ହାତଟେକା ମାଂସ ଖାଇ, ସବୁଠି ମଣିଷ ଦେଖି ହିଂସ୍ରତା ହରେଇଛି ବାଘୁଣୀ ସୁନ୍ଦରୀ । କେମିତି ତିଷ୍ଠିବ ଆଗକୁ?

ବାଘୁଣୀ ସୁନ୍ଦରୀକୁ ତା’ ଜନ୍ମଭୂମି ମଧ୍ୟ ପ୍ରଦେଶର କାହ୍ନା ବ୍ୟାଘ୍ର ପ୍ରକଳ୍ପକୁ ଫେରାଇ ନିଆଯିବ ବୋଲି ନିଷ୍ପତ୍ତି ହୋଇଛି ସିନା, ହେଲେ ଦୀର୍ଘ ଦିନ ଧରି ଛୋଟ ଗୋଟେ ଏନକ୍ଳୋଜର୍‌ ଭିତରେ ଏକାକୀ ଜୀବନ ବିତେଇ ଓ ହାତଟେକା ମାଂସ ଖାଇ ଖାଇ ଶିକାର ଭୁଲିଯାଇଥିବା ଏହି ବାଘୁଣୀ କେମିତି ତିଷ୍ଠିବ ସେଠି?

ବାଘୁଣୀ ସୁନ୍ଦରୀ

ବାଘୁଣୀ ସୁନ୍ଦରୀ

  • Share this:
ଭିକାରି ମହାନ୍ତି

ଅନୁଗୁଳ: ବାଘୁଣୀ ସୁନ୍ଦରୀର ସୁରକ୍ଷାକୁ ଗୁରୁତ୍ୱ ଦେଇ ତାକୁ ତା’ ଜନ୍ମଭୂମି ମଧ୍ୟ ପ୍ରଦେଶର କାହ୍ନା ବ୍ୟାଘ୍ର ପ୍ରକଳ୍ପକୁ ଫେରାଇ ନିଆଯିବାକୁ ନିଷ୍ପତ୍ତି ହୋଇଛି । ସେଠି ସେ ଗୋଟେ ବାଘୁଣୀର ସ୍ୱାଭାବିକ ହିଂସ୍ରତାକୁ ବଜାୟ ରଖି ନିଜ ପ୍ରକୃତି ମୁତାବକ ଜୀବନ ଜିଇଁବ ଓ ସୁଖି ରହିବ ବୋଲି କହି ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍‌ଟିସିଏ ) ର ଉଚ୍ଚ ଅଧିକାରୀମାନେ ତାକୁ ଫେରାଇ ନେବାକୁ ଆଦେଶ ଦେଇଛନ୍ତି । ହେଲେ ଏ ଯୋଜନା କେତେ ଦୂର ଫଳପ୍ରଦ ହେବ?

ଦୀର୍ଘ ଦିନ ଧରି ଛୋଟ ଗୋଟେ ଏନକ୍ଳୋଜର୍‌ ଭିତରେ ଏକାକୀ ଜୀବନ ବିତେଇ ଓ ହାତଟେକା ମାଂସ ଖାଇ ଖାଇ ଶିକାର ଭୁଲିଯାଇଥିବା ଏହି ବାଘୁଣୀ ସେଠି କେମିତି ତିଷ୍ଠିବ, ସେ କଥା ବ୍ୟାଘ୍ର ପ୍ରକଳ୍ପ ସହ ଜଡ଼ିତ ବିଶେଷଜ୍ଞମାନଙ୍କ ସାମନାରେ ଏକ ପ୍ରଶ୍ନ ହୋଇ ଠିଆ ହୋଇଛି ।

ଏନଟିସିଏର ଏଭଳି ନିଷ୍ପତ୍ତି ରାଜ୍ୟ ସରକାରଙ୍କୁ ଚ଼ିଠି ଲେଖି ଜଣେଇ ଦେଇଛନ୍ତି ସଂସ୍ଥାର ଏଡ଼ିଜି ଅନୁପ କୁମାର ନାୟକ । ଏହି ନିଷ୍ପତ୍ତିକୁ ରାଜ୍ୟ ସରକାର ମାନିଯିବେ ବୋଲି ଆଶା କରାଯାଉଛି । ଏଥି ସହିତ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଆଶା ବି ମଉଳି ଯିବ ।

ସୁନ୍ଦରୀକୁ ଗତ ବର୍ଷେରୁ ଅଧିକ ସମୟ ଧରି ଜାଣିଥିବା ବନ କର୍ମଚ଼ାରୀମାନେ ଚ଼ିନ୍ତିତ ଯେ ବର୍ତ୍ତମାନର ଅବସ୍ଥାରେ ତାକୁ ସ୍ଥାନାନ୍ତର କରିବା ଓ ପୁଣି ଥରେ ଜଙ୍ଗଲ ଭିତରକୁ ଛାଡ଼ିବା ତା’ ପାଇଁ ବିପଦଜନକ ଓ ଦୁଃଖଦ ହୋଇପାରେ ।

୨୦୧୮ ନଭେମ୍ବର ୭ ତାରିଖ ଠାରୁ ଜଙ୍ଗଲୀ ବାଘୁଣୀ ସୁନ୍ଦରୀ ମାତ୍ର ଅଢେ଼ଇ ଏକର ବିଶିଷ୍ଟ ଏକ ସୀମିତ ଏନକ୍ଳୋଜର୍‌ ଭିତରେ  ରହିଆସିଛି । ସେ ହାତଟେକା ମାଂସ ଖାଉଛି । ସବୁ ସମୟରେ ମଣିଷ ଦେଖୁଛି । ତା’ ଭିତରେ ଥିବା ହିଂସ୍ର ସ୍ବଭାବ ଧୀରେ ଧୀରେ କମି ଆସିଛି । ସେ ଶିକାର କରିବାର ସବୁ କୌଶଳ ଭୁଲିଯାଇଛି । ହୁଏତ ସେ ଶିକାର କରିବାର ମନୋବୃତ୍ତି ହିଁ ହରେଇ ସାରିଛି ।

ସ୍ଥାନୀୟ ଲୋକ ଓ ବିଶେଷଜ୍ଞଙ୍କ କହିବା ମୁତାବକ ରାଜ୍ୟ ବନ ବିଭାଗର ଅପାରଗତା ଯୋଗୁଁ ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପ ସଫଳ ହୋଇ ପାରିଲା ନାହିଁ । ସୁନ୍ଦରୀ ପୂର୍ବରୁ ସେହି ମଧ୍ୟ ପ୍ରଦେଶର କାହ୍ନାରୁ ୨୦୧୮ ଜୁନ୍‌ ମାସରେ ପୁରୁଷ ବାଘ ମହାବୀରକୁ ଅଣାଯାଇଥିଲା, ହେଲେ ତାକୁ ବନ ବିଭାଗ ସୁରକ୍ଷା ଦେଇ ପାରିଲା ନାହିଁ । ଫଳରେ ଶିକାରୀର ଫାଶରେ ତା’ର ମୃତ୍ୟୁ ହେଲା ।

ସୁନ୍ଦରୀ ପାଇଁ ଏନ୍‌ଟିସିଏର ସବୁ ପ୍ରକାର ସହାୟତା ମିଳିବା ପରେ ମଧ୍ୟ ସଫଳତାର ସହ ବ୍ୟବସ୍ଥାର ପରିଚ଼ାଳନା କରି ପାରିଲା ନାହିଁ ରାଜ୍ୟ ବନ ବିଭାଗ । ସେଥି ପାଇଁ ଏବେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଆଶାରେ ଆଘାତ ଲଗେଇ ସୁନ୍ଦରୀକୁ ଫେରାଇ ନିଆଯାଉଛି ।

୨୦୦୭ ରେ ସାତକୋଶିଆରେ ୧୨ଟି ବାଘ ଥିବା କଥା ସରକାରୀ ସ୍ତରରେ କୁହା ଯାଇଥିଲା । ତେଣୁ ବାଘ ସଂଖ୍ୟାକୁ ଦେଖି ସାତକୋଶିଆକୁ ସେହି ବର୍ଷ ବ୍ୟାଘ୍ର ପ୍ରକଳ୍ପ ଘୋଷଣା କରାଯାଇଥିଲା । କିନ୍ତୁ ହଠାତ ୨୦୧୮ରେ ସେଠାରେ ମାତ୍ର ଦୁଇଟି ବାଘ ଥିବା ରିପୋର୍ଟରୁ ଜଣା ପଡ଼ିଥିଲା ।

