News18 Odia Digital
ଭୁବନେଶ୍ବର: ଗିରଫ ହେଲେ ଇଡକଲ ଡେପୁଟି ମ୍ୟାନେଜର ଗୟା ସାନ୍ତରା। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୟାଙ୍କୁ ଗିରଫ କରିଛି ଭିଜଲାନ୍ସ। ଗୟାଙ୍କ ସହ ତାଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରିଛି ଭିଜିଲାନ୍ସ। ଦୀର୍ଘ ୭୨ଘଣ୍ଟାର ଚଢ଼ାଉ ପରେ ଗୟାଙ୍କ ସମ୍ପତ୍ତି ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା ଭିଜିଲାନ୍ସ। ୩୫ ବର୍ଷର ଚାକିରି ମଧ୍ୟରେ ୧୦ କୋଟି ଟଙ୍କାର ସମ୍ପତ୍ତି। ଆୟଠାରୁ ୨୯୦ ଗୁଣ ଅଧିକ ସମ୍ପତ୍ତି।
ଭିଜିଲାନ୍ସ ନିର୍ଦ୍ଦେଶକ ଯଶବନ୍ତ ଯେଠୱା କହିଛନ୍ତି, "ଗୟାଙ୍କ ଏବେ ସୁଦ୍ଧା ୧୦ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଠାବ ହୋଇଛି। ଯାହା ତାଙ୍କର ଆୟ ଠାରୁ ୨୯୦ ଗୁଣ ଅଧିକ। ଯେଉଁଥିରେ ଜବତ ହୋଇଛି ନଗଦ ୧ କୋଟି ୬ ଲକ୍ଷ ଟଙ୍କା। ୧୬ଟି ବ୍ୟାଙ୍କ ଆକାଉଣ୍ଟରେ ରହିଛି ୪ କୋଟି ୪୫ ଲକ୍ଷ ଟଙ୍କା। ଚଢ଼ାଉ ବେଳେ ଘରୁ ଜବତ ହୋଉଛି ୧ କିଲୋ ୯୬ ଗ୍ରାମ ସୁନା, ୭ କେଜି ୫୦୦ ଗ୍ରାମ ରୂପା। ସେହିଭଳି ଭୁବନେଶ୍ୱରରେ ଦୁଇଟି ମଲ୍ଟି ଷ୍ଟୋରେଜ ବିଲ୍ଡିଂ ରହିଥିବା ବେଳେ ଭୁବନେଶ୍ୱର ସହ ବିଭିନ୍ନ ସ୍ଥାନରେ ରହିଛି ୧୩ଟି ପ୍ଲଟ। ବିଦେଶ ବୁଲିବା ଓ଼ ପିଲାଙ୍କ ପାଠପଢ଼ାରେ ଖର୍ଚ୍ଚ କରିଛନ୍ତି ଲକ୍ଷ ଲକ୍ଷ ଟଙ୍କା।’’
ଭିଜିଲାନ୍ସ ତଥ୍ୟ ଅନୁସାରେ, ୨୦୨୨ରେ ଓଡ଼ିଶା ଭିଜଲାନ୍ସ ୨୭୦ ମାମଲା ରୁଜୁ କରିଛି। ଯେଉଁଥିରୁ ୭୫ଟି ଆୟବହିର୍ଭୁତ ସମ୍ପତ୍ତି ଠୁଳ ସମ୍ପର୍କିତ ମାମଲା ଥିବାବେଳେ ୧୫ଟି ଟ୍ରାପ କରି ମାମଲା ରୁଜୁ ହୋଇଛି। ୬୦ଟି ମାମଲା କ୍ଲାସ ୱାନ ଅଫିସରଙ୍କ ଉପରେ ହୋଇଛି ଯାହା ଗତ ୫ ବର୍ଷରେ ସର୍ବାଧିକ।

ଗିରଫ ହେଲେ IDCOL ଡେପୁଟି ମ୍ୟାନେଜର ଗୟା ସାନ୍ତରା
ଚଳିତ ବର୍ଷ ଜାନୁଆରୀରୁ ନେଇ ଏବେ ସୁଧା ମୋଟ ୭ କୋଟି ଟଙ୍କା କ୍ୟାସ ଜବତ ହୋଇଛି। ଚଳିତ ବର୍ଷ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୧୬୦ କୋଟିର ସମ୍ପତ୍ତି ଜବତ ହୋଇଛି। ୨୦୨୨ ରେ ୮୭ଟି ମାମଲାରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ଯାହା ୫୦ ପ୍ରତିଶତରୁ ଅଧିକ।
ସେହିଭଳି ଭିଜିଲାନ୍ସ ନିର୍ଦ୍ଦେଶକ କହିଛନ୍ତି, ‘‘ଚଳିତ ବର୍ଷ ସଠିକ ତଦନ୍ତ, ଚାର୍ଜସିଟି ଦେବାକୁ ପ୍ରଥମିକତା ଦେଇଛି ଭିଜଲାନ୍ସ। ୨୦୨୧ରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଚଢ଼ାଉ କରିବା ଦେଶରେ ୧ନମ୍ବର ଥିଲା ଓଡ଼ିଶା ଭିଜଲାନ୍ସ। ସେହିଭଳି ଗତ ବର୍ଷ ସବୁ ଟ୍ରାପ ମାମଲାର ତଦନ୍ତକରି ଚାର୍ଜସିଟ ଦିଆ ସାରିଛି। ତେଣୁ ଆସନ୍ତା ୨୦୨୩ ପାଇଁ ମଧ୍ୟ ଓଡ଼ିଶା ଭିଜିଲାନ୍ସ ଦୁର୍ନୀତି ଖୋର ଅଧିକାରୀଙ୍କ ତାଲିକା ପ୍ରସ୍ତୁତ କରିଛି। ଆସନ୍ତା ବର୍ଷରେ ବଡ଼ ବଡ଼ ଅଫିସରଙ୍କ ଦୁର୍ନୀତି ମାମଲାକୁ ପ୍ରାଥମିକତା ସହ ଟେକନୋଲୋଜି ଓ଼ ଡିଜିଟାଲ ମାଧ୍ୟମରେ ଟ୍ରାପ କରିବାକୁ ଗୁରୁତ୍ୱ ଦିଆଯିବ।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।