News18 Odia Digital
ଭୁବନେଶ୍ବର: ସମୁଦ୍ରର କରାଳ ଗ୍ରାସ ଭିତରେ ଧିରେ ଧିରେ ଅସ୍ତିତ୍ବ ହରାଇବାରେ ଲାଗିଛି ରାଜ୍ୟର ପ୍ରାୟ ୪୮୦ କିଲୋମିଟର ଅଞ୍ଚଳ ପରିବ୍ୟାପ୍ତ ଉପକୂଳବର୍ତ୍ତୀ ଗାଁ ଗଣ୍ଡା । ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଏହା ଦ୍ବାରା ସର୍ବାଧିକ ପ୍ରଭାବିତ ହୋଇଛି ଗଞ୍ଜାମ, ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲା । ଯେଉଁଠି ଦିନକୁ ଦିନ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଚିନ୍ତାଜନକ ବିଷୟ ହେଲା ପ୍ରକୃତିର ଏହି ତାଣ୍ଡବକୁ ରୋକିବା ଲାଗି ଉଭୟ ସରକାରୀ ଓ ବେସରକାରୀ ଉଦ୍ୟମ ସତ୍ତ୍ୱେ ଅବସ୍ଥା ଦିନକୁ ଦିନ ଅଣାୟତ ହେଉଛି। ଏଥି ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଏହାକୁ ରୋକିବା ଲାଗି ଉଦ୍ୟମ ହେବା ଉଚିତ ବୋଲି ଉଦବେଗ ପ୍ରକାଶ କରିଛନ୍ତି ପରିବେଶ ବିଶେଷଜ୍ଞ। .
ଓଡ଼ିଶା ଉପକୂଳରେ ଲଗାତାର ଭାବେ କୂଳ ଲଙ୍ଘି ଚାଲିଛି ସମୁଦ୍ର । ନୂଆ ସୂଚନା କହୁଛି ଯେ ପ୍ରାୟ ୪୮୦ କିଲୋମିଟର ଲମ୍ବା ଓଡ଼ିଶା ଉପକୂଳର ଏବେ ସୁଦ୍ଧା ପ୍ରାୟ ୩୫ ପ୍ରତିଶତ ଅବକ୍ଷୟ ମୁଖୀ । ଯାହା ଦ୍ବାରା ସର୍ବାଧିକ ପ୍ରଭାବିତ ହୋଇଛି ଗଞ୍ଜାମ, ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲା।
ବିଶେଷଜ୍ଞଙ୍କ ମତରେ ଏହାର ମୁଖ୍ୟ କାରଣ ହେଲା ବାତ୍ୟା ପ୍ରବଣ ଓଡ଼ିଶା ଉପକୂଳ। ହେଲେ ଚିନ୍ତାଜନକ ବିଷୟ ହେଲା ଏ ଦିଗରେ ଏ ପର୍ଯ୍ୟନ୍ତ ସେଭଳି କିଛି ଠୋସ୍ ପଦକ୍ଷେପ ନିଆଯାଇ ପାରିନାହିଁ, ଯେଉଁ କାରଣରୁ ସ୍ଥିତି ଚିନ୍ତାଜନକ ଅବସ୍ଥାରେ ଆଜି ପହଞ୍ଚିଲାଣି ।

ଉପକୂଳବର୍ତ୍ତି ଗାଁ ଗଣ୍ଡା କୂଳ ଲଙ୍ଘୁଥିବା ସମୁଦ୍ରକୁ ରୋକିବାରେ ସମର୍ଥ ହେବ ICZMP ଫେଜ-୨ର ଯୋଜନା
ବରିଷ୍ଠ ପରିବେଶବିତ ତଥା ଓଡ଼ିଶା ପରିବେଶ ସମିତି ଓ.ଇ.ଏସ.ର ସାଧାରଣ ସମ୍ପାଦକ ଡ଼ଃ ଜୟକୃଷ୍ଣ ପାଣିଗ୍ରାହୀଙ୍କ ସୂଚନା ଅନୁସାରେ, ଏହି ଉପକୂଳ ଅବକ୍ଷୟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏଥି ପାଇଁ ବିଭିନ୍ନ ସମୟରେ ଉଦ୍ୟମ ହୋଇଛି। ହେଲେ ସେ ସବୁ ଫଳପ୍ରଦ ହୋଇ ପାରିନାହିଁ।
ସେହିଭଳି ବରିଷ୍ଠ ଭୂବିଜ୍ଞାନି ଗୋପାଳ କୃଷ୍ଣଙ୍କ ସୂଚନା ଅନୁସାରେ, ଗଞ୍ଜାମ, ପୁରୀ ଓ କେନ୍ଦ୍ରାପଡ଼ାର ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ଅବକ୍ଷୟ ବଢଡିବାରେ ଲାଗିଛି। ଏହାର ନିରାକରଣ ପାଇଁ ଜିଓ ଟ୍ୟୁବ, ଆଡ଼ିବନ୍ଧ ଆଦି କାର୍ଯ୍ୟକ୍ରମ କରାଯାଇଛି। Iczmp କାର୍ଯ୍ୟକ୍ରମ ଜରିଆରେ ୭ କୋଟି ବ୍ୟୟ ହୋଇଛି ହେଲେ କିଛି ଫାଇଦା ହୋଇନାହିଁ।
ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଥିବା ଆଇ.ସି.ଜେଡ.ଏମ.ପି. ଫେଜ-୨ରେ ଏହି ସ୍ଥିତିରୁ ମୁକୁଳିବା ପାଇଁ ଆରମ୍ଭ ହେବ ନୂଆ ଉଦ୍ୟମ ବୋଲି କୁହାଯାଇଛି । ଦିନକୁ ଦିନ ସମୁଦ୍ର କୂଳ ଲଙ୍ଘିବାର ଏହି ପ୍ରକ୍ରିୟା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟର ପୂରା ଉପକୂଳବର୍ତ୍ତି ଜିଲ୍ଲାରେ ଏହି ପ୍ରଭାବ ଅଳ୍ପ ବହୁତେ ଅନୁଭୂତ ହେଉଛି।
ICZMPର ବରିଷ୍ଠ ଅଧିକାରୀ ସୁଶାନ୍ତ ନନ୍ଦଙ୍କ ସୂଚନା ଅନୁସାରେ ସମୂଦ୍ର କୂଳ ଲଙ୍ଘିବା ପ୍ରକ୍ରିୟାକୁ ରୋକିବାକୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରକଳ୍ପ ହାତକୁ ନିଆଯାଇଛି। କିନ୍ତୁ ସେସବୁ ୧୦୦ ପ୍ରତିଶତ ସଫଳ ହୋଇନାହିଁ। ତେଣୁ ଏହାକୁ ଦୃଷ୍ଟିରେ ରଖି ICZMP ଫେଜ-୨ରେ କିଛି ନୂଆ ନୂଆ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଆଶା ଆଗକୁ ସ୍ଥିତି ନିୟନ୍ତ୍ରଣ ଭିତରକୁ ଆସିଯିବ।
ସ୍ଥିତି ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି। ଏଥି ପାଇଁ ସବୁ ସ୍ତରରେ ଉଦ୍ୟମ ହେବାର ଆବଶ୍ୟକତା ରହିଛି। ଉପକୂଳ ଅବକ୍ଷୟ ରୋକିବା ପାଇଁ ନିରନ୍ତର ଉଦ୍ୟମ ସହିତ ବଢୁଥିବା ଜନସଂଖ୍ୟା ଓ ଏହାର ଆବଶ୍ୟକତା ପାଇଁ ଉପକୂଳ ବ୍ୟବହାର ଉପରେ ରୋକ ଲାଗିବା ଉଚିତ୍।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।