ସାତକୋଶିଆରେ ବାଘ ବଂଶ ବୃଦ୍ଧି ପାଇଁ ସବୁ ପ୍ରକାର ଭିତ୍ତିଭୂମି ଥିବା ଦର୍ଶାଇ ବନ ବିଭାଗ ତରଫରୁ ବାହାରୁ ବାଘ ଆଣି ଏଠି ଛାଡ଼ିବାକୁ ପ୍ରସ୍ତାବ ଦିଆ ଯାଇଥିଲା । ଏହି ପ୍ରସ୍ତାବକୁ ୨୦୧୭ରେ ଏନଟିସିଏ ମଞ୍ଜୁର କରିଥିଲା । ସେହି ଅନୁସାରେ ମଧ୍ୟ ପ୍ରଦେଶର କାହ୍ନାରୁ ୨୦୧୮ ଜୁନ ମାସରେ ମହାବୀରକୁ ଅଣାଯାଇଥିଲା ।

କିଛି ଦିନ ମହାବୀରକୁ ଏକକ୍ଳୋଜର୍‌ ଭିତରେ ରଖାଯିବା ପରେ ଜଙ୍ଗଲରେ ଛଡ଼ା ଯାଇଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ୨୦୧୮ ନଭେମ୍ବର ୧୪ରେ ତା’ର ମୃତ୍ୟୁ ହୋଇଥିଲା । ମହାବୀରର ମୃତ୍ୟୁ ପରେ ସାତକୋଶିଆର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ଲାଗିଯାଇଥିଲା ।

ସେହିପରି ୨୦୧୮ ଜୁଲାଇ ୨୮ରେ ମଧ୍ୟ ପ୍ରଦେଶର ବାନ୍ଧବଗଡ଼ରୁ ସୁନ୍ଦରୀକୁ ଅଣା ଯାଇଥିଲା । ତାକୁ ଅଗଷ୍ଟ ୧୮ ରେ ଏନକ୍ଳୋଜର୍‌ ଭିତରୁ ଜଙ୍ଗଲକୁ ଛଡ଼ା ଯାଇଥିଲା । କିନ୍ତୁ ସୁନ୍ଦରୀ ଦୁଇ ଦୁଇଟି ମଣିଷ ମାରିଛି ବୋଲି ଅଭିଯୋଗ ଆସିବା ପରେ ସେ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଛି ବୋଲି କୁହାଗଲା ଓ ଦୁଇ ସପ୍ତାହର ଅକ୍ଳାନ୍ତ ପରିଶ୍ରମ ପରେ ତାକୁ ଧରି ପୁଣି ଥରେ ଏନକ୍ଳୋଜର୍‌ ଭିତରେ ଛାଡ଼ି ଦିଆଗଲା ।

୨୦୧୮ ନଭେମ୍ବର ୭ ତାରିଖ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏନକ୍ଳୋଜର ଭିତରେ ଏକ ପ୍ରକାର ବନ୍ଦୀ ଜୀବନ ଅତିବାହିତ କରୁଛି ସୁନ୍ଦରୀ । ଏହା ଦ୍ୱାରା ସେ ତା’ର ସ୍ବାଧୀନତା ହରେଇଛି । ହାତଟେକା ମାଂସ ଖାଇ ଖାଇ ସେ ଶିକାର କରିବା କୌଶଳ ଭୁଲି ଗଲାଣି । ଜଙ୍ଗଲରେ ବାଘର ଯେଉଁ ହିଂସ୍ର ସ୍ବଭାବ ରହିବା କଥା ତାହା ବି ସେ ହରେଇ ବସିଛି । ଏବେ ସୁନ୍ଦରୀ ନା କୌଣସି ଚି଼ଡ଼ିଆଖାନାରେ ରହିପାରିବ ନା ଜଙ୍ଗଲ ଭିତରେ । ତେଣୁ ତା’ର ଭବିଷ୍ୟତ ଅନିଶ୍ଚିତତା ଭିତରେ ରହି ଯାଇଛି ।

ସ୍ଥାନୀୟ ପରିବେଶ ଓ ବନ୍ୟଜନ୍ତୁ ପ୍ରେମୀ ତଥା ଅଞ୍ଚଳବାସୀଙ୍କ ଅଭିଯୋଗ ଯେ ବନ ବିଭାଗର ପରିଚ଼ାଳନାଗତ ତୃଟି ଯୋଗୁଁ ମହାବୀର ମଲା ଆଉ ସୁନ୍ଦରୀ ବନ୍ଦୀ ଜୀବନ ଜିଇଁବାକୁ ବାଧ୍ୟ ହେଲା ।

କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ମଧ୍ୟ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଭବିଷ୍ୟତ ଏବେ ପୁଣି ଅନ୍ଧାରରେ । ପୂର୍ବରୁ କୌଣସି ନା କୌଣସି ବାଟ ବାହାର କରିବାକୁ ବନ ବିଭାଗ ଓ ଏନ୍‌ଟିସିଏ ବାରମ୍ବାର ଉଦ୍ୟମ ଜାରି ରଖିଥିଲେ ମଧ୍ୟ କିଛି ଫଳପ୍ରଦ ହୋଇ ପାରିଲା ନାହିଁ ।

