ଆକାଶଛୁଆଁ ହେଲା ଇଲିଶି ମାଛର ଦର; କମ୍ ବର୍ଷା ଓ ବଡ଼ ଟ୍ରଲର୍ ବ୍ୟବହାର ଯୋଗୁଁ କମ୍ ମିଳୁଛି

‘‘ମାଛ ଖାଇବ ତ ଇଲିଶି; ଏ ମାଛ ଯିଏ ଖାଇନି ସେ ମାଛ ଖାଇନି’’ ବୋଲି ଅନେକେ କୁହନ୍ତି । ବର୍ଷର ଏହି ସମୟରେ ଇଲିଶି ମାଛର ଦର କମେ, ହେଲେ ଏବେ ଏହା ୨,୦୦୦ ଟଙ୍କାରୁ ୨,୪୦୦ ଟଙ୍କା ପ୍ରତି କିଲୋ ଦାମରେ ବିକ୍ରି ହେଉଛି ।

ଆକାଶଛୁଆଁ ହେଲା ଇଲିଶି ମାଛର ଦର; କମ୍ ବର୍ଷା ଓ ବଡ଼ ଟ୍ରଲର୍ ବ୍ୟବହାର ଯୋଗୁଁ କମ୍ ମିଳୁଛି
ଚଳିତ ବର୍ଷ ଯଥେଷ୍ଟ ବର୍ଷା ନ ଥିବାରୁ ଇଲିଶି ମାଛଅନେକଙ୍କ ପାଇଁ ସ୍ୱପ୍ନ ପାଲଟିଛି ।
  • News18 Odia
  • Last Updated: August 8, 2020, 10:34 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ବର୍ଷା ଅଭାବରୁ ବଜାରରେ ଏବେ ଇଲିଶି ମାଛର ଅଭାବ ପରିଲକ୍ଷିତ ହୋଇଛି । ବଜାରକୁ ବହୁତ କମ ସଂଖ୍ୟାରେ ମାଛ ଆସୁଥିବା ବେଳେ ଦୁଇ ଗୁଣା ଦରରେ ବିକ୍ରି ହେଉଥିବା ମଧ୍ୟ ଦେଖିବାକୁ ମିଳିଛି । ଏପରିକି ୨,୦୦୦ ଟଙ୍କାରୁ ୨,୪୦୦ ଟଙ୍କା ପ୍ରତି କିଲୋ ଦାମରେ ବିକ୍ରି ହେଉଛି ଇଲିଶି ।

‘‘ମାଛ ଖାଇବ ତ ଇଲିଶି; ଏ ମାଛ ଯିଏ ଖାଇନି ସେ ମାଛ ଖାଇନି’’ ବୋଲି ଅନେକେ କୁହନ୍ତି । ସତରେ ଇଲିଶି ମାଛର ନାଁ ଶୁଣିଲେ ପିଲା ଠାରୁ ବୃଦ୍ଧ ସମସ୍ତଙ୍କର ମୁଁହରେ ଲାଳ ବୋହିଆସେ । ସ୍ୱାଦିଷ୍ଟ ମାଛମାନଙ୍କ ମଧ୍ୟରେ ରାଜା ହେଉଛି ଇଲିଶି । ସେଇଥି ପାଇଁ ତ ବର୍ଷ ସାରା ଇଲିଶି ମାଛର ଚାହିଦା ଅକାଶଛୁଆଁ ଥାଏ । ତେବେ ବର୍ଷର ଶ୍ରାବଣ ଓ ଭାଦ୍ରବ ମାସରେ ସବୁ ଠାରୁ ଶସ୍ତା ହୁଏ ଇଲିଶି । ତେଣୁ ଏଇ ଦୁଇ ମାସ ଆମିଷ ପ୍ରେମୀ ଚାହିଁ ରହିଥାନ୍ତି ଇଲିଶି ମାଛ ପାଇଁ । ହେଲେ ଚଳିତ ଥର ଇଲିଶି ଅଭାବ ନିରାଶ କରିଛି ଲୋକଙ୍କୁ ।

ମାଛ ମାରିବାକୁ ଯାଉଥିବା ଟ୍ରଲର୍‌ ଜାଲରେ ଦୈନିକ ମାତ୍ର ୬୦୦ରୁ ୭୦୦ କିଲୋ ମାଛ ଆସୁଛି, ତେଣୁ ଆମଦାନୀ ବେଳକୁ ଏହାର ଦର ଆକାଶ ଛୁଇଁ ହୋଇଯାଉଛି । ମତ୍ସ୍ୟଜୀବୀଙ୍କ କହିବା ଅନୁସାରେ ବର୍ଷା ଅଭାବରୁ ଏ ଭଳି ହେଉଛି । ଯେତେ ପରିମାଣରେ ବର୍ଷା ହେବା କଥା ସେତିକି ନ ହେବାରୁ ଇଲିଶି ମାଛର ଅଭାବ ଦେଖାଦେଉଛି ।

ସାଧାରଣ ଲୋକ ପାଇଁ ଇଲିଶି ମାଛ କିଣି ଖାଇବା କଷ୍ଟକର ହୋଇ ପଡ଼ିଛି ।


ସାଧାରଣତଃ ଶ୍ରାବଣ ଓ ଭାଦ୍ରବ ମାସରେ ଅତି ପ୍ରବଳ ବର୍ଷା ଦେଖା ହୋଇଥାଏ । ଫଳରେ ଇଲିଶି ମାଛ ଲୁଣା ପାଣି ଛାଡ଼ି ମିଠା ପାଣି ପାଇଁ କୂଳ ଆଡ଼କୁ ଆସନ୍ତି । ସେଇଥି ପାଇଁ ବହୁଳ ପରିମାଣରେ ଇଲିଶି ମାଛ ମତ୍ସ୍ୟଜୀବୀମାନେ ଧରିବାରେ ସକ୍ଷମ ହୋଇଥାନ୍ତି ।

ହେଲେ ଚଳିତ ବର୍ଷ ଯଥେଷ୍ଟ ବର୍ଷା ନାହିଁ । ୩୦% କମ ବର୍ଷା ଜୁଲାଇରେ ରେକର୍ଡ ହୋଇଛି । ଫଳରେ ବର୍ଷା ଅଭାବରୁ ଇଲିଶି ସ୍ୱପ୍ନ ପାଲଟିଛି । ଏବେ ଯାହା କିଛି ଇଲିଶି ଆସୁଛି ଦର ଏତେ ଯେ ସାଧାରଣ ଲୋକ ପାଇଁ କିଣିବା କଷ୍ଟକର ହୋଇ ପଡ଼ିଛି । ଏବେ ପାଖାପାଖି ୨୫୦ ଗ୍ରାମରୁ ୩୦୦ ଗ୍ରାମ ଇଲିଶି ଦର ୫୦୦ ଟଙ୍କା ଥିବା ବେଳେ ୫୦୦ରୁ ୭୦୦ ଗ୍ରାମର ଦର ୮୦୦ ଟଙ୍କାରୁ ୧,୦୦୦ ଟଙ୍କା ରହିଛି । ଟିକେ ଯଦି ବଡ଼ ମାଛ ଖୋଜିବେ ତେବେ ଦର ଆପଣଙ୍କ ହୋସ ଉଡ଼ାଇ ଦେବ । ଏକ କିଲୋ ଓଜନର ମାଛ ୨,୨୦୦ ଟଙ୍କାରୁ ୨,୪୦୦ ଟଙ୍କାରେ ବିକ୍ରି ହେଉଥିବା ବ୍ୟବସାୟୀମାନେ କହିଛନ୍ତି ।

କେବଳ ବର୍ଷା ଅଭାବ ନୁହେଁ, ବଡ଼ ବଡ଼ ଟ୍ରଲର ସମୁଦ୍ର ଭିତରକୁ ନ ଯାଇ କୂଳରେ ଫିସିଂ କରୁଥିବାରୁ ଇଲିଶି ଭଳି ମାଛ ଗଭୀର ସମୁଦ୍ରରୁ କୂଳକୁ ଆସୁ ନ ଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି କିଛି ମାଛ ବ୍ୟବସାୟୀ ।

ଏହା ବି ପଢ଼ନ୍ତୁ | କେରଳ ବିମାନ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୧୯; ତଦନ୍ତ ଆରମ୍ଭ ହେଲା; ବିମାନ ବନ୍ଦରରେ ସ୍ଥିତି ଥିଲା ବିପଦଜନକ

ଏହା ବି ପଢ଼ନ୍ତୁ | PM ମୋଦୀଙ୍କ ବିଶ୍ୱସ୍ତ IAS ଅଫିସର୍ ଗିରିଶ ଚନ୍ଦ୍ର ମୁର୍ମୁ CAG ପଦରେ ଆସୀନ ହୋଇଥିବା ପ୍ରଥମ ଆଦିବାସୀ

‘‘ଇଲିଶି ମାଛର ଅଭାବ ପାଇଁ କେବଳ ବର୍ଷା ନୁହେଁ, କିଛି ଟ୍ରଲର ମଧ୍ୟ ଦାୟୀ । ସମୁଦ୍ର ଭିତରକୁ ନ ଯାଇ ନିକଟରେ ବଡ଼ ବଡ଼ ଟ୍ରଲରରେ ମାଛ ଧରିବା ହେତୁ ପାଣି ଏତେ ପରିମାଣରେ ଗୋଳିଆ ହେଉଛି ଯେ ବଡ଼ ମାଛ ସେଥିରେ ଆସୁନାହାନ୍ତି । ଜୋର୍‌ ବର୍ଷା ହେଲେ ମଧ୍ୟ ମାଛ ବେଶି ମିଳିପାରେ,’’ କହିଛନ୍ତି ମାଛ ଗୋଦାମ ମାଲିକ ଶେଖ୍‌ କନଜ ।



ଟ୍ରଲର ମାଲିକ ଶେଖ୍‌ ରଜାକଉଦ୍ଦିନ କହିଛନ୍ତି, ‘‘ବର୍ଷା ନାହିଁ । ବର୍ଷା ହେଲେ ନଦୀ ନାଳରୁ ମିଠା ପାଣି ସମୁଦ୍ରରେ ଯାଇ ମିଶିଥାଏ । ଜୋରରେ ଗୋଳିଆ ପାଣି ସମୁଦ୍ର ଭିତରକୁ ପ୍ରବେଶ କରିବା ବେଳେ ମିଠା ପାଣି ଭିତରକୁ ଇଲିଶି ମାଛମାନେ ଆସିଥାନ୍ତି । ବର୍ଷା ଦିନରେ ଇଲିଶି ବେଶୀ ମିଳିଥାଏ । ଆଗକୁ ବର୍ଷା ହେଲେ ଏହି ମାଛ ବେଶୀ ମିଳିବ ଓ ଲୋକଙ୍କ ପାଟିରେ ସ୍ୱାଦିଷ୍ଟ ଇଲିଶି ବାଜିବ ।’’
Published by: Anand Shankar Thankur Das
First published: August 8, 2020, 10:34 PM IST
corona virus btn
corona virus btn
Loading