ଘରୋଇ ଇଂରାଜୀ ମିଡିଅମ୍ ସ୍କୁଲଙ୍କ ‘ମନମୁଖୀ ବହି ବିକ୍ରୀ’ ବିରୋଧରେ ଚ଼ାଲିଛି ଆମରଣ ଅନଶନ

ଭୁବନେଶ୍ବରରେ ଘରୋଇ ଇଂରାଜୀ ମାଧ୍ୟମିକ ସ୍କୁଲମାନେ ବେଧଡ଼କ ପ୍ରାଇଭେଟ୍ ପ୍ରକାଶକମାନଙ୍କ ବହି ସାଙ୍ଗକୁ ଷ୍ଟେସନାରୀ ଜିନିଷ ବିକ୍ରୀ କରିବାରେ ବ୍ୟସ୍ତ ବୋଲି ଅଭିଯୋଗ କରିଛି ଓଡ଼ିଶା ଅଭିଭାବକ ମହାସଙ୍ଘ ।

ଘରୋଇ ଇଂରାଜୀ ମିଡିଅମ୍ ସ୍କୁଲଙ୍କ ‘ମନମୁଖୀ ବହି ବିକ୍ରୀ’ ବିରୋଧରେ ଚ଼ାଲିଛି ଆମରଣ ଅନଶନ
ଆମରଣ ଅନଶନରେ ବସିଛନ୍ତି ଓଡ଼ିଶା ଅଭିଭାବକ ମହାସଙ୍ଘର କର୍ମକର୍ତ୍ତାମାନେ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଘରୋଇ ଇଂରାଜୀ ମାଧ୍ୟମିକ ସ୍କୁଲମାନେ ପିଲାଙ୍କ ପାଠ ବହି ବିକ୍ରୀ ନାଆଁରେ ଅଭିଭାବକମାନଙ୍କୁ ଲୁଟୁଥିବା ଓ ସିବିଏସଇର ନିୟମକୁ ଖୋଲାଖୋଲି ଉଲଙ୍ଘନ କରୁଥିବା ଅଭିଯୋଗ କରି ଏହା ବିରୋଧରେ ଆମରଣ ଅନଶନରେ ବସିଛନ୍ତି ଓଡ଼ିଶା ଅଭିଭାବକ ମହାସଙ୍ଘର କର୍ମକର୍ତ୍ତାମାନେ ।

ପିଲାଙ୍କ ବହି କିଣାକୁ ନେଇ ବର୍ଷକୁ ବର୍ଷ ବଢ଼ିବାରେ ଲାଗିଛି ଅଭିଭାବକଙ୍କ ବୋଝ । ହେଲେ ରାଜଧାନୀର ଘରୋଇ ଇଂରାଜୀ ମାଧ୍ୟମିକ ସ୍କୁଲମାନେ ବେଧଡ଼କ ପ୍ରାଇଭେଟ୍ ପ୍ରକାଶକମାନଙ୍କ ବହି ସାଙ୍ଗକୁ ଷ୍ଟେସନାରୀ ଜିନିଷ ବିକ୍ରୀ କରିବାରେ ବ୍ୟସ୍ତ ବୋଲି ଅଭିଯୋଗ କରିଛି ଓଡ଼ିଶା ଅଭିଭାବକ ମହାସଙ୍ଘ । ଦୀର୍ଘ ଦିନ ଧରି ଏହି ପ୍ରକ୍ରିୟାକୁ ବିରୋଧ କରିଆସୁଥିବା ଅଭିଭାବକ ସଙ୍ଘର କର୍ମକର୍ତ୍ତାମାନେ ଏହାକୁ ନେଇ ଉଭୟ ସିବିଏସଇ (CBSE) ଓ ରାଜ୍ୟ ସରକାରଙ୍କ ନିରବତାକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସୋମବାର ଠାରୁ ଆମରଣ ଅନଶନରେ ବସିଛନ୍ତି ।

‘‘ଏହା ଆମର ଅନିର୍ଦିଷ୍ଟ କାଳ ପାଇଁ ଅନଶନ । ଯେ ପର୍ଯ୍ୟନ୍ତ ରାଜ୍ୟ ସରକାର ଘରୋଇ ଇଂରାଜୀ ମାଧ୍ୟମିକ ସ୍କୁଲ ଗୁଡ଼ିକ ଉପରେ ଅଙ୍କୁଶ ନ ଲାଗାଇଛନ୍ତି ସେ ପର୍ଯ୍ୟନ୍ତ ଏ ଆମରଣ ଅନଶନ ଜାରୀ ରହିବ,’’ କହିଛନ୍ତି ଅଭିଭାବକ ମହାସଙ୍ଘର ସଭାପତି ବାସୁଦେବ ଭଟ୍ଟ ।

ସାରା ଦେଶରେ ସିବିଏସଇ ଓ ଆଇସିଏସ୍.ଇ ବିଦ୍ୟାଳୟଗୁଡ଼ିକରେ ଏନ୍.ସି.ଇ.ଆର୍.ଟି (NCERT) ବହି ଲାଗୁ କରିବାକୁ ସିବିଏସ୍ଇର ନିର୍ଦେଶ ରହିଛି । ଏହା ସତ୍ତ୍ବେ ରାଜ୍ୟର ସବୁ ଘରୋଇ ବିଦ୍ୟାଳୟରେ ଚ଼ାଲିଛି ପ୍ରାଇଭେଟ୍ ପ୍ରକାଶକମାନଙ୍କ ‘‘ବହି ଓ ଷ୍ଟେସନାରୀ ବିକ୍ରୀ । ଯେଉଁ ବହିର ଦାମ୍ ୬୦ ଟଙ୍କା, ତାକୁ ପ୍ରାଇଭେଟ୍ ପବ୍ଲିସର୍ସ ୬୦୦ ଟଙ୍କାରେ ବିକ୍ରୀ କରୁଛନ୍ତି  । ଏପରିକି ସ୍କୁଲରୁ ବହି ସାଙ୍ଗକୁ ଖାତା, କଲମ ଓ ଷ୍ଟେସନାରୀ ଜିନିଷ କିଣିବାକୁ ପିଲାଙ୍କୁ ବାଧ୍ୟ କରାଯାଉଛି,’’ କହିଛନ୍ତି ଭଟ୍ଟ ।

ଗତ ମାସ ରାଜ୍ୟରେ ପିଲାଙ୍କ ବସ୍ତାନୀ ବୋଝ ସାଙ୍ଗକୁ ଏନ୍.ସି.ଇ.ଆର୍.ଟି. ବହି ଲାଗୁ କରିବାକୁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚ଼ିଠି କରିଥିଲା ଗଣଶିକ୍ଷା ବିଭାଗ । ଏପରିକି କମିଟି କରି ବିଭାଗକୁ ୨୦ ତାରିଖ ସୁଦ୍ଧା ରିପୋର୍ଟ କରିବାକୁ ବି ତାଗିଦ୍ କରିଥିଲା  । ହେଲେ ମାର୍ଚ୍ଚ ଆରମ୍ଭ ହେବା ପରେ ବି କୈାଣସି ଉତ୍ତର ମିଳିଲାନାହିଁ ଜିଲ୍ଲାପାଳମାନଙ୍କ ପାଖରୁ ।

ତିନି ଦିନ ତଳେ ରାଜ୍ୟ ଘରୋଇ ସ୍କୁଲ ସଙ୍ଘ ଚ଼ଳିତ ବର୍ଷ ଏନ୍.ସି.ଇ.ଆର୍.ଟି. ବହି ଲାଗୁ କରିବେ ନାହିଁ ବୋଲି କହିଥିବା ବେଳେ  ମାର୍ଚ୍ଚ ୩ ତାରିଖଠାରୁ ଘରୋଇ ସ୍କୁଲ ଗୁଡ଼ିକରେ ନାମଲେଖା ସାଙ୍ଗକୁ ବହି ବିକ୍ରୀ ଆରମ୍ଭ ହେଉଛି ।

ରାଜ୍ୟ ସରକାର ଏ ସମସ୍ୟା ଉପରେ କାହିଁକି ଅଙ୍କୁଶ ଲଗାଉ ନାହିଁନ୍ତି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ନବମ, ଦଶମ, ଏକାଦଶ ଓ ଦ୍ବାଦଶ ଶ୍ରେଣୀରେ ସାରା ଦେଶର ଛାତ୍ରଛାତ୍ରୀ କେବଳ ଏନ୍.ସି.ଇ.ଆର୍.ଟି. ବହି ପଢ଼ିବାର ନିୟମ ରହିଥିବା ବେଳେ ଅନ୍ୟ ଶ୍ରେଣୀରେ କାହିଁକି ଏହା ଲାଗୁ କରାଯାଉ ନାହିଁ ବୋଲି ଅଭିଭାବକ ମହାସଙ୍ଘ ପ୍ରଶ୍ନ କରିଛି । ଯଦି ପ୍ରାଇଭେଟ୍ ପବ୍ଲିସର୍ସ ବହି ବିକ୍ରୀ କରିବେ, ତେବେ ମନଇଚ୍ଛା ଦାମ ଉପରେ ରାଜ୍ୟ ସରକାର କାହିଁକି ହସ୍ତକ୍ଷେପ କରୁନାହିନ୍ତି ବୋଲି ମଧ୍ୟ ପ୍ରଶ୍ନ କରିଛି ମହାସଙ୍ଘ ।
First published: March 3, 2020, 2:55 PM IST