୨୦୧୮ ଜୁଲାଇ ୧୫ ତାରିଖରେ ଭୁବନେଶ୍ବରର ଅରଣ୍ୟ ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏନଟିସିଏର ସଦସ୍ୟ ସଚିବ ଅନୁପ ନାୟକ ଓ ପିସିସିଏଫ (ବନ୍ୟପ୍ରାଣୀ) ଅଜୟ ମହାପାତ୍ରଙ୍କ ସମେତ ବହୁ ଉଚ୍ଚ ଅଧିକାରୀ ବ୍ୟାଘ୍ର ପ୍ରକଳ୍ପର ଭବିଷ୍ୟତ ଓ ସୁନ୍ଦରୀର ଅବସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ ।

ବର୍ତ୍ତମାନ ସୁନ୍ଦରୀ ରହୁଥିବା ଏନକ୍ଳୋଜର୍‌କୁ ଅଢେଇ ଏକରରୁ ୨୫ ଏକର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବା ଓ ସେହି ଏନକ୍ଳୋଜର୍‌ ଭିତରେ ଶିକାର ପାଇଁ ତୃଣଭୋଜୀ ପ୍ରାଣୀଙ୍କୁ ଛଡ଼ାଯିବା ପ୍ରସ୍ତାବ ସେହି ବୈଠକରେ ପାରିତ ହୋଇଥିଲା ।

ଦୀର୍ଘ ଦିନ ଏନକ୍ଳୋଜର ଭିତରେ ରହି ସୁନ୍ଦରୀ ଶିକାର ଅଭ୍ୟାସ ଛାଡ଼ି ଦେଇଥିବାରୁ ତାହା କିଭଳି ଫେରାଇ ଅଣା ଯାଇ ପାରିବ ସେଥିପାଇଁ ଯଥାସାଧ୍ୟ ଉଦ୍ୟମ କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ନିଆ ଯାଇଥିଲା ସେହି ବୈଠକରେ । ତେବେ ଏଥିପାଇଁ ଏନଟିସିଏ, ଡବ୍ଲ୍ୟୁଆଇଆଇ ଓ ସାତକୋଶିଆର ଟିମ୍‌ ଏକ ସର୍ଭେ କରି ସ୍ଥାନ ନିରୂପଣ କରିବା ପରେ ଯାଇ କାମ ଆରମ୍ଭ ହେବ ଏବଂ ଏଥିପାଇଁ ବର୍ଷକରୁ ଅଧିକ ସମୟ ଲାଗିବ ବୋଲି ସ୍ଥିର ହୋଇଥିଲା । କିନ୍ତୁ ଏବେ ସେସବୁର ଅବସାନ ଘଟିଛି । ଶେଷରେ ସୁନ୍ଦରୀକୁ ଫେରାଇ ନେବାକୁ ଏନଟିସିଏ କଡ଼ା ନିଷ୍ପତ୍ତି ନେଇଛି ।

ବ୍ୟାଘ୍ର ପ୍ରକଳ୍ପ ପାଇଁ ପୂର୍ବରୁ ଆନ୍ଦୋଳନ କରି ଶହ ଶହ ସାତକୋଶିଆ ବାସିନ୍ଦା ଜେଲ୍‌ ଯାଇଛନ୍ତି । ଆନ୍ଦୋଳନ ବେଳେ ଟିକରପଡ଼ା ଓ ପୁରୁଣାକୋଟ ଅଞ୍ଚଳରେ କୋଟି କୋଟି ଟଙ୍କାର ସମ୍ପତ୍ତି ପୋଡ଼ା ଜଳା କରି ନଷ୍ଟ କରି ଦିଆ ଯାଇଥିଲା । ଏତେ ଆଗ୍ରହ ଓ ପ୍ରଚ଼େଷ୍ଟା ସତ୍ବେ ଏବେ ବ୍ୟାଘ୍ର ପ୍ରକଳ୍ପ ବିଫଳ ହେବା ଯୋଗୁଁ ପ୍ରକୃତି ଓ ପରିବେଶ ପ୍ରେମୀମାନେ ରାଜ୍ୟ ବନ ବିଭାଗକୁ ହିଁ ଦାୟୀ କରିଛନ୍ତି ।
Published by:Anand Shankar Thankur Das
First published: