ଭୁବନେଶ୍ବରରେ ଜିରୋ ନାଇଟ୍ ସେଲିବ୍ରେସନ୍‌ ପାଇଁ ହୋଟେଲଗୁଡ଼ିକରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ବଲିଉଡ୍ ଓ ଓଲିଉଡ୍ କଳାକାରମାନଙ୍କୁ ନେଇ ନାଚ଼ ଓ ଗୀତ ସହ ଡିଜେ ଏବଂ ଖାଦ୍ୟ ପାନୀୟର ବ୍ୟବସ୍ଥା ରଖାଯାଇଛି । ବଜେଟ ହୋଟେଲ ଠାରୁ ଆରମ୍ଭ କରି ଷ୍ଟାର ହୋଟେଲ ପର୍ଯ୍ୟନ୍ତ ସମସ୍ତେ ବିଭିନ୍ନ ବର୍ଗର ଲୋକଙ୍କୁ ଆଖିରେ ରଖି ଟିକେଟ ଓ ପାସ୍‌ର ବ୍ୟବସ୍ଥା କରିଛନ୍ତି ।

ଭୁବନେଶ୍ବରରେ ଜିରୋ ନାଇଟ୍ ସେଲିବ୍ରେସନ୍‌ ପାଇଁ ହୋଟେଲଗୁଡ଼ିକରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ
ହୋଟେଲରେ ନୂଆ ବର୍ଷ ପାଳନ (ଫାଇଲ୍ ଫଟୋ)
  • News18 Odia
  • Last Updated: December 28, 2019, 11:37 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଭୁବନେଶ୍ବର: ନୂତନ ବର୍ଷ ୨୦୨୦କୁ ଆଉ ଦିନ କେଇଟା ବାକି ଥିବା ବେଳେ ସେଲିବ୍ରେସନ୍‌ ପାଇଁ ସବୁଠି ଉତ୍କଣ୍ଠା ଦେଖାଦେବା ସହ ବିସ୍ତୃତ ଯୋଜନା ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଜିରୋ ନାଇଟକୁ ମଉଜ ମସ୍ତିର ସହ ସେଲିବ୍ରେସନ୍‌ କରିବା ପାଇଁ ରାଜଧାନୀବାସୀ ମୁଖ୍ୟତଃ ହୋଟେଲଗୁଡ଼ିକୁ ପସନ୍ଦ କରୁଥିବା ବେଳେ ହୋଟେଲଗୁଡ଼ିକ ଲୋକମାନଙ୍କ ପସନ୍ଦକୁ ଆଖି ଆଗରେ ରଖି ବିଭିନ୍ନ ପ୍ୟାକେଜ ପ୍ରସ୍ତୁତ କରିଛନ୍ତି ।

ନାଚ଼ ଗୀତର ଆସର ସହ ଖାଦ୍ୟ ଏବଂ ପାନୀୟର ବ୍ୟବସ୍ଥା ସେଲିବ୍ରେସନର ମଜାକୁ ଯଥେଷ୍ଟ ବଢ଼ାଇବା ସହ ରାତିକୁ ରଙ୍ଗୀନ କରିବାରେ ସାହାଯ୍ୟ କରିବ ବୋଲି ରାଜଧାନୀବାସୀ ଆଶା ରଖିଛନ୍ତି ।

ହୋଟେଲଗୁଡ଼ିକରେ ସ୍ବତନ୍ତ୍ର ପ୍ୟାକେଜ

ନୂଆ ବର୍ଷକୁ ସ୍ବାଗତ କରିବା ପାଇଁ ସାଧାରଣତଃ ଲୋକମାନେ ପିକନିକ୍ ସହ ବୁଲାବୁଲି କରିବାକୁ ପସନ୍ଦ କରୁଥିବା ବେଳେ ରାଜଧାନୀବାସୀ ହୋଟେଲରେ ସେଲିବ୍ରେସନ ପାଇଁ ପସନ୍ଦ କରିଥାନ୍ତି । ଏଥି ପାଇଁ ଏଥର ହୋଟେଲ ଗୁଡ଼ିକ ସ୍ବତନ୍ତ୍ର ପ୍ୟାକେଜ ପ୍ରସ୍ତୁତ କରିଛନ୍ତି । ବଲିଉଡ୍‌ ଓ ଓଲିଉଡ୍‌ କଳାକାରମାନଙ୍କୁ ନେଇ ନାଚ଼ ଓ ଗୀତ ସହ ଡିଜେ ଏବଂ ଖାଦ୍ୟ ପାନୀୟର ବ୍ୟବସ୍ଥା ରଖାଯାଇଛି । ଚ଼ଳିତ ବର୍ଷ ମଧ୍ୟ ବଜେଟ ହୋଟେଲ ଠାରୁ ଆରମ୍ଭ କରି ଷ୍ଟାର ହୋଟେଲ ପର୍ଯ୍ୟନ୍ତ ସମସ୍ତେ ବିଭିନ୍ନ ବର୍ଗର ଲୋକଙ୍କୁ ଆଖିରେ ରଖି ଟିକେଟ ଓ ପାସ୍ର ବ୍ୟବସ୍ଥା କରିଛନ୍ତି ।

ଷ୍ଟାର ହୋଟେଲଗୁଡ଼ିକରେ ଟିକେଟ ଓ ପାସର ଦାମ୍ ସାମାନ୍ୟ ଅଧିକ ରହିଥିବା ବେଳେ ବଜେଟ ହୋଟେଲ ଗୁଡ଼ିକରେ ସାଧାରଣ ଲୋକଙ୍କ ପକେଟକୁ ସୁହାଇଲା ଭଳି ଦାମ୍ ରହିଛି । ଷ୍ଟାର ହୋଟେଲ ଗୁଡ଼ିକରେ ଟିକେଟ ରେଞ୍ଜ ଜଣପିଛା ୫ ହଜାରରୁ ଆାରମ୍ଭ ହୋଇ ୧୦ ହଜାର ପର୍ଯ୍ୟନ୍ତ ରହିଥିବା ବେଳେ କପଲ୍‌ମାନଙ୍କ ପାଇଁ ରିହାତି ବ୍ୟବସ୍ଥା କରାଯାଇଛି । ସେହିପରି ବଜେଟ ହୋଟେଲ ଗୁଡ଼ିକରେ ୧,୫୦୦ ଟଙ୍କାରୁ ୩,୦୦୦ ପର୍ଯ୍ୟନ୍ତ ଟିକେଟ ବ୍ୟବସ୍ଥା କରାଯାଇଛି ।

କ’ଣ ରହିଛି ବ୍ୟବସ୍ଥା

ଜିରୋ ନାଇଟ ସେଲିବ୍ରେସନ ପାଇଁ ସାଧାରଣତଃ ଯୁବପିଢ଼ି ଆଗ୍ରହ ଦେଖାଉଥିବାରୁ ସେମାନଙ୍କ ପସନ୍ଦକୁ ଆଖି ଆଗରେ ରଖି ହୋଟେଲ ଗୁଡ଼ିକ ବ୍ୟବସ୍ଥା କରିଥାନ୍ତି । ଏଥିପାଇଁ ବଲିଉଡ଼ ଏବଂ ଓଲିଉଡ଼ ସିଙ୍ଗରମାନଙ୍କୁ ବୁକ୍ କରାଯିବା ସହ ସେମାନଙ୍କ ଗୀତରେ ତଡ଼କା ଲଗାଇବା ପାଇଁ ଡିଜେମାନଙ୍କୁ ଡକାଯାଇଛି ।

ଗୀତ ସାଙ୍ଗକୁ ବେଲି ଡାନ୍ସ , ହିପପ୍, ଓ୍ବେଷ୍ଟର୍ଣ୍ଣ, ସହ ଆଇଟମ୍ ଗାର୍ଲମାନଙ୍କ ନୃତ୍ୟର ଡିମାଣ୍ଡ ରହିଛି । ଏହା ସହ ବିଭିନ୍ନ ପ୍ରକାର ପାନୀୟର ମଧ୍ୟ୍ ବ୍ୟବସ୍ଥା କରାଯାଇଥିବା ବେଳେ ଖାଦ୍ୟ ପାଇଁ ସ୍ବତନ୍ତ୍ର ଭାବେ ଅଧିକ ଭେରାଇଟିର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି । ଖାଦ୍ୟରେ ଇଣ୍ଡିଆନ, ଚାଇନିଜ୍, କଣ୍ଟିନେଣ୍ଟାଲ ସାଙ୍ଗକୁ ରୋଷ୍ଟେଡ ଏବଂ ଫ୍ରାଏଡ ଆଇଟମ୍ ବ୍ୟବସ୍ଥା ମଧ୍ୟ କରାଯାଇଛି ।

ସୁରକ୍ଷା ଓ କଟକଣା

ହୋଟେଲଗୁଡ଼ିକରେ ହେଉଥିବା ନାଚ ଗୀତ ଅଶ୍ଳୀଳ ବୋଲି କଳିଙ୍ଗ ସେନା ଓ ବଜରଙ୍ଗ ଦଳ ଭଳି ସଂଗଠନ ଅଭିଯୋଗ କରିବା ପରେ ଏ ନେଇ କମିଶନରେଟ୍‌ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଧ୍ୟାନ ରଖାଯାଇଛି ।

‘‘କୌଣସି ପରିସ୍ଥିତିରେ ଯେପରି ଏହି ସଂଗଠନଗୁଡ଼ିକ କୌଣସି ପ୍ରକାର ଗଣ୍ଡଗୋଳ ସୃଷ୍ଟି ନ କରନ୍ତି ସେଥିପାଇଁ ହୋଟେଲଗୁଡ଼ିକ ସାମ୍ନାରେ ପୋଲିସ ମୁତୟନ କରାଯିବ । ଏହା ସହ ମଦ୍ୟପାନ କରି ଯେପରି କେହି ବିଶୃଙ୍ଖଳା କିମ୍ବା ରାସ୍ତା ଘାଟରେ ଦୁର୍ଘଟଣା ନ ଘଟାନ୍ତି ସେଥିପାଇଁ ପୋଲିସ ପକ୍ଷରୁ ଚେକିଂ ବ୍ୟବସ୍ଥା ଜୋରଦାର କରାଯାଇଛି,’’ କହିଛନ୍ତି ଡିସିପି ଅନୁପ ସାହୁ ।
Published by: Anand Shankar Thankur Das
First published: December 28, 2019, 11:24 AM IST
corona virus btn
corona virus btn
Loading