ପୁରୀରେ ରୁଣ୍ଡ ହେଲେ ଶତାଧିକ ନାଗାସାଧୁ; ଲଙ୍ଗୁଳି ମଠ ଓ ଧୂନା ଗାଦିର ସଂରକ୍ଷଣ ଦାବି କରୁଛନ୍ତି

ନାଗା ସାଧୁମାନଙ୍କ ଅନୁସାରେ ସେମାନେ ‘‘ପ୍ରଶାସନର ଦମନଲୀଳା ଓ ଅଧର୍ମ’’ର ପ୍ରତିବାଦ କରୁଛନ୍ତି । ସେମାନେ ଲଙ୍ଗୁଳି ମଠରେ ପଶି ପୁଜାର୍ଚ୍ଚନା କରିବାକୁ ଉଦ୍ୟମ କରିବା ବେଳେ ପ୍ରଶାସନ ସେମାନଙ୍କୁ ପୋଲିସ ଲଗାଇ ଅଟକାଇଥିଲା ।

ପୁରୀରେ ରୁଣ୍ଡ ହେଲେ ଶତାଧିକ ନାଗାସାଧୁ; ଲଙ୍ଗୁଳି ମଠ ଓ ଧୂନା ଗାଦିର ସଂରକ୍ଷଣ ଦାବି କରୁଛନ୍ତି
ପୁରୀରେ ଶତାଧିକ ନାଗା ସାଧୁ ବିରୋଧ ପ୍ରଦର୍ଶନ କରୁଛନ୍ତି ।
  • News18 Odia
  • Last Updated: September 27, 2020, 11:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଶ୍ରୀମନ୍ଦିରର ସିଂହଦ୍ୱାର ନିକଟରେ ଶତାଧିକ ନାଗା ସାଧୁ ଧାରଣା ଦେଇଛନ୍ତି । ସେମାନଙ୍କୁ ଲଙ୍ଗୁଳି ମଠ ଓ ଧୂନା ଗାଦିରେ ପୁରାଇ ଦେଲାନି ପୋଲିସ । ଜିଲ୍ଲା ପ୍ରଶାସନ ସେମାନଙ୍କ ସହ ଆଲୋଚନା କରି ଲଙ୍ଗୁଳି ମଠ ଓ ଧୂନା ଗାଦିର ସୁରକ୍ଷା ଓ ଶ୍ରୀମନ୍ଦିର ଐତିହ୍ୟ କରିଡର ପରିଧି ଭିତରେ ତା’ର ସଂରକ୍ଷଣ କରାଯିବ ବୋଲି ପ୍ରତିଶୃତି ଦେବା ପରେ ସେମାନଙ୍କ ଆକ୍ରୋଶ ଥମିଥିଲା ।

ଶ୍ରୀକ୍ଷେତ୍ରରେ ନାଗାସାଧୁମାନଙ୍କ ଏଭଳି ପ୍ରତିବାଦ ପୁରୀ ସହରବାସୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ଲଙ୍ଗୁଳି ମଠର ଗୁମାସ୍ତା ବର୍ତ୍ତମାନ ମହନ୍ତ ହୋଇଥିବାରୁ ତାଙ୍କୁ ବିତାଡ଼ିତ କରିବାକୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ଦେଇଛନ୍ତି ଦଶନାମୀ ଜୁନା ଆଖଡ଼ାର ନାଗାସାଧୁମାନେ  ।

ଚତୁର୍ଦ୍ଦଶ ଶତାବ୍ଦୀରେ ସିଂହଦ୍ୱାର ସମ୍ମୁଖରେ ପ୍ରତିଷ୍ଠା ହୋଇଥିଲା ଦଶନାମୀ ସମ୍ପ୍ରଦାୟର ଅନ୍ୟତମ ପ୍ରସିଦ୍ଧ ଲକ୍ଷ୍ନୀଭଦ୍ର ମଠ । ଲୋକେ ଏହାକୁ ଲଙ୍ଗୁଳୀ ମଠ ଭାବେ ଜାଣନ୍ତି । ଦକ୍ଷିଣର ଶୃଙ୍ଗେରୀ ପୀଠରେ ଭାରତୀ ଓ ପୁରୀ ଉପାଧି ବହନ କରୁଥିବା ସନ୍ନ୍ୟାସୀଙ୍କ ମଧ୍ୟରୁ ଏହି ମଠରେ କେବଳ ପୁରୀ ଉପାଧି ବହନ କରୁଥିବା ମହନ୍ତ ବା ମଠାଧୀଶ ଗାଦିସୀନ ହୋଇଥାନ୍ତି ।

ମଠର ଇତିହାସ ଅନୁସାରେ ସାଧୁ ଲକ୍ଷ୍ନୀଭଦ୍ର ଏକଦା ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାକୁ ଜିଦ ଧରିଥିଲେ  । ସେ ତାଙ୍କ ନାଗାନ୍ତକ ବିଦ୍ୟା ବଳରେ ଶ୍ରୀମନ୍ଦିରରେ ପ୍ରବେଶ କରି ଅନବସର ତାଟି ମଧ୍ୟରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଉଦ୍ୟମ କରିଥିଲେ  । ହେଲେ ଦର୍ଶନ କରି ନ ପାରି ହତାଶ ହୋଇଥିଲେ । ପରେ ମହାପ୍ରଭୁ ସାଧୁଙ୍କୁ ସ୍ୱପ୍ନରେ ଦର୍ଶନ ଦେଇ ଅନବସର ମାହାତ୍ମ୍ୟ ପ୍ରକାଶ କରିଥିଲେ । ତାଙ୍କର ନାଗାନ୍ତକ ବିଦ୍ୟା ଜଗନ୍ନାଥ ଧାମରେ ପ୍ରତିହତ ହୋଇ ତାଙ୍କୁ ପ୍ରଭୁଙ୍କର ଅନ୍ତରଙ୍ଗ ସନ୍ଥ ଭାବେ ପରିଣତ କରିଥିଲା । ସେହି ସାଧୁ ଶ୍ରୀମନ୍ଦିର ସିଂହଦ୍ୱାର ସଂଲଗ୍ନ ପୂର୍ବ-ଉତ୍ତର କୋଣରେ ଧୁନି ଜାଳି ସାଧନାରେ ରତ ଥିଲେ  ।

ନାଗା ସାଧୁମାନଙ୍କ ବିରୋଧ ପ୍ରଦର୍ଶନ ସମୟର ଏକ ଦୃଶ୍ୟ


‘‘ସାଧୁଙ୍କର ଆଶ୍ରୟ ପାଇଁ ତତ୍କାଳୀନ ଗଜପତି ମହାରାଜ ସେହି ସ୍ଥାନକୁ ସାଧୁଙ୍କୁ ପ୍ରଦାନ କରିଥିଲେ । ପରବର୍ତ୍ତୀ ସମୟରେ ସେହି ମଠଟି ସାଧୁଙ୍କ ନାମ ଅନୁଯାୟୀ ଲକ୍ଷ୍ନୀଭଦ୍ର ମଠ ଓ ତା’ ସଂଲଗ୍ନ ବ୍ୟବସାୟୀ ସ୍ଥଳଟି ଲକ୍ଷ୍ନୀ ବଜାର ନାଁରେ ପ୍ରଖ୍ୟାତ ହୋଇଥିଲା,’’ କହିଛନ୍ତି ୫୬-ବର୍ଷୀୟ ଜୁନା ଆଖଡାର ଦଶନାମୀ ସନ୍ୟାସୀ ଦିଗମ୍ବର ଜନକପୁରୀ ।

ପୁରୀ ଲୋକନାଥ ରୋଡରେ ଥିବା ନିରଞ୍ଜନ ଗାଦିର ମହନ୍ତ ୬୫-ବର୍ଷୀୟ ମନ୍ମଥପୁରୀ କହିଛନ୍ତି, ‘‘ଦେଶର ୧,୦୦୦ ନାଗା ସାଧୁ ବିଭିନ୍ନ ଆଶ୍ରମରେ ରହୁଛନ୍ତି  । ପୁରୀ ଲଙ୍ଗୁଳି ମଠରେ ବଂଶବାଦ ଅନୁଯାୟୀ ଉତ୍ତରାଧୀକାରୀମାନେ ହୁକୁମ ଚଳାଉଛନ୍ତି । ଦକ୍ଷିଣର ଶୃଙ୍ଗେରୀ ପୀଠର ନାଗାସାଧୁଙ୍କୁ ମଠରେ ପୂରାଇ ଦିଆଯାଉନାହିଁ  । ଲଙ୍ଗୁଳି ମଠରେ ନାଗାସାଧୁଙ୍କୁ ପୁରାଇ ଦିଆଯାଉନାହିଁ । ଲଙ୍ଗୁଳି ମଠ ଓ ଲକ୍ଷ୍ନୀଭଦ୍ର ମଠ ହେଉଛି ନାଗାସାଧୁଙ୍କ ଗୁରୁଗାଦି  । ସୁରକ୍ଷା ଜୋନ ନାଁରେ ଲଙ୍ଗୁଳି ମଠକୁ କି ଧୂନା ଗାଦିକୁ ଯାଇ ଧୂନି ଜାଳି ହୋମ କରିବାର ଅଧିକାରରୁ ବଞ୍ଚିତ କରାଯାଉଛି ନାଗାସାଧୁମାନଙ୍କୁ । ସେମାନଙ୍କୁ ସେଠିକି ଛଡ଼ାଯାଉନାହିଁ ।’’

ମଠରେ ମଧ୍ୟ ଠାକୁର ପୂଜା ଓ ଧୂନି ଜାଳିବାକୁ ନେଇ ପୂର୍ବରୁ ବ୍ରଜପୁରୀ ମହନ୍ତ ଥିବା ସମୟରେ ଝଗଡ଼ା ଆରମ୍ଭ ହୋଇଛି । ‘‘ତାଙ୍କ ପରେ ଏବେ ସୋମନାଥ ପୁରୀ ଫର୍ଜି ମହନ୍ତ ହୋଇଛନ୍ତି । ତାଙ୍କୁ ନାଗାନ୍ତକ ବିଦ୍ୟା ଜଣାନାହିଁ । ସେ ଯାତ୍ରୀ ଗୁମାସ୍ତାରୁ କାଳ କ୍ରମେ ମହନ୍ତ ହୋଇ ମଠକୁ ଦଖଲ କରିଛନ୍ତି,’’ କହିଛନ୍ତି ମନ୍ମଥପୁରୀ ।

ଲଙ୍ଗୁଳି ମଠ ଓ ଧୂନା ଗାଦିର ସୁରକ୍ଷା ନେଇ ଦାବି ଉଠାଇବାକୁ ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି ନାଗାସାଧୁମାନେ । ଲୋକନାଥ ରୋଡରେ ଥିବା ନିରଞ୍ଜନ ଗାଦିରେ କାଶୀ ବାରଣାସୀର ହନୁମାନ ଘାଟ ନାଗା ସ୍ଥିତ ଶ୍ରୀପଞ୍ଚଦଶନାମୀ ଜୁନାଆଖଡ଼ା ପରିଷଦର ମହନ୍ତ ବମବମ ପୁରୀ, ନାଗା ମହନ୍ତାଣୀ ସିଦ୍ଦେଶ୍ୱରୀ ପୁରୀ, ଶ୍ରୀଦିଗମ୍ବର ଜନକପୁରୀ, ଲଙ୍ଗୁଳି ମଠର ଗୁରୁ ପରମ୍ପରାରେ ଆସିଥିବା ଚେଲା ମହନ୍ତ ବିଶ୍ୱନାଥ ପୁରୀ ଓ ଛତିଶଗଡ଼ ଜଗନ୍ନାଥ ମନ୍ଦିରର ନାଗା ମହନ୍ତ ସତ୍ୟାନନ୍ଦ ପୁରୀଙ୍କ ସମେତ ଶତାଧିକ ନାଗା ସାଧୁଙ୍କର ବୈଠକ ହୋଇଥିଲା । ସେମାନେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଗୋବର୍ଦ୍ଧନ ପୀଠରେ ଭେଟି ପରାମର୍ଶ ବି କରିଥିଲେ । ତା’ ପରେ ପୁରୀ ଜିଲ୍ଲାପାଳଙ୍କୁ ଭେଟି ଦାବି ପତ୍ର ଦେଇଥିଲେ । ସେପ୍ଚେମ୍ବର ୨୬ ସନ୍ଧ୍ୟାରେ ଶତାଧିକ ନାଗାସାଧୁ ଅସ୍ତ୍ରଶସ୍ତ୍ର ଧରି ଉଲଗ୍ନ ହୋଇ ଏକ ଶୋଭାଯାତ୍ରାରେ ବାହାରିଥିଲେ ।

ପ୍ରଶାସନିକ ଅଧିକାରୀମାନଙ୍କ ସହ ନାଗା ସାଧୁଙ୍କ ବୈଠକ


‘‘ଆମେ ଏଠାରେ ପ୍ରଶାସନର ଦମନଲୀଳା ଓ ଅଧର୍ମର ପ୍ରତିବାଦ କରୁଛୁ,’’ କହିଛନ୍ତି ଦଶନାମୀ ସନ୍ନ୍ୟାସୀ ୬୭-ବର୍ଷୀୟ ମହନ୍ତ ବିଶ୍ୱନାଥ ପୁରୀ । ସାଧୁମାନେ ‘‘ଜୟ ଜଗନ୍ନାଥ, ଓମ୍‌ ନମୋ ନାରାୟଣ, ଅଲଖ ନିରଞ୍ଜନ, ହର ହର ମହାଦେବ’’ ସ୍ଲୋଗାନ ଦେବା ସହ ଶଙ୍ଖ ଧ୍ୱନିରେ ପ୍ରକମ୍ପିତ କରିଥିଲେ ବଡ଼ଦାଣ୍ଡ ଓ ସିଂହଦ୍ୱାର କରିସରକୁ ।

‘‘ଆମେ ସମସ୍ତେ ଲଙ୍ଗୁଳି ମଠରେ ପଶି ପୁଜାର୍ଚ୍ଚନା କରିବା ସହ ଧୂନା ଗାଦିରେ ଧୂନି ହୋମ କରିବାକୁ ଉଦ୍ୟମ କରିବା ବେଳେ ପ୍ରଶାସନ ପକ୍ଷରୁ ଆମକୁ ପୋଲିସ ଲଗାଇ ଅଟକାଯାଇଥିଲା । ଏହାର ପ୍ରତିବାଦ କରି ଆମେ ଧାରଣା ଦେଇଥିଲୁ,’’ କହିଛନ୍ତି ବିଶ୍ୱନାଥ ପୁରୀ ।

ଏହା ବି ପଢ଼ନ୍ତୁ | Bollywood & Drugs: ଡ୍ରଗ୍ସ ଚାଟ୍ କଥା ସ୍ୱୀକାର କଲେ ଦୀପିକା; ଶ୍ରଦ୍ଧା ଓ ସାରାଙ୍କୁ ବି ଜେରା କରାଗଲା

ଏହା ବି ପଢ଼ନ୍ତୁ CoronaVirus: ଆମେରିକାର ଦାବି, ଆୟୋଡିନ୍ ଦ୍ୱାରା ୧୫ ସେକେଣ୍ଡରେ ଦୂରେଇ ଯିବ ଭାଇରସ୍

ନାଗା ସାଧୁଙ୍କ ଅଭିଯୋଗକୁ ନେଇ ସେମାନଙ୍କ ସହ ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ଓ ଅତିରିକ୍ତ ଏସ.ପି. ଶାନ୍ତନୁ ଜେନା ନିରଞ୍ଜନ ଗାଦିକୁ ଯାଇ ସେମାନଙ୍କ ସହ ଆଲୋଚନା କରିଥିଲେ । ‘‘ସେମାନଙ୍କର ଲଙ୍ଗୁଳି ମଠର ମହନ୍ତ ପଦକୁ ନେଇ ଅନେକ ଦିନରୁ ବିବାଦ ଚାଲିଛି  । ତା’ ହେଉଛି ସେମାନଙ୍କ ଆଭ୍ୟନ୍ତରୀଣ କନ୍ଦଳ । ତଥାପି ପ୍ରଶାସନ ସେ ଦିଗରେ ସମାଧାନ କରିବ ବୋଲି ପ୍ରତିଶୃତି ଦେଇଛି । ଶ୍ରୀକ୍ଷେତ୍ର ଐତିହ୍ୟ କରିଡର ଓ ଶ୍ରୀମନ୍ଦିର ସୁରକ୍ଷା ବଳୟରେ ଲଙ୍ଗୁଳି ମଠର ସୁରକ୍ଷା ଓ ସଂରକ୍ଷଣକୁ ପ୍ରାଧାନ୍ୟ ଦିଆଯାଇଛି । ତା’ର ଉନ୍ନତିକରଣ କରାଯିବ । ନାଗାସାଧୁମାନେ କିଭଳି ତାଙ୍କର ଗୁରୁଗାଦିରେ ପୁଜାର୍ଚ୍ଚନା ଓ ଧୂନା ଗାଦିରେ ଧୂନି ହୋମ କରିବେ ସେ ନେଇ ସେମାନଙ୍କୁ ସୁଯୋଗ ଦିଆଯିବ,’’ କହିଛନ୍ତି ଅତିରିକ୍ତ ଏସପି ଶାନ୍ତନୁ ଜେନା ।



ସିଂହଦ୍ୱାରରେ ଥିବା ପ୍ରସିଦ୍ଧ ନାଗା ମଠ ଲଙ୍ଗୁଳି ମଠରେ ନକଲି ଚେଲାଙ୍କ ପ୍ରଭାବ ଓ ଧୂନି ଗାଦି ଜାଳିବାରେ ନାଗା ସାଧୁଙ୍କୁ ବଞ୍ଚିତ କରାଯିବା ଘଟଣା ଏବେ ଉଗ୍ର ରୁପ ନେଇଛି । ତେବେ ପ୍ରଶାସନ ସେମାନଙ୍କ ସହ ଆଲୋଚନା ପରେ ନାଗାସାଧୁମାନେ ଶାନ୍ତ ପଡ଼ିଛନ୍ତି ।
Published by: Anand Shankar Thankur Das
First published: September 27, 2020, 11:58 PM IST
corona virus btn
corona virus btn
Loading