ଭୁବନେଶ୍ୱରରେ ବେଆଇନ୍ ପଲିଥିନ୍: ବର୍ଷେ ତଳେ ଧରାପଡ଼ିଥିଲା; ପୁଣି ସେହି କାମ କରି ଧରାପଡ଼ିଲା
BMCର ଚଢ଼ାଉ ପରେ ପ୍ରଶ୍ନ ଉଠିଛି ଯେ ମାତ୍ର ବର୍ଷକ ତଳେ ବେଆଇନ ପଲିଥିନ୍ ତିଆରି କରି ଧରାପଡ଼ିଥିବା ଏହି ସଂସ୍ଥା ପୁଣି କେମିତି ସେହି ବେଆଇନ୍ କାମ କରିବା ଆରମ୍ଭ କଲା ଓ ତାହା କାହାରି ନଜରକୁ ଆସିଲା ନାହିଁ ।

ପଲିଥିନ କାରଖାନାରେ ବିଏମସି ସ୍କ୍ୱାର୍ଡର ଚଢ଼ାଉ ସମୟର ଏକ ଦୃଶ୍ୟ
- News18 Odia
- Last Updated: January 7, 2021, 5:04 PM IST
ଭୁବନେଶ୍ୱର: ପୂର୍ବରୁ ବେଆଇନ ପଲିଥିନ ଫ୍ୟାକ୍ଟ୍ରି ଚଳାଉଥିବା କାରଣରୁ ଧରା ପଡ଼ି କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିବା ବ୍ୟବସାୟୀ ପୁଣି ଥରେ ବିଏମସି ହାତରେ ସେହି ସମାନ କାରଣରୁ ଧରାପଡିଛନ୍ତି । ଭୁବନେଶ୍ୱର ଉପକଣ୍ଠ ଭଗବାନପୁରରେ ଏକ ପଲିଥିନ ଫ୍ୟାକ୍ଟ୍ରିରେ ଚଢ଼ାଉ କରି ବିପୁଳ ମାତ୍ରାରେ ପଲିଥିନ ଜବତ କରିଛି ବି.ଏମ.ସି.।
ଡିଏନ ରେଗାଲିଆ ସପିଙ୍ଗ୍ ମଲ ପଛ ପଟେ ଥିବା ଏହି କାରଖାନାକୁ ବି.ଏମ.ସି.ର ଦକ୍ଷିଣ ପଶ୍ଚିମ ଜୋନର ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ଼ ମଙ୍ଗଳବାର ଦିନ ହଠାତ ପରିଦର୍ଶନ କରିବାକୁ ଯାଇ ଅନେକ ପରିମାଣର ବେଆଇନ ପଲିଥିନ ଓ କ୍ୟାରିବ୍ୟାଗ ଦେଖିବାକୁ ପାଇଥିଲେ । ବିଏମସି ଟିମ ସାଙ୍ଗରେ ଯାଇଥିବା ପୋଲିସ ଫୋର୍ସକୁ ଦେଖି ସମ୍ପୃକ୍ତ କାରଖାନାର କର୍ମଚାରୀମାନେ ସେହି ବେଆଇନ ସମଗ୍ରୀଗୁଡ଼ିକୁ କାରଖାନା ବାହାରକୁ ଫିଙ୍ଗିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ କାବୁ କରିଥିଲା ଏନ୍ଫୋର୍ସମେଣ୍ଟ ଟିମ୍ ।
ଏହା ବି ପଢ଼ନ୍ତୁ | ଦ୍ୱିତୀୟ ନିର୍ଭୟା କାଣ୍ଡ: ମହିଳା ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ; ପୂଜାରୀ ଓ ୨ ସାଥୀ ଅଭିଯୁକ୍ତ

ଭଗବାନପୁର ଠାରେ ଥିବା ବେଆଇନ୍ ପଲିଥିନ କାରଖାନା
କାରଖାନାରେ ଥିବା ବିଭିନ୍ନ ଉତ୍ପାଦିତ ଦ୍ରବ୍ୟକୁ ଦେଖିବା ପରେ ୬୯ଟି ୨୫କେଜି ବିଶିଷ୍ଟ ପଲିଥିନ କ୍ୟାରିବ୍ୟାଗ୍ ବସ୍ତା ଠାବ କରାଯାଇଥିଲା । ପରବର୍ତ୍ତୀ ସମୟରେ ଦକ୍ଷିଣ ପଶ୍ଚିମ ଜୋନର ଜୋନାଲ ଡେପୁଟି କମିଶନର ରବି ନାରାୟଣ ଜେଠି ସେହି କାରଖାନାକୁ ଯାଇ ବେଆଇନ ସମଗ୍ରୀଗୁଡ଼ିକୁ ଦେଖିବା ପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼କୁ ନମୁନା ପରୀକ୍ଷା ପାଇଁ ଖବର ଦେଇଥିଲେ ।
