ଏଥର ମଧ୍ୟ ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରାର କଂସ ସାଜିବେ ହୃଷୀକେଶ ଭୋଇ

୭୫ତମ ଧନୁଯାତ୍ରାରେ ହୃଷୀକେଶଙ୍କୁ ଦଶମ ଥର ପାଇଁ କଂସ ଭୂମିକାରେ ଅଭିନୟ କରୁଥିବା ଦେଖିବାକୁ ମିଳିବ।

ଏଥର ମଧ୍ୟ ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରାର କଂସ ସାଜିବେ ହୃଷୀକେଶ ଭୋଇ

ଏଥର ମଧ୍ୟ ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରାର କଂସ ସାଜିବେ ହୃଷୀକେଶ ଭୋଇ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ସମ୍ବଲପୁର: ଧନୁଯାତ୍ରା ଓଡ଼ିଶାର ବରଗଡ଼ରେ ଏକ ବାର୍ଷିକ ନାଟକ-ଭିତ୍ତିକ ଖୋଲା ରଙ୍ଗମଞ୍ଚ ଯାତ୍ରା। ବରଗଡ଼ ପୌରାଞ୍ଚଳର ୭କିମି ପରିଧି ମଧ୍ୟରେ ଆୟୋଜିତ ଏହି ଯାତ୍ରା ପୃଥିବୀର ବିଶାଳତମ ଖୋଲା ରଙ୍ଗମଞ୍ଚ ଭାବେ ବେଶ୍ ଜଣାଶୁଣା। ପୌରାଣିକ କଥାବସ୍ତୁ ହରିବଂଶର ମଥୁରା ବିଜୟକୁ ନାଟ୍ୟ ରୂପାନ୍ତର ଆକାରରେ ମଞ୍ଚସ୍ଥ କରାଯାଇଥାଏ ଧନୁଯାତ୍ରାରେ। ଧନୁଯାତ୍ରା ମାତୁଳ କଂସର ଧନୁଯାତ୍ରାରେ ଭାଗନେବାପାଇଁ ଭଗବାନ କୃଷ୍ଣଙ୍କର ମଥୁରାଯାତ୍ରାର ସ୍ମୃତି ବହନ କରେ।

ଯାତ୍ରା ସମୟରେ ବରଗଡ଼ ସହର କଂସଙ୍କ ମଥୁରା ପାଲଟୁଥିବାବେଳେ ପୌରାଞ୍ଚଳର ୧୭ନଂ ୱାର୍ଡ଼ ଅମ୍ବାପାଲି ପାଲଟି ଥାଏ ଗୋପପୁର, ବରଗଡ଼ ସହରବାସୀ ଓ ଦର୍ଶକ ପାଲଟିଥାନ୍ତି ପ୍ରଜା। ମହାରାଜା କଂସଙ୍କ ଆଦେଶ ଅବମାନନା କଲେ ଯେତେବଡ଼ ପଦପଦବୀରେ ଥିଲେ ସୁଦ୍ଧା ଦଣ୍ଡଭୋଗିବାକୁ ହୋଇଥାଏ। ଏହି ମଞ୍ଚରେ କଂସ ଦୋଷ ନିମନ୍ତେ ଲୋକଙ୍କୁ ଦଣ୍ଡବିଧାନ ମଧ୍ୟ କରିଥାନ୍ତି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରୀମଣ୍ଡଳ ମଧ୍ୟ କଂସଙ୍କଦ୍ୱାରା ଦଣ୍ଡିତ ହୋଇଥିଲେ।

ଇତିମଧ୍ୟରେ ଚଳିତ ବର୍ଷ କିଏ ହେବ ବରଗଡ଼ ଧନୁଯାତ୍ରାର କଂସ ତାକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା। ସବୁ କଳ୍ପନାଜଳ୍ପନାକୁ ପଛରେ ପକାଇ ଦେଇଛନ୍ତି ହୃଷୀକେଶ ଭୋଇ। କାରଣ ୪୧ ଜଣ ପ୍ରତିଦ୍ବିନ୍ଦୀଙ୍କୁ ମାତ୍ ଦେଇ ଆଗରେ ଅଛନ୍ତି। ସେ ଆଗାମୀ ଧନୁଯାତ୍ରାର କଂସ ପାଇଁ ଚୟନ ହୋଇଛନ୍ତି। ୭୫ତମ ଧନୁଯାତ୍ରାରେ ହୃଷୀକେଶଙ୍କୁ ଦଶମ ଥର ପାଇଁ କଂସ ଭୂମିକାରେ ଅଭିନୟ କରୁଥିବା ଦେଖିବାକୁ ମିଳିବ।

ଅମ୍ବାଭୋନା ବ୍ଲକ୍‌ ଚିଚୋଲି ଗାଁର ମୂଳ ବାସିନ୍ଦା ହୃଷୀକେଶ ସ୍ବାସ୍ଥ୍ୟ ବିଭାଗରେ ଡ୍ରାଇଭର ଭାବେ କାର୍ଯ୍ୟରତ। ହେଲେ ପସନ୍ଦ କିନ୍ତୁ ଅଭିନୟ। ୨୦୦୯ ମସିହାରୁ ୨୦୧୭ ପର୍ଯ୍ୟନ୍ତ ସେ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ବଳିଷ୍ଠ ଅଭିନୟ କରିଥିଲେ।

ଚଳିତ ବର୍ଷ କଂସ ଭୂମିକା ପାଇଁ ୫୬ଜଣ କଳାକାର ଆବେଦନ କରିଥିଲେ। ତେବେ ଗୁରୁବାର ଚୟନ ପ୍ରକ୍ରିୟାରେ ୪୨ଜଣ ସାମିଲ ଥିଲେ। ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟ ଆସୁରିକ ଅଟ୍ଟହାସ୍ୟ, ଗମ୍ଭୀର ସଂଳାପରେ କମ୍ପି ଉଠିଥିଲା। ଜଣକ ପରେ ଜଣେ ଆଶାୟୀ ମଞ୍ଚରେ ସଂକ୍ଷିପ୍ତ ଅଭିନୟ କରି କଂସ ଭୂମିକା ପାଇଁ ନିଜ ଦାବିଦାର ଜାହିର କରିଥିଲେ। ଶେଷରେ ହୃଷୀକେଶ ସମସ୍ତଙ୍କୁ ପଛରେ ପକାଇ ପ୍ରଥମ ଅକ୍ତିଆର କରିଥିଲେ।
Published by:Lipina Das
First published: