ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ମନ୍ତବ୍ୟକୁ ନେଇ ଗୃହରେ ଝଡ଼
News18 Odia Digital
ଭୁବନେଶ୍ବର: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିରୁଦ୍ଧରେ କଂଗ୍ରେସ ନେତା ଦେଇଥିବା ଟିପ୍ପଣୀକୁ ବିରୋଧି କରି ବିଜେପି ସଦସ୍ୟମାନେ ଗୁରୁବାର ଗୃହରେ ହଟଗୋଳ କରିବାରୁ ବିଧାନସଭାର ପ୍ରଥମାର୍ଦ୍ଧ ଏକ ପ୍ରକାର ଅଚଳ ରହିଥିଲା।
ଏହି ପ୍ରସଙ୍ଗରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟଭାଗରେ ହଟଗୋଳ କରିବା ଯୋଗୁଁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ।
ଗୁରୁବାର ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିଜେପି ସଦସ୍ୟମାନେ ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ବିରୁଦ୍ଧରେ ନିନ୍ଦା ପ୍ରସ୍ତାବ ଆଣିବାକୁ ଦାବି କରିଥିଲେ। ତେବେ ବାଚସ୍ପତି ସେମାନଙ୍କୁ ଶୂନ୍ୟକାଳରେ ଏହା ଉଠାଇବାକୁ କହିବାରୁ ବିଜେପି ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହାତରେ ପ୍ଲାକାର୍ଡ ଧରି ହଟଗୋଳ କରିଥିଲେ। ବିଜେପି ସଦସ୍ୟ ମୋହନ ମାଝି, ସନାତନ ବିଜୁଳି, ଭାଷ୍କର ମଢେଇ, ମୁକେଶ ମହାଲିଙ୍ଗ, କୁସୁମ ଟେଟେ ପ୍ରମୁଖ ହାତରେ ପ୍ଲାକାର୍ଡ ଧରି କଂଗ୍ରେସ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ।
ଏହି ସମୟରେ କଂଗ୍ରେସ ସଦସ୍ୟ ସୁରେଶ କୁମାର ରାଉତରାୟ, ମହମ୍ମଦ ମୋକିମ, ଅଧିରାଜ ପାଣିଗ୍ରାହୀ ପ୍ରମୁଖ ଗୃହ ମଧ୍ୟଭାଗକୁ ଆସି ବିଜେପି ବିରୁଦ୍ଧରେ ଧ୍ୱନିମାନ ଦେଉଥିବା ଲକ୍ଷ୍ୟ କରାଯାଇଥିଲା। ଏହି ହଟଗୋଳ ମଧ୍ୟରେ ବାଚସ୍ପତିଙ୍କ ନିର୍ଦ୍ଦେଶରେ ବିଜେଡି ସଦସ୍ୟ ସୁଧାଂଶୁ ଶେଖର ପରିଡା ପଚାରିଥିବା ଏକ ପ୍ରଶ୍ନର ଉତ୍ତର ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ରଖୁଥିଲେ। ତେବେ ହଟଗୋଳ ମଧ୍ୟରେ ମନ୍ତ୍ରୀଙ୍କ ଉତ୍ତର ଶୁଣାଯାଉ ନଥିଲା। ହଟଗୋଳ ଜାରି ରହିବାରୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ୧୧.୩୦ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ।
ଶୂନ୍ୟକାଳରେ ବାଚସ୍ପତି ଏହି ପ୍ରସଙ୍ଗରେ ମତ ରଖିବାକୁ ବିଜେପି ସଦସ୍ୟ ମୋହନ ମାଝିଙ୍କୁ ଡାକିଥିଲେ। ମାଝି ତାଙ୍କ ବକ୍ତବ୍ୟରେ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ଯେଭଳି ମନ୍ତବ୍ୟ ଦେଇଛି ତାହାକୁ ନିନ୍ଦା କରିବା ସହିତ ଏହା ଉପରେ ନିନ୍ଦା ପ୍ରସ୍ତାବ ପାଇଁ ଅନୁମତି ଦେବାକୁ କହିଥିଲେ।
ମାଝି ଆହୁରି କହିଥିଲେ ଯେ ଦ୍ରୌପଦୀ ମୁର୍ମୁ ଓଡ଼ିଶାର ଜଣେ ଆଦିବାସୀ ନେତ୍ରୀ। ସମଗ୍ର ଆଦିବାସୀ ବର୍ଗଙ୍କ ବକାଶ ପାଇଁ ସେ ସର୍ବଦା ଚିନ୍ତା କରୁଛନ୍ତି। ସମାଜର ଦଳିତ ଆଦିବାସୀଙ୍କ ସେବା ପାଇଁ ସେ ସର୍ବଦା କାର୍ଯ୍ୟ କରିଥାନ୍ତି। ଏଥିପାଇଁ ଏନ୍ଡିଏରେ ସାମିଲ ନଥିବା ବିଜେଡି ଓ ଶିବସେନା ଭଳି ଦଳ ବି ତାଙ୍କୁ ସମର୍ଥନ କରୁଛନ୍ତି। ହେଲେ କଂଗ୍ରେସର ଏଭଳି ମନ୍ତବ୍ୟ ଦୁର୍ଭାଗ୍ୟଜନକ। ଏ ସଂକ୍ରାନ୍ତରେ ନିନ୍ଦା ପ୍ରସ୍ତାବ ଆଣିବାକୁ ବାଚସ୍ପତି ଅନୁମତି ପ୍ରଦାନ କରନ୍ତୁ।
ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ଗୃହର କାର୍ଯ୍ୟବିଧି ନିୟମ ଅନୁଯାୟୀ ଯେଉଁ ସଦସ୍ୟମାନେ ଗୃହର ସଦସ୍ୟ ନୁହଁନ୍ତି ସେମାନଙ୍କ ବିଷୟରେ ଏଠାରେ ଆଲୋଚନା ହୋଇପାରିବ ନାହିଁ। ପୂର୍ବରୁ ବିଜେପି ଏଭଳି ମତ ରଖିଛି। ତେଣୁ ଯେଉଁ କଂଗ୍ରେସ ନେତାଙ୍କ ନାମ ନେଇ ବିଜେପି ବକ୍ତବ୍ୟ ରଖିଛି ସେମାନଙ୍କ ନାମ ବିବରଣୀରୁ ବାଦ୍ ଦିଆଯାଉ।
ମିଶ୍ର କହିଥିଲେ ଯେ ଦ୍ରୌପଦୀ ମୁର୍ମୁ ଜଣେ ଅତି ଭଲ ମହିଳା। ଏଥିରେ କାହାର ଦ୍ୱିମତ ନାହିଁ। ହେଲେ ସେ ଯେଉଁ ଚିନ୍ତାଧାରାରେ ଅଛନ୍ତି ତାହାକୁ ଆମେ ସମାଲୋଚନା କରୁଛି। ଯେଉଁ ଚିନ୍ତାଧାରାରେ ମହାତ୍ମା ଗାନ୍ଧିଙ୍କୁ ହତ୍ୟା କରାଯାଇଥିଲା ସେହି ଚିନ୍ତାଧାରାରେ ଏମାନେ ଅନୁପ୍ରାଣିତ। ଯେଉଁମାନଙ୍କ କାର୍ଯ୍ୟାଳୟରେ ୫୨ ବର୍ଷ ଧରି ଦେଶର ଜାତୀୟ ପତାକା ଉଡ଼ିନାହିଁ, ଏମିତିକି ଦେଶ ସ୍ୱାଧୀନ ହୋଇଥିବାବେଳେ ଏମାନଙ୍କ ଦପ୍ତରରେ ତ୍ରିରଙ୍ଗା ବଦଳରେ କଳାପତାକା ଉଡ଼ିଥିଲା ସେହି ଚିନ୍ତାଧାରାକୁ ଆମେ ସମର୍ଥନ କରିପାରିବୁ ନାହିଁ।
ମିଶ୍ର ତାଙ୍କ ବକ୍ତବ୍ୟ ରଖୁଥିବାବେଳେ ବିଜେପି ସଦସ୍ୟମାନେ ହଟଗୋଳ କରିବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ। ତେବେ ଏନେଇ ବିଜେପି ଓ କଂଗ୍ରେସ ଗୃହ ବାହାରେ ପ୍ରତିକ୍ରିୟା ରଖିଥିବା ବେଳେ ବିଜେଡି କହିଛି ଗୃହକୁ ବନ୍ଦ କରିବା ଠିକ୍ ନୁହେଁ। ଅପରାହ୍ନରେ ମଧ୍ୟ କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ଅଜୟ କୁମାରଙ୍କ ଟିପ୍ପଣୀକୁ ନେଇ ମୁହାଁମୁହିଁ ହୋଇଥିଲେ ବିଜେପି ଓ କଂଗ୍ରେସ। ଉପ ବାଚସ୍ପତି ରଜନୀକାନ୍ତ ସିଂ ଅନୁରୋଧକ୍ରମେ ପ୍ରସଙ୍ଗରୁ ହଟିଥିଲେ ବିରୋଧୀ। ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ସାମିଲ ହୋଇଥିଲେ ବିରୋଧୀ। ବିଭାଗୀୟ ମନ୍ତ୍ରୀ ବିଧାୟକଙ୍କ ପ୍ରଶ୍ନର ଜବାବ ରଖୁଥିଲେ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।