ଏହା ବି ପଢ଼ନ୍ତୁ | ‘ମୋତେ ଗୁପ୍ତଚରମାନେ ବିଷ ଦେଇ ମାରିଦେବାକୁ ଚେଷ୍ଟା କରିଥିଲେ,’ କହିଲେ ISROର ବରିଷ୍ଠ ଓଡ଼ିଆ ବୈଜ୍ଞାନିକ
ଏହା ପରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ପରିବେଶ ବିଜ୍ଞାନୀ ରେବତୀ ମିଶ୍ରଙ୍କ ସହିତ ତାଙ୍କ ଲ୍ୟାବ ଆନାଲିଷ୍ଟମାନେ ଆସି ବେଆଇନ ପଲିଥିନ ସମଗ୍ରୀଗୁଡ଼ିକୁ ଚିହ୍ନଟ କରିଥିଲେ । ଡେପୁଟି କମିଶନର ସାନିଟେସନ ଶୁଭେନ୍ଦୁ କୁମାର ସାହୁଙ୍କ ନିର୍ଦ୍ଦେଶରେ ବି.ଏମ.ସି. ଏସବିଏ ସେଲର ପରିବେଶ ଏକ୍ସପର୍ଟ କୀର୍ତ୍ତିମାନ ଷଡ଼ଙ୍ଗୀ ଓ ସୁନୀଲ କୁମାର ସାମଲ ଉକ୍ତ କାରଖାନାକୁ ଯାଇ ବେଆଇନ ସମଗ୍ରୀଗୁଡ଼ିକର ସମୀକ୍ଷା କରିବା ସହିତ ଏହାର ବିବରଣୀ ବିଏମସିକୁ ହସ୍ତାନ୍ତର କରିଛନ୍ତି । ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ସମ୍ପୃକ୍ତ କାରଖାନାକୁ କଡ଼ା ଚେତାବନୀ ଦିଆଯାଇ ଭବିଷ୍ୟତରେ ଏପରି ସାମଗ୍ରୀ ଉତ୍ପାଦନ ନ କରିବାକୁ ଚେତାବନୀ ଦିଆଯାଇଛି ।
ଏହା ବି ପଢ଼ନ୍ତୁ | Big Boss 14 ଘରେ ପ୍ରବେଶ କରିବେ ରାଖୀ ସାୱନ୍ତଙ୍କ ସ୍ୱାମୀ; ସଲମାନ ଖାଁଙ୍କୁ ପ୍ରଶଂସା କଲେ
‘‘ସେହି କାରଖାନାରୁ ପ୍ରାୟ ୧୫୦ କ୍ୱିଣ୍ଟାଲ ପଲିଥିନ ଜବତ କରାଯାଇଛି । କାରଖାନା ମାଲିକଙ୍କ ଠାରୁ ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଭାବିଷ୍ୟତରେ ଏଭଳି କାର୍ଯ୍ୟ କଲେ ଫ୍ୟାକ୍ଟ୍ରି ସିଲ କରିବାକୁ ଚେତାବନୀ ଦିଆଯାଇଛି,’’ କହିଛନ୍ତି ବିଏମସି ଡେପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ ।
ସୋମବାର ବିଏମସି ଏନଫୋର୍ସମେଣ୍ଟ ଟିମ୍ ପକ୍ଷରୁ ଭୁବନେଶ୍ୱର ୟୁନିଟ ୧ ହାଟରେ ଏକ ବଡ଼ ଗୋଦାମ ଉପରେ ଚଢ଼ାଉ କରାଯାଇଥିଲା । ସେଠାରୁ ଆନୁମାନିକ ୫୦ କେଜିରୁ ଉର୍ଦ୍ଧ୍ବ ପ୍ଲାଷ୍ଟିକ ଓ ପଲିଥିନ ଠାବ କରାଯାଇଥିଲା। ଚଢ଼ାଉ ଦେଖି ମାଲିକ ଫେରାର ହୋଇଯାଇଥିଲେ। ପଲିଥିନ ବିକ୍ରି ଓ ବ୍ୟବହାର ନ କରିବାକୁ ବାରମ୍ବାର ସଚେତନ କରାଯାଉଥିଲେ ବି ଭୁବନେଶ୍ୱରରେ ଏହା ବନ୍ଦ ହେଉଥିବା ପରି ଲାଗୁନି ।