• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ବାଙ୍କୀରେ ପଥର ମାଫିଆଙ୍କ ରାଜ୍: ରାଜସ୍ବ ନୀରିକ୍ଷକ, କର୍ମଚାରୀଙ୍କୁ ମାଡ ମାରିଲେ; କାର୍ଯ୍ୟାନୁଷ୍ଠାନ ନେଉନି ପୋଲିସ

ବାଙ୍କୀରେ ପଥର ମାଫିଆଙ୍କ ରାଜ୍: ରାଜସ୍ବ ନୀରିକ୍ଷକ, କର୍ମଚାରୀଙ୍କୁ ମାଡ ମାରିଲେ; କାର୍ଯ୍ୟାନୁଷ୍ଠାନ ନେଉନି ପୋଲିସ

ବେଆଇନ ପଥର ମାଫିଆଙ୍କ ଆତଙ୍କରାଜର ଶିକାର ହୋଇଥିବା ଜଣେ ରାଜସ୍ବ ନୀରିକ୍ଷକ ଥାନାରେ ଅଭିଯୋଗ କରିଥିଲେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି ।

ପ୍ରତୀକାତ୍ମକ ଫଟୋ

ପ୍ରତୀକାତ୍ମକ ଫଟୋ

  • Share this:
ସନ୍ତୋଷ ବାରିକ | News18 Odia Digital

ବାଙ୍କୀ: ବାଙ୍କୀ ନିକଟ ଡମପଡା ତହସିଲରେ ରାଜସ୍ବ ବିଭାଗର କର୍ମଚାରୀମାନେ ବେଆଇନ ପଥର ବୋଝେଇ ଗାଡ଼ି ଜବତ କରିଥିବାବେଳେ ପଥର ମାଫିଆମାନେ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏହି ଘଟଣା ପରେ ଆକ୍ରମଣରେ ଆହତ ରାଜସ୍ବ ବିଭାଗର କର୍ମଚାରୀ ଏବଂ ସ୍ଥାନୀୟ ତହସିଲଦାର ଥାନରେ ଅଭିଯୋଗ କରିଥିଲେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

କଟକ ଜିଲ୍ଲା ବାଙ୍କୀ ଅନ୍ତର୍ଗତ ତାଳବସ୍ତ ରାଜସ୍ବ ସର୍କଲରେ ଗତ ୮ ତାରିଖରେ ରାଜସ୍ଯ ନୀରିକ୍ଷକ ଦେବାଶିଷ ପଣ୍ଡା ଓ ଜଣେ କର୍ମଚାରୀ ସର୍କଲରେ ଥିବା ପଦନପୁରକୁ ଏକ ସରକାରୀ କାର୍ଯ୍ଯରେ ଯାଉଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ ତାଳବସ୍ତ ଅଭିମୁଖେ ୩ଟି ବେଆାଇନ ମାଙ୍କଡା ପଥର ବୋଝେଇ ଟ୍ରକ ଯାଉଥିବା ଦେଖିଥିଲେ । ପରେ ତୁରନ୍ତ ଗାଡିଗୁଡ଼ିକୁ ଅଟକାଇ ସରକାରୀ ନିୟମ ଅନୁଯାୟୀ ଚାଲଣ କାଟିବା ପାଇଁ କହିଥିଲେ ।

ମାତ୍ର ସେଠାରେ ତାଳବସ୍ତ ଗ୍ରାମରୁ ୭ରୁ ଊର୍ଦ୍ଧ୍ବ ପଥର ମାଫିଆ ପହଞ୍ଚି ରାଜସ୍ବ ନୀରିକ୍ଷକଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ । ପରେ ୩ଟି ଗାଡ଼ିକୁ ନେଇ ସେଠାରୁ ଫେରାର ହୋଇଯାଇଥିଲେ । ଏହି ଘଟଣା ସମ୍ପର୍କରେ ରାଜସ୍ବ ନୀରିକ୍ଷକ ଡମପଡା ତହସିଲଦାରଙ୍କୁ ଜଣାଇବା ସହ ବାଙ୍କୀ ଥାନାରେ ତହସିଲଦାର ଓ ରାଜସ୍ବ ନୀରିକ୍ଷକ ଲିଖିତ ଅଭିଯୋଗ କରିଥିଲେ।

‘‘ଅଭିଯୋଗ ପରେ ପଥର ମାଫିଆମାନେ ରାଜସ୍ବ ନୀରକ୍ଷକଙ୍କୁ ଫୋନ ଯୋଗେ ଏତଲା ଉଠାଇବାକୁ ଧମକ ଦେବା ସହିତ ଜୀବନରୁ ମାରି ଦେବାକୁ ବାରମ୍ବାର ଧମକାଉଛନ୍ତି । ଅନ୍ୟପଟେ ଏତଲାକୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ ମାମଲା ରୁଜୁ କରିନଥିବାରୁ ରାଜସ୍ବ ନୀରିକ୍ଷକ କ୍ଷୋଭ ପ୍ରକାଶ କରିଛନ୍ତି । ଏହା ସହ ରାଜ୍ୟରେ ସରକାରୀ କର୍ମଚାରୀ ସୁରକ୍ଷିତ ନଥିବା ଏବଂ ନ୍ୟାୟ ନମିଳିଲେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି’’ ।

‘‘ଦିନ ଦ୍ବିପହରେ ସରକାରୀ କର୍ମଚାରୀଙ୍କୁ ରାଜରାସ୍ତାରେ ମାଡ଼ ମରାଯାଉଥିବାବେଳେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଅତ୍ୟନ୍ତ କ୍ଷୋଭର ବିଷୟ । ମାଫିଆ ଓ ପୋଲିସ ମଧ୍ୟରେ ଥିବା ମଧୁଚନ୍ଦ୍ରିକା ଏବେ ହାଟରେ ପଡି ଦାଣ୍ଡରେ ଗଡୁଥିବା ବେଳେ ସାଧାରଣ ଲୋକ ପୋଲିସର ନିଷ୍କିକ୍ରୟତାକୁ ନେଇ ପ୍ରଶ୍ନ ଉଠାଇବା ସହିତ ତୁରନ୍ତ ପଥର ମାଫିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି’’ ।

‘‘ରାଜସ୍ବ ନୀରିକ୍ଷକଙ୍କ ଦାୟିତ୍ବ ହେଉଛି ଜାତୀୟ ସମ୍ପତ୍ତିର ସୁରକ୍ଷା କରିବା । ଏଥିପାଇଁ ତାଙ୍କୁ ସରକାର କ୍ଷମତା ପ୍ରଦାନ କରିଛନ୍ତି । ଯଦି ପଥର ମାଫିଆମାନେ ରାଜସ୍ବ ନୀରିକ୍ଷକଙ୍କୁ ତାଙ୍କ କର୍ତ୍ତବ୍ୟ ସମୟରେ ଏଭଳି ମାଡମାରିଛନ୍ତି ତେବେ ଏହା ଗୁରୁତର ଅପରାଧ ଅଟେ । ଅପରାଧୀ ମାନଙ୍କ ବିରୁଦ୍ଧରେ ପୋଲିସ ୨୪ ଘଣ୍ଟା ମଧ୍ଯରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା ଜଦି ନ କରିଛି ତେବେ ମାଫିଆଙ୍କ ସହିତ ପୋଲିସର ସଲାସୁତରା ଥିବା’’ ଓଡ଼ିଶା ହାଇକୋର୍ଟର ଆଇନଜୀବୀ ପ୍ରଦୀପ ପଟ୍ଟନାୟକ କହିଛନ୍ତି ।

‘‘ତେବେ ଜଣେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ପଥର ମାଫିଆମାନେ ରାଜରାସ୍ତାରେ ଦିନ ଦ୍ବିପ୍ରହରେ ମାଡମାରିବା ଏବଂ ଜବତ କରିଥିବା ବେଆଇନ ପଥର ବୋଝେଇ ଟ୍ରକକୁ ଛଡାଇନେବା ଅତ୍ୟନ୍ତ ନିନ୍ଦନୀୟ । ପୋଲିସରେ ଅଭିଯୋଗ ପରେ ବି ପୋଲିସ କୌଣସି ପଦକ୍ଷେପ ନନେବା ସରକାରଙ୍କ ୫ଟି ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିବା ସହିତ ସରକାର ନିଜ କର୍ମଚାରୀଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି’’ ବୋଲି ସ୍ଥାନୀୟ ବାସିନ୍ଦା ବିନୋଦ ଦାସ କହିଛନ୍ତି ।
Published by:Durgamadhab Rath
First published: