କରିହେବ । ଏହା ବାତ୍ୟାର ରୂପନେବା ପରେ ଉତ୍ତର ଦିଗକୁ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ମୁହାଁଇବ । ଭାରତୀୟ ପାଣିପାଗ ବିଭାଗର ବିଶେଷଜ୍ଞ କହିଛନ୍ତି ଏହି ସିଷ୍ଟମ ଉପରେ ନିରନ୍ତର ନଜର ରଖିଛନ୍ତି । କାରଣ ମେ ମାସରେ ବାତ୍ୟାର ସମ୍ଭାବନା ସୃଷ୍ଟି ହୋଇଥିବାରୁ ଏହା ଭୀଷଣ ରୂପ ନେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ । ଭାରତୀୟ ଉପଗ୍ରହ ଗୁଡ଼ିକରୁ ମିଳୁଥିବା ଚିତ୍ର ବୟାନ କରୁଛି, ଯେ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗର ଉପର ଆକାଶରେ ସ୍ବଳ୍ପ ଏବଂ ମଧ୍ୟମ ଧରଣର ବାଦଲ ବିକ୍ଷୀପ୍ତ ଅବସ୍ଥାରେ ରହିଛି ।
ସାଇକ୍ଲୋଜେନେସିସ କଣ ?ମେ ଦ୍ବିତୀୟ ସପ୍ତାହରେ ହେବାକୁ ଥିବା ଏହି ସିଷ୍ଟମର ସାଇକ୍ଲୋଜେନେସିସ୍ (cyclogenesis) ଉପରେ ସମସ୍ତଙ୍କ ନଜର ରହିଛି । ସାଇକ୍ଲୋଜେନେସିସ୍ ହେଉଛି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ପରବର୍ତ୍ତୀ ପ୍ରକ୍ରିୟା । ଅର୍ଥାତ ଲଘୁଚାପ ପରେ ଓ ଅବପାତ ପର୍ଯ୍ୟନ୍ତ ପହଞ୍ଚିବାର ପ୍ରକ୍ରିୟା । ଏହା ଏଇଥି ପାଇଁ ଗୁରୁତ୍ବପୂର୍ଣ୍ଣ କାରଣ ଏଥିରୁ ହିଁ ସମ୍ଭାବ୍ୟ ବାତ୍ୟା ସମ୍ପର୍କିତ ଅନେକ ତଥ୍ୟ ଜଣାପଡ଼େ । ଯେପରିକି ବାତ୍ୟା କେତେ ଭୀଷଣ ହେବ, ବାତ୍ୟାର ଗତିପଥ କଣ ରହିବ, ପବନର ବେଗ କଣ ରହିପାରେ, ସମ୍ଭାବ୍ୟ ଲ୍ୟାଣ୍ଡଫଲ୍କୁ ନେଇ ମଧ୍ୟ ଏକ ଆକଳନ କରାଯାଇପାରେ । ୭-୮ ତାରିଖ ମଧ୍ୟରେ ଏହି ପ୍ରକ୍ରିୟା ଦକ୍ଷିଣ ବଙ୍ଗୋପସାଗରରେ ହେବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।