ରସିକିଆ ନକଲି ଡାକ୍ତରଙ୍କ କାରନାମା: ୭ଟି ରାଜ୍ୟରେ ୧୪ ଜଣ ସ୍ତ୍ରୀ

  • Share this:
ଭୁବନେଶ୍ୱର: ଦେଶରେ ୭ଟି ରାଜ୍ୟରେ ୧୪ ଜଣ ସ୍ତ୍ରୀ । ଏକଥା ଅବିଶ୍ୱାସ ଲାଗୁଥିେଲେ ମଧ୍ୟ ସତ । ନା ଥିଲେ ସେ ଡାକ୍ତର ନା ଥିଲା ତାଙ୍କର କୌଣସି ଡାକ୍ତରୀ ଡିଗ୍ରୀ । ତଥାପି ସାଜିଥିଲେ ୧୪ ଉଚ୍ଚଶିକ୍ଷିତା ମହିଳାଙ୍କ ସ୍ୱାମୀ । ବୟସ ୬୦ ଅତିକ୍ରମ କରି ସାରିଥିବା ବେଳେ ଏଯାବତ ନକଲି ଡାକ୍ତରଙ୍କ ପତ୍ନୀଙ୍କ ସଂଖ୍ୟା ୧୪ ଛୁଇଁଥିବା ଜଣାଯାଇଛି । ଏପରି ଜଣେ ପୋଖତ ଓ ପେସାଦାର ଠକ ରମେଶ ଚନ୍ଦ୍ର ସ୍ୱାଇଁଙ୍କୁ ଗିରଫ କରିଛି କମିଶନରେଟ୍‌ ପୁଲିସ୍‌ ।
ଏପରି ମହାଠକଙ୍କ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି, ଏହି ମହାଠକ ଜଣକ ନିଜକୁ ଡାକ୍ତର ବୋଲି କହି ୧୪ ଜଣଙ୍କୁ ବାହାହୋଇ ଲୁଟିଛନ୍ତି ଲକ୍ଷାଧିକ ଟଙ୍କା । ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ପରିଚୟ ମିଳିଥିବା ବେଳେ ସେମାନେ ରାଜ୍ୟ ବାହାରର ବୋଲି ଜଣାପଡିଛି । ଏହି ମହିଳାମାନେ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟରେ ଉଚ୍ଚପଦରେ ଥିଲେ । ରମେଶ ଚନ୍ଦ୍ର ସ୍ୱାଇଁ ମୁଖ୍ୟତଃ ମାଟ୍ରିମୋନିଆଲ ସାଇଟ୍‌ରେ ମଧ୍ୟବୟସ୍କା ଓ ଏକୁଟିଆ ରହୁଥିବା ମହିଳାଙ୍କୁ ଟାର୍ଗେଟ୍‌ କରୁଥିଲେ । ନିଜକୁ ଉଚ୍ଚପଦସ୍ଥ ଅଧିକାରୀ ତ କେତେବେଳେ ଡାକ୍ତର କହି ଫସାଉଥିଲେ ।

ଏପରିକି ନାଁ ବଦଳାଇ ପକାଉଥିଲେ ହାତ ଗଣ୍ଠି । ଗୌହାଟୀରେ ଥିବା ତାଙ୍କର ଜଣେ ପତ୍ନୀଙ୍କ ନିକଟରେ ସେ ଅଧିକାଂଶ ସମୟ ରହୁଥିଲେ । ତାଙ୍କର ପତ୍ନୀମାନଙ୍କ ମଧ୍ୟରୁ ଦୁଇ ଜଣ ଦିଲ୍ଲୀର ବୋଲି ପୁଲିସ କହିଛି । ଓଡ଼ିଶାରୁ ତିନି ଜଣ ପତ୍ନୀ ଥିଲା ବେଳେ ଜଣେ ଲେଖାଏଁ ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡର ହୋଇଥିଲା ବେଳେ ଅନ୍ୟ ଜଣେ ପଞ୍ଜାବର ମହିଳା ବୋଲି ପୁଲିସ ତଥ୍ୟ ପ୍ରଦାନ କରିଛି ।

ମଧ୍ୟପ୍ରଦେଶରେ ମଧ୍ୟ ତା’ର ଦୁଇଟି ପତ୍ନୀ ଥିବା ପୁଲିସ ଜାଣିବାକୁ ପାଇଛି । ଶ୍ରୀ ସ୍ୱାଇଁ ପ୍ରଥମେ ୧୯୮୨ ମସିହାରେ ଓଡ଼ିଶାର କେନ୍ଦ୍ରାପଡ଼ାରେ ବିବାହ କରିଥିଲା । ପରେ ୨୦୦୨ରେ ସେ ଦ୍ୱିତୀୟ ବିବାହ କରିଥିଲା । ଏହା ପରେ ସେ ମିଛ ପରିଚୟ ଦେଇ ୭ଟି ରାଜ୍ୟର ୧୪ ଜଣ ମହିଳାଙ୍କୁ ବିବାହ କରିଥିଲା । ଜଣେ ପତ୍ନୀଙ୍କ ପାଖର କିଛି ଦିନ ରହିବା ପରେ ସେ ତାର ଟଙ୍କା ପଇସା ଓ ସୁନା ଅଳଙ୍କାର ଧରି ଚମ୍ପଟ ମାରୁଥିଲା । ପୂର୍ବରୁ ଶ୍ରୀ ସ୍ୱାଇଁ ୨୦୦୬ରେ କେରଳ ପୁଲସ ଦ୍ୱାରା ୧୩ଟି ବ୍ୟାଙ୍କରୁ ୧କୋଟି ଟଙ୍କା ଠକେଇ ଅଭିଯୋଗରେ ଗିରଫ ହୋଇଥିଲା । ସେହିପରି ୨୦୧୧ରେ ହାଇଦ୍ରାବାଦ ପୁଲିସ ଦ୍ୱାରା ବେକାର ଯୁବକଙ୍କୁ ଚାକିରି ଦେବାକୁ କହି ୨କୋଟି ଟଙ୍କା ଠକେଇ ଅଭିଯୋଗର ଗିରଫ ହୋଇଥିଲା ।

ମାତ୍ର ଏଥର ତା’ର ସାତ ନଂ ସ୍ତ୍ରୀ ତାକୁ ଧରା ପକେଇ ଦେଲା । ୭ ନଂ ସ୍ତ୍ରୀ ପାଖରେ ଭୁବନେଶ୍ୱରେ କିଛି ଦିନ ରହିବା ପରେ ଟଙ୍କା ଓ ସୁନା ଧରି ଚମ୍ପଟ ମାରିଥିଲା । ପୁଣି ନିଜକୁ ଅବିବାହିତ ଦର୍ଶାଇ ମାଟ୍ରିମୋନି ସାଇଟ୍‌ରେ ବିଜ୍ଞାପନ ଦେଇଥିଲା । ଫଳରେ ଶ୍ରୀ ସ୍ୱାଇଁର ୭ ନଂ ସ୍ତ୍ରୀ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଏ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନେଇ କମିଶନରେଟ୍‌ ପୁଲିସ ତାର ମୋବାଇଲ୍‌ ଟ୍ରାକିଂ କରି ଗିରଫ କରିବାକୁ ସକ୍ଷମ ହୋଇଛି । ୭ଟି ରାଜ୍ୟରେ ୧୪ଟି ସ୍ତ୍ରୀ ଥିବା ଏହି ନକଲି ଡାକ୍ତରଙ୍କ କାରନାମା ନେଇ ଭୁବନେଶ୍ୱରେ ଚର୍ଚ୍ଚା ସୃଷ୍ଟି ହୋଇଛି ।
First published: